Unknown

 

 

 

 

 

 

 

 

 

 

 

ଗର୍କୀ କାହାଣୀ

ଅନୁବାଦକ

ଅଧ୍ୟାପକ ଶ୍ରୀଧର ଦାସ

 

ସୂଚୀପତ୍ର

 

୧.

ଦୁଇଟି ନୀଳ ଆଖି

୨.

କବି

୩.

ଜଣେ ପାଠକ

୪.

କଳୁଶା

୫.

ପ୍ରେମିକ-ପ୍ରେମିକା

୬.

ଗଣ୍ଡଗୋଳକାରୀ ଶ୍ରମିକ

୭.

ଭାଙ୍କା ମାଜିନ

Image

 

ଦୁଇଟି ନୀଳ ଆଖି

(The Woman with the Blue Eyes)

 

ଏକ

 

ପୋଡ଼ଶିବ୍ଳୋ ହେଉଛନ୍ତି ଆସିଷ୍ଟାଣ୍ଟ ପୋଲିସ ଅଫିସର । ତାଙ୍କ ଘର ହେଉଛି ଇଉକ୍ରେନ୍‌ରେ । ଲୋକଟି ଟିକିଏ ମୋଟା । ଦେଖିଲେ ଜଣାହୁଏ, ତାଙ୍କ ମନରେ ସବୁବେଳେ କିଛି ବିଷାଦ ରହିଥାଏ ।

 

ଦିନେ ସେ ଅଫିସଘରେ ବସି ଝରକାବାଟେ ବାହାରକୁ ଚାହିଁଥାନ୍ତି । କିଛି କାମ କରୁ ନ ଥାନ୍ତି । ଖାଲି ଚଉକିରେ ବସି ବେଳେ ବେଳେ ନିଶରେ ହାତ ମାରୁଥାନ୍ତି । ଅଫିସଘରଟା ଅନ୍ଧାରୁଆ; ପବନ କି ଆଲୁଅ ଆସିବାର ବାଟ ଖୁବ୍‍ କମ୍‍ । କାନ୍ଥରେ ଝୁଲୁଥିବା ଘଣ୍ଟାର ଟିକ୍‌ଟିକ୍‌ ଶବ୍ଦ ଛଡ଼ା ଆଉ କୌଣସି ଶବ୍ଦ ନ ଥାଏ । କିନ୍ତୁ ବାହାର ଅଗଣାଟିରେ ବେଶ୍‍ ଆଲୁଅ ପଡ଼ିଥାଏ । ଅଗଣାରେ ତିନୋଟି ଗହଳିଆ ବଉଳଗଛ । ତା’ର ଛାଇରେ ଅଗଣାଟି ଖୁବ୍‍ ଥଣ୍ଡା ଥାଏ । ଏହି ଛାଇରେ ଜଣେ କନଷ୍ଟେବଳ କିଛି ନଡ଼ା ପାରି ଶୋଇଥାଏ । କନଷ୍ଟେବଳର ନାମ ହେଉଛି କୁଖାରିନ୍ । ତା’ର କାମ ସରି ଯାଇଥିବାରୁ ସେ ଆସି ଏଠାରେ ଶୋଇ ପଡ଼ିଥିଲା । ବିଛଣା କାହୁଁ ପାଇବ ? ଘୋଡ଼ା ପାଇଁ ଥିବା ନଡ଼ା ହୋଇଛି ତା’ର ବିଛଣା । ତାକୁ ଶୋଇଥିବାରୁ ଦେଖି ପୋଡ଼ଶିବ୍ଳୋଙ୍କର ରାଗ ହେଲା । ତାଙ୍କ ଅଧୀନରେ ଚାକିରି କରୁଥିବା ସାମାନ୍ୟ କନଷ୍ଟେବଳ ଏପରି ମଜାରେ ଶୋଇଥିବ; ଅଥଚ ଏତେବଡ଼ ଅଫିସର୍‌ହୋଇ ସେ ଅନ୍ଧାରୁଆ ଘରର ଚାରି କାନ୍ଥ ଭିତରେ ଝାଳନାଳ ହୋଇ ବସିଥିବେ–ଏଇଟା ତାଙ୍କ ପକ୍ଷରେ ଅସହ୍ୟ ହେବାର କଥା । ସେ ମନେ ମନେ ଭାବିଲେ–ମୁଁ ଯେବେ ହାକିମ ହୋଇ ଏଠି ନ ଥାନ୍ତି, ତେବେ ତାରି ଭଳି ଗଛତଳେ ମଉଜରେ ଶୋଇପଡ଼ନ୍ତି । କନଷ୍ଟେବଳ ଉପରେ ତାଙ୍କର ହିଂସା ହେଲା । ସେ ଯେତିକି ତା’ର ସୁଖନିଦ୍ରା କଥା ଭାବିଲେ, ସେତିକି ତାଙ୍କର ରାଗ ବଢ଼ିଗଲା । କୁଖାରିନ୍‌କୁ ନିଦରୁ ଉଠାଇବା ପାଇଁ ତାଙ୍କର ଇଚ୍ଛା ପ୍ରବଳ ହୋଇଉଠିଲା ।

 

ସେ ଗର୍ଜିଉଠିଲେ, ‘‘ଆବେ କୁଖାରିନ୍‌, ଶୁଅର୍‌, ଆବେ କୁଖାରିନ୍‌ !’’

 

ଏହି ସମୟରେ କେହି ଜଣେ ତାଙ୍କ ପଛପଟୁ ଦ୍ୱାର ଖୋଲି ଅଫିସ ଭିତରେ ପ୍ରବେଶ କଲା । କିନ୍ତୁ ପୋଡ଼ଶିବ୍ଳୋ ସେଆଡ଼କୁ ଟିକିଏ ସୁଦ୍ଧା ନ ଅନାଇ ଝରକାବାଟେ ବାହାରକୁ ଚାହିଁରହିଲେ । ଲୋକଟି ଘରଭିତରେ ଦ୍ୱାରପାଖରେ ଠିଆ ହୋଇଥାଏ; ତା’ର ପାଦ ପଡ଼ି ମେଜିଆର ତଲେଇ ଶବ୍ଦ କରୁଥାଏ । କିନ୍ତୁ ପୋଲିସ ଅଫିସରଙ୍କର ତା ଆଡ଼କୁ ଆଦୌ ଦୃଷ୍ଟି ପଡ଼ୁ ନ ଥାଏ । ତାଙ୍କ ଚିତ୍କାରରେ କୁଖାରିନ୍‌ର ନିଦରେ କିଛି ବାଧା ହେଲା ପରି ଜଣାଗଲା ନାହିଁ । ସେ ଗାଢ଼ ନିଦରେ ଶୋଇଥାଏ । ବେକତଳେ ତା’ର ହାତ ଦୁଇଟା ତିକିଆର କାମ ଦେଉଥାଏ । ଛାତି ଉପରେ ମୁହଁର ଦାଢ଼ି । ପୋଡ଼ାଶିବ୍ଳୋ ତା’ର ଘୁଙ୍ଗୁଡ଼ି ଶବ୍ଦ ଶୁଣିପାରିଲେ । ତାଙ୍କର ମନେହେଲା, ସତେ ଅବା ଲୋକଟା ତାଙ୍କ ଡାକକୁ ଉପହାସ କରି ଘୁଙ୍ଗୁଡ଼ି ମାରୁଛି । କନଷ୍ଟେବଳର ଏ ସୁଖ ଦେଖି ତାଙ୍କର ମଧ୍ୟ ଟିକିଏ ଶୋଇ ପଡ଼ିବାକୁ ମନହେଲା; କିନ୍ତୁ ତାଙ୍କର ଶୋଇବାର ଉପାୟ କାହିଁ-? ସେଥିପାଇଁ ରାଗ ବଢ଼ିଥାଏ । ତାଙ୍କର ମନ ହେଉଥାଏ, ବାହାରକୁ ଯାଇ କୁଖାରିନ୍‌ର ଥନ୍ତଲପେଟ ଉପରେ ଗୋଇଠାଏ ମାରନ୍ତେ; ଆଉ ତା’ ଦାଢ଼ି ଧରି ଗଛଛାଇରୁ ତାକୁ ଖରାକୁ ଟାଣିଆଣନ୍ତେ ।

 

‘‘ଆବେ, ସେଠି ଶୋଇଛୁ କଣ ? ତୋତେ ଶୁଣାଯାଉ ନାହିଁ କି ରେ ?’’

 

‘‘ହଜୁର; ମୁଁ ଏଠି କାମ ଉପରେ ହାଜର ଅଛି ।’’ ତାଙ୍କ ପଛପଟୁ ଧୀର ସ୍ୱରରେ ଉତ୍ତର ଆସିଲା ।

 

‘‘ମୁଁ ତତେ ଡକେଇଥିଲି ?’’

 

‘‘ନାଇଁ ହଜୁର !’’

 

ପୋଡ଼ଶିବ୍ଳୋ ଆହୁରି ଉଚ୍ଚଗଳାରେ କହିଲେ, ‘‘ମୁଁ ତତେ ଆସିବାକୁ କହିଥିଲି ?’’

 

ପୁଲିସ୍‍ ଅଫିସର ଏତିକି କହି ଚଉକି ଉପରେ ଟିକିଏ ବୁଲିପଡ଼ିଲେ ।

 

‘‘ନାଇଁ ହଜୁର !’’

 

‘‘ତାହାହେଲେ ଏଠୁ ବାହାରି ଯା, ନୋହିଲେ ତୋ ମୁଣ୍ଡ ଉପରକୁ ଗୋଟାଏ କଅଣ ଫିଙ୍ଗିବି ।’’ ଏହା କହିବା ସଙ୍ଗେ ସଙ୍ଗେ ତାଙ୍କ ବାଁ ହାତରେ କିଛି ଧରିବା ପାଇଁ ଟେବୁଲ ଉପରଟା ଅଣ୍ଡାଳିଲେ, ଡାହାଣ ହାତରେ ଚୌକିର ଗୋଟାଏ ବାହା ଧରିଥାନ୍ତି; କିନ୍ତୁ କିଛି ଫିଙ୍ଗିବା ପାଇଁ ତାଙ୍କୁ ଆଉ ଅଣ୍ଡାଳିବାକୁ ପଡ଼ିଲା ନାହିଁ । କନଷ୍ଟେବଳଟା ଦ୍ୱାରବାଟେ ବାହାରକୁ ଚାଲିଯାଇ ଥିଲା । ତା’ର ଏପରି ଚାଲିଯିବାଟା ଅଫିସରଙ୍କୁ ରୁଚିକର ବୋଧ ହେଲା ନାହିଁ । ଲୋକଟା ତାଙ୍କ ପ୍ରତି ଉପଯୁକ୍ତ ସମ୍ମାନ ଦେଖାଇନାହିଁ ବୋଲି ସେ ମନକଲେ । ଅନ୍ଧାରୁଆ ଘର, ସେଥିରେ ପବନ ବୋହୁନାହିଁ; ତେଣୁ ତାଙ୍କର ମିଞ୍ଜାସଟା ଖରାପ ଥିଲା । ସେଥିରେ ପୁଣି ନାନା ଚିନ୍ତା; ଆଗାମୀ ମେଳା ପାଇଁ ବ୍ୟବସ୍ଥା କରିବାକୁ ହେବ । କେତେ ଅପ୍ରିୟ ଚିନ୍ତାରେ ତାଙ୍କ ମସ୍ତିଷ୍କ ପୂର୍ଣ୍ଣ । ସେ ମନର ବିରକ୍ତି ପ୍ରକାଶ କରିବାକୁ ଗୋଟାଏ ବାଟ ଖୋଜୁଥିଲେ ।

 

ଦ୍ୱାରମୁହଁ ଆଡ଼କୁ ଚାହିଁ ସେ ହୁକୁମ କଲେ, ‘‘ଆବେ, ଏଠିକି ଆ ।’’

 

କନଷ୍ଟେବଳଟି ଦ୍ୱାର ମୁହଁକୁ ଆସି କାଠ ପରି ଠିଆହେଲା । ତା’ର ମନରେ ନାନା ଆଶଙ୍କା ।

 

ପୋଡ଼ଶିବ୍ଳୋ ଗର୍ଜିଉଠିଲେ, ‘‘ଆବେ ଭୂତ ! ଅଗଣାକୁ ଯାଇ ସେ ଗଧା କୁଖାରରିନ୍‌କୁ ଉଠା । ତାକୁ କହିଦେ ଯେ ତା’ର ଘୁଙ୍ଗୁଡ଼ି ମାରିବା ପାଇଁ ଏ ଥାନାହତା ତିଆରି ହୋଇନି । ଯା, ଜଲ ଦି ଯା ।’’

 

‘‘ହଜୁର ଯାଉଛି । କିଏ ଗୋଟାଏ ସ୍ତ୍ରୀଲୋକ ଆସି.....’’

 

‘‘ସେ ପୁଣି ଗୋଟାଏ କଅଣ ?’’

 

‘‘ହଜୁର ଗୋଟାଏ ସ୍ତ୍ରୀ ଲୋକ ।’’

 

‘‘ସ୍ତ୍ରୀ ଲୋକ ତ ! ଆରେ କେମିତିକା ସ୍ତ୍ରୀ ଲୋକ ?’’

 

‘‘ଡେଙ୍ଗୀ ହୋଇ....’’

 

‘‘ଚୋପ୍, ବୋକା, ଗଧ; ସେ କଅଣ ଚାହୁଁଛି ?’’

 

‘‘ହଜୁରଙ୍କ ସାଙ୍ଗେ ଦେଖା କରିବ ।’’

 

‘‘ଯାଆ, ତାକୁ ପଚାର; କାହିଁକି ଦେଖା କରିବାକୁ ଚାହେଁ । ଯାଆ ।’’

 

‘‘ମୁଁ ତାକୁ ପଚାରିଥିଲି । ସେ ମତେ କହିଲା ନାହିଁ । ତା’ର ମତଲବ–ତା’ କଥା ସେ ନିଜେ ଖୋଦା ହଜୁରଙ୍କୁ ଜଣାଇବ ।’’

 

‘‘ସେ ମାଇପିଗୁଡ଼ାକ ନରକକୁ ଯାଆନ୍ତୁ । ସେଇଟାକୁ ଏଠିକି ଡାକି ଦେ । ତା’ର ବୟସ କଅଣ ଅଳ୍ପ ?’’

 

‘‘ହଁ ହଜୁର !’’

 

‘‘ଆଚ୍ଛା, ତାକୁ ଏଠାକୁ ବାଟ ଦେଖାଇ ଦେ । ଯା, ଜଲ୍‌ଦି ଯା ।’’

 

ଏଥର ଅଫିସରଙ୍କ ସ୍ୱରଟା ଟିକିଏ ନରମ । ସେ ସିଧାହୋଇ ବସି ଟେବୁଲ ଉପର କାଗଜକୁ ଦେଖିବାକୁ ଲାଗିଲେ । ମୁହଁରେ ପୋଲିସ ଅଫିସରଙ୍କ ଗାମ୍ଭୀର୍ଯ୍ୟର ଠାଣି ।

 

ତାଙ୍କ ପଛପଟେ ଜଣେ ସ୍ତ୍ରୀଲୋକର ପୋଷାକର ଖସ୍ ଖସ୍ ଶବ୍ଦ ହେଲା ।

 

ସେ ଚୌକିରେ ଟିକିଏ ବୁଲିପଡ଼ି ସ୍ତ୍ରୀଲୋକଟିକୁ ଚାହିଁ ମନେ ମନେ ତା’ ସମ୍ବନ୍ଧରେ ଗୋଟାଏ ଧାରଣା କରିନେଇ ପଚାରିଲେ, ‘‘ତୁମ ପାଇଁ ମୁଁ କଅଣ କରିପାରେ ?’’ ସେ ଗୋଟିଏ ପ୍ରଣାମ କରି ଧୀରେ ଧୀରେ ଟେବୁଲ ପାଖକୁ ଗଲା । ତା’ର ଗାଢ଼ ନୀଳ ବର୍ଣ୍ଣର ଆଖି ଦୁଇଟି ଅଫିସରଙ୍କ ମୁହଁ ଉପରେ ରହିଥାଏ । ତା’ର ପୋଷାକ ଅତି ସାଧାସିଧା ଓ ଅଳ୍ପ ମୂଲ୍ୟର । ସେଥିରୁ ଜଣାଯାଉଥିଲା ଯେ ସେ ଜଣେ ନିମ୍ନ ମଧ୍ୟବିତ୍ତ ପରିବାରର ସ୍ତ୍ରୀ । ତା’ର ମୁଣ୍ଡ ଉପରେ ଗୋଟିଏ ଓଢ଼ଣୀ ପଡ଼ିଥିଲା । ଜାମାର ବେକ ପାଖଟା ଟିକିଏ ଚିରିଯାଇଥିଲା; ତା’ ହାତଟା ସେଇଠି ବାରମ୍ବାର ଲାଗୁଥାଏ । ସେତେବେଳେ ତା ହାତର ସରୁ ସରୁ ଆଙ୍ଗୁଠିଗୁଡ଼ିକ ବଡ଼ ସୁନ୍ଦର ଦିଶୁଥାଏ-। ସ ଟିକିଏ ଉଚ୍ଚ, ତା’ ଦେହଟି ସୁଗଠିତ; ଛାତି ଉନ୍ନତ । ସାଧାରଣ ସ୍ତ୍ରୀଲୋକଙ୍କମ ଅପେକ୍ଷା ସେ ବେଶି ଗମ୍ଭୀର ବୋଧ ହେଉଥିଲା । ବୟସ ପ୍ରାୟ ୨୭ ବର୍ଷ । ଚାଲିଟି ଅତି ଧୀର । ସେ ବଡ଼ ଚିନ୍ତାକୁଳ ଥିଲା; ସତେ ଅବା ସେ ସେଠାରୁ ଫେରିଯିବାକୁ ମନ କରୁଥିଲା ।

 

ପୋଡ଼ଶିବ୍ଳୋ ମନେ ମନେ କହିଲେ, ‘‘ଗୋଟାଏ ଅସଲ ପହଲୀ ନମ୍ବର ସଇତାନ । ଏଇମାନେ ତ ସବୁ ଗଣ୍ଡଗୋଳର କାରଣ ।’’

 

ସ୍ତ୍ରୀଲୋକଟି ଗମ୍ଭୀର ସ୍ୱରରେ ଆରମ୍ଭ କଲା, ମୁଁ ଜାଣିବାକୁ ଚାହେଁ.....’’

 

ଏତିକି କହି ସେ ରହିଗଲା । କିନ୍ତୁ ତା’ର ନୀଳବର୍ଣ୍ଣର ଆଖିଯୋଡ଼ିକ ପୋଲିସ ଅଫିସରଙ୍କ ମୁହଁ ଉପରେ ରହିଥାଏ ।

 

ପୋଡ଼ଶିବୋ ହାକିମି ସ୍ୱରରେ ଅଥଚ ଭଦ୍ରଭାବରେ କହିଲେ, ‘‘ସେଠି ବସନ୍ତୁ । କହନ୍ତୁ, ଆପଣ କଅଣ ଜାଣିବାକୁ ଚାହାନ୍ତି ?’’

 

‘‘ମୁଁ ଆସିଛି, ସେଇ କାର୍ଡ଼ ବିଷୟରେ....’’ ଏତିକି କହି ଯେ ରହିଗଲା ।

 

‘‘କଅଣ, ଘର ଲାଇସେନ୍‌ସ କାର୍ଡ଼ ?’’

 

‘‘ନାଇଁ, ନାଇଁ, ସେ କାର୍ଡ଼ ନୁହେଁ ।’’

 

‘‘ତାହା ହେଲେ ଆଉ କେଉଁ କାର୍ଡ଼ ?’’

 

ସେ ରହି ରହି କହିଲା, ‘‘ସେଇ ଯେଉଁ କାର୍ଡ଼–ଯାହାକୁ ସେଇ..... ସ୍ତ୍ରୀଲୋକମାନେ ନିଅନ୍ତି ।’’ ଶେଷ କେତେ ପଦ କଥା କହିଲାବେଳକୁ ସ୍ତ୍ରୀଲୋକମାନେ ନିଅନ୍ତି ।’’ ଶେଷ କେତେ ପଦ କଥା କହିଲାବେଳକୁ ତା’ ମୁହଁ ଲାଜରେ ଲାଲ ହୋଇଗଲା ।

 

ପୋଡ଼ଶିବ୍ଳୋ ଟିକିଏ ମୁହଁ ଟେକି ସାମାନ୍ୟ ହସି ହସି ପଚାରିଲେ;

 

‘‘ସେ ପୁଣି କଅଣ ? କେଉଁ ସ୍ତ୍ରୀ ଲୋକମାନେ ନିଅନ୍ତି ?’’

 

‘‘ସେଇ ସ୍ତ୍ରୀଲୋକମାନେ.... ଯେଉଁମାନେ ରାତିରେ ଗଳିରେ ବୁଲୁଥାନ୍ତି ଭିନ୍ନେ ଜାତିର ସ୍ତ୍ରୀଲୋକ ?’’

 

ପୋଡ଼ଶିବ୍ଳୋ ଦାନ୍ତ ଦେଖେଇ କହିଲେ, ‘‘ଓଃ, ଓଃ ବୁଝିଲି । ତୁମେ କହିବାକୁ ଚାହଁ–ବେଶ୍ୟାମାନେ ! ନା ?’’

 

ସ୍ତ୍ରୀଲୋକଟି ଗଭୀର ନିଃଶ୍ୱାସ ପକାଇ ଟିକିଏ ହସିଦେଲା । ବୋଧହୁଏ ଏ ଶବ୍ଦଟି ତାକୁ ନିଜକୁ କହିବାକୁ ପଡ଼ିଲା ନାହିଁ ବୋଲି ତା’ ମନରେ ସନ୍ତୋଷ । ସେ କହିଲା–‘‘ହଁ, ମୁଁ ସେଇ–ସେଇ କଥା କହିବାକୁ ଯାଉଥିଲି ।’’

 

ଗୋଟିଏ କିଛି ମଜା ହେବ ବୋଲି ଭାବି ପୋଡ଼ଶିବ୍ଳୋ କହିଲେ, ‘‘ହୁଁ, ସେଇ କଥା କହୁନ; ଆଚ୍ଛା–’’

 

ପୁଣି ଗୋଟିଏ ଦୀର୍ଘଶ୍ୱାସ ପକାଇ ଚଉକି ଉପରେ ବସିପଡ଼ି ସ୍ତ୍ରୀଲୋକଟି କହିଲା, ‘‘ହଁ, ମୁଁ ସେଇ କାର୍ଡ଼ ବିଷୟରେ ଆସିଥିଲି ।’’

 

‘‘ହଁ, ମୁଁ ଏବେ ବୁଝିଲି । ତୁମେ ଗୋଟାଏ ବେଶ୍ୟାଳୟ ଖୋଲିବାପାଇଁ ଲାଇସେନ୍‌ସ ନେବାକୁ ଚାହଁ । ଏଇଆ ତ ।’’

 

‘‘ନା, ନା, ତା’ନୁହେଁ । ମୁଁ ନିଜ ପାଇଁ ଖଣ୍ଡିଏ କାର୍ଡ଼ ଚାହେଁ ।’’ ଏହା କହିଲାବେଳକୁ ସ୍ତ୍ରୀଲୋକଟିର ମୁହଁ ଏକାବାରେ ତଳକୁ ହୋଇ ଯାଇଥାଏ ।

 

ପୋଡ଼ଶିବ୍ଳୋ ନିଜର ଚଉକିଟିକୁ ଟିକିଏ ସେ ସ୍ତ୍ରୀଲୋକ ନିକଟକୁ ଟାଣିଆଣି ଗୋଟିଏ ହାତ ତା’ର ଅଣ୍ଟା ପାଖକୁ ବଢ଼ାଇ ଦେଇ ପଚାରିଲେ, ‘‘ଆଚ୍ଛା, ତୁମର ପୁରୁଣା କାର୍ଡ଼ କାହିଁ ?’’ ଏହା ପଚାରିଲା ବେଳକୁ ତାଙ୍କର ଆଖି ଦୁଇଟା ଥାଏ ଦ୍ୱାର ଉପରେ ।

 

ସ୍ତ୍ରୀଲୋକଟି ତାଙ୍କ ଆଡ଼କୁ ଟିକିଏ ଚାହିଁଦେଲା; କିନ୍ତୁ ତାଙ୍କ ହାତଠାରୁ ଦୂରେଇ ରହିବାର କିଛି ମାତ୍ର ଚେଷ୍ଟା ନ କରି କହିଲା, ‘‘କି ପୁରୁଣା କାର୍ଡ଼ ?’’

 

‘‘ତାହାହେଲେ ତୁମେ ଆଜିଯାଏ ଲୁଚାଚୋରାରେ କାମ ଚଳାଉଥିଲ । ନାଁ ରେଜିଷ୍ଟ୍ରି କରେଇ ନଥିଲ । ଏବେ ତୁମେ ନାଁ ରେଜିଷ୍ଟ୍ରି କରିବାକୁ ଚାହୁଁଛ । ବେଶ୍‍, ଭଲ କଥା । ରେଜିଷ୍ଟ୍ରି କରେଇନେବାଟା ହେଉଛି ନିରାପଦ ।’’

 

ସ୍ତ୍ରୀଲୋକଟି ମୁହଁଟିକୁ ଆହୁରି ତଳକୁ ନୁଆଇଁ ଦେଇ କହିଲା, ‘‘ମୁଁ ଏଥିପୂର୍ବରୁ କେବେହେଲେ ସେ କାମ କରିନାହିଁ ।’’

 

‘‘ସତେ ? ସେ କିମିତି, ମୁଁ ତ ବୁଝିପାରୁନାହିଁ ।’’

 

‘‘ମୁଁ ଏ କାମରେ ପଶିବି ବୋଲି ଭାବୁଛି । ଏଇ ପ୍ରଥମ ଥର ପାଇଁ ମୁଁ ମେଳାକୁ ଆସିଛି-।’’

 

‘‘ତେବେ ଏମିତି କଥା ।’’ ଏତିକି କହି ପୋଡ଼ଶିବ୍ଳୋ ତା’ର ଅଣ୍ଟା ପାଖରୁ ହାତଟା ଖସାଇ ନେଲେ; ଚଉକିଟାକୁ ପଛକୁ ଟାଣି ଆଣିଲେ ।

 

ଦୁହେଁଯାକ କିଛି ସମୟ ପର୍ଯ୍ୟନ୍ତ ନୀରବ ରହିଲେ ।

 

ପୋଡ଼ଶିବ୍ଳୋ–‘‘ହୁଁ, ତେବେ କଥା ହେଉଛି ଏଇଆ । ହୁଁ, ତୁମେ ଚାହଁ.... । ଅବଶ୍ୟ ଏଇଟା ଭଲ କାମ ନୁହେଁ । ଅର୍ଥାତ୍‌.....ଦେଖ...ଆଚ୍ଛା ମୋତେ ଆଶ୍ଚର୍ଯ୍ୟ ଲାଗୁଛି । ସତ କହିବାକୁ ଗଲେ ତୁମ୍ଭେ ଯେ କିପରି ଏହା କରିବାକୁ ଯାଉଛି ମୁଁ ବୁଝିପାରୁନାହିଁ । ଅର୍ଥାତ୍‌—ଅବଶ୍ୟ ତୁମ କଥା ଯଦି ସତ ହୋଇଥାଏ ।’’

 

ଜଣେ ଅଭିଜ୍ଞ ପୋଲିସ ଅଫିସର ଭାବରେ ପୋଡ଼ଶିବ୍ଳୋ ବୁଝିପାରିଥିଲେ ଯେ ସ୍ତ୍ରୀଲୋକଟିର କଥା ସତ । ତା’ର ସରଳ ବ୍ୟବହାର ଓ ଭଦ୍ର ଆଚରଣରୁ ଜଣାପଡ଼ୁଥିଲା ଯେ ସେ ଏଭଳି କୁତ୍ସିତ ବ୍ୟବସାୟରେ ଅଭ୍ୟସ୍ତ ନୁହେଁ । ବେଶ୍ୟାମାନଙ୍କ ଚେହେରା, ଆଚାର–ବ୍ୟବହାରରେ ଗୋଟାଏ ବିଶେଷତ୍ୱ ଥାଏ । ମୁହଁରୁ ବେଶ୍ୟା ବୋଲି ଜଣାପଡ଼ିଯାଏ । କିନ୍ତୁ ଏ ସ୍ତ୍ରୀଲୋକଟିର ମୁହଁରୁ ସେପରି ଜଣାଯାଉ ନଥିଲା ।

 

ସ୍ତ୍ରୀଲୋକଟି ତାଙ୍କ ଆଡ଼କୁ ଟିକିଏ ନଇଁପଡ଼ି ବିଶ୍ୱାସ ଜନ୍ମାଇବା ପାଇଁ କହିଲା, ‘‘ହଜୁର, ମୁଁ ଯାହା କହୁଛି, ସବୁ ସତ । ଏଭଳି ଗୋଟାଏ କୁତ୍ସିତ ବ୍ୟବସାୟରେ ପଶିବାକୁ ସ୍ଥିର କରି ମିଛ କହିବାକୁ ଯିବି କାହିଁକି ? ମୋତେ କୌଣସିମତେ ଟଙ୍କା ଅର୍ଜିବାକୁ ହେବ । ମୁଁ ବିଧବା । ମୋର ସ୍ୱାମୀ ଗୋଟିଏ ବାଷ୍ପୀୟ ନୌକାରେ ଚାଳକ ଥିଲେ । ଗଲା ଅପ୍ରେଲ ମାସରେ ସେ ବୁଡ଼ିଯାଇ ପ୍ରାଣ ହରାଇଲେ । ମୋର ଯୋଡ଼ିଏ ପିଲା; ଗୋଟିଏ ନଅ ବର୍ଷର ଝିଅ; ଆରଟି ସାତବର୍ଷର ପୁଅ । ହାତରେ ପଇସାଟିଏ ନାହିଁ । ମୋର କେହି ବନ୍ଧୁବାନ୍ଧବ ନାହାନ୍ତି । ମୁଁ ବିଭା ହେଲାବେଳକୁ ମୋର ବାପା ନ ଥିଲେ କି ମାଆ ନ ଥିଲେ । ମୋ ସ୍ୱାମୀଙ୍କର ବନ୍ଧୁବାନ୍ଧବ ସବୁ ଦୂରରେ । ସେମାନେ କେହି ପୁଣି ମୋତେ ଦେଖିପାରନ୍ତି ନାହିଁ । ସେମାନଙ୍କର ଅବସ୍ଥା ଭଲ ବୋଲି ମୋତେ ଭିକାରୁଣୀ ଭଳି ମନେ କରନ୍ତି । ମୁଁ କାହାର ଆଶା ନେବି ? ଅବଶ୍ୟ ମୂଲ ଲାଗିପାରନ୍ତି; କିନ୍ତୁ ମୋର ବହୁତ ଟଙ୍କା ଦରକାର । ମୂଲ ଲାଗି କଅଣ ସେତେ ରୋଜଗାର କରିହେବ ? ମୋ ପୁଅଟି ସ୍କୁଲରେ ପଢ଼ୁଛି । ତା’ର ଦରମା ଛାଡ଼ କରିବାପାଇଁ ଦରଖାସ୍ତ ଦିଅନ୍ତି; ହେଲେ ମୋଭଳି ଗରିବ ବିଧବାର ଦରଖାସ୍ତ କିଏ ବିଚାରକୁ ନେବ ? ମୋ ପୁଅଟି ଭାରି ବୁଦ୍ଧିଆ । ତା’ର ପଢ଼ା ବନ୍ଦ କରିବା ଏକବାରେ ଅନ୍ୟାୟ ହେବ । ଆଉ ଝିଅଟିର ମଧ୍ୟ ନାନା ଜିନିଷ ଦରକାର । କୌଣସି ଚାକିରି ମିଳୁଛି କେଉଁଠି ? ଯଦି ବା ଗୋଟାଏ ଚାକିରି ମିଳିବ କେତେ ଦରମା ପାଇବି ? ମୋର ଉପାୟ କଅଣ ? କାହା ଘରେ ରୋଷେଇ କଲେ ଅତିବଡ଼ ପାଞ୍ଚ ରୁବେଲ ମିଳିବ । ସେତିକିରେ କଅଣ ହେବ ? ମାତ୍ର ମୁଁ ଶୁଣିଛି, ଏ ବ୍ୟବସାୟରେ ଭାଗ୍ୟରେ ଥିଲେ ଜଣେ ମାସକେ ଯାହା ଅର୍ଜିବ, ସେଥିରେ ବର୍ଷକ ନିଶ୍ଚିନ୍ତରେ ଚଳିଯିବ । ଗଲାବର୍ଷ ମେଳରେ ମୋର ଜଣେ ଚିହ୍ନା ସ୍ତ୍ରୀଲୋକ ଚାରିଶହ ରୁବେଲ ରୋଜଗାର କରିଥିଲା । ସେଇ ଟଙ୍କା ପାଇ ସେ ଜଣେ ଫରେଷ୍ଟ ଗାର୍ଡ଼କୁ ବିଭାହୋଇ ଏବେ ବଡ଼ଲୋକିରେ ଚଳୁଛି । ତେବେ ଏ ବ୍ୟବସାୟ ହେଉଛି ଅପମାନଜନକ । କିନ୍ତୁ ଟିକିଏ ବିଚାର କରନ୍ତୁ । ଏ ହେଉଛି ଭାଗ୍ୟର କଥା ବୋଲି ମୁଁ ମନେକରେ । ଭାଗ୍ୟ ଛଡ଼ା ଆଉ କିଛି ନୁହେ । ଏ କଥାଟା ଯେତେବେଳେ ମୋ ମନକୁ ଆସିଛି, ମୁଁ ତା କରିବି । ଭାଗ୍ୟ ମୋତେ ଏଇଆ କରାଉଛି । ଯେବେ ମୁଁ ଟଙ୍କା ଅର୍ଜି ପାରିବି ତେବେ ସବୁ ଭଲ । ଯଦି ଦଇବଯୋଗେ ଟଙ୍କା ନ ମିଳେ, ଖାଲି ଲଜ୍ଜା ଅପମାନ ମିଳେ, ଦୁଃଖ ଭୋଗିବାକୁ ପଡ଼େ, ତେବେ ମୁଁ କହିବି–ସେ ବି ମୋର ଭାଗ୍ୟ ।’’

 

ଏହିପରି କହିଲାବେଳେ ପ୍ରଥମେ ସ୍ତ୍ରୀଲୋକଟି ଟିକିଏ ଭୟ କରୁଥିଲା । ଆସ୍ତେ ଆସ୍ତେ ଭୟ ଭାଙ୍ଗିଗଲା । ପୋଲିସ ଅଫିସର ତା’ର ପ୍ରତ୍ୟେକ କଥା ମନ ଦେଇ ଶୁଣୁଥିଲେ । ସେ ଟିକିଏ ଅସ୍ୱସ୍ତି ଅନୁଭବ କଲେ ।

 

ଏଭଳି ଗୋଟାଏ ସ୍ତ୍ରୀଲୋକ ଯେକୌଣସି ନିର୍ବୋଧ ଲୋକକୁ ହାତ କରି ତା’ର ରକ୍ତ ଶୋଷି ପିଇଲେ କ୍ଷତି କଅଣ ? ପୋଲିସ ଅଫିସର ଏହିପରି ବିଚାରି ମନକଥା ମନରେ ରଖି କହିଲେ, ‘‘ମୁଁ ତମପାଇଁ କିଛି କରିପାରିବି ନାହିଁ; ସେଥିପାଇଁ ବଡ଼ ଦୁଃଖିତ । ଆମ ପୋଲିସ ବିଭାଗର ବଡ଼ ହାକିମଙ୍କୁ ଦରଖାସ୍ତ କର । ସେ କାମ ତାଙ୍କର, ଆଉ ସ୍ୱାସ୍ଥ୍ୟବିଭାଗ କମିଶନରଙ୍କର-। ମୋର ସେ କାମ ସହିତ କିଛି ସମ୍ବନ୍ଧ ନାହିଁ ।’’

 

ସ୍ତ୍ରୀଲୋକଠାରୁ ରକ୍ଷା ପାଇବାକୁ ସେ ଅଥୟ ହୋଇ ପଡ଼ିଥିଲେ । ଯାହାହେଉ ସେ ତା ମନକୁ ଉଠିପଡ଼ି ପୋଲିସ ଅଫିସରଙ୍କୁ ଗୋଟିଏ ନମସ୍କାର ପକାଇ ଦ୍ୱାର ଆଡ଼କୁ ଚାଲିଲା । ସେ ଘୃଣାରେ ତା’ର ଯିବା ବାଟକୁ ଚାହିଁ ରହିଲେ ।

 

ଦ୍ୱାରମୁହଁରେ ହେଲାକ୍ଷଣି ସ୍ତ୍ରୀଲୋକଟି ପୁଣି ବୁଲିପଡ଼ି କହିଲା, ‘‘ତାହାହେଲେ ମୋତେ ପୋଲିସ କମିଶନରଙ୍କ ପାଖକୁ ଯିବାକୁ ହେବ ?’’ ତା’ର ନୀଳବର୍ଣ୍ଣ ର ଆଖି ଦୁଇଟି ପୋଲିସ ଅଫିସରଙ୍କ ମୁହଁକୁ ଚାହିଁରହିଥାଏ, ଆଉ ତା’ର କପାଳର ରେଖା କୁଞ୍ଚିତ ଦେଖାଯାଉଥାଏ ।

 

ପୋଲିସ ଅଫିସର ଉତ୍ତର କଲେ, ‘‘ହଁ, ତାଙ୍କରି ପାଖକୁ ଯିବାକୁ ପଡ଼ିବ ।’’

 

‘‘ଆପଣଙ୍କୁ ବହୁତ କଷ୍ଟ ଦେଲି । ଧନ୍ୟବାଦ । ବିଦାୟ ନେଉଛି !’’ ଏତିକି କହି ସ୍ତ୍ରୀଲୋକଟି ବାହାରିଗଲା ।

 

ପ୍ରାୟ ଦଶମିନିଟ ପର୍ଯ୍ୟନ୍ତ ପୋଲିସ୍‍ ଅଫିସର ଟେବୁଲ ଉପରେ ହାତଭରାଦେଇ ବସିରହିଲେ । ସେ ମନେ ମନେ କଅଣ ଚିନ୍ତା କରୁଥିଲେ ।

 

ହଠାତ୍‍ ତାଙ୍କ ତୁଣ୍ଡରୁ ବାହାରି ପଡ଼ିଲା, ‘‘ବଜାରର ଗୋଟିଏ ଅସଲ କୁତ୍ତି ! କଅଣ ନା–ମୋ ପିଲା ! ବେଶ୍ୟାବୃତ୍ତି କରିବା ସଙ୍ଗେ ପିଲାଙ୍କର ସମ୍ବନ୍ଧ କଅଣ ? ହୁଁ, ଗୋଟାଏ ଅସଲ ବଜାରୁଣୀ ମାଇକିନିଆ !’’

 

ଟିକିଏ ରହିଯାଇ ସେ ପୁଣି କଅଣ ଚିନ୍ତା କରିବାରେ ଲାଗିଲେ । ଗୋଟାଏ ଦୀର୍ଘ ନିଶ୍ୱାସ ପକାଇ; ଆଙ୍ଗୁଠିଗୁଡ଼ାକ ଫୁଟାଇ ସେ ପୁଣି କହିଉଠିଲେ–‘‘କୁର୍ତ୍ତୀ ।’’

 

କାମ ଉପରେ ହାଜର ଥିବା କନଷ୍ଟେବଳଟି ଦ୍ୱାର ମୁହଁକୁ ଆସି ପଚାରିଲେ, ‘‘ହଜୁର, ମୋତେ ଡାକୁଥିଲେ ?’’

 

‘ଉଃ !’’

 

‘‘ହଜୁର, ମୋତେ ଡାକୁଥିଲେ ?’’

 

‘‘ଯାଆ, ବାହାରି ଯାଆ ।’’

 

‘‘ହଜୁର !’’

 

ପୋଲିସ ଅଫିସର ଝରକା ଆଡ଼କୁ ଚାହିଁ ଚାହିଁ ରହି କହିଲେ–

 

‘‘ଗଧା; ଗୁଡ଼ବକ୍‌ !’’

 

କୁଖାରିନ୍‌ ଅଗଣାରେ ନଡ଼ା ଉପରେ ଆଗଭଳି ଶୋଇରହିଛି । କାମ ଉପରେ ଥିବା କନେଷ୍ଟବଳଟି ଏଥିଭିତରେ ତାକୁ ଉଠାଇବା କଥା ଏକବାରେ ଭୁଲିଯାଇଛି ।

 

ଏଣେ ପୋଲିସ୍‍ ଅଫିସରଙ୍କ ତା’ ଉପରୁ ରାଗଟା ମଧ୍ୟ ଚାଲିଗଲାଣି । କୁଖାରିନ୍‌ର ଶୋଇବାରେ ତାଙ୍କର କିଛି ଯାଏ–ଆସେ ନି । ତାଙ୍କ ମନ ଭିତରେ କଅଣ ଗୋଟାଏ ଭୟ ପଶିଛି । ସେ କଳ୍ପନାରେ ସେହି ସ୍ତ୍ରୀଲୋକଟିର ନୀଳବର୍ଣ୍ଣର ଆଖି ଦୁଇଟି ଦେଖିପାରୁଛନ୍ତି । ସତେ ଅବା ଆଖି ଦୁଇଟା ତାଙ୍କ ଆଡ଼କୁ କଟମଟ କରି ଅନେଇଛି । ତାଙ୍କୁ ବଡ଼ ଅସ୍ୱସ୍ତି ଲାଗିଲା ।

 

କାନ୍ଥର ଘଣ୍ଟାଟା ଉପରେ ତାଙ୍କ ଆଖି ପଡ଼ିଗଲା । ସେ ଉଠିପଡ଼ି ଅଣ୍ଟାର କମରପଟିଟାକୁ କଷିଦେଲେ । ତା’ ପରେ ସେ ଘରୁ ବାହାରିଗଲେ । ଗଲାବେଳେ ମନକୁ କହିଲେ, ‘‘କେତେବେଳେ ହେଲେ ତାକୁ ପୁଣି ଦେଖିବି ଯେ, ନିଶ୍ଚୟ ଦେଖା ହେବ ।’’

 

ଦୁଇ

 

ସତକୁସତ ଦିନେ ଦେଖା ହୋଇଗଲା ।

 

ସଞ୍ଜବେଳେ ପୋଡ଼ଶିବ୍ଳୋ ନିଜ କାମ ଉପରେ ରହି ସଦର ଅଫିସ ସାମନାରେ ଛିଡ଼ା ହୋଇଥିଲେ । ତାଙ୍କ ପାଖରୁ ପାଞ୍ଚ ପାହୁଣ୍ଡ ଦୂରରେ ସେହି ସ୍ତ୍ରୀଲୋକଟି ଯାଉଥିବାର ସେ ଦେଖିପାରିଲେ । ସେ ଧୀରେ ଧୀରେ ପାଦ ପକାଇ ପାର୍କ ଆଡ଼କୁ ଚାଲୁଥିଲା । ନେଳିଆ ଆଖି ଯୋଡ଼ିକରେ ସେ ସିଧା ଆଗକୁ ଚାହିଁଥାଏ । ତା’ର ମୁହଁ, ତା’ର ଛାତି, ତା’ର ସମଗ୍ର ଦେହରେ ଗୋଟାଏ ବିଶେଷତ୍ୱ ଥିଲା । ବିଶେଷତଃ ତା’ର ଆଖି ଯୋଡ଼ିକରେ ଏପରି କିଛି ବିଶେଷତ୍ୱ ଥିଲା, ଯାହାକୁ ଦେଖିଲେ ମଣିଷ ଦୂରେଇ ହୋଇ ରହିବ । ତା’ର ଭ୍ରୂଲତା ଯୋଡ଼ିକ ଦେଖିଲେ ଜଣାପଡ଼ୁଥିଲା–

 

ସତେ ଯେପରି କି ସେ ନିଜକୁ ଭାଗ୍ୟ ଉପରେ ସମର୍ପି ଦେଇଛି । ପ୍ରଥମ ଦିନ ଦେଖିଲାବେଳେ ତା’ର ମୁହଁଟି ଯେପରି ଗୋଲ ଦେଖାଯାଉଥିଲା, ଏବେ ସେପରି ବୋଧହେଲା ନାହିଁ ।

 

ପୋଡ଼ଶିବ୍ଳୋ ନିଶକୁ ମୋଡ଼ି କେତେ କଅଣ ଭାବି ତାକୁ ଆଖିଉପରେ ରଖିବାକୁ ସ୍ଥିର କଲେ । ସେ ମନକୁ ମନ କହିଲେ, ‘‘ରହ ଲୋ ରାଣ୍ଡି !’’

 

ପାଞ୍ଚମିନିଟ୍‌ପରେ ଦେଖାଗଲା, ସେ ଗୋଟାଏ ବେଞ୍ଚଉପରେ ସେହି ସ୍ତ୍ରୀଲୋକ ପାଖରେ ବସିଛନ୍ତି ।

 

ସେ ଟିକିଏ ହସିଦେଇ ପଚାରିଲେ, ‘‘ମୋତେ କଣ ଚିହ୍ନି ପାରୁନ ?’’

 

ସ୍ତ୍ରୀଲୋକଟି ମୁଣ୍ଡ ଟେକି ତାଙ୍କୁ ଟିକିଏ ଅନାଇ କହିଲା, ‘‘ହଁ, ଚିହ୍ନିବି ନାହିଁ କାହିଁକି ? ଆପଣ କିପରି ଅଛନ୍ତି ?’’ ସେ କରୁଣ କଣ୍ଠରେ ଏତିକି କହିଲା । କରମର୍ଦ୍ଦନ କରିବା ପାଇଁ ହାତଟା ବଢ଼ାଇବାକୁ ତା’ର ସାହସ ହେଲାନାହିଁ ।

 

‘‘ବେଶ୍‍ ଅଛି । ତୁମର ସବୁ କେମିତି ଚାଲିଛି । ତୁମେ ନିଜ ପାଇଁ ଖଣ୍ଡିଏ କାର୍ଡ଼ ପାଇଲ-?’’

 

ସ୍ତ୍ରୀଲୋକଟି ଉଦାସୀନ ଭାବରେ ବ୍ଲାଉସ ପକେଟରୁ କାର୍ଡ଼ ଖଣ୍ଡିକ ବାହାର କରିବାକୁ ଯାଇ କହିଲା, ‘‘ହେଇଟି, ମୋ ପାଖରେ ରଖିଛି ?’’

 

ପୋଲିସ ଅଫିସରଙ୍କୁ କିପରି ଅଡ଼ୁଆ ଲାଗିଲା । ସେ ସଙ୍ଗେ ସଙ୍ଗେ କହିଲେ, ‘‘ଥାଉ, ଥାଉ; ମୋତେ ଦେଖାଇବା ଦରକାର ନାହିଁ । ତମ କଥାକୁ ମୁଁ ବିଶ୍ୱାସ କରୁଛି । ତା ଛଡ଼ା କାର୍ଡ଼ ଯାଞ୍ଚ କରିବାରେ ମୋର ଅଧିକାର ନାହିଁ । ତମ କାମ କେମିତି ଚାଲିଛି ?’’

 

ପୋଡ଼ଶିବ୍ଳୋ ଏକଥା ପଚାରିଦେଲେ; ମାତ୍ର ପର ମୁହୂର୍ତ୍ତରେ ଭାବିଲେ, ‘‘ତା’ର କାମ କିମିତ ଚାଲିଛି, ସେଥିରେ ମୋର ଥାଏ କଅଣ ? ମୁଁ କାହିଁକି ତା ପାଇଁ ବୃଥା ଧନ୍ଦି ହେଉଛି ? ୟାଠୁ ଖସିଗଲେ ମଙ୍ଗଳ ।’’

 

ଯେତେ ଖସିଯିବାକୁ ମନ ଟାଣ କଲେ ବି ସେ ଖସିଯାଇ ପାରିଲେ ନାହିଁ । ସ୍ତ୍ରୀଲୋକଟିର ଏପରି ଗୋଟାଏ କିଛି ଆକର୍ଷଣ ଥିଲା ଯେକୌଣସି ଗୋଟାଏ ବିଷୟରେ ତା ସଙ୍ଗରେ କଥାବାର୍ତ୍ତା ନ ହୋଇ ରହିହେବ ନାହିଁ ।

 

ସେ କହିଲା, ‘‘ମୁଁ କେମିତି ଅଛି ପଚାରୁଥିଲେ; ମନ୍ଦ ନୁହେଁ । ଭଗବାନ୍‌ଙ୍କୁ.... ।’’ ଏତିକି କହି ସେ ରହିଗଲା ।

 

‘‘ବଡ଼ ଆନନ୍ଦର କଥା । ତମକୁ ମୋର ଅଭିନନ୍ଦନ ଜଣାଉଛି । ବୋଧହୁଏ, ଅଭ୍ୟାସରେ ପଡ଼ିବାଯାଏ ଟିକିଏ କଷ୍ଟ ହୋଇଥିବ । ନୁହେଁ କି ?’’

 

ହଠାତ୍‍ ସେ ଅଫିସରଙ୍କ ଆଡ଼କୁ ନଇଁ ପଡ଼ିଲା; ତା’ର ମୁହଁଟା ଏକବାରେ ଶୁଖିଗଲା । ମନେହେଲେ, କାନ୍ଦିପକାଇବ ପରା । କିନ୍ତୁ ମୁହୂର୍ତ୍ତକ ପରେ ସେ ସିଧା ହୋଇ ବସିଲା; ସତେ ଯେପରି ତା’ର କିଛି ପରିବର୍ତ୍ତନ ହୋଇନାହିଁ ।

 

ସେ ଧୀର ସ୍ୱରରେ ସ୍ପଷ୍ଟ ଭାବରେ କହିଲା, ‘‘ହଁ, ଆପଣଙ୍କ କଥା ଠିକ୍‍ । ସବୁ ଅଭ୍ୟାସରେ ପଡ଼ିଯିବ ।’’ ସେ ରୁମାଲ ବାହାର କରି ମୁହଁକୁ ପୋଛିଦେଲା ।

 

ତା ପାଖରେ ବସି ତା’ର ଅଙ୍ଗଭଙ୍ଗୀ, ତା’ର ନୀଳ ଆଖିଯୋଡ଼ିକ–ଏସବୁ ଦେଖି ଅଫିସରଙ୍କ ମନ କିପରି ଦବି ଆସିଲା । ସେ ଉଠିପଡ଼ି କରମର୍ଦ୍ଦନ କରିବାକୁ ଆପଣା ହାତ ବଢ଼ାଇଦେଲେ । ସ୍ତ୍ରୀଲୋକଟି ବିଦାୟ କହି ପ୍ରଣାମ କଲା ।

 

ଅଫିସର୍‌ ଟିକିଏ ମୁଣ୍ଡ ନୁଆଁଇଦେଇ ଜୋର୍‌ରେ ଚାଲିଗଲେ । ନିଜର ବୋକାମି ପାଇଁ ମନେ ମନେ ନିଜକୁ ଧିକ୍‌କାର କଲେ । ଯାଉ ଯାଉ ସେ ମନକୁ ମନ କହିଲେ, ‘‘ହଉ ହଉ, ରହିଥା ଟୋକୀ । ତୁ ମତେ ଜାଣିନୁ । ଯେଉଁଦିନ ତୁ ମୋତେ ଚିହ୍ନିବୁ ସେଦିନ ସ୍ୱର୍ଗରୁ ପାତାଳକୁ ଖସିପଡ଼ିବୁ-।’’ ପୁଣି ସେ ସଙ୍ଗେ ସଙ୍ଗେ ଭାବିଲେ–ସେ ତ ମୋର କିଛି କ୍ଷତି କରିନାହିଁ । ତା ଉପରେ ମୋର ରାଗ କାହିଁକି ?

 

ସେ ଯେତିକି ତା କଥା ଭାବୁଥାନ୍ତି ରାଗଟା ସେତିକି ବଢ଼ୁଥାଏ ।

 

ତିନି

 

ସପ୍ତାହିକ ପରେ ଦିନେ ସନ୍ଧ୍ୟା ସମୟରେ ପୋଡ଼ଶିବ୍ଳୋ ସରେଇଘରଠାରୁ ସାଇବେରିଆନ ପୋଲ ଆଡ଼କୁ ଯାଉଥିଲେ । ଗୋଟାଏ ମଦଖଟି ଘର ଝରକାବାଟେ ପାଟିତୁଣ୍ଡ ଶୁଣାଯାଉଥିଲା । କେତେଗୁଡ଼ାଏ ସ୍ତ୍ରୀଲୋକ ଅତି ଅଭଦ୍ରଭାଷାରେ ଗାଳି ଦିଆଦେଇ ହୋଇ କଳି କରୁଥିଲେ । ଗୋଟାଏ ସ୍ତ୍ରୀଲୋକ ପାଟିକଲା, ‘‘ପୋଲିସ୍‌, ପୋଲିସ୍‌; ମୋତେ ରକ୍ଷା କର ।’’ ଝଣ୍‌ଝଣ୍‌, ଖଟ୍‌ଖଟ ଶବ୍ଦ ଶୁଣାଯାଉଥିଲା । ଗୋଟାଏ ପୁରୁଷର ସ୍ୱର ସବୁ ସ୍ୱରକୁ ବୁଡ଼ାଇ ଦେଉଥିଲା-। ସେ କହୁଥିଲେ, ‘‘ଠିକ୍ ହୋଇଛି । ସେ ମାଇକିନିଆକୁ ଆଉରି ପିଟ । ତା ନାକ ଉପରେ ଖୁନ୍ଦା ବସାଅ ।’’

 

ପୋଲିସ ଅଫିସର ପାହାଚ ଉପରକୁ ଉଠିଗଲେ । ଦୁଆରମୁହଁରେ ଜମିଥିବା ଲୋକମାନଙ୍କୁ ଠେଲିଦେଇ ଭିତରକୁ ଯାଇ ଦେଖିଲେ–ତାଙ୍କର ସେହି ପରିଚିତା ସ୍ତ୍ରୀଲୋକଟି (ଯାହାର ନୀଳବର୍ଣ୍ଣ ଆଖିଯୋଡ଼ିକ ସେ ଭୁଲିପାରି ନଥିଲେ) ଗୋଟାଏ ଟେବୁଲ ଉପରେ ପଡ଼ିଛି । ସେ ବାଁ ହାତରେ ଆଉ ଗୋଟାଏ ସ୍ତ୍ରୀଲୋକର ବାଳ ପେଣ୍ଡାକ ମୁଠାଇ ଧରି ଡାହାଣ ହାତରେ ତା ମୁହଁରେ ବିଧା, ଖୁନ୍ଦା ବୃଷ୍ଟି କରୁଛି । ତା’ର ମୁହଁଟା ଫୁଲିଯାଇଛି ।

 

ନୀଳବର୍ଣ୍ଣର ଆଖି ଦୁଇଟା ସଂକୁଚିତ ହୋଇଯାଇଥିଲା; ତା’ର ଓଠ ଦୁଇଟା ଚିପିହୋଇଥିଲା । ତା’ର ମୁହଁରେ ଏବେ ଗୋଟାଏ ବିକୃତ ହିଂସାଭାବ ଫୁଟିଉଠୁଥିଲା । ସତେ ଯେପରିକି ସେ ଗୋଟାଏ ହିଂସ୍ର କଟାଶ । ସେ ଅନ୍ୟ ସ୍ତ୍ରୀଲୋକଟାକୁ ପିଟି ପିଟି ମାରିଦେବାକୁ ପ୍ରସ୍ତୁତ । ତାକୁ ପିଟିବାରେ ତା’ର ଗୋଟାଏ ହିଂସ୍ର ଆନନ୍ଦ ।

 

ମାଡ଼ ଖାଉଥିବା ସ୍ତ୍ରୀଲୋକଟିର କଥା କହିବାର ଶକ୍ତି ନ ଥାଏ । ସେ ଟାଣିହୋଇ ଖସିଯିବାକୁ ଚେଷ୍ଟା କରୁଥାଏ ଓ ଗୋଟାଏ କିଛି ଧରିବା ପାଇଁ ଅସହାୟ ଭାବରେ ହାତଟାକୁ ହଲାଉଥାଏ ।

 

ଏଭଳି ଦୃଶ୍ୟ ଦେଖି ପୋଲିସ ଅଫିସରଙ୍କର ମୁଣ୍ଡକୁ ରକ୍ତ ଚଢ଼ିଗଲା । ଜଣେ କାହା ଉପରେ ପ୍ରତିଶୋଧ ନେବାପାଇଁ ସେ ଉଚ୍ଛନ୍ନ ହୋଇପଡ଼ିଲେ । ସେ ଡେଇଁପଡ଼ି ଟେବୁଲ ଉପରର ସ୍ତ୍ରୀଲୋକଟାର ଅଣ୍ଟାକୁ ଧରି ତାକୁ ଟେକି ଆଣିଲେ । ଟେବୁଲଟା ଗଡ଼ିପଡ଼ିଲା; କେତେଟା ଥାଳିଆ ତଳେ ପଡ଼ି ଭାଙ୍ଗିଗଲା । ଲୋକଙ୍କ ଭିତରୁ କେହି କେହି ଚିତ୍କାର କରିଉଠିଲେ; କେହି ଅବା ହସରେ ଘରଟାକୁ କମ୍ପାଇଦେଲେ ।

 

ଅଫିସର ରାଗରେ ଲୋକଙ୍କ ମୁହଁକୁ ଚାହିଁଗଲେ । ସମସ୍ତଙ୍କ ମୁହଁ ଲାଲ ପଡ଼ିଯାଇଛି । ସେ ସ୍ତ୍ରୀଲୋକଟାକୁ ଚିପିଧରି ତା କାନ ପାଖରେ କହିଲେ, ‘‘ତୁଇ ନା; ଏଠି ଗୋଟାଏ କାଣ୍ଡ କରି ବସିଛି । ଗୋଟାଏ ଗୋଳମାଳ !’’

 

ଅନ୍ୟ ସ୍ତ୍ରୀଲୋକଟି ଘରର ମେଜିଆ ଉପରେ ଭଙ୍ଗା ଥାଳିଆ ଭିତରେ ପଡ଼ିରହି ବାହୁନି ବାହୁନି କାନ୍ଦୁଥାଏ ।

 

ଗହଳି ଭିତରୁ ଜଣେ ଗେଡ଼ା ଲୋକ ବାହାରିପଡ଼ି ଅଫିସରଙ୍କୁ ଘଟଣାଟା ବୁଝାଇଦେବାକୁ ବସିଲା ।

 

‘‘ହଜୁର୍‌, ଏ ମାଇକିନିଆଟା ତାକୁ କହିଲା ‘ତୁ ଦାରୀ’ । ସେ ୟାକୁ କହିଲା, ‘ତୁ ଛିଣ୍ଡାଳୀ’-। ତହୁଁ ଏ ତାକୁ ହାତରେ ଠେଲିଦେଲା । ସେ ୟା ଉପରକୁ ଗୋଟାଏ ଚାହାଗିଲାସ ଫିଙ୍ଗିଲା । ତହୁଁ ଏ ତା ଚୁଟିକୁ ଧରି ତାକୁ ବିଧା ମାରିଲା । ଏମିତି ମାରୁଛି ତ ମାରୁଛି । ଏଇଟାର ଦେହରେ ଭାରି ବଳ । ଯଉଁ ମାଡ଼ ମାରିଲା !’’

 

ପୋଡ଼ଶିବ୍ଳୋ ସ୍ତ୍ରୀଲୋକଟିକୁ ଦୁଇ ବାହୁରେ ଆହୁରି ଚିପିଧରି କହିଲେ, ‘ଏହାରି ଦେହରେ ଖୁବ୍‍ ବଳ ଅଛି ନା ? ଏହାରି ଦେହରେ ?’’

 

ଜଣେ ଲୋକ ଝରକାପାଖେ ମୁହଁ ବଢ଼ାଇ ନଇଁପଡ଼ି ରାସ୍ତା ଉପରକୁ ଚାହିଁ ଡାକିଲା, ‘‘ହେ ଇଜ୍‌ଭୋଚିକ୍‌, ଏଠିକି ଆସ ।’’

 

‘‘ଚାଲ, ଥାନାକୁ ଚାଲ ଦୁହେଁଯାକ । ଉଠ, ଚାଲ ! –ଆଉ ତୋର ଏଠିକି ଆସିବାକୁ ଏତେବେଳେ ହେଲା କାହିଁକି ? ତୋର କାମ କଅଣ ତୋତେ ମାଲୁମ୍‌ ନାହିଁ ? ଗୁଡ଼ବକ୍ ! ଏ ଦିହିଁକି ଥାନାକୁ ନେଇ ଚାଲ୍‌ । ଚଞ୍ଚଳ ଯା, ଦି ଜଣଯାକଙ୍କୁ ନେଇ ଯା ।’’

 

ପୋଲିସ କନଷ୍ଟେବଳ ସ୍ତ୍ରୀଲୋକ ଦୁଇଟାଙ୍କୁ ଠେଲି ଠେଲି ନେଇ ଚାଲିଗଲା ।

 

ପୋଡ଼ଶିବ୍ଳୋ ଝରକା ପାଖରେ ଗୋଟାଏ ଚଉକି ଉପରେ ବସିପଡ଼ି ମଦଖଟିର ଗୋଟିଏ ଚାକରକୁ ଡାକି କହିଲେ, ‘‘ଚଞ୍ଚଳ ବ୍ରାଣ୍ଡି ଆଉ ସୋଡ଼ାପାଣି ଆଣ ।’’ ସେତେବେଳକୁ ସେ ବଡ଼ କ୍ଳାନ୍ତ ହୋଇପଡ଼ିଥିଲେ । ତାଙ୍କୁ କିଛି ଭଲ ଲାଗୁ ନଥିଲା । ବିନା କାରଣରେ ସେ ରାଗିଉଠୁଥିଲେ ।

 

ତା ଆର ଦିନ ସକାଳେ ସ୍ତ୍ରୀଲୋକଟି ଯାଇ ଠିକ୍‍ ପ୍ରଥମ ଦିନ ଭଳି ଧୀରସ୍ଥିରଭାବରେ ତାଙ୍କ ଆଗରେ ଠିଆହେଲା । ନୀଳବର୍ଣ୍ଣର ଆଖିଦୁଇଟିରେ ତାଙ୍କୁ ଏକାଲୟର ଚାହିଁରହିଲା । ତା’ର ଇଚ୍ଛା ପୋଡ଼ିଶିବ୍ଳୋ ଆଗ କଥା କହନ୍ତୁ ।

 

ଗଲା ରାତିରେ ଅଫିସରଙ୍କର ଆଦୌ ନିଦ ହୋଇ ନ ଥିଲା । ତେଣୁ ସେ ସାମାନ୍ୟ କଥାରେ ବିରକ୍ତ ହେଉଥିଲେ । ସେ କାଗଜଗୁଡ଼ାକ ଟେବୁଲ ଉପରେ ଏଣେତେଣେ ପକାଇଦେଲେ-। କିନ୍ତୁ ସେ ସ୍ତ୍ରୀଲୋକକୁ କହିବା ପାଇଁ କିଛି ପାଇଲେ ନାହିଁ । ଏଭଳି ଘଟଣାରେ ସାଧାରଣତଃ ତାଙ୍କ ତୁଣ୍ଡରୁ ଯେଭଳି ଅଭଦ୍ର ଗାଳି ଓ ଧମକ ବାହାରେ, ଆଜି ସେ ସବୁ ବାହାରିପାରିଲା ନାହିଁ । ସ୍ତ୍ରୀଲୋକଟାକୁ ମୁହେଁ ମୁହେଁ ଗାଳି ଓ ଧମକଠାରୁ ଆଉ କିଛି ଅଧିକ ଶୁଣାଇଦେବାକୁ ତାଙ୍କର ଇଚ୍ଛା-

 

ସେ କହିଲେ, ‘‘କହିଯାଅ, କଳି କାହିଁକି ଲାଗିଲା ? ସଫା ସଫା କହିଯା ।’’

 

‘‘ସେ ମୋତେ ଅପମାନ ଦେଲା ।’’

 

ଅଫିସର ବିଦ୍ରୂପ କରି କହିଲେ, ‘‘ଓଃ, କଅଣ ନ କଲା ? ଅପମାନ ଦେଲା ! ଭାରି ଅପରାଧ ତ ତା’ର ।’’

 

‘‘ତା’ର ମୋତେ ଏପରି ଅପମାନ ଦେବାର ଅଧିକାର ନାହିଁ । ସେ ମୋ ସଙ୍ଗେ କଅଣ ସମାନ ?’’

 

‘‘ଭଗବାନ୍‌, ଆଚ୍ଛା, ତୁ ନିଜକୁ କଅଣ ବୋଲି ମନେକରୁଛୁ ?’’

 

‘‘ମୁଁ ସିନା ଅଭାବରେ ପଡ଼ି ଏ କାମରେ ପଶିଛି; ମାତ୍ର ସିଏ..... ।’’

 

‘‘ହୁଁ, ସେ ତେବେ ଖୁସିରେ ସେ କାମ କରୁଛି । ଏଇୟା ନା ?’’

 

‘‘ସିଏ ?’’

 

‘‘ହଁ, ସିଏ ।’’

 

‘‘ତା’ର ତ ଆଉ ପିଲାଝିଲା ନାହାନ୍ତି ?’’

 

‘‘ଚୁପ୍‍ କର, ସଇତାନ । ତୋ ପିଲାଝିଲାଙ୍କ କଥା ବହୁତ ଶୁଣିଲିଣି । ମୋତେ ତୋ ପିଲାଝିଲାଙ୍କ କଥା କହି ଭୁଲେଇଦେବୁ ବୋଲି ମନ କରନା । ତେବେ ତୋତେ ଏଥରଟା ଛାଡ଼ିହେଉଛି । ପୁଣି ଯେବେ କିଛି ଗୋଳମାଳ କରୁ, ତେବେ ଚବିଶ ଘଣ୍ଟା ଭିତରେ ତୋତେ ଏ ସହର ଛାଡ଼ି ଯିବାକୁ ପଡ଼ିବ । ବୁଝିଲୁ, ଏ ମେଳା ଛାଡ଼ି ଯିବାକୁ ହେବ । ତମ ଜାତିକୁ ମୁଁ ଠିକ୍‍ ଚିହ୍ନିଛି । ଥରେ ଦି’ ଥର ତୋତେ ମୋ ସ୍ୱରୂପ ଦେଖାଇଦେବି । ସବୁ ଗଣ୍ଡଗୋଳର ମୂଳ ଏ । ସଇତାନ, ତୋତେ ଉପଯୁକ୍ତ ଶିକ୍ଷା ଦେବି ।’’ କଥାଗୁଡ଼ାକ ଅଫିସରଙ୍କ ତୁଣ୍ଡରୁ ସହଜରେ ବାହାରି ଆସୁଥାଏ । ସ୍ତ୍ରୀଲୋକଟିକୁ ସେ ଅଧିକରୁ ଅଧିକ ଅପମାନ ଦେଉଥାନ୍ତି ।

 

ତା’ର ମୁହଁଟା ଏକବାରେ ଶୁଖିଗଲା । ତା’ର ନୀଳବର୍ଣ୍ଣର ଆଖି ଦୁଇଟି ନିତାନ୍ତ ସଙ୍କୁଚିତ ହୋଇଗଲା ।

 

ଅଫିସର ଟେବୁଲ ଉପରେ ହାତକୁ ପିଟି କଠୋର ସ୍ୱରରେ କହିଲେ, ‘‘ଯାଆ, ଏଠୁ ବାହାର୍ ।’’

 

ସ୍ତ୍ରୀଲୋକଟି ‘‘ଭଗବାନ୍‌ ଆପଣଙ୍କ କଥା ବିଚାର କରବେ ।’’ ଏତିକି କହି ଧୀରେ ଧୀରେ ଅଫିସ ଘରୁ ବାହାରକୁ ଚାଲିଗଲା ।

 

ଅଫିସର ଚିତ୍କାର କରି କହିଲେ, ‘‘କିଏ ବିଚାର କରିବ, ମୁଁ ତତେ ଦେଖେଇଦେବି ।’’ ସ୍ତ୍ରୀଲୋକଟିକୁ ଅପମାନ ଦେଇଥିବାରୁ ତାଙ୍କ ମନରେ ଆନନ୍ଦ । ପ୍ରଶାନ୍ତ ମୁଖରେ ନୀଳ ଆଖିଯୋଡ଼ିକରେ ତାଙ୍କୁ ସ୍ତ୍ରୀଲୋକଟି ଯେପରି ଚାହିଁଥିଲା, ସେଥିରେ ସେ କ୍ରୋଧରେ ଜଳିଉଠିଲେ । ସ୍ତ୍ରୀଲୋକଟା ନିଜକୁ କଅଣ ମନେ କରୁଛି ? ପୁଅଝିଅ ? ଭାରି ଅଭିମାନ ତ ! ପୁଅଝିଅ ସଙ୍ଗେ ଏ ନୀଚ ବ୍ୟବସାୟର କି ସମ୍ପର୍କ ? ଗୋଟିଏ ବଜାରର ସ୍ତ୍ରୀ ଛଡ଼ା ସେ ଆଉ କଅଣ ହୋଇପାରେ ? ମେଳାକୁ ଆସିଛି; କିଛି ପଇସା ରୋଜଗାର କରିବ ବୋଲି । ସେଥିରେ ପୁଣି ଏଡ଼େ ଅଭିମାନ କାହିଁକି ? କଅଣ ନା, ଅଭାବର ତାଡ଼ନାରେ....ପୁଅଝିଅ ! ଏ କଥାକୁ ଭଲା କିଏ ସତ ମନେ କରିବ-? ଅସଲ କଥା, ତା’ର ସତ କହିବାକୁ ସାହସ ନାହିଁ । ଦୋଷଟାକୁ ଅବସ୍ଥା ଉପରେ ପକାଇଦେବାକୁ ବସିଛି ! ବାଃ !

 

ଚାରି

 

ଦିନେ ପୁଣି ଦେଖାହେଲା କେଶିନ ଘାଟରେ । ଛୋଟ ପୁଅଟିଏ; ଗୋଟିଏ ପୁରୁଣା ଚିର ସ୍କୁଲପୋଷାକ ପିନ୍ଧିଛି । ଆଉ ଗୋଟିଏ ଛୋଟ ଝିଅ । ତା ଦେହକୁ ଚାହିଁଲାବେଳକୁ ତା’ର ଜାମାଟି ଖୁବ୍‍ ବଡ଼ । ଦୁହେଁଯାକ ଘାଟ ପାଖରେ ଗୋଟିଏ ପଟା ଉପରେ ବସିଥାନ୍ତି । ଶୀତଦିନିଆ ଥଣ୍ଡା ପବନରେ ବସି ଦୁହେଁଯାକ ଗପରେ ମାତିଥାନ୍ତି । ପାଖରେ ଦୁହିଁଙ୍କର ମାଆ ଛିଡ଼ାହୋଇଥାଏ । ବୋଟ୍‌ରେ ଯିବାପାଇଁ ଗୁଡ଼ାଏ ମାଲ ଜମା ହୋଇଛି । ସ୍ତ୍ରୀଲୋକଟି ତାକୁ ଆଉଜି ପିଲା ଦୁହିଁଙ୍କୁ ତା’ର ନୀଳବର୍ଣ୍ଣର ଆଖି ଦୁଇଟିରେ ଚାହିଁରହିଥାଏ ।

 

ପୁଅଟିର ଚେହେରା ଠିକ୍‍ ମାଆର ଚେହେରା ପରି । ଆଖି ଦୁଇଟି ମଧ୍ୟ ସେହିପରି ନୀଳ । ସେ ବେଳେ ବେଳେ ହସି ହସି ମାଆକୁ କଅଣ କହୁଥାଏ । ଝିଅଟି ମୁହଁରେ ବସନ୍ତ ଚିହ୍ନ । ତା’ର ନାକଟି ଛୁରୀ ପରି ତୀକ୍ଷ୍‌ଣ; ଆଖି ଯୋଡ଼ିକ ଉଜ୍ଜ୍ୱଳ । ଚେହେରା ଦେଖିଲେ ଜଣାପଡ଼ୁଥାଏ, ଝିଅଟି ବଡ଼ ବୁଦ୍ଧିମତୀ ହୋଇଥିବ । ଏମାନଙ୍କ ଚାରିଆଡ଼େ ନାନାପ୍ରକାରର ମାଲ ।

 

ସେ ଦିନଯାକ ବର୍ଷା ହୋଇଥିଲା । ତେଣୁ ନଦୀକୂଳଟା କାଦୁଆ ହୋଇଥାଏ । ପବନ ମଧ୍ୟ ଭୀଷଣ ଥଣ୍ଡା ।

 

ଭଲ୍‌ଗା ନଈରେ ପ୍ରବଳ ଲହରୀ ଉଠୁଥାଏ । ଲହରୀଗୁଡ଼ାକ କୂଳରେ ପିଟିହେଉଥାନ୍ତି । ଲହରୀର ଧୀର ଗମ୍ଭୀର ଗର୍ଜନ କୂଳକୁ ଶୁଣାଯାଉଥାଏ । ନାନାପ୍ରକାରର ଲୋକେ ଘାଟରେ ଯିବାଆସିବା କରୁଥାନ୍ତି । ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ । ଘାଟର ଏହି ଚଞ୍ଚଳତା ଭିତରେ ମାଆ ଓ ପିଲା ଦୁଇଟି ଧୀର ଭାବରେ କଥାବାର୍ତ୍ତାରେ ଲାଗିଥାନ୍ତି । ତେଣୁ ସେମାନେ ସହଜେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଥାନ୍ତି ।

 

ପୋଲିସ ଅଫିସର ପୋଡ଼ଶିବ୍ଳୋ ଏମାନଙ୍କୁ ଦେଖିପାରିଥିଲେ । ସେ ଟିକିଏ ଦୂରରେ ରହି ସେମାନଙ୍କ କାର୍ଯ୍ୟକଳାପ ଲକ୍ଷ୍ୟ କରୁଥାନ୍ତି । କେଜାଣି କାହିଁକି ତାଙ୍କୁ ବଡ଼ ଲଜ୍ଜାବୋଧ ହେଲା, ମନରେ ଅନୁତାପ ଆସିଲା ।

 

ଆଉ ଅଧଘଣ୍ଟା ମଧ୍ୟରେ ବୋଟ୍‌ଯାତ୍ରୀ ଓ ମାଲ ନେଇ ଏଠାରୁ ଭଲ୍‌ଗା ନଦୀର ଉପରକୁ ଯିବ ।

 

ସ୍ତ୍ରୀଲୋକଟି ସିଧା ହୋଇ ଠିଆ ହେଲା; ତା’ର ଥଳି ପୁଟୁଳି ସବୁ କାନ୍ଧରେ ଓହଳାଇଲା, କେତୋଟି କାଖରେ ଧରିଲା । ପିଲାମାନେ କେତୋଟି ଛୋଟ ଥଳି କାନ୍ଧରେ ଓହଳାଇ ଆଗେ ଆଗେ ଚାଲିଲେ । ସ୍ତ୍ରୀଲୋକଟି ପଛରେ ।

 

ପୋଡ଼ଶିବ୍ଳୋଙ୍କର ସେହି ବୋଟ୍‌ରେ ଯିବାର ଥାଏ । ଯିବାକୁ ତାଙ୍କର ମନ ହେଲା ନାହିଁ-। କିନ୍ତୁ ତାଙ୍କୁ ଯିବାକୁ ହେବ । ସେ ଟିକେଟ କିଣିବାକୁ ଗଲେ ।

 

ତାଙ୍କ ପରିଚିତ ସେହି ସ୍ତ୍ରୀଲୋକଟି ମଧ୍ୟ ଟିକେଟ କିଣିବାକୁ ଆସିଲା । ତା ହାତରେ ଗୋଟିଏ ଟଙ୍କାଥଳି, ଜଣାପଡ଼ୁଥାଏ, ସେଥିରେ ନୋଟ୍‌ଭର୍ତ୍ତି । ସେ ବୁକିଙ୍ଗ୍‌ ଅଫିସ ନିକଟକୁ ଯାଇ କହିଲା–‘‘ମୋର ପିଲାଙ୍କ ପାଇଁ ଦୁଇଟା ସେକେଣ୍ଡ କ୍ଲାସ ଟିକେଟ । କୋଷ୍ଟ୍ରମାକୁ ଯିବେ । ଆଉ ମୋ ପାଇଁ ଗୋଟାଏ ଥାର୍ଡ଼କ୍ଲାସ ଟିକେଟ । କ୍ରୋଷ୍ଟମାକୁ ଯିବେ । ଆଉ ମୋ ପାଇଁ ଗୋଟାଏ ଥାର୍ଡ଼କ୍ଲାସ ଟିକେଟ । ଦୁହିଁଙ୍କ ପାଇଁ ଗୋଟାଏ ଟିକେଟ ଦେବେ କି ?’’

 

ସ୍ତ୍ରୀଲୋକଟି ଟିକେଟ ଆଣି ଆସିଲା । ତା ମୁହଁରେ ଆନନ୍ଦର ଚିହ୍ନ । ସେ ଆସିଲାକ୍ଷଣି ପିଲା ଦିଓଟି ତା ଉପରକୁ ମାଡ଼ିପଡ଼ି କଅଣ ମାଗିଲେ । ସେ କହିଲା, ‘‘ମୁଁ ପରା କହିଥିଲି, ସବୁ କିଣିଆଣିବି । ତମେ ଯାହା ଚାହିଁବ, ତା କଅଣ ନ ଦେବି ? ଏଇଠି ଚାହିଁ ରହିଥାଅ । ମୁଁ ନେଇ ଆସୁଛି ।’’

 

ଘାଟପାଖ ଦୋକାନକୁ ଯାଇ ସେ କିଛି ଜିନିଷ କିଣି ପିଲାଙ୍କ ପାଖକୁ ଫେରିଆସିଲା । ସେ କହିଲା, ‘‘ଦେଖ ଭେରିଆ, ତୋର ଏ ସାବୁନ । ଶୁଙ୍ଘିଲୁ, କେଡ଼େ ସୁଗନ୍ଧ । ପେତିଆ, ହେଇଟି ତୋର କଲମତରାସ । ଦେଖିଲ, ମୁଁ କିପରି ସବୁ ମନେରଖି ଆଣିଛି । ଆଉ ହେଇଟି ଡଜନେ କମଳାଲେମ୍ବୁ । ସାବଧାନ, ସବୁଯାକ ଏକାବେଳକେ ଖାଇଦେବ ନାହିଁ ।’’

 

ଏଥିମଧ୍ୟରୁ ବୋଟ୍‌କୂଳପାଖକୁ ଆସିଲା । ଲୋକଙ୍କ ଚଢ଼ିବାର ସୁବିଧା ପାଇଁ ବୋଟ୍‌କୁ ଲଗାଇ ଗୋଟିଏ ପଟା ତଳକୁ ପକାହେଲା । ଯାତ୍ରୀମାନେ ବୋଟକୁ ଉଠିବା ପାଇଁ ଠେଲାଠେଲି ହେଲେ ।

 

ପୋଲିସ ଅଫିସର ବଡ଼ପାଟି କରି କହିଲେ, ‘‘ଜଣକ ପଛେ ଜଣେ ଚାଲ । ଠେଲାଠେଲି ହୁଅନାହିଁ ।’’ ଜଣେ ବଢ଼େଇ ତା’ର କରତ, ବାରିଶି, ନିହାଣ, ମୁଗୁର ପ୍ରଭୃତି ଧରି ଯାଉଥିଲା । ଗଲାବେଳକୁ ସେ ସେହି ସ୍ତ୍ରୀଲୋକ ଓ ତା’ର ପିଲା ଦୁଇଟିଙ୍କୁ ଠେଲି ଯିବାପାଇଁ ବସିଲା । ପୁଲିସ ଅଫିସର ରାଗିଯାଇ କହିଲେ, ‘‘ହେ ବଢ଼େଇ, ତୋତେ କଅଣ ଦେଖାଯାଉନି ! ସେ ଭଦ୍ରମହିଳା ଆଉ ତାଙ୍କ ପିଲାଙ୍କୁ ବାଟ ଛାଡ଼ିଦେ । କେଡ଼େ ବୋକା ?’’ ସ୍ତ୍ରୀଲୋକଟି ପଟାଉପରେ ଉଠୁ ଉଠୁ ପୋଲିସ ଅଫିସରଙ୍କୁ ଚାହିଁ ଟିକିଏ ହସିଦେଲା । ବୋଟ୍‌ଭିତରକୁ ଯାଇ ସେ ତାଙ୍କୁ ପ୍ରଣାମ କଲା ।

 

ତୃତୀୟ ଘଣ୍ଟି ବାଜିଲା । କପ୍ତାନ ବୋଟ୍‌ ଛାଡ଼ିବାର ସଙ୍କେତ ଦେଲେ ।

 

ବୋଟ୍‌କୂଳ ଛାଡ଼ିଯିବାକୁ ଲାଗିଲା ।

 

ପୋଡ଼ଶିବ୍ଳୋ ଯାତ୍ରୀମାନଙ୍କ ଭିତରେ ଖୋଜି ଖୋଜି ତାଙ୍କର ସେହି ପରିଚିତା ସ୍ତ୍ରୀଲୋକଟି ନିକଟରେ ଉପସ୍ଥିତ ହେଲେ । ସେ ମୁଣ୍ଡରୁ ନିଜ ଟୋପି କାଢ଼ି ସ୍ତ୍ରୀଟିକୁ ପ୍ରଣାମ କଲେ । ସ୍ତ୍ରୀଲୋକଟି ମଧ୍ୟ ତାଙ୍କୁ ପ୍ରଣାମ କଲା ।

 

ଏହିପରି ସେ ସ୍ତ୍ରୀଲୋକ ଓ ତା’ର ପିଲା ଦୁଇଟି ବୋଟ୍‌ରେ ଯାଇ କୋଷ୍ଟ୍ରମାରେ ଓହ୍ଲାଇଲେ ।

ସେମାନେ ଯିବାପରେ ପୋଲିସ ଅଫିସର ପୋଡ଼ଶିବ୍ଳୋ ଗୋଟାଏ ଦୀର୍ଘ ନିଃଶ୍ୱାସ ପକାଇ ନିଜ କର୍ମକ୍ଷେତ୍ରକୁ ଚାଲିଗଲେ । ତାଙ୍କ ମନରେ ଘୋର ଦୁଃଖ ଓ ଅନୁତାପ ।

Image

 

କବି

 

ସୂରା ସ୍କୁଲରୁ ଆସି ସ୍କୁଲପୋଷାକ କାଢ଼ିପକାଇଲା, ତା’ପରେ ଖାଇବା ଘରକୁ ଗଲା । ସେଠାରେ ସେ ଗୋଟିଏ ନୂଆ କଥା ଦେଖିଲା । ଟେବୁଲ ଉପରେ ଖାଇବା ଜିନିଷ ସଜା ହୋଇ ରହିଛି । ମାଆ ସେଠାରେ ବସିଥିଲେ; ଝିଅକୁ ଦେଖି ଟିକିଏ ହସିଦେଲେ । ଆଜିକାର ହସଟା କିନ୍ତୁ ଭିନେ । ଏହି ସାମାନ୍ୟ ଘଟନାର କାରଣ ଜାଣିବାକୁ ତା’ର ମନ ଅଥୟ ହେଉଥାଏ । କିନ୍ତୁ ସେ ତ ଛୋଟ ପିଲାଟିଏ ନୁହେଁ, ମନର କଥା ମନରେ ରଖି ରହିଲା । ମାଆକୁ ପଚାରିବାକୁ ଲାଜ ମାଡ଼ିଲା-। ସେ ମାଆକୁ ଚୁମ୍ବନ ଦେଲା । ଆଇନାରେ ଟିକିଏ ନିଜ ମୁହଁକୁ ଚାହିଁଦେଇ ଆପଣାର ଖାଇବା ଜାଗାରେ ବସିଗଲା । ଏବେ ଆଉ ଗୋଟିଏ ନୂଆ କଥା ତା ନଜରରେ ପଡ଼ିଲା । ଟେବୁଲଟି ପୂରା ସଜା ହୋଇଛି, ତା’ଉପରେ ପାଞ୍ଚଜଣଙ୍କ ପାଇଁ ଖାଇବାର ବ୍ୟବସ୍ଥା ହୋଇଛି । ତେବେ ଏଥିରେ ସେପରି କିଛି ଆଶ୍ଚର୍ଯ୍ୟର କଥା ନାହିଁ । କେହି ଜଣେ ଅତିଥି ଆସିବାର ଥିବ । ସୂରାକୁ ଟିକିଏ ଅଶାନ୍ତି ବୋଧହେଲା । ସେ ବାପାଙ୍କର, ମାଆଙ୍କର ଆଉ ମାଉସୀ ଜୀନାଙ୍କର ସବୁ ବନ୍ଧୁଙ୍କୁ ଜାଣିଥିଲା । ସେମାନେ କେହି ସେପରି ଖୁସିବାସି ଲୋକ ନୁହନ୍ତି । ସେମାନଙ୍କ ଭିତରୁ କେହି ଆସିଲେ ସୂରାକୁ ଭାରି ଅସ୍ୱସ୍ତି ଲାଗେ । ସମସ୍ତେ ଗମ୍ଭୀର । କାହାରିଠାରୁ ଖୁସିଗପ ଶୁଣିବାକୁ ମିଳେନାହିଁ ।

 

ଅଧିକା ଖାଇବା ଜାଗା ଆଡ଼େ ହାତ ଦେଖାଇ ସେ ମାଆକୁ ପଚାରିଲା, ‘‘ଏଇଟି କାହାପାଇଁ ?’’ ମାଆ କିଛି ଉତ୍ତର ଦେବା ପୂର୍ବରୁ ଥରେ ଆପଣା ହାତଘଣ୍ଟାକୁ ଆଉଥରେ କାନ୍ଥଘଣ୍ଟାକୁ ଅନାଇଲେ । ପୁଣି ଝରକା ଆଡ଼କୁ ଚାହିଁ ବାହାରକୁ କାନେଇଲେ, ତା’ପରେ କହିଲେ, ‘‘ଆଚ୍ଛା ତୁ ଅନୁମାନ କରି କହିଲୁ ।’’

 

ସେତେବେଳକୁ ସୂରାର ମନ ଅଥୟ ହେଉଥାଏ । ତା’ର ମନେପଡ଼ିଗଲା ଯେ ସେ ଆସିଲାବେଳେ ଚାକରାଣୀ ଲିଉବା ଦ୍ୱାର ଫିଟାଉ ଫିଟାଉ କହିଥିଲା, ‘‘ଦିଦି, ତୁମେ ଆସିସାରିଛ, ଆନନ୍ଦର କଥା’’ । ଅନ୍ୟ କେଉଁ ଦିନ ସେ ଏପରି କହେ ନାହିଁ । ତେବେ ଆଜି କେହି ଗୋଟାଏ ନୂଆ ଲୋକ ଆସିବ କି ? ସୂରା ମାଆକୁ କହିଲା, ‘‘ଥଟ୍ଟା ନୁହେଁ ସତରେ କିଏ ଆସିବ ?’’ ମାଆ ଉତ୍ତର କଲେ, ‘‘ବୋଧହୁଏ ଆଜି ଖୁବ୍‍ ମଜା ହେବ । ତୁ ପୁଣି ଥରେ ଚେଷ୍ଟା କରି ଦେଖ । କିଏ ଆସିବ, ଅନୁମାନ କରି କହ ।’’

 

ଲିଉବାର କହିବା ଢଙ୍ଗ ମନେ ପକାଇ ସୂରା ଭାବିଲା ଯେ ନିଶ୍ଚୟ କିଛି ମଜା ହେବ । କିନ୍ତୁ କଥାଟା ସିଧା ସିଧା କହିବାକୁ ତା’ର ମନ ହେଲାନାହିଁ । ନିଜର ଆଗ୍ରହ ପ୍ରକାଶ ନ କରି ସେ କହିଲା, ‘‘କେଉଁଠୁ କିଏ ଜଣେ ଆସୁଥିବ ।’’

 

ମାଆ ମୁଣ୍ଡ ହଲାଇ କହିଲେ, ‘‘ହଁ, କେହି ଜଣେ ତ ନିଶ୍ଚୟ । କିନ୍ତୁ କିଏ, ତୁ ଅନୁମାନ କର ।’’

 

ସୂରାର ମୁହଁରେ ଗୋଲାପି ରଙ୍ଗ ଖେଳିଗଲା । ସେ ଭାବି ଭାବି ସାହସ କରି କହିଲା, ‘‘ମଉସା ଜେନିଆ ।’’

 

‘‘ନା, ନା, ଯିଏ ଆସିବେ, ସେ ଆମର କେହି ବନ୍ଧୁବାନ୍ଧବ ନୁହଁନ୍ତି । କିନ୍ତୁ ତୁ ତାଙ୍କ ବିଷୟରେ ପାଗଳ ।’’

 

ସୂରା କିଛି ଭାବି ପାରିଲା ନାହିଁ । ସେ ଦୌଡ଼ିଯାଇ ମାଆଙ୍କ ବେକରେ ଓହଳିପଡ଼ି କହିଲା, ‘‘ମାଆ, ସତରେ କହ, କିଏ ?’’

 

ମାଆ ହସି ହସି କହିଲେ, ‘‘ରହ, ରହ, ସେ ଆସନ୍ତୁ, ତୋ କଥା ତାଙ୍କୁ କହିଦେବି ।’’

 

‘‘ମାଆ, ତେବେ କଣ ମି. କ୍ରି ମସ୍କି ? ସେ ଆସୁଛନ୍ତି ? ବାପା କଣ ତାଙ୍କୁ ଆଣିବାକୁ ଯାଇଛନ୍ତି ? ଆଉ ମାଉସୀ ଜିନା ? ଏଇକ୍ଷଣି ଆସି ପହଞ୍ଚିଯିବେ ପରା ? ମାଆ, ମୁଁ ଯାଏଁ, ମୋ ଧୂସର ରଙ୍ଗ ପୋଷାକଟା ପିନ୍ଧିଆସେ । ବାଃ, ସମସ୍ତେ ଆସୁଛନ୍ତି !’’

 

ଅତି ଆନନ୍ଦରେ, ଆଗ୍ରହରେ ସୂରା ମାଆଙ୍କ ଚୌକି ଚାରିପାଖେ ନାଚିଗଲା । ସେ ଦର୍ପଣରେ ମୁହଁଟା ଚାହିଁଦେଇ ପୋଷାକ ବଦଳାଇବା ପାଇଁ ଚାଲିଯିବାକୁ ବସିଥିଲା । ମାତ୍ର ତଳମହଲାର ବାହାର ଦ୍ୱାର ବନ୍ଦ ହେବା ଶବ୍ଦ ଶୁଣିପାରି ପୁଣି ସେ ଦର୍ପଣ ପାଖକୁ ଚାଲିଆସିଲା, ମୁଣ୍ଡରେ ଟିକିଏ ହାତ ମାରିଦେଇ ଚୁପ୍‍ କରି ଚଉକି ଉପରେ ବସିପଡ଼ିଲା । ମନର ଆଗ୍ରହଟାକୁ ଲୁଚାଇବା ପାଇଁ ସେ ଆଖି ବୁଜିଦେଲା । ସେ ଭାବିବାକୁ ଲାଗିଲା ଆଖି ଖୋଲିଲାବେଳକୁ କ୍ରିମସ୍କି ଆସି ତା ପାଖ ଚୌକିରେ ବସିଥିବେ । ତାଙ୍କ କବିତାକୁ ସ୍କୁଲରେ ସମସ୍ତେ ପ୍ରଶଂସା କରନ୍ତି । କି ଚମତ୍କାର କବିତା ! ଭାଷା ଯେପରି ଭାବ ମଧ୍ୟ ସେହିପରି । କି ଭାଗ୍ୟ ! ତାଙ୍କୁ ଆଜି ସ୍ୱଚକ୍ଷୁରେ ଦେଖିବି । ତାଙ୍କ ପାଖରେ ବସି ତାଙ୍କ ତୁଣ୍ଡର କଥା ଶୁଣିବି । ସ୍କୁଲର ଝିଅମାନେ ହୁଏତ ଯେଉଁ କବିତା ଶୁଣି ନ ଥିବେ କି ଜାଣି ନ ଥିବେ ସେଭଳି କବିତା ତାଙ୍କ ମୁହଁରୁ ଶୁଣିବି । କାଲି ସ୍କୁଲରେ ସେମାନଙ୍କୁ କହିବି, ‘କ୍ରିମସ୍କି ଯେଉଁ ନୂଆ କବିତା ଲେଖିଛନ୍ତି, ତା ଶୁଣିବା ଉଚିତ ।’ ସେମାନେ ପଚାରିବେ, ‘କେଉଁ କବିତା ?’ ମୁଁ ତାଙ୍କ ନୂଆ କବିତା ଗାଇବି । କେଉଁଠୁ ମୁଁ ଏ କବିତା ପାଇଲି ବୋଲି ପଚାରିଲେ ମୁଁ ଗର୍ବ କରି କହିବି, ‘ସେ କବିତା ପ୍ରକାଶ ପାଇନାହିଁ । ଆମ ଘରେ ଖାଇଲାବେଳେ କାଲି ସେ ନିଜେ ଏ କବିତା ବୋଲୁଥିଲେ ।’ ସେମାନେ ଏ କଥାରେ ଆଶ୍ଚର୍ଯ୍ୟ ହୋଇଯିବେ; ମୋତେ ହିଂସା କରିବେ । ସେ ଯେଉଁ କିକିନା, ସେ ତ ମୋ କଥା ଶୁଣି ଏକବାରେ ହିଂସାରେ ଜଳିଯିବ । ତା’ର ଗୋଟାଏ ଭଉଣୀ ଭଲ ଗୀତ ଗାଏ ବୋଲି ତା ମନରେ ଗର୍ବ । ଏଡ଼େ ବଡ଼ କବିଙ୍କ ସଙ୍ଗେ ପରିଚିତ ହେବା ତାଠାରୁ କଣ କମ୍‍ ଗର୍ବର ବିଷୟ ! ଅନ୍ୟମାନେ ସବୁ ପଚାରିବେ, ‘ସୁରା, ଆମକୁ ଟିକିଏ ସେ କବିଙ୍କୁ କିପରି ଦେଖାଇ ଦେ ।’ ହୁଏତ କବି ମୋତେ ହଠାତ୍‍ ଭଲପାଇ ବସିବେ । ଏପରି ହେବା ଅସମ୍ଭବ ନୁହେଁ । କବିମାନେ ଏଇପରି ହଠାତ୍‍ ପ୍ରେମରେ ପଡ଼ିଥାନ୍ତି । ତାଙ୍କର ଆଖି ଦୁଇଟି କେଡ଼େ ସୁନ୍ଦର ହୋଇ ନ ଥିବ । ବଡ଼ ବଡ଼ ଆଖିର କଳା ଡୋଳା ! ତାଙ୍କର ନିଶଯୋଡ଼ିକ କଳା ଦିଶୁଥିବ । ସେ କହୁଥିବେ, ‘ସୂରା, ତୋତେ ଦେଖିଲାକ୍ଷଣି–

 

ଆଜି ମୋ ନବୀନ ଜୀବନ-ଗଗନେ

ଉଇଁଛି ନବୀନ ରବି

ନବୀନ ଆଶାରେ ପୂରିଛି ପରାଣ

ଦେଖୁଛି ଅନନ୍ତ ଛବି ।

ତୁହି ଏକା ମୋର ସଂସାର-ସାଗରେ

ଜୀବନର ଧ୍ରୁବତାରା,–

 

......ଓଃ, କଅଣ ଗୁଡ଼ାଏ ଭାବୁଛ ? ଏ ତ ତାଙ୍କର ବହୁଦିନର ଗୋଟାଏ ପୁରୁଣା କବିତା.....

 

ଗୋଟାଏ କର୍କଶ କଣ୍ଠର ସ୍ୱରରେ ସୂରାର ସୁଖସ୍ୱପ୍ନ ଭାଙ୍ଗିଗଲା । ସେ ଆଖି ଖୋଲି ଉଠିପଡ଼ିଲା । ଦେଖିଲା, ଜଣେ ପତଳା ଡେଙ୍ଗା ଭଦ୍ରଲୋକ; ଦେହରେ ଗୋଟାଏ କଳା ଭେଲ୍‌ଭେଟ୍‌ର ଜାକେଟ; ଅଣ୍ଟାତଳକୁ ମାଟିଆ ରଙ୍ଗର ପାଇଜାମା । ମୁଣ୍ଡଟି ଟାଙ୍ଗରା ।

 

ଭଦ୍ରଲୋକଟି ସୂରା ପାଖକୁ ଆସି ଅଭିବାଦନ ଜଣାଇ କହିଲେ, ‘‘ସୂରା, ତୁମେ ମତେ ଭୁଲିଗଲଣି, ନା ?’’

 

ସୂରାର ମୁଣ୍ଡ ଗୋଳମାଳ ହୋଇଗଲା । ସେ କହିଲା, ‘‘ମୁଁ ବରାବର ଆପଣଙ୍କର କବିତା ପଢ଼େଁ । ଆପଣ ଆମେ ଘରକୁ ଆଉଥରେ ଆସିଥିଲେ ବୋଲି ଶୁଣିଛି । ସେତେବେଳେ ମୁଁ ନିହାତି ଛୋଟ ପିଲା ହୋଇଥିଲି ।’’

 

କବିତା ମୁହଁକୁ ଚାହିଁ ହସି ହସି କହିଁଲେ, ‘‘ଏବେ ତୁମେ ବଡ଼ ହୋଇଗଲଣି ।’’ ସେ ଆଉ କଅଣ କହିଆସୁଥିଲେ, କିନ୍ତୁ ସେ ବୁଢ଼ାଙ୍କ ଭଳି ଓଠ ଚିପି ରହିଗଲେ । ତା ପରେ ଚୌକି ଉପରେ ବସିପଡ଼ି ସୂରାର ବାପାଙ୍କୁ କହିଲେ, ‘‘ମିଖେଇଲ, ତୁମର ଏ ଘରଟି ବେଶ ସୁନ୍ଦର; ଛୋଟ ହେଲେ ବି ଭାରି ଭଲ ଲାଗୁଛି ।’’ ସୂରା ତା ଚୌକିରେ ବସି ନିଜ ଥାଳିଆକୁ ଚାହିଁଲା । ଥାଳିଆଧାରରେ କବିଙ୍କର ପ୍ରତିବିମ୍ବ ପଡ଼ିଛି । ତାଙ୍କର ମାଟିଆ ପାଇଜାମା, ଟାଙ୍ଗରା ମୁଣ୍ଡ, ନାଲିଆ ନିଶ, ଏସବୁ ତାକୁ ବଡ଼ ଖରାପ ଲାଗିଲା । ଏସବୁ ଅତି ନୀରସ; ଏଥିରେ କବିତ୍ୱ କାହିଁ ?

 

ସେ ଗାଲ ଖିଅର ହୋଇଥିଲେ, ଚମଡ଼ାଟା ଟିକିଏ ନେଳିଆ ଦିଶୁଛି । ଓଠ ଦୁଇଟାକୁ ବାରମ୍ବାର ଚିପି ରଖୁଥିଲେ; ଆଖି ଯୋଡ଼ାକ ଗାତ ଭିତରେ ଥିଲାପରି ଦିଶୁଥିଲା । କପାଳ କୁଞ୍ଚିତ; ସେଥିରେ କେତେଟା ରେଖା ସ୍ପଷ୍ଟ ଜଣାପଡ଼ୁଥିଲା । ଥରେ ସୂରା ଡାକଘରେ ଜଣେ ବୁଢ଼ା କିରାନିଙ୍କୁ ଦେଖିଥିଲା । ତା’ର ମନେହେଲା, କବିଙ୍କ ଚେହେରା ଠିକ୍‍ ତାରି ଚେହେରା ପରି । ତାଙ୍କ ମୁଖର ଭାବଭଙ୍ଗୀ, କଥାବାର୍ତ୍ତା କୌଣସିଥିରେ ସେ ଟିକିଏ ହେଲେ କବିତ୍ୱର ପରିଚୟ ପାଇପାରିଲା ନାହିଁ-। ସୂରା ତାଙ୍କ ହାତକୁ ଚାହିଁଲା । ଦେହକୁ ଚାହିଁ ହାତଟା ଟିକିଏ ମୋଟା; ସେଥିରେ ଛୋଟ ଛୋଟ ମୋଟା ଆଙ୍ଗୁଠିଗୁଡ଼ିକ । ଗୋଟିଏ ଆଙ୍ଗୁଠିରେ ସେ ମୁଦିଟିଏ ପିନ୍ଧିଥିଲେ । ମୁଦିରେ ଗୋଟିଏ ପଥର ଲାଗିଥିଲା । ଏସବୁ ଦେଖି ସୂରାର ମନ ଏକବାରେ ମରିଗଲା । ତାକୁ କିଛି ଭଲ ଲାଗିଲା ନାହିଁ-

 

କବି ପଚାରିଲେ, ‘‘ସୂରା, ତୁମେ ମୋ କବିତା ପଢ଼ ?’’

 

ସୂରା କେବଳ ମୁଣ୍ଡ ନୁଆଇଁ ସ୍ୱୀକୃତି ପ୍ରକାଶ କଲା ।

 

‘‘ଆଚ୍ଛା, କହିଲ ଦେଖି, ତୁମକୁ ମୋ କବିତା ଭଲ ଲାଗେ ?’’

 

ସୂରା କିଛି କହିବା ପୂର୍ବରୁ ତା’ର ମାଆ କହିଲେ, ‘‘ସେମାନେ ଆପଣଙ୍କ କବିତା ପଢ଼ିବାକୁ ପାଗଳ ।’’

 

‘‘ହଁ, ଆପଣ ବୃଥା ମୋର ପ୍ରଶଂସା କରୁଛନ୍ତି ।’’

 

ସୂରା ମାଆଙ୍କ କଥା ଖଣ୍ଡନ କରିବା ଉଦ୍ଦେଶ୍ୟରେ କହିଲା, ‘‘ମୋଟେ ନୁହେଁ । ସେ କଥା ମିଛ ।’’

 

ସୂରା ଏହା କହିଦେଇ ବଡ଼ ଅସ୍ୱସ୍ତି ବୋଧକଲା ।

 

ତା’ର ବାପା, ମାଆ, ମାଉସୀ ଓ ନିଜେ କବି ସମସ୍ତେ ହସିଉଠିଲେ । କବିଙ୍କର ଭ୍ରୂଲତା ଆହୁରି କୁଞ୍ଚିତ ଦେଖାଗଲା । ତାଙ୍କ ମୁହଁଟା ଆହୁରି ବିକୃତ ବୋଧହେଲା । ସୂରା ଚିନ୍ତାକଲା–କବି ଏପରି ମୁଖ ବିକୃତି କଲେ କାହିଁକି ? ଅନ୍ୟମାନଙ୍କ ସଙ୍ଗେ ସେ ମଧ୍ୟ ହସିଲେ କିପରି ? କବିମାନେ ପରା ଅଧିକ ଭାବପ୍ରବଣ ! ଅନ୍ୟମାନଙ୍କ ପ୍ରତି ତାଙ୍କର ପରା ବେଶି ସହାନୁଭୂତି ! ତେବେ କବି ଓ ସାଧାରଣ ମନୁଷ୍ୟ ଭିତରେ ପ୍ରଭେଦ କାହିଁ ? କ୍ରିମସ୍କି ତାହାହେଲେ ଜଣେ ସାଧାରଣ ଲୋକ ମାତ୍ର-। ପୁଣି ସେ ଭାବିଲା, ବୋଧହୁଏ ସେ ଭଦ୍ରତା ଖାତିରିରେ ଅନ୍ୟମାନଙ୍କ ସଙ୍ଗେ ହସିଦେଇଥିବେ-

 

କବି ପ୍ରଶ୍ନ କଲେ, ‘‘ସୂରା, ତୁମେ କେଉଁ ଶ୍ରେଣୀରେ ପଢ଼ୁଛ ?’’

 

‘‘ଷଷ୍ଠ ଶ୍ରେଣୀରେ ।’’

 

ସୂରା ଭାବିଲା–କବି ଏ କଥା ପଚାରିବାର କାରଣ କଣ ? ସେ ମୋ ନାଁ ଧରି ଡାକିଲେ କାହିଁକି ?

 

‘‘କେଉଁ ଶିକ୍ଷକଙ୍କୁ ତୁମେ ସବୁଠାରୁ ବେଶି ଭଲପାଅ ? ବୋଧହୁଏ ଡ୍ରଇଂ ଶିକ୍ଷକଙ୍କୁ ବେଶି ଭଲ ପାଉଥିବ ।’’

 

‘‘ନା, ସାହିତ୍ୟର ଶିକ୍ଷକଙ୍କୁ ।’’

 

‘‘ହଁ, ହଁ, ସାହିତ୍ୟର ଶିକ୍ଷକଙ୍କୁ ଭଲ ପାଉଥିବ ।’’ ଏ କଥାଟା ସଙ୍ଗେ ଗୋଟାଏ ହସର ଲହରୀ ଛୁଟିଗଲା । ସୂରା ଦେହରେ ଏକାବେଳେ ଶହ ଶହ ଛୁଞ୍ଚି ଫୋଡ଼ିଗଲା ପରି ଲାଗିଲା । ତା’ର ଇଚ୍ଛା ହେଲା, ସେ ସେଠାରୁ ପଳାଇଗଲେ ରକ୍ଷା ପାଆନ୍ତା । ତା’ ଆଖିରୁ ଲୁହ ବହିଆସିବ ପରା । କ୍ରୋଧରେ ଥରି ଥରି ସେ କବିଙ୍କ ମୁହଁ ଆଡ଼କୁ ଚାହିଁଲା । କେତେ କଥା କହିବ ବୋଲି ତା’ର ମନରେ ଥିଲା; କିନ୍ତୁ ସେ କିଛି କହିବାକୁ ସାହସ କରିପାରିଲା ନାହିଁ । ସେ ଅଣନିଃଶ୍ୱାସୀ ହେଲାପରି ବୋଧହେଲା । ବହୁ କଷ୍ଟରେ ସେ କହିଲା–

 

‘‘ମୋ କଥାଟା ଶୁଣି ଆପଣଙ୍କୁ ହସ ମାଡ଼ିଲା; କିନ୍ତୁ ଏଥିରେ ହସର କାରଣ ନାହିଁ । ଆମର ସାହିତ୍ୟ ଶିକ୍ଷକ ଖୁବ୍‍ ଭଲ । ଆମେ ସମସ୍ତେ ତାଙ୍କୁ ଭଲପାଉଁ । ସେ ନାନାରକମ ବହି ପଢ଼ାଇ ଶୁଣାନ୍ତି, ତାଙ୍କ ପଢ଼େଇବା ଭାରି ଚିତ୍ତାକର୍ଷକ । ସାହିତ୍ୟରେ ଯେତେ ନୂଆ ନୂଆ ବହି ବାହାରେ ସେ କଥା ସେ ଆମମାନଙ୍କୁ କହନ୍ତି । ମୋଟଉପରେ ସେ ଭାରି ଭଲଲୋକ । ଆମ ଶ୍ରେଣୀର କି ସପ୍ତମ ଶ୍ରେଣୀର ଯେ କୌଣସି ପିଲାକୁ ପଚାରିଲେ ସେ ଏଇଆ କହିବ । ଆପଣ ହସିଲେ କାହିଁକି ? ଅବଶ୍ୟ ମୁଁ.....’’

 

ସେ ଆଉ କଅଣ କହିଯାଇଥାନ୍ତା । ମାତ୍ର ତା’ର ବାପା କହିଉଠିଲେ, ‘‘ସୂରା, ତୋର ଏ କଅଣ ହୋଇଛି ଯେ ?’’

 

କ୍ରିମସ୍କି ଧୀର ସ୍ୱରରେ କହିଲେ, ‘‘ଭଦ୍ରମହିଳାଙ୍କୁ ଆମେମାନେ ଅପମାନ ଦେଇଛୁ । ସେଥିପାଇଁ ମୁଁ କ୍ଷମା ମାଗୁଛି ।’’

 

କବିଙ୍କର ଏପରି କ୍ଷମା ମାଗିବା ସୂରା କାନକୁ ଖରାପ ଲାଗିଲା । କବିଙ୍କର ମନର ଭାବ ଭିନ୍ନ । କବିଙ୍କ କଥାକୁ ସେ କିପରି ଗ୍ରହଣ କରିବ, ଏ ବିଷୟରେ ତାଙ୍କର ଆଦୌ ଚିନ୍ତା ନ ଥିଲା ପରି ବୋଧହେଲା । ସୂରା ଭାବିଲା, ଯେପରି କି ସେଠାରେ ସେ ଜଣେ ବାହାରର ଲୋକ; ଯେପରି କି କେହି ତା’ର ସେଠାରେ ରହିବାଟା ଇଚ୍ଛା କରନ୍ତୁ ନାହିଁ । ସେ ମନର ଦୁଃଖକୁ ମନରେ ରଖି ଚୁପ୍‍ କରି ଟେବୁଲ ପାଖରେ ବସିରହିଲା ।

 

ଖିଆପିଆ ସରିଲା । ସୂରା ତା’ କୋଠରିକୁ ଯାଇ ଝରକାପାଖେ ବସି ବଗିଚାର ଫୁଲଗଛଗୁଡ଼ିକୁ ଚାହିଁ ରହିଲା । ସେ ମନେ ମନେ ଭାବିଲା, ‘ଏଇ ତ ହେଉଛନ୍ତି ଆମର କବି ! ଅନ୍ୟ ଲୋକେ ଯାହା, ସେ ମଧ୍ୟ ତାହା । ତାଙ୍କର ବିଶେଷତ୍ୱ କାହିଁ ?’

 

‘କବି ମଧ୍ୟ ଅନ୍ୟ ମନୁଷ୍ୟଙ୍କ ପରି । ତେବେ ମୋର ବାପା କବିତା ଲେଖୁନାହାନ୍ତି କାହିଁକି ? ସେ ଏକ କବିଙ୍କଠାରୁ କଣ ଊଣା ।’ ଏହିପରି ଭାବୁ ଭାବୁ କବିଙ୍କର କେତେ ଧାଡ଼ି କବିତା ସୂରାର ମନେ ପଡ଼ିଗଲା । କବିତାଟି କେଡ଼େ କରୁଣ, କେଡ଼େ ହୃଦୟସ୍ପର୍ଶୀ ! କବି କାହିଁକି ଖାଇବାବେଳେ ତାଙ୍କ କବିତା କଥା କିଛି କହିଲେ ନାହିଁ । ହୁଏତ କବିତାଲେଖାରେ ସେ ଏତେ ଅଭ୍ୟସ୍ତ ଯେ ସେ କଥାକୁ ସେ ମନ ଦିଅନ୍ତି ନାହିଁ । ସନିୟା କେଡ଼େ ସୁନ୍ଦର କାଗଜଫୁଲ ତିଆରି କରେ । ସେ କଣ ସେକଥା କହିବୁଲେ ? ତା’ ଫୁଲ ଦେଖି ଅନ୍ୟମାନେ ଆଶ୍ଚର୍ଯ୍ୟ ହୁଅନ୍ତି । ପଚାରିଲେ ସେ କହେ, ‘ଫୁଲ ତିଆରି କରିବା ଖୁବ୍‍ ସହଜ ।’ କବିଙ୍କର ସେହିପରି କବିତା ଲେଖିବା ଖୁବ୍‍ ସହଜ ହୋଇଥିବ ।

 

ବଗିଚାରୁ ସ୍ୱର ଶୁଣାଗଲା । ସୂରାର ବାପା ଓ କବି କଥାବାର୍ତ୍ତା ହେଉଥିଲେ । ବଉଳଗଛ ପଛପଟ ବେଞ୍ଚରେ ଦୁହେଁ ବସିଥିଲେ । ଝରକାବାଟେ ସୂରା ସେ ଦୁହିଁଙ୍କୁ ଚାହିଁରହି ସେମାନଙ୍କ କଥାବାର୍ତ୍ତା ଶୁଣିଲା ।

 

ସୂରାର ବାପା ପଚାରିଲେ, ‘‘ଏବେ ଆପଣଙ୍କର ଯେଉଁ ବହିଟା ପ୍ରକାଶିତ ହୋଇଛି, ତା’ର ବିକ୍ରି କେମିତି ଚାଲିଛି ?’’

 

‘‘ମନ୍ଦ ନୁହେଁ । ବହିଟାର ଦ୍ୱିତୀୟ ସଂସ୍କରଣ ପାଇଁ ଚେଷ୍ଟା କରୁଛି । ତେବେ ମୁଁ ଦେଖୁଛି, ଲୋକେ ସେ କବିତା’ର ଆଦର କରି ବହି କିଣୁ ନାହାନ୍ତି; କିଣୁଛନ୍ତି କୌତୂହଳରେ । ବହିଟା ବାହାରିଲାମାତ୍ରେ ସମାଲୋଚକମାନେ ତୀବ୍ର ସମାଲୋଚନା କଲେ; କହିଲେ ଏହାଦ୍ୱାରା କବିତା’ର ଅଧୋଗତି ପ୍ରମାଣିତ ହେଉଛି । କବିତା’ର ଅଧୋଗତି କହିଲେ କଅଣ ବୁଝାଯାଏ, ତା’ ସାଧାରଣ ଲୋକେ ବୁଝନ୍ତି ନାହିଁ । ଏହା ଫଳରେ ମୋର ଲାଭ । କବିତା’ର ଅଧୋଗତି ଖୋଜିବା ପାଇଁ ଲୋକେ ମୋ ବହି କିଣୁଛନ୍ତି ।’’

 

କ୍ରିମସ୍କିଙ୍କ ସ୍ୱରରୁ ଜଣାଯାଉଥିଲା, ସେ ବିଦ୍ରୂପ କରି ଏହା କହୁଥିଲେ । ସୂରା ଝରକା ପାଖରେ ରହି ସବୁ ଶୁଣୁଥାଏ । ସେ ମନେକଲା, କବିଙ୍କ କଥା ସତ ।

 

ସୂରାର ବାପା କହିଲେ, ‘‘ହଁ, ଆପଣ ଯାହା କହିଲେ ଠିକ୍ । ସମାଲୋଚକମାନେ କବିଙ୍କର ଶ୍ରମ ଦେଖିପାରନ୍ତି ନାହିଁ ।’’

 

କବି କହିଲେ, ‘‘ସମାଲୋଚକମାନେ ଚାହାନ୍ତି, କବି କେବଳ ଜନସାଧରଣଙ୍କର ରୋଷ, ବିରକ୍ତି ଓ ଅଭିଯୋଗ ନେଇ କବିତା ଲେଖୁ । ନିଜ ଘରଭିତରେ ନିଶ୍ଚିନ୍ତରେ ଶୋଇ ସେମାନେ ମନେ କରନ୍ତି ଯେ ଲୋକେ ଏଇଆ ଚାହାନ୍ତି; କିନ୍ତୁ ଲୋକ କାହାନ୍ତି ? ଲୋକେ ହେଉଛନ୍ତି ବୋକା, ଆପଣା ଭାଗ୍ୟରେ ସନ୍ତୁଷ୍ଟ; ଆଉ କିଛି ନୁହନ୍ତି । ଏହି ଦୂରବସ୍ଥାଟା ଆମ ସମାଲୋଚକମାନେ ଦେଖିପାରୁ ନାହାନ୍ତି । ସେମାନେ ଖାଲି ବହି ପଢ଼ୁଛନ୍ତି; ପ୍ରକୃତ ଜୀବନ ସହିତ ସେମାନଙ୍କର ସମ୍ପର୍କ ନାହିଁ । ସେମାନେ ପୁରୁଣା ପରମ୍ପରାକୁ ଧରି ବସିଚନ୍ତି; ନୂଆ ଚିନ୍ତାଧାରା ସଙ୍ଗେ ସେମାନଙ୍କର ପରିଚୟ ନାହିଁ । ଆଉ ଯୁବକସମାଜ ! ଜଣେ ଯଥାର୍ଥରେ କହିଛନ୍ତି, ‘ଆଜିକାଲିର ଯୁବକସମାଜ ଜନ୍ମରୁ ବୃଦ୍ଧ ।’ ସେମାନେ କବିତ ଦରକାର କରନ୍ତି ନାହିଁ । ଖାଲି କବିତା କଅଣ, ଯାହା କିଛି ଆତ୍ମକୁ ଉନ୍ନତ କରେ, ପବିତ୍ର କରେ, ସେସବୁ ସେମାନେ ଚାହାନ୍ତି ନାହିଁ । ଥାଉ, ସେ ବିଷୟରେ ଚର୍ଚ୍ଚା ବନ୍ଦ ହେଉ । ଆପଣଙ୍କର ଝିଅଟି ବଡ଼ ଚମତ୍କାର ।’’

 

‘‘ବାଃ କବି ! ଆପଣ ଏଥିଭିତରେ ଏ କଥା ଲକ୍ଷ୍ୟ କରିସାରିଲେଣି ?’’

 

ସୂରା ଝରକା ପାଖରେ ବସି ଆନନ୍ଦରେ ଅଧୀର ହୋଇଗଲା । କବିଙ୍କ କଥାରୁ ସେ ଜାଣିଲା ଯେ ତାଙ୍କର କବିତା’ର ମର୍ମ କେହି ବୁଝୁନାହାନ୍ତି ବୋଲି ତାଙ୍କର ଦୁଃଖ । କବିଙ୍କ ପ୍ରତି ସୂରାର ମନର ଭାବ ବଦଳିଗଲା । ସେ ତାଙ୍କୁ ପୁଣି କବିଭାବରେ ଦେଖିଲା । ତାଙ୍କ ମୁହଁରେ ତା’ର ପ୍ରଶଂସା !

 

ସୂରାର ବାପା କହିଲେ, ‘‘ଗୋଟାଏ କଥା ପଚାରିବ, ମୋର ଧୃଷ୍ଟତା କ୍ଷମା କରିବେ । ଆପଣଙ୍କର.... ।’’

 

‘‘ଓଃ, ମୋର ସେଇ ସ୍ତ୍ରୀ କଥା ନା । ସେ କେଉଁଠି ଅଛି ମୁଁ ଜାଣେ ନାହିଁ । ଦୁଇବର୍ଷ ତଳେ ମୁଁ ଶୁଣିଥିଲି ଯେ ସେ କକେସସ୍‌ରେ କେଉଁଠି ଗୋଟାଏ ସ୍କୁଲରେ ଶିକ୍ଷୟତ୍ରୀ ଥିଲା । ଛି ! ତା’ କଥା ଭାବିଲାକ୍ଷଣି ମୋ ଦେହ କମ୍ପି ଆସୁଛି । କେତେ ସ୍ତ୍ରୀ ଲୋକ ଅଛନ୍ତି, ସେମାନଙ୍କର ସ୍ୱଭାବ ଆଉ ସରଳତା ଦେଖିଲେ ମୋ ମନରେ କେବଳ ଭୟ ହୁଏ । ମୋର ଭାର୍ଯ୍ୟାଟି ସେଥିରୁ ଜଣେ । ତା’ର ପ୍ରକୃତି ସ୍ୱରୂପ ମୁଁ ଯେତେବେଳେ ଜାଣିପାରିଲି, ସେତେବେଳେ ମୋ ଜୀବନରେ ସବୁଠାରୁ ବଡ଼ ଦୁଃଖ ହୋଇଥିଲା । ଯାହା ହେଉ, ଜଣେ ଖ୍ରୀଷ୍ଟିୟାନ୍‌ଭାବରେ ଏସବୁ ସହିବାକୁ ହେବ । ଅସହ୍ୟ କଷ୍ଟ । ଆଚ୍ଛା, ଚାହା ଆସୁଛି ?’’

 

ସୂରାର ବାପା କହିଲେ, ‘‘ହଁ, ଏହିକ୍ଷଣି ଚାହା ଆସିବ । ମୁଁ ପଚାରିବାକୁ ଯାଉଥିଲି–ଆପଣ ଏବେ ବିବାହିତ ନା ଅବିବାହିତ ?’’

 

‘‘ଗଲା ମେ ଠାରୁ ଏକାକୀ ରହିଛି । ଶୀତଦିନଯାକ ଯାହା ସାଥିରେ ଥିଲି, ସେ ସୁନ୍ଦରପଣରେ ଗୋଟିଏ ଦେବକନ୍ୟା କହିଲେ ଚଳେ । ଆପଣ ତ ମୋର ପୁରୁଣା ବନ୍ଧୁ । କହିବି ନାହିଁ କାହିଁକି ? ସେଇଟା ଗୋଟାଏ ବିଚିତ୍ର ବ୍ୟାପାର । ସେ ସୁନ୍ଦରୀ ମୋର ପ୍ରତିଭାର ପ୍ରଶଂସା କରୁଥିଲା । ତା’ର ଶିକ୍ଷାଦୀକ୍ଷା ଥିଲା ସତ; କିନ୍ତୁ ତା ସତ୍ତ୍ୱେ ତା’ର ମନ ଥିଲା ନିତାନ୍ତ ଦୁର୍ବଳ । ଦୈବାତ୍‌ଆମ ଦୁହିଁଙ୍କର ଭେଟ ହୋଇଯାଇଥିଲା । ଅନ୍ତତଃ ତା’ର ଭେଟ ପାଇଁ ମୋ ପକ୍ଷରୁ କୌଣସି ଚେଷ୍ଟା ହୋଇ ନ ଥିଲା । ମୁଁ ଗୋଟାଏ ବଣଭୋଜିକୁ ଯାଇଥିଲି । ସେଠାରେ ଟିକିଏ ମଦ ପିଇଲି । ଘରକୁ ଆସିଲି । ସେ ଯେ କିପରି ମୋ ଘରକୁ ଆସିଲା ତା ଭଗବାନ୍‌ଙ୍କୁ ଜଣା । ମୁଁ ସକାଳୁ ଉଠି ଆଖି ମଳି ଚାହିଁଲି । ବେଶ୍‍ ; ଆମର ବିବାହ ହୋଇଯାଇଛି । ମୁଁ ନିଜକୁ ଭାଗ୍ୟବାନ ମନେକଲି । ପୋଷାକ ପିନ୍ଧି ଅପେକ୍ଷା କଲି–ଏହାପରେ କଅଣ ହେବ ?’’

 

ସୂରାର ବାପା ଏହା ଶୁଣି ଜୋରରେ ହସୁଥାନ୍ତି । ସେ ହସରେ ସୂରାର ଛାତି ଫାଟିଗଲା ପରି ମନେହେଲା । ସୂରାର ବାପା କହିଲେ, ‘‘ଆଚ୍ଛା, ତା’ପରେ କଅଣ ହେଲା ?’’

 

‘‘ହଁ; ସେ ଉଠିପଡ଼ି ଆଖିରୁ ଖାଲି ଲୁହ ଗଡ଼ାଇଲା । ମୋତେ କେତେ ଚୁମ୍ବନ ଦେଲା; କେତେ ପ୍ରତିଜ୍ଞା କଲା । ପ୍ରାୟ ଏକ ସପ୍ତାହଯାଏ ଦୁହେଁ ଏଇପରି ବେପରବାୟ ଜୀବନ କଟାଇଲୁ । ଶେଷରେ ମୋର କ୍ଳାନ୍ତି ଆସିଲା ।’’

 

‘‘ତା ବାପମାଆ କଅଣ କହିଲେ ?’’

 

‘‘ସେ ତା’ର ବାପମାଆଙ୍କଠାରୁ ଏ ଘଟଣା ଲୁଚାଇଥିଲା । ତା ପରେ ଆସ୍ତେ ଆସ୍ତେ ଜୀବନ ତା’ର ଅଧିକାର ଦାବି କରି ବସିଲା । ପ୍ରଥମେ ତା’ର ଆପତ୍ତି ହେଲା–ମୋର ବିଚିତ୍ର, କରୁଣ, ହୃଦୟଗ୍ରାହୀ କବିତା ସଙ୍ଗେ ମୋର ପୋଷାକଟା ଖାପ ଖାଉନି; ଅଥଚ ମୁଁ ପଞ୍ଚଷଠି ରୁବେଲ ଦେଇ ସେ ପୋଷାକ କିଣିଥିଲି । ମୁଁ ସେ ପୋଷାକ ବଦଳାଇବାକୁ ନାହିଁ କଲି । ସେ କାନ୍ଦି ଅଥୟ । ଗୋଟାଏ ହାଟ ବସିଲା । ତା ପରେ ଆଉ ଗୋଟାଏ ଘଟଣା ଘଟିଲା । ତା ମତରେ ଜଣେ କବିପକ୍ଷରେ ଘରକୁ ଲାଗି ଖୋଲା ଜାଗା କିଛି ଦରକାର ନାହିଁ । ଶାରୀରିକ ନିୟମଦୃଷ୍ଟିରୁ କବିର ମଧ୍ୟ ଚଳପ୍ରଚଳ ହେବା ପାଇଁ ଯେ ଖାଲି ଜାଗା ଦରକାର, ଏ କଥା ସେ ସ୍ୱୀକାର କରିବାକୁ ନାରାଜ-। ଓଃ, ଆମର ଏ କୁଶିକ୍ଷା ସ୍ତ୍ରୀମାନଙ୍କର ମୁଣ୍ଡ ଏପରି ବିଗାଡ଼ି ଦେଉଛି ! ଲାଗିଲା କଳି, କାନ୍ଦ । ମାତୃତ୍ୱ ବିଷୟରେ କଥା ପଡ଼ିଲା । ସେ ଚାହିଁଲା, ମୁଁ ତା’ର ସବୁ ଦାବି ଚୁପ୍‍ କରି ମାନିନେବି-। ମୁଁ ତା’ଠାରୁ ଖସିଗଲି । କବିତାରେ ନୁହେଁ, ସାଦା ଗଦ୍ୟରେ ତା ପାଖକୁ ଖଣ୍ଡିଏ ଚିଠି ଲେଖିଦେଲି–କବି ଅନ୍ୟ ସବୁ ଜିନିଷଠାରୁ ତା’ର ସ୍ୱାଧୀନତାକୁ ବଡ଼ ମନେକରେ-।’’

 

ସୂରାର ବାପା ପଚାରିଲେ, ‘‘ଆଚ୍ଛା, ତା’ପରେ କଅଣ ହେଲା ?’’

 

‘‘ଆଉ ହେବ କଅଣ ? ତା’ପରେ ପ୍ରତି ମାସରେ ମୋତେ ତାକୁ ପଚିଶ ରୁବେଲ ଲେଖାଏଁ ଦେବାକୁ ପଡ଼ୁଛି ।’’

 

ଏ କଥା ଶୁଣିଲାବେଳକୁ ସୂରାର ଦେହମୁଣ୍ଡ କଅଣ ହୋଇଯାଉଥାଏ । ତଥାପି ସେ ଝରକା ପାଖେ ବସି ଶୁଣିବାକୁ ଲାଗିଲା ।

 

‘‘ତେବେ ଏହି ହେତୁରୁ ଆପଣଙ୍କ କବିତା ସବୁ ଏବେ ଏପରି ବିଷାଦମୟ ହେଉଛି ପରା-?’’

 

‘‘ଆପଣ ମୋର ଏଇ କବିତାଟା ପଢ଼ିଛନ୍ତି ?

 

ନୀରବ ନିଶୀଥରେ ଗଭୀର ଅନ୍ଧକାରେ

କେତେ ଯେ ସ୍ମୃତି ଜାଗେ ମନରାଇଜେ ।’’

 

‘‘ହଁ ।’’

 

‘‘ଏଇ କବିତାରେ ମୋର ସେଇ ଦୁଃଖପୂର୍ଣ୍ଣ ଅନୁଭୂତି ପ୍ରକାଶ କରିଛି ।’’

 

ସୂରାର ବାପା କହିଲେ, ‘‘ପ୍ରକାଶଭଙ୍ଗୀଟି ବେଶ୍‍ ଚମତ୍କାର ! ଅନ୍ତରର ସୂକ୍ଷ୍ମ ଅନୁଭବକୁ କବିତାରେ ପ୍ରକାଶ କରିବାରେ ଆପଣଙ୍କର ଅଦ୍ଭୁତ ଶକ୍ତି ।’’

 

‘‘ତାହାହେଲେ ମୁଁ ଦେଖୁଛି, ଆପଣ ପ୍ରକୃତରେ ମୋର କବିତା ପଢ଼ନ୍ତି ।’’

 

‘‘ହଁ, ଏକରକମ । ମୁଁ ଅଯଥା ଆପଣଙ୍କର ପ୍ରଶଂସା କରି କହୁନି । ବାସ୍ତବରେ ଆପଣଙ୍କ କବିତା ପଢ଼ିବାକୁ ଆନନ୍ଦ ଲାଗେ ।’’

 

‘‘ଧନ୍ୟବାଦ । ସ୍ପଷ୍ଟ କହିବାକୁ ଗଲେ ମୁଁ ଏତିକି ମଧ୍ୟ ଅନ୍ୟଠାରୁ ପ୍ରାୟ ଶୁଣିବାକୁ ପାଏ ନାହିଁ । ଏ ପ୍ରଶଂସା ମୋର ପ୍ରାପ୍ୟ ବୋଲି ମୋର ବିଶ୍ୱାସ ।’’

 

‘‘ଏଥିରେ କଅଣ ସନ୍ଦେହ ଅଛି ! ଆସନ୍ତୁ ଯିବା, ଚାହା ଖାଇବା ।’’

 

‘‘ଆଜିକାଲି ସବୁ କେମିତି କବିତା ଲେଖୁଛନ୍ତି, ଦେଖୁଥିବେ । ସେଗୁଡ଼ାକ କଅଣ କବି ? ନା କୋବି ? ସେମାନେ ଭାଷାକୁ କ୍ଷତବିକ୍ଷତ କରିଦେଉଛନ୍ତି । କିନ୍ତୁ ମୁଁ ଭାଷାର ସୌନ୍ଦର୍ଯ୍ୟରକ୍ଷା କରିବାକୁ ଚେଷ୍ଟିତ ।’’

 

ଦୁହେଁଯାକ ଉଠି ହାତ ଧରାଧରି ହୋଇ ବଗିଚାରେ ବୁଲିଲେ । ସୂରା ସେମାନଙ୍କର କଥାବାର୍ତ୍ତା ଆଉ ଶୁଣିପାରିଲା ନାହିଁ ।

 

ସୂରା ଯାହା ଶୁଣିଥିଲା, ସେତିକିରେ ତା’ର ମନ କିପରି ବିଷାକ୍ତ ହୋଇଯାଇଥିଲା । ଉଠିବା ପାଇଁ ତା’ର ମନ ହେଉ ନ ଥାଏ । ବହୁ କଷ୍ଟରେ ସେ ଉଠିଲା ।

 

ସୂରାର ମାଆ ଡାକିଲେ, ‘‘ସୂରା, ଆ, ଚାହା ଖାଇବୁ ।’’

 

ସେ ଦ୍ୱାର ଆଡ଼କୁ ଯାଉ ଯାଉ ଦର୍ପଣରେ ନିଜ ମୁହଁକୁ ଚାହିଁଲା । ତା’ର ମୁହଁ ଶୁଖିଯାଇଛି; ଗୋଟାଏ ବିଷାଦର ଛାୟା ତା ମୁହଁକୁ ଢାଙ୍କିଦେଇଛି । ତା ଆଖି ଛଳଛଳ । ଖାଇବା ଘରେ ପଶି ତା’ର ପରିଚିତ ମୁହଁ ସବୁ ଦେଖିଲା; ମାତ୍ର ସେସବୁ ଧଳା ମୂର୍ତ୍ତି ପରି ତାକୁ ବୋଧହେଲା-

 

କବି କହିଲେ, ‘‘ମୋର ଆଶା, ଭଦ୍ରମହିଳା ସୂରା ମୋ ଉପରେ ଆଉ ବିରକ୍ତ ହେଉନାହାନ୍ତି ।’’

 

ସୂରା କବିଙ୍କର ଟାଙ୍ଗରା ମୁଣ୍ଡକୁ ଚାହିଁରହିଲା । ତା ତୁଣ୍ଡରୁ କିଛି କଥା ବାହାରିଲା ନାହିଁ । ଏଇ ଭଦ୍ରଲୋକଙ୍କର କବିତା ପଢ଼ି ତାଙ୍କ ବିଷୟରେ ସେ ଯାହାସବୁ କଳ୍ପନା କରିଥିଲା, ସେ ସବୁ ମନେ ପକାଇବାକୁ ଚେଷ୍ଟା କଲା ।

 

ତା’ର ବାପା କହିଲେ, ‘‘ସୂରା, କବିଙ୍କ କଥାର ଉତ୍ତର ଦେଉନୁ କାହିଁକି ? କେଡ଼େ ଅଭଦ୍ରତା !’’

 

ସୂରା ଉଠିପଡ଼ି କହିଲା, ‘‘ମୁଁ କଅଣ କହିବି ବୋଲି ଆପଣ ଆଶା କରୁଛନ୍ତି । ମୋତେ କିଛି କହନ୍ତୁ ନାହିଁ, ଖାଲି ପ୍ରତା’ରଣା, ଜାଲ୍‌, ଜୁଆଚୋରି ।’’

 

କାନ୍ଦି କାନ୍ଦି ସେ ଘରୁ ବାହାରିଗଲା । ଗଲାବେଳକୁ ମଧ୍ୟ ସେ କହୁଥାଏ–‘‘ଜାଲ୍‌, ଜୁଆଚୋରି ।’’

 

ଟେବୁଲ ପାଖରେ ଚାରିଜଣଯାକ କିଛି ସମୟ ପର୍ଯ୍ୟନ୍ତ ନୀରବ ହୋଇ ବସିରହିଲେ । ବିସ୍ମୟରେ କେବଳ ପରସ୍ପରକୁ ଚାହୁଁଥାନ୍ତି । ତା’ପରେ ସୂରାର ମାଆ ଓ ମାଉସୀ ବାହାରକୁ ଚାଲିଗଲେ ।

 

ସୂରାର ବାପା କବିଙ୍କୁ ପଚାରିଲେ, ‘‘ସୂରା କଅଣ ଆମର କଥାବାର୍ତ୍ତା ଶୁଣିଛି କି ?’’

 

କବି ଚଉକି ଉପରେ ଏପାଖ ସେପାଖ ହୋଇ ବ୍ୟସ୍ତଭାବରେ କହିଲେ, ‘‘ଛାଡ଼, ସେ ସବୁ ଭୁଲିଯିବା ଭଲ ।’’

 

ମାଆ ଘରଭିତରକୁ ପୁଣି ଫେରିଆସିବାରୁ ଅନ୍ୟମାନେ ତାଙ୍କୁ ଚାହିଁ ରହିଲେ । ସେ କହିଲେ, ‘‘ସୂରା ଖାଲି କାନ୍ଦୁଛି ।’’

Image

 

Unknown

ଜଣେ ପାଠକ

 

ମୋର ପ୍ରକାଶିତ ଗଳ୍ପମାନଙ୍କ ଭିତରୁ ଗୋଟିଏ ମୋର ବନ୍ଧୁମାନଙ୍କୁ ପଢ଼ି ଶୁଣାଉ ଶୁଣାଉ ରାତି ଅନେକ ହୋଇଗଲା । ସେମାନେ ମୋର ଯଥେଷ୍ଟ ପ୍ରଶଂସା କଲେ । ମନରେ ଭାରି ଆନନ୍ଦ, ସେପରି ଆନନ୍ଦ ବୋଧହୁଏ ତା ପୂର୍ବରୁ ମୁଁ କେବେ ଅନୁଭବ କରି ନ ଥିଲି ।

 

ଘରକୁ ଫେରୁଥାଏ । ଫେବୃୟାରୀ ମାସ । ଆକାଶରେ ମେଘ ନ ଥାଏ; ତାରାମାନେ ଚକ୍‌ଚକ୍‌ ଦିଶୁଥାନ୍ତି । ନୂଆ ନୂଆ ବରଫ ପଡ଼ୁଥିବାରୁ ଶୀତଟା ବେଶ୍‍ ଭଲ ଲାଗୁଥାଏ । ରାସ୍ତାପାଖ ବାଡ଼ର ଛାଇ ବାଟଉପରେ ନାନା ଆକାରର ଚିତ୍ର ସୃଷ୍ଟି କରୁଥାଏ । ଖଣ୍ଡ ଖଣ୍ଡ ବରଫ ଉପରେ ନିର୍ମଳ ଚନ୍ଦ୍ରକିରଣ ପଡ଼ିବାରୁ ଚକ୍‌ଚକ୍ ଦିଶୁଥାଏ । ବାଟରେ ମୁଁ ଏକାକୀ ଚାଲିଥାଏଁ । ଚାରିଆଡ଼ ନିସ୍ତବ୍‌ଧ । କେବଳ ବେଳେ ବେଳେ ମୋ ବୁଟ୍‌ଜୋତା ବରଫ ଉପରେ ପଡ଼ି ସେହି ନିସ୍ତବ୍‌ଧତାକୁ ଭଙ୍ଗ କରୁଥିଲା ।

 

ମୁଁ ମନେ ମନେ ଭାବିଲି, ‘ପୃଥିବୀଟା କେଡ଼େ ସୁନ୍ଦର ! ମନୁଷ୍ୟ ସମାଜରେ ଜଣେ ବୋଲି ପରିଚିତ ହେବାରେ କେଡ଼େ ଆନନ୍ଦ !’ ମୁଁ ଏହା ସଙ୍ଗେ ନିଜର ଏକ ରଙ୍ଗିନ୍‌ ଉଜ୍ଜ୍ୱଳ ଭବିଷ୍ୟତ୍‌ର କଳ୍ପନା କରିଗଲି ।

 

ମୋ ପଛୁଆଡ଼ୁ କିଏ ଜଣେ କହିଲା, ‘‘ହଁ, ତୁମେ ଗୋଟିଏ ବେଶ୍ ଲେଖାଟିଏ ଲେଖିଛ; ଏଥିରେ ସନ୍ଦେହ ନାହିଁ ।’’

 

ମୁଁ ଚମକିପଡ଼ି ପଛକୁ ଚାହିଁଲି ।

 

ଗୋଟିଏ ଗେଡ଼ା ଲୋକ ପଛପଟୁ ଆଗେଇ ଆସିଲା । ତା’ର ପୋଷାକ କଳା । ସେ ମୋ ପାଖକୁ ଲାଗିଆସି ଟିକିଏ ମୋ ମୁହଁକୁ ଚାହିଁଲା । ଦେଖିଲି ତା’ର ଗାଲ ହାଡ଼ ବାହାରିପଡ଼ିଛି; ସରୁ ଓଠରେ ଛେଳିଦାଢ଼ି ପରି ଛୋଟ ଦାଢ଼ି; ଦେହଟି କ୍ଷୀଣ । ସବୁଥିରେ କିଛି ବିଶେଷତ୍ୱ ଅଛି । ଧୀରେ ନିଃଶବ୍ଦରେ ସେ ଚାଲିଥାଏ; ମନେ ହେଉଥାଏ, ସେ ଚାଲୁନାହିଁ ଯେ ବରଫ ଉପରେ ଗଡ଼ି ଗଡ଼ି ଯାଉଛି । ମୋର ଗଳ୍ପ ଶୁଣୁଥିବା ଲୋକମାନଙ୍କ ଭିତରେ ଏ ଭଦ୍ରଲୋକଙ୍କୁ ଦେଖି ନ ଥଲି । ତେଣୁ ତାଙ୍କର ମନ୍ତବ୍ୟ ଶୁଣି ମୁଁ ବିସ୍ମିତ ହୋଇଗଲି । ଲୋକଟି କିଏ ? କେଉଁଠୁ ଆସିଲା ?

 

ମୁଁ ପଚାରିଲି, ‘‘ଆପଣ କଣ–ଏଁ,ଏଁ–ମୋ ଗଳ୍ପ ଶୁଣିଛନ୍ତି ?’’

 

‘‘ହଁ, ମୋର ସେ ସୌଭାଗ୍ୟ ଘଟିଥିଲା ।’’

 

ସେ ଖୁବ୍‍ ଉଚ୍ଚ ସ୍ୱରରେ କହୁଥିଲା । ତା’ର କଳା ନିଶ ଭିତରୁ ମୁଁ ତା’ର ହସ ଦେଖିପାରିଲି । ତା’ର ହସର ବିରାମ ନ ଥାଏ । ମୋତେ ତା’ର ଏହି ହସ ବିରକ୍ତିକର ଲାଗୁଥାଏ । ମୁଁ ମନେ କଲି, ଏ ହସ ପଛରେ ମୋର ବିରୁଦ୍ଧ, କଠୋର ସମାଲୋଚନା ରହିଛି; କିନ୍ତୁ ମୋର ମିଞ୍ଜାସଟା ଏତେ ଭଲଥାଏ ଯେ ଏହି ସଙ୍ଗୀର ମନୋଭାବ ବିଷୟରେ ଅଧିକ ଚିନ୍ତା କରିପାରିଲି ନାହିଁ । କ୍ଷଣକ ପାଇଁ ଏହି ଚିନ୍ତା ମନକୁ ଆସିଲା; ପରକ୍ଷଣରେ ମୋର ଆତ୍ମସନ୍ତୋଷ ଭିତରେ ସେ ଚିନ୍ତା ଉଭେଇଗଲା । ମୁଁ ତା’ ସଙ୍ଗେ ସଙ୍ଗେ ଚାଲିଥାଏଁ, ଭାବୁଥାଏଁ ଲୋକଟା ଆଉ କଅଣ କହିବ ? ଆଶା ଥାଏ, ସେ ମଧ୍ୟ ମୋର ପ୍ରଶଂସା କରି ମୋର ଆନନ୍ଦକୁ ଦ୍ୱିଗୁଣିତ କରିବ । ମନୁଷ୍ୟ ଭାଗ୍ୟରେ ପ୍ରଶଂସା ଖୁବ୍‍ କମ୍‍ ମିଳିଥାଏ; ସେଇଥିପାଇଁ ବୋଧହୁଏ ସେ ପ୍ରଶଂସା ଶୁଣିବାକୁ ବ୍ୟାକୁଳ ହୋଇଉଠେ ।

 

ମୋର ସଙ୍ଗୀ ପଚାରିଲା, ‘‘ନିଜକୁ ଅସାଧାରଣ ମନେ କରିବାରେ ଗୋଟାଏ ଆନନ୍ଦ ଅଛି, ନୁହେଁ କି ?’’

 

ଏ’ ତ ଗୋଟାଏ ସାଧାରଣ ସତ୍ୟ । ତେଣୁ ମୁଁ ହଠାତ୍‍ କହିପକାଇଲି ‘‘ହଁ, ନିଶ୍ଚୟ ।’’

 

ସେ ହାତ ଦୁଇଟାକୁ ଘଷି ଘଷି ଗୋଟାଏ କର୍କଶ ହସ ହସିଲା–ହେଃ, ହେଃ, ହେଃ ।

 

ତା’ର ହସରେ ମୁଁ ଅପମାନ ବୋଧକଲି । ମୁଁ କହିଲି, ‘‘ଆପଣ ତ ବେଶ୍‍ ମଜାଲୋକ-।’’

 

ସେ ହସିଦେଇ କହିଲା, ‘‘ହଁ, ହଁ, ଖୁବ୍‍ ମଜାଲୋକ । ଆହୁରି ଗୋଟିଏ କଥା ଅଛି । ମୁଁ ଟିକିଏ କୌତୂହଳୀ । ମୁଁ ସବୁକଥା ଜାଣିବାକୁ ଚାହେଁ । ମୋର କୌତୂହଳ କେବେ ଯେ ନ ଥାଏ, ଏପରି ନୁହେଁ । ସେଇଥିପାଇଁ ମୁଁ ସବୁବେଳେ ସ୍ଫୂର୍ତ୍ତିରେ ଥାଏଁ । ଉଦାହରଣ ସ୍ୱରୂପ, ବର୍ତ୍ତମାନ ଗୋଟାଏ ବିଷୟ ଜାଣିବାକୁ ମୋର କୌତୂହଳ ହେଉଛି । ତୁମେ ଆଜି ଯେଉଁ ଗଳ୍ପଟି ପଢ଼ି ଏତେ ପ୍ରଶଂସା ପାଇଲ, ସେଥିପାଇଁ କେତେ ବ୍ୟୟ କରିବାକୁ ପଡ଼ିଛି ?’’

 

‘‘ମାସକର ପରିଶ୍ରମ । ହୁଏତ ମାସକରୁ ଟିକିଏ ବେଶି ହୋଇପାରେ ।’’

 

ସେ ମୋ କଥା ଛଡ଼ାଇ ନେଇ କହିଲା, ‘‘ଟିକିଏ ପରିଶ୍ରମ, ଟିକିଏ ଜୀବନର ଅନୁଭୂତି–ୟାର ତ କିଛି ମୂଲ୍ୟ ଅଛି । କିନ୍ତୁ ବର୍ତ୍ତମାନ ହଜାର ହଜାର ଲୋକ ତୁମ ଲେଖା ପଢ଼ି ତୁମର ଚିନ୍ତାଧାରକୁ ଭାବୁଥିବେ । ଏ ଦୃଷ୍ଟିରୁ ମୂଲ୍ୟଟା କିଛି ବେଶି ନୁହେଁ । ଏହା ଛଡ଼ା ତୁମର ଆଶା ହେଉଥିବ, ସମୟକ୍ରମେ–ହେଁ–ହେଁ–ତୁମର ମୃତ୍ୟୁପରେ–ହେଁ–ହେଁ– । ଏପରି ଲାଭ ପାଇଁ ତୁମର ଆହୁରି ଅଧିକା କିଛି ଦେବା ଉଚିତ; ଅର୍ଥାତ୍‌ ତୁମେ ଆଜି ପର୍ଯ୍ୟନ୍ତ ଯାହା ଦେଇଛ ତହିଁରୁ ବେଶି । ହେଁ–ହେଁ–ମୋ କଥା ଠିକ୍‍ ନୁହେଁ ?’’

 

ପୁଣି ସେ ସେହି କ୍ରୂର ହସ ହସି ଦେଲା । ତା’ର ଗାଡ଼ୁଆ କଳା ଆଖି ଦୁଇଟା ମୋ ମୁହଁକୁ ଚାହିଁଥାଏ । ମୁଁ ନିଜର ଉଚ୍ଚ କବି ଆନସରୁ ତା’ ଆଡ଼କୁ ଦୃଷ୍ଟି ପକାଇ ଧୀରେ ପଚାରିଲି, ‘‘କ୍ଷମା କରିବେ, ମୁଁ କାହା ସହିତ କଥାବାର୍ତ୍ତା ହେବାର ସୌଭାଗ୍ୟ..... ।’’

 

‘‘ମୁଁ କିଏ ? ତୁମେ ଅନୁମାନ କରିପାରୁନାହିଁ ? ବେଶ୍, ବର୍ତ୍ତମାନ ମୋର ପରିଚୟଟା ଦେବି ନାହିଁ । ତୁମେ କଅଣ ମନେକର ଯେ ଜଣେ ଲୋକ ଯାହା କୁହେ, ତା’ ଅପେକ୍ଷା ତା’ର ନାଁଟା ଅଧିକ ମୂଲ୍ୟବାନ ?’’

 

ମୁଁ ଉତ୍ତର କଲି, ‘‘ନା, ତା କଦାପି ନୁହେଁ, ତଥାପି ଚିହ୍ନା ନ ଥିଲେ ଟିକିଏ–ଏଁ–ଏଁ–କେମିତି ଖରାପ ଲାଗେ ।’’

 

ସାମାନ୍ୟ ହସିଦେଇ ସେ କହିଲେ, ‘‘ଖରାପ ଲାଗିବ ତ ଲାଗୁ । ମଣିଷ ବେଳେ ବେଳେ ଅତି ସାଧାରଣ ସୀମାକୁ ଟିକିଏ ଅତିକ୍ରମ କରିଯିବାରେ କିଛି ଦୋଷ ନାହିଁ । ତୁମର କିଛି ଆପତ୍ତି ନ ଥିଲେ, ଆସ, ଆମେ ଦୁହେଁ ମନ ଖୋଲି କଥାବାର୍ତ୍ତା ହେବା । ମନେକର, ତୁମର ପାଠକମାନଙ୍କ ଭିତରୁ ମୁଁ ଜଣେ । ମୁଁ ଟିକିଏ ବିଚିତ୍ର ଧରଣର ପାଠକ; କିନ୍ତୁ ମୁଁ ଜାଣିବାକୁ ଚାହେଁ, କିପରି ଓ କେଉଁ ଉଦ୍ଦେଶ୍ୟରେ ବହି ଲେଖାଯାଏ ? ଉଦାହରଣ ସ୍ୱରୂପ, ତୁମେ କେଉଁ ଉଦ୍ଦେଶ୍ୟରେ ବହି ଲେଖ । ଏପରି ମନଖୋଲା କଥାବାର୍ତ୍ତା ଚାଲୁ ।’’

 

ମୁଁ କହିଲି, ‘‘ବେଶ୍‍, ଏଭଳି କଥାବାର୍ତ୍ତାରେ ମୁଁ ଆନନ୍ଦିତ ହେବି । ଆପଣଙ୍କ ଭଳି ଜଣେ ଲୋକ ସଙ୍ଗରେ କଥାବାର୍ତ୍ତା ହେବାର ସୁଯୋଗ ତ ଆଉ ସବୁ ଦିନ ମିଳିବ ନାହିଁ ।’’

 

ଏହା ତୁଣ୍ଡରେ କହିଦେଲି ସିନା; ମାତ୍ର କଥାଟା ଏକବାରେ ମିଥ୍ୟା । ଏ ଆଲୋଚନା ମୋତେ ଭାରି ବିରକ୍ତିକର ଲାଗୁଥାଏ । ଲୋକଟାର ମତଲବ କଅଣ ? ପୁଣି ଜଣେ ନିତାନ୍ତ ଅପରିଚିତ ଲୋକ ସଙ୍ଗରେ ହଠାତ୍‍ ସାକ୍ଷାତରୁ ଗୋଟାଏ ବାଦପ୍ରତିବାଦ ମୂଳକ ଆଲୋଚନ କରିବାକୁ ଯିବି କାହିଁକି ?

 

ତଥାପି ମୁଁ ତାହା ପାଖେ ପାଖେ ଧୀର ଭାବରେ ଚାଲିଥାଏଁ । ବାହାର ଭଦ୍ରତା ଯଥାସମ୍ଭବ ରକ୍ଷା କରିବାକୁ ମୋତେ ରୀତିମତ ଚେଷ୍ଟା କରିବାକୁ ହେଉଥାଏ; କିନ୍ତୁ ସେତେବେଳେ ସୁଦ୍ଧା ମୋ ମନରେ ଭାରି ସ୍ଫୂର୍ତ୍ତି ଥାଏ । ତେଣୁ ଭଦ୍ରଲୋକ ସହିତ କଥାବାର୍ତ୍ତା କରିବାକୁ ମନା କରି ଅପମାନ ଦେବାକୁ ଇଚ୍ଛା ନ ଥିଲା । ମୁଁ ନିଜକୁ ସଂଯତ କରି ରହିଲି ।

 

ଚନ୍ଦ୍ର ଆମ ପଛପଟେ ଥିବାରୁ ଆମର ଛାଇ ଆଗକୁ ପଡ଼ୁଥାଏ । ଆମ ଦୁହିଁଙ୍କ ଛାଇ ଏକାଠି ମିଶି ଆଗକୁ ଚାଲୁଥାଏ । ସେହି ଛାଇକୁ ଚାହୁଁ ଚାହୁଁ ମୋ ମନରେ ଗୋଟାଏ ଭାବନା ଉଦିତ ହେଲା । ଏହି ଛାୟା ଯେପରି କୃଷ୍ଣବର୍ଣ୍ଣ, ଯେପରି ଭ୍ରମଜନକ, ସେହିପରି ଗୋଟାଏ କିଛି କୃଷ୍ଣ ଓ ଭଦ୍ରଜନକ ଘେନି ମୁଁ ଜନ୍ମ ହୋଇଛି । ସେ ମୋ ଜୀବନ ସଙ୍ଗେ ସଙ୍ଗେ ଏଇ ଛାୟା ପରି ଆଗେଇ ଚାଲିଛି ।

 

ମୋର ସହଚରଟି କିଛି ସମୟ ନୀରବ ରହି ଦୃଢ଼ତାବ୍ୟଞ୍ଜକ ସ୍ୱରରେ ମୋତେ କହିଲା, ‘‘ମନୁଷ୍ୟର କ୍ରିୟାକଳାପ ପଛରେ ଯେଉଁ ଉଦ୍ଦେଶ୍ୟ ରହିଥାଏ, ତାହାଠାରୁ ବଳି କିଛି ବିଚିତ୍ର ନାହିଁ କି ଗୁରୁତ୍ୱପୂର୍ଣ୍ଣ ନାହିଁ । ତୁମର ମତ କଅଣ ?’’

 

‘‘ଏ ବିଷୟରେ ମୁଁ ଆପଣଙ୍କ ସହ ଏକମତ ।’’

 

‘‘ବେଶ୍‍ । ତାହାହେଲେ ଆମ ମନ ଖୋଲି କଥାବାର୍ତ୍ତା ହେବା । ଯୁବା ବୟସ ଥାଉଁ ଥାଉଁ ଏପରି କଥାବାର୍ତ୍ତାର ସୁଯୋଗ ହରାଇବାକୁ ତୁମର ଉଚିତ ହେବ ନାହିଁ ।’’

 

ମୁଁ ମନେ କଲି–ଲୋକଟା ବଡ଼ ଅଦ୍ଭୁତ । କିନ୍ତୁ ତା କଥା ମୋତେ ଘୋର ଚିନ୍ତାରେ ପକାଇଦେଲା । ମୁଁ ଟିକିଏ ହସିଦେଇ କହିଲି, ‘‘କିନ୍ତୁ ଆମେ କେଉଁ ବିଷୟରେ କଥାବାର୍ତ୍ତା ହେବା-?’’

 

ଅତି ପରିଚିତ ଲୋକ ଭଳି ସେ ମୋ ମୁହଁକୁ ଚାହିଁ କହିଲା, ‘‘ଆଚ୍ଛା, ସାହିତ୍ୟର ଉଦ୍ଦେଶ୍ୟ କଅଣ ? ଏଇ ବିଷୟରେ ଗପ ଚାଲୁ ।’’

 

‘‘ହେଉ, କିନ୍ତୁ ମୋର ଏତିକି ଆଶଙ୍କା ଯେ ରାତି ଖୁବ୍‍ ବେଶି ହୋଇଗଲାଣି । ଆଉ....-।’’

 

‘‘ଓଃ, ତୁମ ପକ୍ଷରେ ସେତେ କିଛି ଡେରି ହୋଇନାହିଁ !’’

 

ଲୋକଟାର କଥାରେ ମୁଁ ବିସ୍ମିତ ହୋଇ ରହିଗଲି । ଏଇ କେଇପଦ କଥା ସେ ଏପରି ଗମ୍ଭୀରଭାବରେ କହିଲା ଯେ ତାହା ମୋତେ ଭବିଷ୍ୟତ୍‌ବାଣୀ ପରି ମନେ ହେଲା । ମୁଁ ଗୋଟାଏ ପ୍ରଶ୍ନ ପଚାରିବାକୁ ଯାଉଥିଲି; କିନ୍ତୁ ସେ ମୋର ହାତ ଧରି ଚାଲୁ ଚାଲୁ ଦୃଢ଼ସ୍ୱରରେ କହିଲା, ‘‘ରହିବା ଦରକାର ନାହିଁ । ମୋ ସଙ୍ଗରେ ଯାଉଥିଲେ, ତୁମେ ଠିକ୍ ବାଟରେ ଚାଲୁଥିବ । ବହୁତ ଗଉରଚନ୍ଦ୍ରିକା ହୋଇଗଲାଣି । ଏବେ ମୋତେ କୁହ–ସାହିତ୍ୟର ଉଦ୍ଦେଶ୍ୟ କଅଣ ? ତୁମେ ସାହିତ୍ୟର ସେବା କରୁଛ, ତେଣୁ ତୁମେ ଜାଣିବାର କଥା ।’’

 

ମୋର ବିସ୍ମୟ ବୃଦ୍ଧି ପାଇଲା; ତା ସଙ୍ଗେ ସଙ୍ଗେ ମୋର ଆତ୍ମସନ୍ତୋଷ ଉଭେଇଗଲା । ଲୋକଟା ମୋ ଠାରୁ କଅଣ ଚାହେଁ ? ସେ କିଏ ?

 

ମୁଁ କହିଲି, ‘‘ଦେଖନ୍ତୁ, ଆପଣ କଦାପି ଅସ୍ୱୀକାର କରିପାରିବେ ନାହିଁ ଯେ ଆମ ଭିତରେ ଯାହା ଘଟୁଛି ତା’ର..... ।’’

 

ମୋ ତୁଣ୍ଡରୁ କଥା ଛଡ଼ାଇ ନେଇ ସେ କହିଲା, ‘‘କିଛି ନା କିଛି କାରଣ ଅଛି; ଏଥିରେ କିଛି ସନ୍ଦେହ ନାହିଁ । ଏ ଜଗତରେ କାରଣ ବିନା କୌଣସି କାର୍ଯ୍ୟ ଘଟି ନ ପାରେ । କିନ୍ତୁ ଆସ, ଆମେ ପ୍ରଶ୍ନଟିକୁ ବିଚାର କରି ଦେଖିବା, ଉପରେ ଉପରେ ଭାସି ନ ଯାଇ ଗହୀରକୁ ଯାଇ ଦେଖିବା-।’’

 

ଲୋକଟି ଯେ କୌତୂହଳପ୍ରିୟ ଏଥିରେ ସନ୍ଦେହ ନାହିଁ; କିନ୍ତୁ ମୋତେ ବିରକ୍ତ ଲାଗୁଥିଲା-। ମୁଁ ଅଧୀରଭାବରେ ଆଗେି ଚାଲିଲି । ସେ ମୋ ପଛେ ପଛେ ଯାଉ ଯାଉ ଧୀର ସ୍ୱରରେ କହିଲା, ‘‘ବୁଝିଲି, ସାହିତ୍ୟର ଉଦ୍ଦେଶ୍ୟ କଅଣ ତାହା ହଠାତ୍‍ ପ୍ରକାଶ କରିବାକୁ ତୁମକୁ କଷ୍ଟ ହେଉଛି । ଆଚ୍ଛା, ମୁଁ ଚେଷ୍ଟା କରି ଦେଖେ ।’’

 

ଗୋଟାଏ ଲମ୍ବ ନିଃଶ୍ୱାସ ନେଇ ସେ ମୋ ଆଡ଼କୁ ଚାହିଁ ଟିକିଏ ହସିଦେଲା । ତାପରେ କହିଲା–

 

‘‘ମୁଁ କହିପାରେ, ନିଜକୁ ନିଜେ ଚିହ୍ନିବାରେ, ନିଜଠାରେ ଦୃଢ଼ ବିଶ୍ୱାସ ରଖିବାରେ, ସତ୍ୟର ଅନ୍ୱେଷଣ ରେ, ମନୁଷ୍ୟ ଅନ୍ତରରେ ଶିବର ସନ୍ଧାନ କରିବାରେ, କୁତ୍ସିତର ଧ୍ୱଂସସାଧନରେ, ହୃଦୟରେ ଲଜ୍ଜା, କ୍ରୋଧ, ସାହସ ଆଦି ଗୁଣର ଉଦ୍ରେକ କରିବାରେ, ମହତ୍‌ଲକ୍ଷ୍ୟ ସାଧନ ନିମିତ୍ତ ଶକ୍ତି ଅର୍ଜନ କରିବାରେ, ପବିତ୍ର ସୌନ୍ଦର୍ଯ୍ୟ–ଚେତନାଦ୍ୱାରା ଜୀବନକୁ ପବିତ୍ରୀକୃତ କରିବାରେ ମନୁଷ୍ୟକୁ ସାହାଯ୍ୟ କରିବା ହେଉଛି ସାହିତ୍ୟର ଉଦ୍ଦେଶ୍ୟ । ଏଇ ହେଉଛି ମୋର ସାହିତ୍ୟର ସଂଜ୍ଞା-। ଅବଶ୍ୟ ଏହା ଅତି ସଂକ୍ଷିପ୍ତ ଓ ଅସମ୍ପୂର୍ଣ୍ଣ । ଏହା ସହିତ ତୁମେ ଆଉ କେତେକ ଯୋଗ କରିପାର, ଯାହା କି ଜୀବନକୁ ମାର୍ଜିତ କରେ । ଏବେ କୁହ, ତୁମୋ ମୋ ମତକୁ ଗ୍ରହଣ କରୁଛ-?’’

 

ମୁଁ କହିଲି, ‘‘ହଁ, ଆପଣଙ୍କ ମତ ଊଣା–ଅଧିକେ ଠିକ୍ । ସାଧାରଣଭାବରେ ସ୍ୱୀକାର କରାଯାଏ ଯେ ମନୁଷ୍ୟକୁ ଉନ୍ନତତର କରିବା ହେଉଛି ସାହିତ୍ୟର ଲକ୍ଷ୍ୟ ।’’

 

‘‘ଦେଖ, ତୁମେ କେଡ଼େ ମହାନ୍‌ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛ !’’ ଖୁବ୍‍ ଜୋରରେ ଏହା କହି ସେ ପୂର୍ବପରି ବିକୃତ ହସ ହସିଉଠିଲେ–

 

‘ହେଃ–ହେଃ–ହେଃ ।’

 

ତାଙ୍କ ହସ ପ୍ରତି ଆଦୌ ଦୃଷ୍ଟି ନ ଦେଲା ପରି ଛଳନା କରି ମୁଁ ପଚାରିଲି, ‘‘କିନ୍ତୁ ଆପଣ ମୋତେ ଏସବୁ କହୁଛନ୍ତି କାହିଁକି ?’’

 

‘‘କାହିଁକି ବୋଲି ତୁମେ ମନେ କରୁଛ ?’’

 

‘‘ସଫା ମନ ଖୋଲି କହିବାକୁ ଗଲେ.....’’

 

କଅଣ ଗୋଟାଏ କାରଣ ଦେବାକ ଯାଉଥିଲି; କିନ୍ତୁ କିଛି କାରଣ ନ ପାଇ ଏତିକି କହି ରହିଗଲି । ‘ସଫା ମନ ଖୋଲିବାର’ ଅର୍ଥ କଅଣ ? ଏ ଲୋକଟା ଆଦୌ ବୋକା ନୁହେଁ । କେତେ ଶୀଘ୍ର ମଣିଷ ସଫା ମନ ଖୋଲିବାର ସୀମାରେ ପହଞ୍ଚିଯାଏ ସେ ନିଶ୍ଚୟ ବୁଝିପାରିଥିବ । ପ୍ରତ୍ୟେକ ଲୋକ ଗର୍ବ ସହକାରେ ଏହି ସୀମାକୁ ଜଗିରହିବାର ଅଭିମାନ ରଖିଥାଏ । ମୁଁ ତା ମୁହଁକୁ ଚାହିଁଲି । ତା’ର ମୁହଁର ହସ ଦେଖି ମୋତେ ବୋଧ ହେଲା ସେ ହସରେ ମୋ ପ୍ରତି ଘୃଣା ଓ ବିଦ୍ରୂପ ପୂରିରହିଥିଲା । ମୋତେ ଭୟ ଲାଗିଲା ପରି ବୋଧ ହେଲା । ଏହି ଭୟ ହେତୁରୁ ମୁଁ ପଳାଇଯିବାକୁ ଇଚ୍ଛା କଲି ।

 

ମୁଁ ହଠାତ୍‍ ‘‘ବିଦାୟ, ନମସ୍କାର’’ କହି ଯିବାକୁ ବାହାରିଲି ।

 

ସେ କହିଲା, ‘‘କିନ୍ତୁ କାହିଁକି ଚାଲିଯିବ ?’’

 

‘‘ଏଭଳି ପରିହାସ ସୀମା ଅତିକ୍ରମ କଲେ ମୋତେ ଭଲ ଲାଗେ ନାହିଁ ।’’

 

‘‘ତାହା ହେଲେ ତୁମେ ଯାଉଛ ? ସେଇଟା ତୁମର ଇଚ୍ଛାର କଥା; କିନ୍ତୁ ଯେବେ ବର୍ତ୍ତମାନ ମୋ ପାଖରୁ ଚାଲିଯାଅ, ତେବେ ଆମ ଦୁହିଁଙ୍କର ଆଉ କେବେହେଲେ ସାକ୍ଷାତ ହେବ ନାହିଁ ।’’

 

ଲୋକଟା ‘କେବେହେଲେ’ ଶବ୍ଦଟା ଉପରେ ଖୁବ୍‍ ଜୋର୍‌ ଦେଇଥିଲା । ସେ ଶବ୍ଦଟା ମୋ କାନରେ ମୃତ୍ୟୁକାଳୀନ ଘଣ୍ଟାର ଶବ୍ଦ ପରି ବାଜିଲା । ମୋର ଏ ଶବ୍ଦଟା ପ୍ରତି ଘୋର, ଭୟ ମଧ୍ୟ । ଏ ଶବ୍ଦଟା ମନୁଷ୍ୟର ସମସ୍ତ ଆଶା ଭରସାକୁ ଧୂଳିସାତ୍ କରିଦିଏ । ଏବେ ସେହି ଶବ୍ଦ ଶୁଣି ମୁଁ ଆଉ ପାଦ ନ ବଢ଼ାଇ ରହିଗଲି ।

 

ଦୁଃଖରେ ଓ ନୈରାଶ୍ୟରେ ପଚାରିଲି, ‘‘ଆପଣ ମୋ’ଠାରୁ କଣ ଚାହାନ୍ତି ?’’

 

ହସ ହସ ମୁହଁରେ ସେ ମୋର ହାତ ଧରି ତଳେ ବସାଇଦେଇ କହିଲେ, ‘‘ବସିଯାଅ ।’’

 

ସେତେବେଳକୁ ଆମେ ଗୋଟାଏ ପାର୍କର ସରୁ ଚଲା ବାଟେ ଉପରେ । ପାଖରେ ଗୁଡ଼ାଏ ଝାମୁ ଗଛ । ଗଛ ଉପରେ ବରଫ ପଡ଼ିଥାଏ । ଗଛମାନଙ୍କର ଡାଳ ମୋ ମୁଣ୍ଡଉପରକୁ ଝୁଲିପଡ଼ିଥାଏ । ମୋର ମନେହେଲା, ସତେ ଅବା ସରୁ ଡାଳଗୁଡ଼ାକ ମୋ ଛାତି ଭିତର ଫଟାଇ ଦେଉଛନ୍ତି ।

 

ମୁଁ ଏହି ଲୋକଟିର ଆଚରଣରେ ବିସ୍ମୟାଭିଭୂତ ହୋଇ ତା ଆଡ଼କୁ ଚାହିଁଲି । ଭାବିଲି, ‘‘ଲୋକଟାର ମସ୍ତିଷ୍କ ବିକୃତ ।’’ ଏହିପରି ବିଚାରି ମନକୁ ସାନ୍ତ୍ୱନା ଦେଲି ।

 

ମୋ ମନକଥା ଜାଣିଲା ପରି ସେ କହିଲା, ‘‘ତୁମେ ବୋଧହୁଏ ମନେ କରୁଛ ଯେ ମୁଁ ତୁମ କଥାରେ ମନ ଦୁଃଖ କରିଛି । ସେପରି ଆଦୌ ଭାବ ନାହିଁ । ସେପରି ଭାବିବା ତୁମର ଉଚିତ ନୁହେଁ; ତୁମ ପକ୍ଷରେ କ୍ଷତିକାରକ ମଧ୍ୟ । ଯିଏ ଆମଠାରୁ ଭିନ୍ନ ତାକୁ ବୁଝିବାକୁ ଚେଷ୍ଟା ନ କରି ଆମେ ଅନେକ ସମୟରେ ମନେକରୁ ଯେ ତା ମନରେ କଷ୍ଟ ହୋଇଥିବ । ଏଥିରୁ ସ୍ପଷ୍ଟ ଜଣାଯାଏ ଯେ ଆମେ ଅନ୍ୟ ଲୋକ ବିଷୟରେ ପୂରା ଉଦାସୀନ ।’’

 

ମୋର ବିରକ୍ତି ଚରମ ସୀମାରେ ପହଞ୍ଚିଥିଲା । ମୁଁ କହିଲି, ‘‘ହଁ, ସେ କଥା ସତ । ମୋତେ କ୍ଷମା କରିବେ । ମୋତେ ଯିବାକୁ ହେବ । ବେଳ ହୋଇଗଲାଣି ।’’

 

ସେ ମୋର ହାତ ଛାଡ଼ିଦେଇ କହିଲା, ‘‘ହଉ, ଯାଅ । କିନ୍ତୁ ମନେ ରଖିଥାଅ, ତୁମେ ନିଜଠାରୁ ପଳାଉଛ ।’’

 

ମୁଁ ଚାଲିଲି ।

 

ପାର୍କଟି ଭଲ୍‌ଗାନଦୀ ବନ୍ଧ ପାଖରେ, ବରଫ ଦ୍ୱାରା ଆଚ୍ଛାଦିତ । ତା ଭିତରେ ରାସ୍ତାଗୁଡ଼ିକ କଳାଗାର ପରି ଦିଶୁଛି । ଲୋକଟି ସେଇ ପାର୍କରେ ବସି ରହିଲା । ତା ସମ୍ମୁଖସ୍ଥ ନଦୀର ଅପର ପାର୍ଶ୍ୱରେ ବିରାଟ ପ୍ରାନ୍ତର ବିସ୍ତୃତ ହୋଇଛି । ସେ ଗୋଟିଏ ବେଞ୍ଚଉପରେ ବସି ସେହି ପ୍ରାନ୍ତରକୁ ଚାହିଁଥାଏ । ମୁଁ ଚଲାରାସ୍ତାରେ ଆସୁଥାଏ; କିନ୍ତୁ ସତେ ଯେପରି କି ମୋ ମନ ତାକୁ ଛାଡ଼ିଯିବାକୁ ମନା କରୁଥାଏ । ଚାଲିଲାବେଳକୁ ଭାବୁଥାଏଁ, ଧୀରେ ଧୀରେ ଯିବ ନା ବଡ଼ ବଡ଼ ପାହୁଣ୍ଡ ପାକାଇ ସେ ଲୋକଟାକୁ ଦେଖାଇଦେବି ଯେ ମୁଁ ତାକୁ ଆଦୌ ଗ୍ରାହ୍ୟ କରେ ନାହିଁ ।

 

ସେ ବେଞ୍ଚ ଉପରେ ବସି ଗୋଟିଏ ଜଣାଶୁଣା ଗୀତ ଗାଉଥିବାର ଶୁଣିପାରିଲି । ଗୀତଟି ଖୁବ୍‍ ଆମୋଦଦାୟକ ହେଲେ ହେଁ ବଡ଼ କରୁଣ । ଏଥିରେ ଜଣେ ଅନ୍ଧଲୋକ ଅନ୍ୟ ଜଣେ ଅନ୍ଧ ଲୋକକୁ ବାଟ ଦେଖାଇବା ଭାର ନେବା ବର୍ଣ୍ଣିତ । ଲୋକଟା ଅନ୍ୟ କୌଣସି ଗୀତ ନ ବୋଲି ଠିକ୍‍ ଏଇ ଗୀତଟିକୁ କାହିଁକି ବୋଲୁଛି ? ମୋତେ ଆଶ୍ଚର୍ଯ୍ୟ ଲାଗିଲା ।

 

ହଠାତ୍‍ ମୋର ମନେହେଲା ଯେ ଏହି ବାଙ୍ଗରା ଲୋକଟି ସହିତ ଦେଖାହେଲା ବେଳୁ ମୁଁ ଗୋଟାଏ ବିଚିତ୍ର ଓ ଅଦ୍ଭୁତ ଅନୁଭୂତି ମଧ୍ୟରେ ଘୁରୁଛି । ଏଥି ମଧ୍ୟରେ ମୋର ପୂର୍ବ ଆନନ୍ଦ ଚାଲିଯାଇଛି; ଗୋଟାଏ ଆଶଙ୍କାର ଛାୟା ମୋତେ ଆବୃତ କରି ରଖିଛି । ଗୋଟାଏ କିଛି ବିଷାଦମୟ ଘଟଣା ଘଟିବ ବୋଲି ମୋର ଆଶଙ୍କା । ସେ ଯେଉଁ ଗୀତ ଗାଉଥିଲା, ତା’ର ଦୁଇଟି ଧାଡ଼ି ମନେପଡ଼ିଗଲା ।

 

ଆପଣା ପଥ ଦେଖିନାହିଁ ଯେ ଜନ

ଆନେ ଦେଖାଇବାକ କାହୁଁ ଭାଜନ ।

 

ମୁହଁ ବୁଲାଇ ମୁଁ ତା ଆଡ଼କୁ ଚାହିଁଲି । ଆଣ୍ଠୁଉପରେ କହୁଣୀଟି ଭରା ଦେଇ ସେ ବସିଛି-। ହାତଟି ଉପରେ ଓଠ ରଖି ସେ ମୋ ଆଡ଼କୁ ଚାହିଁ ରହିଛି । ଚନ୍ଦ୍ରକିରଣରେ ତା’ର ମୁହଁଟା ଉଜ୍ଜ୍ୱଳ ଦିଶୁଛି । ଭାଗ୍ୟବାଦ ଉପରେ ବିଶ୍ୱାସ ରଖି ମୁଁ ତା ପାଖକୁ ଫେରିଯିବାକୁ ସ୍ଥିର କଲି । ଦ୍ରୁତପଦରେ ଯାଇ ମୁଁ ତା ପାଖରେ ବସିପଡ଼ିଲି ।

 

ମୁଁ ଗମ୍ଭୀର ଭାବରେ କହିଲି, ‘‘ଦେଖନ୍ତୁ, ଆମେ ଯଦି କଥାବାର୍ତ୍ତା ହେବା, ସରଳ ଭାବରେ ହେବା ।’’

 

‘‘ଲୋକେ ସବୁବେଳେ ସରଳ ଭାବରେ କଥା କହିବା ଉଚିତ ।’’

 

‘‘ଆପଣ ମୋ ଉପରେ ଗୋଟାଏ ଅଦ୍ଭୁତ ପ୍ରଭାବ ବିସ୍ତାର କରିଛନ୍ତି, ସେ କଥା ମୁଁ ଜାଣେ-। ଆଉ ଏକଥା ସ୍ପଷ୍ଟ ଯେ, ଆପଣ ମୋତେ କିଛି କହିବାକୁ ଚାହାନ୍ତି । ମୋ କଥା ଠିକ୍‍ ତ-?’’

 

ଗୋଟାଏ ହସି ହସିଦେଇ ସେ କହିଲା, ‘‘ଏତେବେଳକୁ ତାହାହେଲେ ମୋ କଥା ଶୁଣିବାକୁ ତୁମର ସାହାସ ଆସିଲା ।’’ ଏଥର ତା’ର ହସଟା ମୋତେ ଆଗ ଭଳି ଖରାପ ଲାଗିଲା ନାହିଁ; ବରଂ ସେ ହସରେ ଟିକିଏ ଆନନ୍ଦ ଥିଲା ।

 

ମୁଁ କହିଲି, ‘‘ତେବେ କୁହନ୍ତୁ ଯେବେ ପାରନ୍ତି, ଆପଣଙ୍କର ଢଙ୍ଗ ଛାଡ଼ି କହନ୍ତୁ ।’’

 

ସେ କହିଲା, ‘‘ଅତି ଆନନ୍ଦରେ କହିବି; କିନ୍ତୁ ଗୋଟାଏ କଥାରେ ତୁମକୁ ରାଜି ହେବାକୁ ପଡ଼ିବ । ତୁମର ମନଯୋଗ ଆକର୍ଷଣ କରିବାକୁ ହେଲେ ମୁଁ ସେହି ଢଙ୍ଗରେ କହିବି । ଆଜିକାଲି ସାଧାସିଧା ସ୍ପଷ୍ଟ କଥା କହିଲେ ନୀରସ ଓ କର୍କଶ ବୋଲି ତାକୁ ଲୋକେ ଶୁଣିବାକୁ କୁଣ୍ଠିତ । ପୁଣି ଆମେ ନିଜେ ନୀରସ, ରୁକ୍ଷ ହୋଇଯାଇଥିବାରୁ ଆମ କଥାକୁ ସରସ, କୋମଳ କରିବାକୁ ଅକ୍ଷମ । ମଧୁର କଳ୍ପନା ଓ ଦିବାସ୍ୱପ୍ନରେ ମଜ୍ଜିରହି ଅନ୍ୟମାନଙ୍କଠାରୁ ଭିନ୍ନେ ହେବାପାଇଁ ଆମେ ବ୍ୟାକୁଳ । ଆମେ ଯେଉଁ ଜୀବନ ସୃଷ୍ଟି କରିଛୁ, ସେ ହୋଇଯାଇଛି ନୀରସ, ବୈଚିତ୍ର୍ୟହୀନ ଓ ଅବସାଦକର । ଯେଉଁ ଜୀବନକୁ ଆମେ ଆଗେ ପରିବର୍ତ୍ତନ କରିବାରେ ଲାଗିଥିଲୁ, ସେଇ ଜୀବନ ଏବେ ଆମକୁ ଚିପି ଚୂର୍ଣ୍ଣୀଭୂତ କରି ଦେଇଛି । ହୁଏତ ଆମର କଳ୍ପନା ଆମକୁ ଏ ପୃଥିବୀର ଊର୍ଦ୍ଧ୍ୱକୁ ନେଇପାରିବ; କ୍ଷଣକ ପାଇଁ ଊର୍ଦ୍ଧ୍ୱରେ ରହି ଆମେ ହୁଏତ ପୃଥିବୀରେ ଆମକୁ ଦୃଢ଼ ଆସନ ଦେଖିପାରିବା । ମନୁଷ୍ୟ ପୃଥିବୀରେ ତା’ର ସ୍ଥାନ ହରାଇସାରିଛି । ନୁହେଁ କି ? ସେ ଆଉ ପୃଥିବୀର ଅଧିପତି ହୋଇନାହିଁ; ତା’ର ଦାସ ହୋଇଛି । ସେ ନିଜର ସୃଷ୍ଟିକୁ ପୂଜା କରୁଛି; ସେଥିରୁ ସିଦ୍ଧାନ୍ତ ଗ୍ରହଣ କରି କହୁଛି–ଦେଖ, ଏହା ହିଁ ଅପରିବର୍ତ୍ତନୀୟ ନିୟମ । ଏହି ନିୟମ ପାଖରେ ତୁଣ୍ଡ ନୁଆଇଁ ସେ ଜାଣି ପାରୁନାହିଁ ଯେ ଜୀବନକୁ ସ୍ୱାଧୀନଭାବରେ ପରିବର୍ତ୍ତନ କରିବା ପଥରେ ସେ ଏକ ବିରାଟ ପ୍ରାଚୀର ଠିଆ କରିଛି । ନୂଆ ଗଠନ କରିବା ସକାଶେ ପୁରୁଣାକୁ ଭାଙ୍ଗିବାର ଅଧିକାର ପାଇଁ ସେ ଉଦ୍ୟମ କରିବାରୁ ବଞ୍ଚିତ । ବାସ୍ତବରେ ସେ ଆଉ ଉଦ୍ୟମ ସୁଦ୍ଧା କରୁନାହିଁ । ସେ କେବଳ ଅବସ୍ଥା ସହିତ କୌଣସିମତେ ନିଜକୁ ଖାପ ଖୁଆଇ ନେଉଛି । କାହିଁକି ସେ ଉଦ୍ୟମ କରିବ ? ଯେଉଁ ଆଦର୍ଶ ପାଇଁ ମନୁଷ୍ୟ ସାହସିକ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥାଏ, ସେ ଆଦର୍ଶ କାହିଁ ? ସେଇଥିପାଇଁ ଜୀବନ ନୀରସ, ଅବସାଦଗ୍ରସ୍ତ ହୋଇପଡ଼ିଛି । ମନୁଷ୍ୟର ସୃଷ୍ଟି କରିବାର ଶକ୍ତି ଲୋପ ପାଇଯାଇଛି । ମନକୁ ଊର୍ଦ୍ଧ୍ୱକୁ ଉଡ଼ାଇ ନେଇ ତଦ୍ଦ୍ୱାରା ଆତ୍ମବିଶ୍ୱାସର ପୁନରୁଦ୍ଧାର ପାଇଁ କେତେଜଣ ଗୋଟାଏ କିଛି ଅବଲମ୍ବନ ଅନ୍ଧଭାବରେ ଖୋଜି ବୁଲଛନ୍ତି; କିନ୍ତୁ ସେମାନେ ଈଶ୍ୱରଙ୍କ ଆସ୍ଥାନଠାରୁ ମାନବ ସମାଜର ବନ୍ଧନ ସ୍ୱରୁପ ଚିରନ୍ତନ ସତ୍ୟଠାରୁ ଦୂରକୁ ଚାଲିଯାଉଛନ୍ତି । ସତ୍ୟପଥରୁ ଯେ ବିଚ୍ୟୁତ ହେଲା, ତା’ର ଧ୍ୱଂସ ଅନିବାର୍ଯ୍ୟ । ସେମାନେ ଧ୍ୱଂସ ହୁଅନ୍ତି, ସେମାନଙ୍କ ପାଇଁ ଦୁଃଖ କରିବା ବୃଥା । ପୃଥିବୀରେ ଆହୁରି ଅନେକ ଲୋକ ଅଛନ୍ତି । ପ୍ରଧାନ କଥା ହେଉଛି, ଈଶ୍ୱରଙ୍କୁ ପାଇବାର ପ୍ରବଳ ଇଚ୍ଛା । ଯେତେଦିନ ପର୍ଯ୍ୟନ୍ତ ଈଶ୍ୱରଙ୍କୁ ପାଇବା ପାଇଁ ଇଚ୍ଛୁକ ଲୋକ ଥିବେ, ସେତେଦିନଯାଏ ଈଶ୍ୱର ସେମାନଙ୍କ ନିକଟରେ ଆତ୍ମପ୍ରକାଶ କରିବେ ଓ ସେମାନଙ୍କ ପାଖେ ପାଖେ ରହିବେ । ପୂର୍ଣ୍ଣତା’ର ସନାତନ ସନ୍ଧାନ କରି ଈଶ୍ୱର ଆଉ କଅଣ ହୋଇପାରନ୍ତି ? ମୋ କଥା କଣ ଠିକ୍‍ ?’’

 

ମୁଁ କହିଲି, ‘‘ହଁ ଆପଣଙ୍କ କଥା ଠିକ୍‍ ।’’

 

ଲୋକଟି ତା’ର କ୍ରୂରହାସ୍ୟ ପ୍ରକାଶ କରି କହିଲା, ‘‘ତୁମେ ମୋ କଥା ମାନିନେବାକୁ ତ ଭାରି ଚଞ୍ଚଳ ଦେଖୁଛି ।’’ ତତ୍ପରେ ସେ କିଛି ସମୟ ନୀରବ ଭାବରେ ଶୂନ୍ୟକୁ ଚାହିଁ ରହିଲା । ଏଣେ ମୁଁ ଆଉ ଧୈର୍ଯ୍ୟ ଧରି ନ ପାରି ଦୀର୍ଘଶ୍ୱାସ ପକାଇଲି । ଏ କଥା ଜାଣିପାରି, ସେହିପରି ଶୂନ୍ୟକୁ ଚାହିଁରହି ଯେ କହିଲା, ‘‘ତୁମର ଈଶ୍ୱର କିଏ ?’’

 

ଏତେବେଳଯାଏ ସେ ଧୀରଭାବରେ ନମ୍ର ସ୍ୱରରେ କହୁଥିଲା; ତା କଥା ଶୁଣିବାକୁ ମୋତେ ସୁଖ ଲାଗୁଥିଲା । ଚିନ୍ତାଶୀଳ ଲୋକଙ୍କ ଭଳି ସେ ଟିକିଏ ବିଷାଦଗ୍ରସ୍ତ ଥିଲା । ମୁଁ ତା ପ୍ରତି ଆକୃଷ୍ଟ ହେଲି; ତାକୁ ବୁଝି ପାରିଲି; ମୋର ହତାଶଭାବ ଚାଲିଗଲା; କିନ୍ତୁ ସେ ଏପରି ଗୋଟାଏ ଜଟିଳ ପ୍ରଶ୍ନର ଅବତା’ରଣା କଲା କାହିଁକି ? ଆଧୁନିକ ଯୁଗର କୌଣସି ଲୋକ–ଯିଏ ନିଜକୁ ଠକିବାକୁ ଚାହେଁ ନା–ଏ ପ୍ରଶ୍ନର ଉତ୍ତର ଦେବାକୁ କଷ୍ଟବୋଧ କରିବ । ମୋର ଈଶ୍ୱର କିଏ ? କାହିଁ, ମୁଁ ତ ଜାଣିନାହିଁ ।

 

ମୁଁ ଅଭିଭୂତ ହୋଇପଡ଼ିଲି । ମୋ ପରିସ୍ଥିତିରେ ଥିଲେ କେଉଁ ଲୋକ ଅବା ନିଜର ଧୈର୍ଯ୍ୟ ରଖିପାରନ୍ତା ? ସେ ମୋ ଆଡ଼କୁ ତୀକ୍ଷଣ ଦୃଷ୍ଟିରେ ଚାହିଁ ମୋର ଉତ୍ତରକୁ ଅପେକ୍ଷା କରି ରହିଲା । ତା ମୁହଁରେ ମଧୁର ହସ ।

 

ସେ କହିଲା, ‘‘ଯଦି ତୁମର କିଛି ଉତ୍ତର ଦେବାକୁ ଥାଆନ୍ତା, ତେବେ ତୁମକୁ ଏତେ ସମୟ ଚିନ୍ତା କରିବାକୁ ପଡ଼ନ୍ତା ନାହିଁ । ବୋଧହୁଏ ମୁଁ ପ୍ରଶ୍ନଟି ଅନ୍ୟ ପ୍ରକାରେ ପଚାରିଲେ ତୁମେ ଉତ୍ତର ଦେଇପାରିବ । ତୁମେ ହଉଛ ଜଣେ ଲେଖକ । ହଜାର ହଜାର ଲୋକ ତୁମର ଲେଖା ପଢ଼ନ୍ତି । ତୁମେ ସେମାନଙ୍କୁ କି ଶିକ୍ଷା ଦେଉଛ ? ଅନ୍ୟମାନଙ୍କୁ ଶିକ୍ଷା ଦେବାର ଅଧିକାର ତୁମର ଅଛି କି ନା କେବେ ଭାବିଛ କି ?’’

 

ଜୀବନରେ ଏଇ ପ୍ରଥମ ଥର ପାଇଁ ନିଜର ଅନ୍ତରକୁ ଖୋଜି ଦେଖିଲି । ଏଥିରୁ କେହି ଯେପରି ମନେ ନ କରନ୍ତି ଯେ ମୁଁ ଅନ୍ୟମାନଙ୍କର ମନଯୋଗ ଆକର୍ଷଣ କରିବାପାଇଁ ନିଜର ବଡ଼ପଣ ଦେଖାଉଛି କିମ୍ବା ନିଜର ବିନୟ ପ୍ରକାଶ କରୁଛି । ଭିକାରି କେବେ ଭିକାରିକୁ ଭିକ ମାଗେ-? ନିଜର ଅନ୍ତର ଖୋଜି ମୁଁ ଦେଖିଲି ଯେ ମୋ ଠାରେ ଉଦାରତା ବା ଉଚ୍ଚାଭିଳାଷର ଅଭାବ ନାହିଁ; ସାଧାରଣ ଭାବରେ ଯାହାକୁ ସଦ୍‌ଗୁଣ କୁହାଯାଏ, ସେଥିରୁ କେତେକ ନିଶ୍ଚୟ ଅଛି; କିନ୍ତୁ ସେ ସବୁକୁ ପରସ୍ପର ଏକ ସୂତ୍ରରେ ଆବଦ୍ଧ କରିବାପାଇଁ ଗୋଟାଏ ବଳିଷ୍ଠ ପ୍ରେରଣା, ଜୀବନର ସକଳ ବିଭାବରେ ପ୍ରକଟିତ ଐକ୍ୟବିଶିଷ୍ଟ ଗୋଟାଏ ସ୍ପଷ୍ଟ ଧାରଣାର ଅଭାବ ରହିଛି । ମୋର ଅନ୍ତରରେ ପ୍ରବଳ ଘୃଣାର ତୃଷାନଳ ଜଳୁଛି । ସମୟେ ସମୟେ ଏହା କ୍ରୋଧାଗ୍ନିର ଶିଖା ରୂପରେ ପ୍ରକାଶ ପାଉଛି । ସମୟେ ସମୟେ ଏହା ମୋର ମନକୁ ଅବଶ, ଜଡ଼ କରିଦେଉଛି । ମୋର ଆତ୍ମାକୁ ଧ୍ୱଂସ କରିଦେଉଛି; ଫଳରେ ବଞ୍ଚିରହିଲେ ହେଁ ମୋର ସତ୍ତା ରହୁନାହିଁ । ମୋର ଜୀବନ ପ୍ରତି ଆକର୍ଷଣ ରହୁନାହିଁ, ହୃଦୟ ଜଡ଼ୀଭୂତ ହୋଇଯାଉଛି, ମନ ଅବଶ ହୋଇପଡ଼ୁଛି, ମୋର କଳ୍ପନା କେବଳ ଦୁଃସ୍ୱପ୍ନରେ ପର୍ଯ୍ୟବସିତ ହେଉଛି । ଏହିପରି ବଧିର, ମୂକ, ଅନ୍ଧ, ଅଥର୍ବ ଭାବରେ ମୋର କେତେଦିନ କେତେ ରାତି ବିତିଯାଇଛି । ମୋ ଜୀବନରେ କିଛି ଅଭାବ ଜାଣି ପାରିନାହିଁ କି କିଛି ବୁଝି ପାରିନାହିଁ । ମୋର ମନେହେଲା, ମୁଁ ବହୁଦିନରୁ ମରି ସାରିଛି; କିନ୍ତୁ କୌଣସି କାରଣରୁ ମୋତେ ସମାଧି ଦିଆଯାଇନାହିଁ । ଏଭଳି ଜୀବନ ଆହୁରି କଟାଇବାକୁ ହେବ ବୋଲି ଭାବିଲେ ଜୀବନ ଆହୁରି ଭୟାବହ ମନେହୁଏ !

 

ମୁଁ କି ଶିକ୍ଷା ଦେଇଛି ? ମୁଁ ନିଜେ ଏପରି, ସେଥିରେ ମୁଁ କି ଶିକ୍ଷା ଦେଇପାରେ ? ଲୋକଙ୍କୁ କହିବା ପାଇଁ ମୋର କଅଣ ଅଛି ? ଚିରକାଳ ଧରି ଲୋକଙ୍କୁ ଯାହା କୁହାଯାଇ ଆସିଛି, ଲୋକେ ଯାହା ଶୁଣି ଆସିଛନ୍ତି, ତାହାଛଡ଼ା ଆଉ କଅଣ କହିବି ? ଏହା ଫଳରେ ମାନବଜୀବନ କେବେ ଉନ୍ନତତର ହୋଇନାହିଁ । ପୁଣି ମୁଁ ଯେଉଁ ଉପଦେଶ ପାଇଥିଲି ଯେଉଁ ଉପଦେଶ ଅନୁସାରେ ଲାଳିତପାଳିତ ହୋଇଥିଲି, ଅଥଚ ଯେଉଁ ଉପଦେଶ କେବେ ପାଳନ କରିନାହିଁ, ତାହାକୁ ପ୍ରଚାର କରିବାର ଅଧିକାର ମୋର କାହୁଁ ଆସିଲା ? ଯେତେବେଳେ ମୁଁ ସେହି ଉଦେଶର ବିରୋଧାଚରଣ କରୁଥିଲି, ସେତେବେଳେ କଅଣ ସ୍ପଷ୍ଟ ପ୍ରମାଣିତ ହେଉନାହିଁ ଯେ ସେ ଉପଦେଶର ସତ୍ୟତାରେ ମୋର ବିଶ୍ୱାସ ନ ଥିଲା । ମୋ ପାଖରେ ଏ ଯେଉଁ ଲୋକଟି ବସିଛି ତାକୁ ମୁଁ କି ଉତ୍ତର ଦେବି ।

 

ମୋ ଠାରୁ ଅନେକ ବେଳଯାଏ କୌଣସି ଉତ୍ତର ନ ପାଇ ସେ ପୁଣି କହିବାକୁ ଲାଗିଲା–

 

‘‘ମୁଁ ଦେଖୁଛି, ତୁମର ଉଚ୍ଚାକାଙ୍‌କ୍ଷା ତୁମର ସମ୍ମାନ–ବୋଧକୁ ଧ୍ୱଂସ କରି ଦେଇନାହିଁ; ସେଇଥିପାଇଁ ମୁଁ ତୁମକୁ ଏସବୁ ପ୍ରଶ୍ନ ପଚାରୁଛି; ତା ନୋହିଥିଲେ ପଚାରି ନ ଥାନ୍ତି । ମୋ କଥା ଶୁଣିବାକୁ ତୁମର ସାହାସ ଅଛି । ସେଥିରୁ ବୁଝୁଛି ତୁମର ଆତ୍ମପ୍ରୀତି ବିଚାରଶକ୍ତି ଉପରେ ପ୍ରତିଷ୍ଠିତ । ସେହି ଆତ୍ମପ୍ରୀତିର ଅଭିବୃଦ୍ଧି ପାଇଁ ତୁମେ ଏପରି ବ୍ୟାକୁଳ ଯେ ଘୋର ଯନ୍ତ୍ରଣାରୁ ମଧ୍ୟ ତୁମେ ପକାଇ ଯାଉନାହିଁ । ଏହି ହେତୁରୁ ମୁଁ ତୁମ ପ୍ରତି ଅଭିଯୋଗର ମାତ୍ରା କମାଇ ଦେଇ କହିପାରେଁ, ତୁମେ ଏକାବାରେ ନିଷ୍କଳଙ୍କ ନ ହେଲେ ସୁଦ୍ଧା ଅପରାଧୀ ନୁହ ।

 

ଏକ ସମୟରେ ଏହି ପୃଥିବୀରେ ମହାନ୍‌ ଲେଖକମାନେ ଥିଲେ । ସେମାନେ ମାନବଜୀବନ, ମାନବହୃଦୟ ଅଧ୍ୟୟନ କରିଥିଲେ; ଜଗତକୁ ଉନ୍ନତତର କରିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା; ମନୁଷ୍ୟ ପ୍ରକୃତିରେ ସେମାନଙ୍କର ଅଟଳ ବିଶ୍ୱାସ ଥିଲା । ସେମାନେ ଯେଉଁ ସବୁ ଗ୍ରନ୍ଥ ଲେଖିଯାଇଅଛନ୍ତି, ସେସବୁ କେବେହେଲେ ବିସ୍ତୃତିଗର୍ଭରେ ଲୋପ ପାଇଯିବ ନାହିଁ । ସେ ଗ୍ରନ୍ଥମାନଙ୍କରେ ରହିଛି ସନାତନ ସତ୍ୟ, ଅବିମିଶ୍ର ସୌନ୍ଦର୍ଯ୍ୟ । ସେଥିରେ ଯେଉଁ ଚରିତ୍ରମାନେ ବର୍ଣ୍ଣିତ ହୋଇଅଛନ୍ତି, ସେମାନେ ହେଉଛନ୍ତି ଜୀବନ୍ତ; ଦିବ୍ୟ ପ୍ରେରଣାରୁ ସେମାନଙ୍କର ସୃଷ୍ଟି । ସେହି ଗ୍ରନ୍ଥମାନଙ୍କରେ ରହିଛି ସାହସ, କ୍ରୋଧର ହବି, ପ୍ରକୃତ ପ୍ରେମ; ସେଥିରେ ଗୋଟିଏ ହେଲେ ଅନାବଶ୍ୟକ ଶବ୍ଦ ମିଳିବ ନାହିଁ । ମୁଁ ଜାଣେ, ଏହି ଗ୍ରନ୍ଥମାନଙ୍କରୁ ତୁମେ ଆତ୍ମାପାଇଁ ଖାଦ୍ୟ ଆହରଣ କରିଛ; କିନ୍ତୁ ତୁମର ଆତ୍ମା ତାହାକୁ ପରିପାକ କରିପାରି ନାହିଁ । ତୁମେ ସତ୍ୟ; ପ୍ରେମ ଆଦି ବିଷୟରେ ଯାହା ଲେଖୁଛ, ତାହା ମିଥ୍ୟା କପଟତା ବୋଲି ବୋଧ ହେଉଛି । ଚନ୍ଦ୍ର ଯେପରି ନିଜର ଆଲୋକ ନ ଥିବାରୁ ସୂର୍ଯ୍ୟଠାରୁ ଆଲୋକ ଆଣି ତାକୁ ଅନ୍ୟତ୍ର ପ୍ରତଫଳିତ କରେ, ତୁମେ ସେହିପରି ଅନ୍ୟର ଭାବକୁ ପ୍ରଚାର କରିବାକୁ ଯାଉଛ । ଚନ୍ଦ୍ରକିରଣ ନିଶ୍ଚୟ ମଳିନ ହେବ । ଏହାଦ୍ୱାରା ବହୁ ଛାୟାର ସୃଷ୍ଟି ହୋଇପାରେ; ମାତ୍ର ଉଜ୍ଜ୍ୱଳ ଆଲୋକ ବା ଉତ୍ତାପ ମିଳି ନ ପାରେ । ତୁମେ ନିଜେ ଏତେ ଦରିଦ୍ର ଯେ ଅନ୍ୟକୁ କିଛି ମୂଲ୍ୟବାନ୍‌ ବସ୍ତୁ ଦେବାର ଶକ୍ତି ତୁମଠାରେ ନାହିଁ । ସୁନ୍ଦର ଚିନ୍ତା, ସୁନ୍ଦର ଭାଷା ଦ୍ୱାରା ଜୀବନକୁ ଉନ୍ନତତର କରିବାରେ ଯେଉଁ ସନ୍ତୋଷ ମିଳେ, ତୁମେ କବିତାଦ୍ୱାରା ସେ ପ୍ରକାର ସନ୍ତୋଷ ପାଇପାରୁ ନାହିଁ । ଜୀବନରୁ ତଥା ମାନବସମାଜରୁ ଅଧିକ କିଛି ପାଇବା ଆଶାରେ ତୁମେ ଯାହା କିଛି ଦାନ କରୁଛ । ନିଜ ଜୀବନର ସାମାନ୍ୟ ଅନୁଭୂତିକୁ ମୂଳଧନ ରୂପେ ଦେଇ ତା’ର ପରିବର୍ତ୍ତରେ ତୁମେ ସୁଧ ସ୍ୱରୂପ ଯଶ ଆଶା କରୁଛ । ତୁମେ ମହାଜନୀ କରିବାକୁ ବସିଛ । ତୁମେ ଅତି ସାଧାରଣ ମନୋଭାବକୁ ପ୍ରକାଶ କରୁଛ, ହୁଏତ ଅନେକ ସାମାନ୍ୟ ସତ୍ୟ ଶିକ୍ଷା ଦେଉଛ; କିନ୍ତୁ ମାନବର ଆତ୍ମାକୁ ଊର୍ଦ୍ଧ୍ୱଗାମୀ କରିବା ପାଇଁ ତୁମର ଶକ୍ତି ଅଛି କି ? ସାଧାରଣ ଜୀବନର ପରିତ୍ୟକ୍ତ ମଇଳାକୁ ଘାଣ୍ଟିଲେ ଯେଉଁ ସାମାନ୍ୟ ସତ୍ୟ ବାହାରିବ, ସେଥିରୁ କେବଳ ପ୍ରମାଣିତ ହେବ ଯେ ମନୁଷ୍ୟ ଖଳପ୍ରକୃତିକ, ମୂର୍ଖ; ତା’ର ସମ୍ମାନ ନାହିଁ, ସେ ଚିରଦିନ ପାଇଁ ପୂରାମାତ୍ରାରେ ଅବସ୍ଥାର ଦାସ; ସେ ଦୁର୍ବଳ, ସେ ଦୟାର ପାତ୍ର; ସେ ନିଃସହାୟ । ତୁମେ ଯେବେ ଏହା ଜାଣିଥାଅ, ତେବେ ଭାବି ଦେଖ, ମନୁଷ୍ୟର ମନ କିପରି ଅବସାଦଗ୍ରସ୍ତ ହୋଇପଡ଼ିଛି; ତା’ର ହୃଦୟରେ ଆଉ ସ୍ପନ୍ଦନ ଅଛି କି ? ଏଥିରେ ବିସ୍ମୟର କାରଣ ନାହିଁ । ପୁସ୍ତକମାନଙ୍କରେ ମନୁଷ୍ୟ ଯେପରି ଚିତ୍ରିତ ହୋଇଛି, ସେ ନିଜକୁ ସେହିପରି ଦେଖୁଛି । ତୁମେ ତାକୁ ଯେପରି ଚିତ୍ରିତ କରୁଛ, ସେଥିରୁ ସେ ନିଜର କୁତ୍ସିତ ରୂପ ହିଁ ଦେଖୁଛି, ଉନ୍ନତିର କୌଣସି ସମ୍ଭାବନା ସେ ଦେଖିପାରୁ ନାହିଁ । ତାକୁ ସେହି ସମ୍ଭାବନା ଦେଖାଇବାର ଶକ୍ତି ତୁମର ଅଛି କି ? ତୁମେ କେବଳ ମୋ କଥା ଶୁଣିଯାଉଛି, ପ୍ରତିବାଦ କରୁନାହିଁ କି ନିଜ କାର୍ଯ୍ୟର ସମର୍ଥନ କରୁନାହିଁ । ତୁମର ସେଭଳି ଶକ୍ତି ଅଛି ବୋଲି କିପରି କହିବି । ମୁଁ ତୁମର ମନୋଭାବ ବୁଝିପାରୁଛି । ଶିକ୍ଷକ ପକ୍ଷରେ ନିଷ୍କପଟ (Honest)ହେବା, ଛାତ୍ର ପରି ମନୋଯୋଗୀ ହେବା ଅବଶ୍ୟ ଭଲ କଥା । ଆଜିକାଲିକାର ଶିକ୍ଷକମାନେ ମନୁଷ୍ୟକୁ ଯାହା ଦେଉଛନ୍ତି, ତହିଁରୁ ଅଧିକ ନେଉଛନ୍ତି । ସେମାନେ ମନୁଷ୍ୟର ଦୋଷ ଛଡ଼ା ଆଉ କିଛି ଦେଖିପାରୁନାହାନ୍ତି; କିନ୍ତୁ ମନୁଷ୍ୟର ନିଶ୍ଚୟ କିଛି ଗୁଣ ମଧ୍ୟ ଅଛି-। ତୁମର କଣ କିଛି ଗୁଣ ନାହିଁ ? ଅବଶ୍ୟ ଅଛି । ଯେଉଁ ମନୁଷ୍ୟକୁ ତୁମେ ଏତେ ବିକୃତ ରୂପରେ ନିର୍ଦ୍ଦୟଭାବରେ ଚିତ୍ରଣ କରୁଛ, ତାହାଠାରୁ ତୁମର ପ୍ରଭେଦ କେଉଁଠି ? ଧର୍ମର ବିଜୟ ପାଇଁ ତୁମେ ଅଧର୍ମକୁ ପ୍ରକାଶ କରିବା ନିମନ୍ତେ ନିଜକୁ ଈଶ୍ୱରପ୍ରେରିତ ମହାପୁରୁଷ ବୋଲି ମନେ କରୁଛ; କିନ୍ତୁ ଧର୍ମ ଓ ଅଧର୍ମର ଭେଦ ଖୋଜିବାକୁ ଯାଇ ତୁମେ କଅଣ ଦୁଇଟିଯାକ ପରସ୍ପର ଛନ୍ଦାଛନ୍ଦି ହୋଇଥିବାର ଦେଖିପାରୁନାହିଁ ? ଗୋଟିଏ କଳା ଓ ଗୋଟିଏ ଧଳା ହେଲେ ହେଁ ଦୁହେଁଯାକ ମିଳିଯାଇ ଧୂସର ହୋଇଯାଇଛନ୍ତି, ଗୋଟିଏ ଅନ୍ୟଟି ଉପରେ ପ୍ରଭାବ ବିସ୍ତାର କରୁଛି । ତୁମେ ଯେ ଈଶ୍ୱରପ୍ରେରିତ ମହାପୁରୁଷ, ଏଥିରେ ମୋର ଘୋର ସନ୍ଦେହ । ସେ ଯଦି ତାଙ୍କର କୌଣସି ଦୂତକୁ ମହାପୁରୁଷରୂପେ ପଠାଇଥାନ୍ତେ, ତେବେ ସେ ନିଶ୍ଚୟ ତୁମଠାରୁ ଯୋଗ୍ୟତା’ର ବ୍ୟକ୍ତିକୁ ପଠାଇ ପାରିଥାନ୍ତେ । ସେ ଯାହାକୁ ପଠାଇଥାନ୍ତେ ସେ ପ୍ରେମ, ସତ୍ୟ ଦ୍ୱାରା ମନୁଷ୍ୟକୁ ଅନ୍ଧକାର ମଧ୍ୟରେ ଆଲୋକ ଦେଖାଇଥାନ୍ତେ । ତାଙ୍କଦ୍ୱାରା ଈଶ୍ୱରଙ୍କର ମହିମା ଓ ପ୍ରଭୁତ୍ୱ ପ୍ରଚାରିତ ହେଉଥାନ୍ତା । ତୁମେ ଈଶ୍ୱରଙ୍କର ଉଜ୍ଜ୍ୱଳ ଆଲୋକ ପରିବର୍ତ୍ତେ ସଇତାନର ଧୂଆଁ ଧରିଛି; ସେ ଧୂଆଁରେ ମନୁଷ୍ୟର ମନ, ମନୁଷ୍ୟର ହୃଦୟ ଅନ୍ଧୀଭୂତ; ଫଳରେ ତା’ର ନିଜ ଉପରେ ମଧ୍ୟ ବିଶ୍ୱାସ ରହୁନାହିଁ । ମତେ କୁହ ଦେଖି, ତୁମେ କଅଣ ଶିକ୍ଷା ଦେଉଛ ?’’

 

ଲୋକଟିର ଆଖିକୁ ଚାହିଁବାକୁ ମୋର ସାହସ ହେଲା ନାହିଁ; ମୁଁ ମୁହଁ ବୁଲାଇନେଲି । ତା’ର କଥାରେ ମୋ ମୁଣ୍ଡରେ ଭୟ ପଶିଗଲା । ମୁଁ ବୁଝିପାରିଲି, ତା’ର ସରଳ ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ମୋ ପକ୍ଷରେ ଅତି କଠିନ । ମୁଁ କିଛି ଉତ୍ତର ଦେଇପାରିଲି ନାହିଁ ।

 

‘‘ତୁମେ ଓ ତୁମ ଭଳି ସାହିତ୍ୟିକ ମାନେ ଯାହା ସବୁ ଲେଖୁଛନ୍ତି, ସେ ସବୁର ଜଣେ ପାଠକ ଭାବରେ ମୁଁ ପଚାରୁଛି, ତୁମେ କଅଣ ଲେଖୁଛ ? ତୁମେ ନିଜେ ଅନେକ ବହି ଲେଖୁଛ ? ଲୋକଙ୍କ ହୃଦୟର ମହତ୍ ଭାବକୁ ଜାଗ୍ରତ କରିବାକୁ ଲେଖିଛି କି ? ତୁମେ କଦାପି ତା କରିପାରିବ ନାହିଁ; ସେଥିପାଇଁ ତୁମର ଭାଷା ନାହିଁ । ଏକେ ତ ଜୀବନକୁ କିଛି ନୂତନ ଅବଦାନ ଦେବାକୁ ତୁମର ଶକ୍ତି ନାହିଁ । ସେଥିରେ ପୁଣି ତୁମେ ପୁରାତନ ଭାବଧାରାକୁ ବିକୃତଭାବରେ ପ୍ରଚାର କରୁଛ । ତୁମର ଲେଖା କିଛି ମାତ୍ର ଶିକ୍ଷା ଦେଉନାହିଁ; ତୁମର ପାଠକମାନେ ତୁମ ଛଡ଼ା ଆଉ କୌଣସି ବିଷୟରେ ଲଜ୍ଜା ଅନୁଭବ କରୁନାହାନ୍ତି । ତୁମ ଲେଖାରେ ଯାହା କିଛି ଅଛି ସବୁ ଅତି ସାଧାରଣ ସାଧାରଣ ଲୋକ, ସାଧାରଣ ଚିନ୍ତା, ସାଧାରଣ ଘଟନା । କେବେ ଲୋକେ ଆତ୍ମାର ବିପ୍ଳବ, ଆତ୍ମାର ପୁନରୁତ୍‌ଥାନ କଥା କହିବେ ? ସୃଜନାତ୍ମକ ଜୀବନପ୍ରତି ଆହ୍ୱାନ କାହିଁ ? ବୀରତ୍ୱର ଶିକ୍ଷା କାହିଁ ? ଆତ୍ମାକୁ ଊର୍ଦ୍ଧ୍ୱକୁ ଉଠାଇବାର ଭାଷା କାହିଁ ?

 

ହୁଏତ ତୁମେ କହିପାର–ଆମେ ଲେଖକମାନେ ଜୀବନର ଯେଉଁ ଆଦର୍ଶ ଦେଉଁ, ତା ଛଡ଼ା ଅନ୍ୟ ଆଦର୍ଶ ନାହିଁ ! ଏପରି କୁହ ନାହିଁ । ଯାହାର ଲେଖିବାର ଶକ୍ତି ଅଛି, ସେ କିପରି ସ୍ୱୀକାର କରିବ ଯେ ଜୀବନର ଊର୍ଦ୍ଧ୍ୱକୁ ଉଠିବାର ଶକ୍ତି ତା’ର ନାହିଁ । ଏହା ତା ପକ୍ଷରେ ଘୋର ଲଜ୍ଜା ଓ ଅପମାନର କଥା । ଯଦି ତୁମେ ଜୀବନ ମଧ୍ୟରେ ଆବଦ୍ଧ, ଜୀବନରେ ଯାହା ନାହିଁ ଅଥଚ ଜବୀନର ଉନ୍ନତି ପାଇଁ ଯାହା ନିତାନ୍ତ ଦରକାର, ସେଭଳି ଆଦର୍ଶ ସୃଷ୍ଟି କରିବାକୁ ଯଦି ତୁମେ ଅକ୍ଷମ, ତେବେ ତୁମ ଲେଖାର ମୂଲ୍ୟ କଅଣ ? ନିଜ ମନକୁ ପଚାରି ଦେଖ, ସମାଜର ବୈଚିତ୍ର୍ୟହୀନ ଜୀବନର ଗୋଟାଏ ଅବିକଳ ପ୍ରତିଚ୍ଛବି ଦେବାଦ୍ୱାରା ତୁମେ ମନୁଷ୍ୟର ବୁଦ୍ଧିଶକ୍ତିକୁ ବିଭ୍ରାନ୍ତ କରୁନାହିଁ କି ? ଏହାଦ୍ୱାରା ସମାଜର ଲାଭ କରୁଛ କି କ୍ଷତି କରୁଛ ? ଜୀବନର ଯେଉଁଭଳି ପ୍ରତିଚ୍ଛବି ଦେଲେ ନୂତନ ପ୍ରକାରର ଜୀବନଗଠନ ଲାଗି ଅଦମ୍ୟ ଅଭିଳଷ ଜାତ ହେବ ସେଭଳି ଜୀବନର ପ୍ରତିଚ୍ଛବି ଦେବାକୁ ତୁମର ଶକ୍ତି ନାହିଁ । ଏ କଥାଟା ସ୍ପଷ୍ଟ ଭାରବେ ସ୍ୱୀକାର କର । କିପରି ଜୀବନନାଟିକାକୁ ଉତ୍ତେଜିତ କରିବାକୁ ହେବ, କିପରି ଜୀବନରେ ଶକ୍ତି ପ୍ରବେଶ କରାଇବାକୁ ହେବ, ଜାଣ କି ?’’

 

ମୋର ଏହି ଅଦ୍ଭୁତ ବନ୍ଧୁଟି ଟିକିଏ ରହିଗଲେ । ଏହି ଅବସରରେ ମୁଁ କିଛି ନ କହି ତାଙ୍କ କଥାଗୁଡ଼ିକ ଚନ୍ତା କରିବାକୁ ଲାଗିଲି ।

 

‘‘ମୁଁ ଚାରିଆଡ଼େ ବହୁତ ଚତୁର କୌଶଳୀ ଲୋକ ଦେଖୁଛି; କିନ୍ତୁ ଖୁବ୍‍ କମ୍‍ ମହତ୍‌ଲୋକ ଦେଖୁଛି । ସେଇ କେତେଜଣଙ୍କର ଆତ୍ମା ମଧ୍ୟ ରୁଗ୍‌ଣ, ବିକୃତ । କୌଣସି କାରଣରୁ ଯେଉଁ ଲୋକ ଯେତେ ମହତ୍‌, ତା’ର ଅନ୍ତରାତ୍ମା ସେତିକି ସତ୍ ଓ ନିଷ୍ପଳଙ୍କ । ଯାହାର ଶକ୍ତି ଯେତେ କମ୍‍, ତା’ର ଅନ୍ତରାତ୍ମା ସେତିକି ରୁଗ୍‌ଣ, ଦୁର୍ବଳ; ତା’ର ଜୀବନ ସେତିକି ଦୁଃଖମୟ । ଏପରି ଲୋକ ବନ୍ଧୁହୀନ ଓ ହତଭାଗ୍ୟ ହେବା ନିଶ୍ଚିତ । ସେମାନେ ଉନ୍ନତତର ହେବାକ ଅଭିଳାଷୀ; କିନ୍ତୁ ଉନ୍ନତତର ଜୀବନଗଠନ କରିବାକୁ ସେମାନଙ୍କର ଶକ୍ତି ନାହିଁ । ସେମାନେ ଏପରି ଦଳିତ ଓ ଶକ୍ତିହୀନ ହେବାର ଏକମାତ୍ର କାରଣ ହେଉଛି; ଠିକ୍ ସମୟରେ ସେମାନଙ୍କୁ ଉପଯୁକ୍ତ ଉତ୍ସାହବାଣୀ ଶୁଣାଇବାକୁ କେହି ନାହିଁ । କଅଣ, ମୋ କଥା ଠିକ୍‍ ନୁହେଁ ?’’

 

‘‘ଯେଉଁ ବିମଳ ହାସ୍ୟରେ ଆତ୍ମା ପବିତ୍ର ହୋଇଉଠେ, ସେପରି ହାସ୍ୟ ତୁମଠାରୁ ବାହାରେ କି ? ଦେଖ, ଠିକ୍‍ କିପରି ହସିବାକୁ ହୁଏ, ତା’ ମଧ୍ୟ ଲୋକେ ଭୁଲିଗଲେଣି । ସେମାନଙ୍କ ହସ ବିଦ୍ୱେଷର ହସ, ନୀଚତା’ର ହସ; ସେ ହସର ଅନ୍ତରାଳରେ ଅଛି ବିଷାଦ, କ୍ରନ୍ଦନ । ଅନ୍ତରର ଆନନ୍ଦ ସହିତ ଯେଉଁ ହସ, ସେ ହସ ସେମାନଙ୍କଠାରେ ନାହିଁ । ହସ ହେଉଛି ବଡ଼ ଉପକାରୀ । ଯେଉଁ ସବୁ ଗୁଣରେ ମନୁଷ୍ୟ ଇତର ପ୍ରାଣୀଠାରୁ ପୃଥକ୍, ସେଥିଭିତରୁ ହସ ହେଉଛି ଅନ୍ୟତମ । ଯେଉଁମାନେ ଦୀନହୀନ, ସେଇମାନଙ୍କର ନିନ୍ଦା କରି ଶସ୍ତା ହସ ଛଡ଼ା ତୁମେ ଆଉ କେଉଁ ହସ ଜାଣ କି ? ଯଥାର୍ଥ ଭାବପ୍ରବଣତା ଜାଗ୍ରତ କରିବାର ଶକ୍ତି ଥିଲେ ତୁମର ଶିକ୍ଷା ଦେବାର ଅଧିକାର ଆସିବ–ଏ କଥା ବୁଝିବାକୁ ଚେଷ୍ଟାକର । କ୍ରୋଧ, ଘୃଣା, ସାହସ, ଲଜ୍ଜା, ବିରକ୍ତି, ନୈରାଶ୍ୟ ଏସବୁ ଦ୍ୱାରା ପୃଥିବୀର ଯେକୌଣସି ପଦାର୍ଥକୁ ଧ୍ୱଂସ କରାଯାଇପାରେ । ଏଗୁଡ଼ିକ ହେଉଛନ୍ତି ଗୋଟିଏ ଗୋଟିଏ ଉତ୍ତୋଳନ ଦଣ୍ଡ । ଏ ପ୍ରକାର ଦଣ୍ଡର ବ୍ୟବହାର ତୁମେ ଜାଣ ? ମନୁଷ୍ୟର ଦୋଷଦୁର୍ବଳତା ପାଇଁ ତୁମ ହୃଦୟରେ ପ୍ରବଳ ଘୃଣା ଓ ସାଧାରଣ ମନୁଷ୍ୟ ପାଇଁ ବିପୁଳ ପ୍ରେମ ଥିଲେ ଜନସାଧାଣଙ୍କୁ କହିବା ପାଇଁ ତୁମର ଅଧିକାର ଆସିବ । ଯଦି ଏ ଦୁଇଟିରୁ କୌଣସିଟି ତୁମ ଅନ୍ତରରେ ନ ଥାଏ, ତେବେ କିଛି କହିବା ପୂର୍ବରୁ ବିନୀତ ଭାବରେ ଉତ୍ତମରୂପେ ବିଚାର କର ।’’

 

ସେତେବେଳକୁ ଆଲୁଅ ପଡ଼ିଆସିଥିଲା; କିନ୍ତୁ ମୋର ହୃଦୟର ଅନ୍ଧକାର ଆହୁରି ଘନୀଭୂତ ହୋଇଆସୁଥିଲା । ଏ ଲୋକଟା ମୋର ଅନ୍ତରର ସମସ୍ତ ରହସ୍ୟ ଜାଣି କହିବାରେ ଲାଗିଥିଲା । ମଝିରେ ମଝିରେ ମୁଁ ବିସ୍ମିତ ହୋଇ ଭାବୁଥିଲି ଏ ଲୋକଟା କଅଣ ମନୁଷ୍ୟ ନା ଆଉ କିଛି ?

 

‘‘ଜୀବନକୁ ଗତିଶୀଳ କରିବା ପାଇଁ ତୁମର ଶକ୍ତି ନାହିଁ କି ଜ୍ଞାନ ନାହିଁ । ତେଣୁ ତା’ର ଗତି ଅତି ମନ୍ଥର ହେଉଛି । ତଥାପି ଜୀବନ ପ୍ରଶସ୍ତତର ଓ ଗଭୀରତର ହେଉଛି । ଜୀବନ ଗତି କରୁଛି, ଦିନକୁ ଦିନ ଲୋକେ ଅଧିକ ଜିଜ୍ଞାସୁ ହେଉଛନ୍ତି । ସେମାନଙ୍କ ଜିଜ୍ଞସାର ଉତ୍ତର ଦେବ କିଏ-? ତୁମେ ଲେଖକମାନେ ହିଁ ଉତ୍ତର ଦେବା ଉଚିତ । ତୁମେମାନେ ନିଜକୁ ପରା ଈଶ୍ୱରଙ୍କ ଦୂତ ବୋଲି ମନେକରୁଛ ? ତୁମେ କଅଣ ଜୀବନକୁ ଭଲଭାବରେ ଜାଣିଛ ଯେ ଅନ୍ୟ ଆଗରେ ଜୀବନର ବ୍ୟାଖ୍ୟା କରିପାରିବ ? ସମୟ କଅଣ ଚାହେଁ, ତୁମେ ଜାଣ କି ? ତୁମର ଭବିଷ୍ୟତ ଜ୍ଞାନ ଅଛି କି ? ଯିଏ ଜୀବନର ନୀଚତାରେ କଳୁଷିତ, ଯାହାର ହୃଦୟ ନାହିଁ, ତାକୁ ଉଜ୍ଜୀବିତ କରିବା ପାଇଁ ତୁମେ କିଛି କହିପାରିବ କି । ତା’ର ହୃଦୟ ନାହିଁ, ଜୀବନରେ ଉତ୍ସାହ ନାହିଁ, ଭଦ୍ରୋଚିତ ଭାବରେ ଜୀବନ ଯାପନର ଇଚ୍ଛା ନାହିଁ, କେବଳ କୌଣସି ପ୍ରକାରେ ବଞ୍ଚିବାକୁ ଚାହେଁ । ଏ ତ ଘୁଷୁରିର ଜୀବନ । କେହି ‘ଆଦର୍ଶ’ ଏହି ଶବ୍ଦଟି ଉଚ୍ଚାରଣ କଲେ ସେ ବିଦ୍ରୂପ କରି ହସୁଛି । ସେ ଏତେଦୂର ଅଧୋଗାମୀ ହେଲାଣି ଯେ ସେ କେବଳ ଗୁଡ଼ିଏ ହାଡ଼ ହୋଇଛି, ତା’ ଉପରେ କିଛି ମାଂସ ଓ ଚମ ରହିଛି । ଏହି ହାଡ଼ରେ ଆତ୍ମା ନାହିଁ; ଅଛି ଖାଲି ଲୋଭ, କାମନା । ତା’ର ନିତାନ୍ତ ଦରକାର ହେଉଛି ତୁମର ମନୋଯୋଗ । ଯାଅ, ତା’ର ମନୁଷ୍ୟରୂପ ଥାଉଁ ଥାଉଁ ତାକୁ ମନୁଷ୍ୟ ପରି ବଞ୍ଚିବାକୁ ଶିକ୍ଷା ଦିଅ; କିନ୍ତୁ ଯେତେ ଦିନଯାଏ ତୁମେ ନିଜେ ଅସନ୍ତୋଷ ପ୍ରକାଶ କରୁଥିବ, ଅଭିଯୋଗ କରୁଥିବ, ତା’ର ଅଧୋଗତିର ଚତ୍ରଣ କରୁଥିବ, ସେତେଦିନଯାଏ ଜୀବନ ପ୍ରତି ତା’ର ଆଗ୍ରହ ସୃଷ୍ଟି କରିପାରିବ କିପରି ? ଅଧୋଗତିର ଛାୟା ପୃଥିବୀକୁ ଆବରଣ କରି ରହିଛି, ଭୀରୁତା, ଦାସ ମନୋଭାବ ମନୁଷ୍ୟର ହୃଦୟକୁ ଅଧିକାର କରିଛି, ଆଳସ୍ୟ ତା’ର ମନ ଓ ଇନ୍ଦ୍ରିୟକୁ ବାନ୍ଧି ରଖିଛି । ଏହି ଘୃଣ୍ୟ ପରିସ୍ଥିତିରେ ତୁମେ କଅଣ ଦେଉଛ ? ତୁମେ କେଡ଼େ ଶୂନ୍ୟ, କେଡ଼େ ହୀନ ? ତୁମଭଳି କେତେ ଜଣ ଅଛନ୍ତି ? ଜଣେ ମାତ୍ର ଯଦି ବାହାରନ୍ତା, ଯାହାର ଅନ୍ତରରେ ପ୍ରେମ, ଯାହାର ହୃଦୟରେ ବହ୍ନି ଥାଆନ୍ତା, ଲଜ୍ଜାଜନକ ନୀରବତା ଭିତରେ ଘଣ୍ଟାଧ୍ୱନି ପରି ତା’ରିଠାରୁ ଶୁଣାଯାନ୍ତା ଐଶୀବାଣୀ । ଏହି ବାଣୀ ଶୁଣି ଏ ଜୀବନ୍ତ–ମୃତ ବ୍ୟକ୍ତିଙ୍କ ଅନ୍ତରରେ ସ୍ପନ୍ଦନ ସୃଷ୍ଟି ହୁଅନ୍ତା ।’’

 

ଲୋକଟି ଏତିକି କହି ନୀରବ ହେଲା । ଲଜ୍ଜାରେ ହେଉ ବା ଭୟ ହେତୁରୁ ହେଉ, ମୁଁ ତା ଆଡ଼କୁ ଅନାଇ ପାରିଲି ନାହିଁ ।

 

ପୁଣି ସେ ଉଦାସୀନ ଭାବରେ ମୋତେ ପଚାରିଲା, ‘‘ତୁମର ମୋତେ କଅଣ କିଛି କହିବାର ଅଛି ?’’

 

ମୁଁ ଉତ୍ତର ଦେଲି, ‘‘ନା, କିଛି ନାହିଁ ।’’

 

ପୁଣି ସେ ନୀରବ ରହିଲା । କିଛି ସମୟ ପରେ ସେ ପ୍ରଶ୍ନ କଲା, ‘‘ଏଣିକି ତୁମେ କିପରି ବଞ୍ଚିବ ?’’

 

ମୁଁ ଉତ୍ତର କଲି, ‘‘ତା ଜାଣେ ନା ।’’

 

‘‘ତୁମେ କଅଣ ଲେଖିବ ?’’

 

ମୁଁ କିଛି ଉତ୍ତର ନ ଦେଇ ଚୁପ୍‍ ହୋଇ ରହିଲି ।

 

‘‘ଚୁପ୍‍ ହୋଇ ରହିବାଟା ହେଉଛି ସବୁଠାରୁ ବୁଦ୍ଧିମାନ୍‌ର କାର୍ଯ୍ୟ ।’’

 

ମୋର ଶିରାପ୍ରଶିରା ଛିନ୍ନଭିନ୍ନ ହେଲାପରି ବୋଧ ହେଉଥାଏ । ତା’ପରେ ସେ ଗୋଟାଏ ହସ ହସିଲା; ସତେ ଅବା ସେ ଏ ହସଟା ହସିବ ବୋଲି ବହୁକାଳରୁ ଅପେକ୍ଷା କରିଥିଲା-! ସେ ଅନ୍ତର ଖୋଲି ହସିଲା; କିନ୍ତୁ ସେ ହସ ଶୁଣି ମୋର ରକ୍ତ ଶୁଖିଗଲା ।

 

‘‘ହେଃ, ହେଃ, ହେଃ, ତୁମେ ଅନ୍ୟକୁ ବଞ୍ଚିବା ପାଇଁ ଶିକ୍ଷା ଦେବାକୁ ଆଶା କରୁଛ; ତୁମଠାରୁ ଏ ନୀରବତା ଶୋଭା ପାଏନି । ଏଇ ସାମାନ୍ୟ କଥାରେ ଏପରି ବିଚଳିତ ହୋଇପଡ଼ୁଛ-? ଏବେ ଚିହ୍ନିପାରିଲ, ମୁଁ କିଏ ? ହେଁ ହେଁ । ଆଉ ଏ ଯୁବକମାନେ ଯେଉଁମାନେ ଜନ୍ମରୁ ବୃଦ୍ଧ–ମୋ ସଙ୍ଗେ କଥାବାର୍ତ୍ତା ହେଲେ ତୁମରି ଭଳି ବିଚଳିତ ହୋଇପଡ଼ିବେ । ମିଥ୍ୟା, ଔଦ୍ଧତ୍ୟ, ନିର୍ଲଜ୍ଜତା ଯାହାର ଅସ୍ତ୍ର, ସେଇ କେବଳ ତା’ର ବିବେକର ବାଣୀକୁ ଶୁଣିବାକୁ ପଶ୍ଚାତ୍‌ପଦ ହେବ । ତୁମେ କେଡ଼େ ଶକ୍ତିଶାଳୀ, ତା ଏବେ ଜଣାପଡ଼ିଗଲା । ଟିକିଏ ଠେଲିଦେଲେ, ତୁମେ ତଳେ ପଡ଼ିଗଲ-। ନିଜର ସମର୍ଥନ କରି ପଦେ ହେଲେ କୁହ; ମୁଁ ଯାହା କହିଲ, ତାକୁ ଅସ୍ୱୀକାର କର, ତୁମର ଅନ୍ତରର ଦୁଃଖ ଓ ଲଜ୍ଜା ଟିକିଏ ଉପଶମ ହେବ । ମୁହୂର୍ତ୍ତକ ପାଇଁ ହେଉ ପଛକେ ଥରେ ଶକ୍ତିଶାଳୀ ହୁଅ, ଆତ୍ମବିଶ୍ୱାସୀ ହୁଅ । ତେବେ ମୁଁ ତୁମକୁ ଯାହା କହିଛି, ସବୁ ପ୍ରତ୍ୟାହାର କରିନେବି; ତୁମ ପାଖରେ ନତମସ୍ତକ ହେବି । ଉପଦେଷ୍ଟା ହେବାର ଯୋଗ୍ୟତା ହେଉଛି ଆତ୍ମାର ମହତ୍ତ୍ୱ । ତୁମ ଆତ୍ମାରେ ଯଦି ସେ ଗୁଣ ଲବମାତ୍ର ଥାଏ, ଦେଖାଇଦିଅ । ମୁଁ ଜଣେ ସାଧାରଣ ମନୁଷ୍ୟ । ମୁଁ ଉପଦେଶ ଚାହେଁ । ମୁଁ ଜୀବନର ଅନ୍ଧକାରମୟ ଗୋଲକଧନ୍ଦାରେ ପଡ଼ିଛି; ମୁଁ ଆଲୋକକୁ ଯିବାର ପଥ ଖୋଜୁଛି, ସତ୍ୟ, ଶିବ, ସୁନ୍ଦର ନିକଟକୁ ଯିବାକୁ ପଥ ଖୋଜୁଛି । ମୋତେ ସେହି ପଥ ଦେଖାଇଦିଅ-। ମୁଁ ସାମାନ୍ୟ ମନୁଷ୍ୟ ମାତ୍ର । ମୋତେ ଗାଳି ଦିଅ, ଘୃଣା କର, ମାଡ଼ ଦିଅ; କିନ୍ତୁ ମୋତେ ଏହି ଘୃଣା–ପଙ୍କରୁ ଉଦ୍ଧାର କର । ମୁଁ ଉନ୍ନତତର ହେବାକୁ ଚାହେଁ; କିନ୍ତୁ ହେବି କିପରି ? ମୋତେ ସେହି ଉପାୟ ଶିକ୍ଷା ଦିଅ ?’’

 

ମୁଁ ଚିନ୍ତା କରିବାକୁ ଲାଗିଲି । ଏ ଲୋକଟି ମୋଠାରୁ ଯାହା ଦାବି କରୁଛି, ତାହା ଯଥାର୍ଥ; କିନ୍ତୁ ମୁଁ କଅଣ ତା’ର ଦାବି ପୂରଣ କରିପାରିବି ? ମୁଁ କି ତାକୁ ପନ୍ଥା ଦେଖାଇ ପାରିବି ? ଜୀବନର ବହ୍ନି ଲିଭିଆସୁଛ; ସଂଶୟର ଛାୟା ମାନବ ହୃଦୟକୁ ଅଧିକରୁ ଅଧିକତର ଆଚ୍ଛନ୍ନ କରିପକାଉଛି । କୌଣସି ପନ୍ଥା ବାହାର କରିବାକୁ ହେବ । ସେ ପନ୍ଥାଟି କଅଣ ? ମୁଁ ଗୋଟିଏ କଥା ଜାଣେ–ଆତ୍ମସୁଖ ପଛରେ ଧାଇଁବା ଆବଶ୍ୟକ ନାହିଁ । ସୁଖର ମୂଲ୍ୟ ବା କଅଣ ? ଜୀବନର ମୂଲ୍ୟ ସୁଖରେ ନାହିଁ; ଆତ୍ମସନ୍ତୋଷ ମଧ୍ୟ ବେଶି ଦିନଯାଏ ମନୁଷ୍ୟକୁ ଶାନ୍ତି ଦେଇ ପାରିବି ନାହିଁ । ମନୁଷ୍ୟର ସ୍ଥାନ ଏ ସବୁଠାରୁ ଉଚ୍ଚରେ । କୌଣସି ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବାପାଇଁ ଶକ୍ତି ହିଁ ଜୀବନର ମୂଲ୍ୟ । ଜୀବନର ପ୍ରତ୍ୟେକ ମୁହୂର୍ତ୍ତର ଗୋଟାଏ କିଛି ମହତ୍ ଉଦ୍ଦେଶ୍ୟ ଥିବା ନିତାନ୍ତ ଦରକାର । ଏହା ସମ୍ଭବପର; କିନ୍ତୁ ପ୍ରାଚୀନ ଜୀବନପନ୍ଥା ମଧ୍ୟରେ ଏହା ସମ୍ଭବପର ନୁହେଁ । କାରଣ ପ୍ରାଚୀନ ଜୀବନପନ୍ଥା ଆତ୍ମାକୁ ସଙ୍କୁଚିତ କରିଦିଏ; ଆତ୍ମାର ସ୍ୱାଧୀନତା ଅପହରଣ କରିନିଏ-

 

ପୁଣି ଥରେ ମୋର ସଙ୍ଗୀ ହସିଉଠିଲା; କିନ୍ତୁ ଏଥରର ହସ ଧୀର । ସେଥିରୁ ଜଣାଯାଉଥିଲା ଯେ ତା’ର ହୃଦୟ ଚିନ୍ତାରେ ଦଗ୍‌ଧୀଭୂତ ।

 

‘‘ଆମର ଏ ପୃଥିବୀ କେତେ ଲୋକଙ୍କୁ ଜନ୍ମ ଦେଇନାହିଁ ? କିନ୍ତୁ କେତେ ଜଣ ମହାପୁରୁଷଙ୍କର ସ୍ମୃତିଚିହ୍ନ ଅଛି ? ଏତେ କମ୍ କାହିଁକି ? ଅତୀତ କାଳରେ–ଛାଡ଼ ସେ ଅତୀତ–ଅତୀତ ପ୍ରତି ହିଂସା ଆସୁଛି । ବର୍ତ୍ତମାନ ଯୁଗର କେହି ଜଣେ ହେଲେ ତା’ର ମୃତ୍ୟୁପରେ ଜଗତରେ ନିଜର ଚିହ୍ନ ମାତ୍ର ରଖିଯିବ ନାହିଁ । ମନୁଷ୍ୟ ଶୋଇରହିଛି, ତାକୁ ଉଠାଇବାକୁ କେହି ନାହିଁ । ସେ ଶୋଇ ଶୋଇ ପଶୁତ୍ୱ ପାଉଛି । ତାକୁ ପ୍ରହାର କରି ଉଠାଇବାକୁ ହେବ; କିନ୍ତୁ ତା’ପରେ ତାକୁ ପ୍ରେମରେ ଆଲିଙ୍ଗନ କରିବାକୁ ପଡ଼ିବ । ତାକୁ ଆଘାତ କରିବାକୁ ଭୟ କରନା । ତାକୁ ପ୍ରେମ କରି ପ୍ରହାର କଲେ ସେ ବୁଝିପାରିବ ସେ ପ୍ରହାର ତା’ର ପ୍ରାପ୍ୟ, ପ୍ରହାରକୁ ଆଦରରେ ଗ୍ରହଣ କରିବ । ସେ କଷ୍ଟ ପାଇ ଯେତେବେଳେ ଲଜ୍ଜା ଅନୁଭବ କରିବ ସେତେବେଳେ ତା’ଉପରେ ତୁମର ପ୍ରେମ ଅଜାଡ଼ିଦିଅ । ତା’ର ପୁନର୍ଜନ୍ମ ହେବ । ଲୋକେ ଶିଶୁ ପରି । ଅବଶ୍ୟ ସେମାନେ ବେଳେ ବେଳେ ଏପରି ପାପକାର୍ଯ୍ୟ କରିପକାନ୍ତି, ସେମାନଙ୍କ ମନ ଏପରି ବିକୃତ ଓ ଦୂଷିତ ହୋଇଥାଏ ଯେ ଆମେ ଚକିତ ହୋଇପଡ଼ୁ । ତଥାପି ଶିଶୁମାନଙ୍କ ପରି ସେମାନଙ୍କର ମଧ୍ୟ ପ୍ରେମ ଦରକାର; ସ୍ୱାସ୍ଥ୍ୟକାର ଆଧ୍ୟାତ୍ମିକ ଖାଦ୍ୟ ଦରକାର । ଲୋକଙ୍କୁ ଭଲ ପାଇବାର ସାମର୍ଥ୍ୟ ତୁମର ଅଛି ତ ?’’

 

‘‘ଲୋକଙ୍କୁ ଭଲପାଇବା’’–ମୁଁ ସନ୍ଦେହାକୁଳ ହୋଇ ପଡ଼ିଲି । ବାସ୍ତବରେ ମୁଁ ଲୋକଙ୍କୁ ଭଲପାଏ କି ନା ମୁଁ ନିଜେ ଜାଣି ନ ଥିଲି । ପ୍ରକୃତରେ ମୁଁ ଜାଣି ନ ଥିଲି । କିଏ ନିଜ ବିଷୟରେ କହିପାରିବ ଯେ ସେ ଲୋକଙ୍କୁ ଭଲପାଏ । ଯେ କେହି ନିଜର କାର୍ଯ୍ୟକଳାପକୁ ପର୍ଯ୍ୟାଲୋଚନା କରୁଥିବ ସେ ସାହସ କରି କହିପାରିବ ନାହିଁ–ମୁଁ ଲୋକଙ୍କୁ ଭଲପାଏଁ । ପ୍ରତ୍ୟେକ ଲୋକ ତା’ର ପ୍ରତିବେଶୀଠାରୁ କେତେଦୂର ବିଚ୍ଛିନ୍ନ ତାହା ସମସ୍ତେ ଜାଣନ୍ତି ।

 

‘‘ତୁମେ କିଛି ଉତ୍ତର ଦେଉନାହିଁ । ଉତ୍ତର ନ ଦେଲେ କିଛି କ୍ଷତି ନାହିଁ । ମୁଁ ତୁମର ମନକଥା ବୁଝୁଛି । ମୁଁ ଏବେ ଯାଏଁ ।’’

 

ଲୋକଟିକୁ ମୋର ଭୟ ହେଉଥିଲା । ମୋର ନିଜକୁ ମଧ୍ୟ ଆହୁରି ଭୟ ହେଉଥିଲା । ତଥାପି ମୁଁ ଧୀରେ କହିପକାଇଲି, ‘‘କଅଣ, ଏତେ ଶୀଘ୍ର ?’’

 

‘‘ହଁ, ମୁଁ ଯାଉଛି; କିନ୍ତୁ ମୁଁ ପୁଣି ତୁମ ପାଖକୁ ଆସିବି । ମୋତେ ଅପେକ୍ଷା କରିଥିବ ।’’

 

ସେ ଚାଲିଗଲା ।

 

ସେ କଅଣ ସତେ ଚାଲିଗଲା ? ସେ ଗଲାବେଳେ ମୁଁ ଲକ୍ଷ୍ୟ କରିପାରି ନ ଥିଲି । ଗୋଟାଏ ଛାୟାପରି ସେ ମୁହୂର୍ତ୍ତକ ଭିତରେ ଉଭେଇଗଲା । ମୁଁ ଅନେକ ବେଳଯାଏ ସେହି ପାର୍କରେ ବସିରହିଲି । ସୂର୍ଯ୍ୟ ଉଇଁସାରିଥିଲେ; ଥଣ୍ଡା ଲାଗୁଥିଲା । କିନ୍ତୁ ସେ ସବୁ ଅନୁଭବ କରିପାରି ନ ଥିଲି । ଚିରଦିନ ପରି ସୂର୍ଯ୍ୟ କିରଣ ଢାଳି ଦେଉଥିଲେ । ଉଜ୍ଜ୍ୱଳ ଦିବାଲୋକ ପଡ଼ିଥିଲା-। ପୃଥିବୀବକ୍ଷକୁ ବରଫ ଆଚ୍ଛାଦିତ କରିଥିଲା । ତା’ ଉପରେ ସୂର୍ଯ୍ୟକିରଣ ଚକ୍‌ଚକ୍‌ କରୁଥିଲା; କିନ୍ତୁ ମୋତେ ଏସବୁ କାହିଁକି ଆଶ୍ଚର୍ଯ୍ୟ ଲାଗୁଥିଲା ।

Image

 

କଳୁଶା

 

କବରଖାନାର ଗୋଟିଏ ଅଂଶ ଦରିଦ୍ରମାନଙ୍କ ସମାଧି ପାଇଁ ଛାଡ଼ିଦିଆଯାଇଛି । ସେଇ ଅଂଶରେ ସମାଧିମନ୍ଦିର ନାହିଁ; କବିର ଉପରେ କେବଳ ଗୋଟିଏ ଗୋଟିଏ ମାଟିସ୍ତୂପ । ସେ ପୁଣି ବର୍ଷାପାଣିରେ ଧୋଇଯାଇଛି; ତା ଉପରେ ଶୁଖିଲା ପତ୍ର ପଡ଼ିଛି । କବରଖାନାର ଏହି ଅଂଶରେ ଗୋଟିଏ କବର ପାଖରେ ଜଣେ ସ୍ତ୍ରୀଲୋକ ବସିଥିଲା । ତା ଉପରେ ଦୁଇଟି ଜୀର୍ଣ୍ଣ ଝାମୁଗଛର କ୍ଷୀଣ ଛାଇ ପଡ଼ୁଥିଲା । ସ୍ତ୍ରୀଲୋକଟିର ପରିଧାନ ଥିଲା ଗୋଟିଏ ଛିନ୍ନ ଗାଉନ ଓ ମୁଣ୍ଡରେ ଗୋଟିଏ କଳା ଓଢ଼ଣି ।

 

ତା’ର ଶୁଷ୍କ କପୋଳ ଉପରେ କୋରାଏ ପଳିତ କେଶ ଓହଳିପଡ଼ିଥିଲା । ତା’ର ଓଷ୍ଠ ଦୁଇଟି ପରସ୍ପର ସଂଲଗ୍ନ । ତା’ର ଚକ୍ଷୁର ପତା ଦୁଇଟି ଫୁଲି ଓହଳିପଡ଼ିଥିଲା । ସେଥିରୁ ଅନୁମାନ ହେଉଥିଲା ଯେ ସ୍ତ୍ରୀଲୋକଟି ବହୁଦିନ ଧରି କାନ୍ଦୁଛି ଓ ଅନିଦ୍ରା ରହିଛି ।

 

ମୁଁ ତା’ଠାରୁ ଟିକିଏ ଦୂରରେ ରହି ତାକୁ ଚାହିଁ ରହିଥିଲି । ସେ ନିଶ୍ଚଳ ହୋଇ ରହିଥିଲା । ମୁଁ ତା ନିକଟକୁ ଅଗ୍ରସର ହେଲି; ତଥାପି ସେ ସେହିପରି ନିଶ୍ଚଳ । କେବଳ ସେ ତା’ର ନିଷ୍ପ୍ରଭ ଆଖିଯୋଡ଼ିକ ଟେକି ମୋ ଆଡ଼କୁ ଚାହିଁଲା, ପରେ ପରେ ପୁଣି ଆଖି ଦୁଇଟି ତଳକୁ କରି ମୁହଁ ପୋତିଦେଲା । ତା’ର ଭାବଭଙ୍ଗୀର କୌଣସି ପ୍ରକାର କୌତୂହଳ, କି ଅସ୍ୱସ୍ତି, କି ଅନ୍ୟ କୌଣସି ଭାବ ପ୍ରକାଶ ପାଇଲା ନାହିଁ ।

 

ମୁଁ ଅଭିବାଦନ କରି ସେହି ପ୍ରୌଢ଼ାଙ୍କୁ ପଚାରିଲି, ‘‘ଏଠାରେ ତୁମର କାହାକୁ କବର ଦିଆଯାଇଛି ?’’

 

ଉଦାସୀନ ଭାବରେ ସେ ଉତ୍ତର ଦେଲେ–‘‘ମୋର ପୁଅକୁ ।’’

 

‘‘ପୁଅଟି କଅଣ ବଡ଼ ହୋଇଥିଲା ?’’

 

‘‘ବାର ବର୍ଷର ହୋଇଥିଲା !’’

 

‘‘କେବେ ତା’ର ମୃତ୍ୟୁ ହେଲା ?’’

 

‘‘ଚାରିବର୍ଷ ତଳେ ।’’

 

ଏତିକି କହି ସେ ଗୋଟିଏ ଦୀର୍ଘଶ୍ୱାସ ପକାଇଲେ । ଗଣ୍ଡଦେଶ ଉପରେ ଓହଳିପଡ଼ିଥିବା କେଶଗୁଚ୍ଛଟିକୁ ଟେକିଦେଇ ଓଢ଼ଣି ତଳେ ଖୋସିଦେଲେ । ସେ ଦିନ ବଡ଼ ଗରମ; କବରଖାନା ଉପରେ ପ୍ରଚଣ୍ଡ ସୂର୍ଯ୍ୟକିରଣ ପଡ଼ିଥାଏ । ସୂର୍ଯ୍ୟୋତ୍ତାପରେ କବର ଉପରର ସାମାନ୍ୟ ଘାସ ଶୁଖିଯାଇଥାଏ । କବର ମଝିରେ ମଝିରେ ଉଠିଥିବା ଛୋଟ ଗଛଗୁଡ଼ିକ ହଲଚଲ ହେଉ ନ ଥାଏ; ସତେ ଅବା ସେଗୁଡ଼ିକ ମଧ୍ୟ ମୃତ ।

 

ମୁଁ ବାଳକର କବର ଆଡ଼କୁ ଦେଖାଇ ପଚାରିଲି, ‘‘ପିଲାଟିର କାହିଁରେ ମୃତ୍ୟୁ ହୋଇଥିଲା ?’’

 

ପ୍ରୌଢ଼ା ସଂକ୍ଷେପରେ ଉତ୍ତର ଦେଲେ, ‘‘ଘୋଡ଼ା ଟାପୁରେ ଦଳି ହୋଇ ।’’

 

ଏତିକି କହି ସେ ଶୀର୍ଣ୍ଣ ହାତରେ କବର ଉପର ଆଉଁଷିବାରେ ଲାଗିଲେ ।

 

‘‘ଏଭଳି ଦୁର୍ଘଟଣା ଘଟିଲା କିପରି ?’’

 

ଏହା ପଚାରିଦେଇ ମୁଁ ଭାବିଲି–ଏପରି ପଚାରିବା ଦ୍ୱାରା ମହିଳାଙ୍କ ମନରେ କଷ୍ଟ ହୋଇଥିବ । ତା ସଙ୍ଗେ ସଙ୍ଗେ ମହିଳାଙ୍କର ଏ ପ୍ରକାର ଔଦାସୀନ୍ୟ ଦେଖି ମୁଁ ସନ୍ଧିଗ୍ଧ ହୋଇଉଠୁଥିଲି । କାହିଁକି କେଜାଣି ତାଙ୍କ ଆଖିର ଲୋତକ ଦେଖିବାକୁ ମୋର ଇଚ୍ଛା ହେଉଥିଲା । ତାଙ୍କର ଔଦାସୀନ୍ୟ ଟିକିଏ ଅସ୍ୱାଭାବିକ ଜଣାଯାଉଥିଲା ।

 

ମୋ ପ୍ରଶ୍ନ ଶୁଣି ଯେ ପୁଣି ମୁହଁ ଟେକି ମୋ ଆଡ଼କୁ ଚାହିଁଲେ । ସେ ମୋତେ ପାଦଠାରୁ ମୁଣ୍ଡ ପର୍ଯ୍ୟନ୍ତ ଥରେ ଅନାଇ ଦେଇ ଗୋଟିଏ ଦୀର୍ଘଶ୍ୱାସ ପକାଇଲେ ଓ କରୁଣ କଣ୍ଠରେ ସମସ୍ତ ଘଟଣା ବର୍ଣ୍ଣନା କରିବାକୁ ଲାଗିଲେ ।

 

‘‘ସେ କିପରି ମଲା କହୁଛି । ତା’ର ବାପା ଟଙ୍କା ତୋଷରଫ ମକଦ୍ଦମାରେ ଦେଢ଼ ବର୍ଷ ଜେଲ ଯାଇଥିଲେ । ସେହି ସମୟରେ ଆମର ଯାହା କିଛି ଥିଲା ସବୁ ଖର୍ଚ୍ଚ କରି ଚଳିଲ । ଆମ ପାଖରେ ଯାହା ଥିଲା ତାହା ଅତି ସାମାନ୍ୟ । ସ୍ୱାମୀ ଜେଲରୁ ଖଲାସ ହୋଇ ଆସିଲାବେଳକୁ ଆମେ ଭାରି ଅଭାବରେ ଥାଉଁ । ଜାଳେଣି କାଠ ନ ଥିବାରୁ ଆମେ ମୂଳାପତ୍ର ଜାଳୁଥିଲୁ । ଜଣେ ମାଳି ଆମକୁ ଗାଡ଼ିଏ ହେବ ସଢ଼ା ମୂଳା ଦେଇଥିଲା । ତାକୁ ଶୁଖାଇ, ଘଷି ସାଙ୍ଗରେ ମିଶାଇ ଜଳାହେଉଥିଲା । ଜାଳିଲାବେଳେ କଦର୍ଯ୍ୟ ଧୂଆଁ ବାହାରେ; ପୁଣି ସେଥିରେ ରନ୍ଧା ଜିନିଷ ଭଲ ଲାଗେ ନାହିଁ; କିନ୍ତୁ ତା ଛଡ଼ା ଅନ୍ୟ ଉପାୟ ନ ଥିଲା ।

 

‘‘କଳୁଶା ପ୍ରତିଦିନ ସ୍କୁଲକୁ ଯାଏ । ସେ ଯେପରି ବୁଦ୍ଧିଆ, ସେହିପରି କଷ୍ଟ ସହିପାରେ । ସ୍କୁଲରୁ ଆସିଲାବେଳେ ବାଟରେ ଯାହାକିଛି କାଠିକୁଟା ପାଏ ଘରକୁ ଘେନିଆସେ । ସେତେବେଳକୁ ବସନ୍ତ ଋତୁ ହୋଇଥିଲା; ବରଫ ତରଳି ଆସୁଥିଲା । କଳୁଶାର କନା ଜୋତା ଯୋଡ଼ିଏ ଛଡ଼ା ଆଉ କିଛି ନ ଥାଏ । ଘରେ ପହଞ୍ଚି ତାକୁ ବାହାର କରିଦେଲାବେଳକୁ ତା’ର ପାଦ ଲାଲା ପଡ଼ିଯାଇଥାଏ-। ଦିନେ ଜେଲର କର୍ତ୍ତୃପକ୍ଷ ତା ବାପାଙ୍କୁ ଖଲାସ କରି ଗୋଟାଏ ଗାଡ଼ିରେ ଆଣି ଘରେ ଛାଡ଼ିଦେଇଗଲେ । ଜେଲରେ ଥରେ ତାଙ୍କର ହଠାତ୍ ଗୋଟାଏ ମସ୍ତିଷ୍କର ରୋଗ ହୋଇଥିଲା । ସେଥିରୁ ସେ ପୂରା ଭଲ ହୋଇନଥିଲେ । ଘରକୁ ଆସି ସେ ପଡ଼ିରହିଲେ । ବେଳେ ବେଳେ ସେ ମୋ ମୁହଁକୁ ଚାହିଁ ଟିକିଏ ହସିଦିଅନ୍ତି । ସେ ହସର ଅର୍ଥ ବୁଝାପଡ଼େ ନାହିଁ । ମୁଁ ମନେ ମନେ ଭାବେ–ତୁମରି ଯୋଗେ ଆମର ଏ ଦୁରବସ୍ଥା । ଏବେ ତୁମକୁ କଅଣ ଖାଇବାକୁ ଦେବି ? ତୁମେ ଗାଡ଼ିଆରେ ବୁଡ଼ିମରୁନ । କିନ୍ତୁ କଳୁଶା ବାପାଙ୍କୁ ଦେଖି କାନ୍ଦିପକାଏ । ତା ଆଖିରୁ ଧାର ଧାର ହୋଇ ଲୁହ ବୋହିଯାଏ । ଥରେ ସେ ମୋତେ ପଚାରିଲା, ‘ମାଆ, ବାପାଙ୍କର କଅଣ ହୋଇଛି-?’ ମୁଁ କହିଲି, ‘ବାପାଙ୍କର ଶେଷ ଅବସ୍ଥା ଉପସ୍ଥିତ । ଆଉ ହେବ କଅଣ ?’

 

‘‘ଆମ ଅବସ୍ଥା ଆହୁରି ଖରାପ ହୋଇଆସିଲା । ମୁଁ ଦିନରାତି ମଜୁରି ଲାଗି ସାମାନ୍ୟ ରୋଜଗାର କରୁଥାଏଁ । ପୁଣି ଦିନେ ଦିନେ ମଜୁରି ମିଳେ ନାହିଁ । ସେଥିରେ ତିନିଜଣ ଅତି କଷ୍ଟରେ ଚଳୁଁ । କାହାରି ପେଟ ପୂରେ ନାହିଁ । ସେ କଷ୍ଟ ମରଣଠାରୁ ମଧ୍ୟ ବେଶି ଦୁଃଖ ଦେଉଥାଏ । ଅନେକ ସମୟରେ ମୁଁ ଆତ୍ମହତ୍ୟା କରିବାକୁ ମନକରେ । ଆଉ କଷ୍ଟ ସହି ନ ପାରି ଦିନେ ମୁଁ କହି ପକାଇଲି–‘ଓଃ, ଏଭଳି ଜୀବନ ଧରି ରହିବାଠାରୁ ମରଣ ଭଲ । ଯଦି ମୋର ମରଣ ହୁଅନ୍ତା; ନ ହେଲେ ଏ ଦୁହିଁଙ୍କ ଭିତରୁ କେହି ଜଣେ.... ।’ ଆଉ କହିପାରିଲି ନାହିଁ । କିନ୍ତୁ ଦୁହେଁ ବୋଇଲେ ମୋରି ସ୍ୱାମୀ ଆଉ ମୋରି ପୁଅ ।

 

‘‘ମୋର ସ୍ୱାମୀ ମୁଣ୍ଡ ଟୁଙ୍ଗାରିଲେ । ତା’ର ଅର୍ଥ ମୁଁ ବୁଝିଲି । ସେ ଯେପରି କହୁଥିଲେ, ‘ଖୁବ୍‍ ନିକଟରେ ମୁଁ ସଂସାରରୁ ଚାଲିଯିବି । ଟିକିଏ ଧୈର୍ଯ୍ୟ ଧର; ମୋତେ ଗାଳିଦେନା ।’ କିନ୍ତୁ କଳୁଶା ମୋ ଆଡ଼କୁ କେତେବେଳଯାଏ ଚାହିଁ ରହି ଘରୁ ବାହାରିଗଲା । ସେ ଯିବାପରେ ମୋ ମନରେ ଅନୁତାପ ହେଲା । କାହିଁକି ଏପରି କହିଦେଲି ? କିନ୍ତୁ କହିସାରିଛି ତ । ସେ କଥା ଆଉ ଫେରି ଆସିବାର ବାଟ ନ ଥିଲା । ପୁଅ ଯିବାର ଘଣ୍ଟାଏ ହୋଇନି, ଏହି ସମୟରେ ଜଣେ ପୋଲିସ ଅଫିସର ଘୋଡ଼ାରେ ବସି ଆମ ଦୁଆରେ ଉପସ୍ଥିତ । ସେ ପଚାରିଲେ, ‘ତୁମରି ନାଁ ଶିଶେନିନା ?’ ମୋ ମନଟା ଦବିଗଲା । ମୁଁ ‘ହଁ’ କହିବା ମାତ୍ରେ ପୋଲିସ ଅଫିସର କହିଲେ, ‘ତୁମକୁ ଡାକ୍ତରଖାନାକୁ ଯିବାକୁ ହେବ । ତୁମ ପୁଅ ଉପରେ ଆନୋକିନଙ୍କର ଘୋଡ଼ାଗାଡ଼ି ମାଡ଼ିଯାଇଛି ।’

 

‘‘ମୁଁ ତତ୍‌କ୍ଷଣାତ୍ ଗାଡ଼ିରେ ବସି ଡାକ୍ତରଖାନାକୁ ଗଲି । ଗାଡ଼ି ଭିତରଟା ମୋତେ ନିଆଁପରି ଲାଗୁଥାଏ । ମୁଁ ମନକୁ ମନ କହିଲି, ମୁଁ କି କୁଲକ୍ଷଣୀ ! ମୁଁ କଅଣ ନ କଲି !

 

‘‘ଡାକ୍ତରଖାନାରେ ପହଞ୍ଚି ଦେଖିଲି, କଳୁଶା ବିଛଣାରେ ପଡ଼ିଛି । ତା’ର ଦେହଯାକ ପଟି ବନ୍ଧା ହୋଇଛି । ମୋତେ ଦେଖି ସେ ଟିକିଏ ହସିଦେଲା; ତା ଆଖିରୁ ଲୁହଧାର ବୋହିଗଲା । ସେ ଚୁପ୍‍ ଚୁପ୍‍ କରି ମୋତେ କହିଲା–‘ମାଆ, ମୋତେ କ୍ଷମା କରିବୁ । ଏହି ପୋଲିସ ଅଫିସର ପାଖେ ଟଙ୍କା ଅଛି ?’ ମୁଁ ଦୁଃଖରେ ବିସ୍ମୟରେ ପଚାରିଲି–‘ବାପା, ତୁ କି ଟଙ୍କାକଥା କହୁଛୁରେ ? ତୋତେ ଦେଖି ମୋର ଛାତି ଫାଟିଯାଉଛି ।’ ସେ ପୁଣି ଚୁପ୍‍ ଚୁପ୍‍ କରି କହିଲା, ‘ମୋ ଉପରେ ଗାଡ଼ି ମାଡ଼ିଯିବା ପରେ ବଜାରର ଲୋକେ ମୋତେ ଟଙ୍କା ଦେଲେ । ଆନୋକିନ୍ ବି କିଛି ଦେଲେ । ସବୁ ଟଙ୍କା ସେଇ ପୋଲିସ ଅଫିସରଙ୍କ ପାଖେ ଅଛି ।’ ମୁଁ ପଚାରିଲି, ‘ତୋତେ କାହିଁକି ଟଙ୍କା ଦେଲେ ?’ ସେ ନିଜ ଦେହର ପଟିଆଡ଼କୁ ଦେଖେଇ କହିଲା, ‘ଏଇଥିପାଇଁ ।’ ସେ ଆଉ କିଛି କହି ନ ପାରି ଗଁ–ଗଁ ହେଲା । ତା’ର ଆଖି ଦୁଇଟା ଫୁଲିଯାଇଥାଏ । ମୁଁ ପୁଣି ପଚାରିଲି, ‘କଳୁଶା, ତୁ କଅଣ ଦେଖିପାରିଲୁନି ଯେ ଘୋଡ଼ାଗୁଡ଼ାକ ଆସୁଛନ୍ତି ?’ ସେ କହିଲା, ‘ଦେଖି ନ ଥିଲି କାହିଁକି ? ବେଶ୍‍ ଦେଖିପାରିଥିଲି । କିନ୍ତୁ ମୁଁ ଜାଣି ଜାଣି ରାସ୍ତାରୁ ଗଲିନାହିଁ । ମୁଁ ଭାବିଲି–ଘୋଡ଼ାଗୁଡ଼ାକ ମୋତେ ପାଦରେ ଦଳିଦେଇଗଲେ ଲୋକେ ମୋତେ ଦୟା କରି ଟଙ୍କାପଇସା ଦେବେ । ସତକୁ ସତ ଦେଲେ ।’

 

‘‘ସେ ଠିକ୍‍ ଏଇ କଥା କହିଥିଲା । ସେ କଥା ଏବେ ସୁଦ୍ଧା ମୋ କାନରେ ବାଜୁଛି । ମୁଁ ସବୁ ଜାଣିପାରିଲି । ସେ କାହିଁକି ଜାଣିଶୁଣି ଘୋଡ଼ା ପାଦତଳେ ଦଳିହେଲା, ବୁଝିବାକୁ ମୋର ବାକି ରହିଲା ନାହିଁ । ସେ ତ ମଣିଷପିଲା ନୁହଁ, ଆସିଥିଲା ସ୍ୱର୍ଗର ଦୂତ । ତା ଆରଦିନ ସକାଳେ ତା’ର ପ୍ରାଣ ବାହାରିଗଲା । ଶେଷ ମୁହୂର୍ତ୍ତଯାଏ ତା’ର ମୁଣ୍ଡ ଠିକ୍‍ ଥିଲା । ସେ କହୁଥାଏ, ମାଆ, ବାପାପାଇଁ ଅମୁକ ଅମୁକ ଜିନିଷ କିଣିଦେବୁ । ତୋ ପାଇଁ ବି କିଛି କିଣିବୁ । ସେ ଭାବିଥିଲା, ଅନେକଗୁଡ଼ାଏ ଟଙ୍କା ହୋଇଥିବ । କିନ୍ତୁ ପ୍ରକୃତରେ ମୋଟରେ ସତଚାଳିଶ ରୁବେଲ ହୋଇଥିଲା । ତା ପରେ ମୁଁ ଆନୋକନଙ୍କ ପାଖକୁ ମଧ୍ୟ ଯାଇଥିଲି । ବଡ଼ କୁଣ୍ଠିତ ଭାବରେ ସେ ପାଞ୍ଚ ରୁବେଲ ମାତ୍ର ଦେଇଥିଲେ । ସେ କହିଲେ, ‘ତୁମକୁ ଦେବି କାହିଁକି ? ତୁମ ପୁଅ ଜାଣିଶୁଣି ଘୋଡ଼ା ପାଦତଳେ ପଡ଼ିଗଲା । ଶହ ଶହ ଲୋକ ଦେଖିଛନ୍ତି । ତୁମେ ମୋ ପାଖକୁ ମାଗିବାକୁ ଆସିଲ କାହିଁକି ?’ ମୁଁ ଆଉ ତାଙ୍କ ପାଖକୁ ଯାଇନାହିଁ । ଏବେ ଜାଣିଲ, ପୁଅ ମୋର କିପରି ମଲା ?’’

 

ମହିଳାର କଥା ଶେଷ ହେଲା । ପୁଣି ସେ ପୂର୍ବଭଳି ଉଦାସୀନ ହୋଇ ରହିଲେ ।

 

କବରଖାନା ନିର୍ଜନ; ଆଉ କେହି ନ ଥାନ୍ତି । ଟିକିଏ ହେଲେ ଶବ୍ଦ ଶୁଣାଯାଉ ନ ଥାଏ । ମୁଁ ଚାରିଆଡ଼କୁ ଚାହିଁ ଦେଖିଲି–ଶୁଖିଲା ଗଛ, ମାଟିଗଦା, କ୍ରୁଶ । ଏହାରି ଭିତରେ ଗୋଟାଏ କବରପାଖରେ ବସିଛି ସେ ଦୁଃଖିନୀ ସ୍ତ୍ରୀଲୋକଟି । ମୁଁ ମୃତ୍ୟୁ ଆଉ ମାନବଜୀବନର ଦୁଃଖକଷ୍ଟ କଥା ଭାବିବାକୁ ଲାଗିଲି ।

 

ଆକାଶ ନିର୍ମଳ ଥାଏ । ସୂର୍ଯ୍ୟ ପ୍ରଖର କିରଣ ଅଜାଡ଼ି ଦେଉଥାନ୍ତି ।

 

ମୁଁ ପକେଟରୁ କିଛି ପଇସା ବାହାର କରି ମହିଳାଙ୍କ ଆଡ଼କୁ ବଢ଼ାଇ ଦେଲି । ସେ ଧୀର ସ୍ୱରରେ କହିଲେ, ‘‘ଆପଣ ମୋ ପାଇଁ ଚିନ୍ତା କରନ୍ତୁ ନାହିଁ । ଆଜି ପାଇଁ ମୋର ଯଥେଷ୍ଟ ଅଛି । ମୋର ଆଉ କିଛି ଦରକାର ନାହିଁ । ଏବେ ମୁଁ ସଂସାରରେ ଏକୁଟିଆ ।’’

 

ମହିଳା ଗୋଟିଏ ଦୀର୍ଘଶ୍ୱାସ ପକାଇଲେ ।

Image

 

ପ୍ରେମିକ-ପ୍ରେମିକା

 

ସମୁଦ୍ର ଆଡ଼ୁ ଗୋଟାଏ ଆର୍ଦ୍ର ଶୀତଳ ପବନ ବହିଆସୁଥିଲା । ସତେ ଅବା ସେହି ପବନ କୂଳରେ ଭାଙ୍ଗି ପଡ଼ୁଥିବା ଲହରୀମାଳାର ବିକଳ ଧ୍ୱନି ସଙ୍ଗେ ଶୁଷ୍କ ବୃକ୍ଷଲତା’ର ମର୍ମରଧ୍ୱନି ବହିଆଣୁଥିଲା । ମଝିରେ ମଝିରେ ଗୋଟାଏ ପବନର ଧକ୍‌କା ବାଜିବାରୁ ଗଛର ଶୁଖିଲା ପତ୍ରଗୁଡ଼ାକ ଝଡ଼ିପଡ଼ି ଆମ ଅସ୍ଥାୟୀ ତମ୍ବୁପାଖ ନିଆଁ ଉପରେ ପଡ଼ୁଥିଲା । ମୁହୂର୍ତ୍ତକ ପାଇଁ ନିଆଁ ଜଳିଉଠୁଥିଲା । ସେତେବେଳେ ଶରତ୍‌କାଳୀନ ରାତ୍ରିର ଅନ୍ଧକାର ହଠାତ୍‍ ଚମକିପଡ଼ି ଭୟରେ ଅପସରି ଯାଉଥିଲା । ସେହି ଅବସରରେ ଆମେ ବାମ ପାଖରେ ସୁଦୂର ବିସ୍ତୃତ ପ୍ରାନ୍ତର ଓ ଡାହାଣ ପାଖର ଅନନ୍ତ ସମୁଦ୍ରକୁ କ୍ଷଣକ ପାଇଁ ଦେଖିପାରୁଥିଲୁ । ଆଉ ମୋ ସମ୍ମୁଖରେ ଦେଖାଯାଉଥିଲା ମକରଚୁନ୍ଦ୍ରା । ମକରଚୁନ୍ଦ୍ରା ଯାଯାବର ଜାତିର ଗୋଟିଏ ବୃଦ୍ଧଲୋକ । ସେଠାରୁ ପ୍ରାୟ ପଚାଶ ପାହୁଣ୍ଡ ଦୂରରେ ତା’ର ତମ୍ବୁ ପଡ଼ିଥିଲା । ତା ଦଳର ଘୋଡ଼ାମାନଙ୍କୁ ଜଗିରହିବା ତା’ର କାମ ଥିଲା ।

 

ସେ କକେସୀୟ ଧରଣର ଗୋଟିଏ କୋଟ୍‌ ପିନ୍ଧିଥିଲା । ଥଣ୍ଡା ପବନରେ କୋଟ୍‌ଟା ଖୋଲିଯାଉଥିଲା । ତେଣୁ ପବନ ତା’ର ଖୋଲା ଛାତିରେ ବାଜୁଥିଲା; କିନ୍ତୁ ସେ ଥଣ୍ଡା ପବନକୁ ଖାତିର ନ କରି ଗୋଟାଏ ସୁନ୍ଦର ଠାଣିରେ ମୋ ଆଡ଼କୁ ଚାହିଁ ଶୋଇଥିଲା । ତା’ର ପ୍ରକାଣ୍ଡ ଚିଲମରୁ ମଝିରେ ମଝିରେ କଳେ ଲେଖାଏଁ ଟାଣି ନେଇ ସେ ମୁହଁ ଓ ନାକବାଟେ ଧୂଆଁ ଛାଡ଼ୁଥିଲା-। ତା’ର ଦୃଷ୍ଟି ରହିଥିଲା ନୀରବ ନିର୍ଜନ ପ୍ରାନ୍ତର ଉପରେ । ତା’ର ମୁହଁରୁ ଅବିରାମ ଗତିରେ ଗପ ଚାଲିଥିଲା । ପ୍ରବଳ ଶୀତ ପବନରୁ ନିଜକୁ ରକ୍ଷା କରିବା ପାଇଁ ତା’ର ଲବମାତ୍ର ଚେଷ୍ଟା ନ ଥିଲା-

 

ମୁଁ କହିଲି, ‘‘ତାହେଲେ ତୁମେ ଏହିପରି ପୃଥିବୀଯାକ ଘୂରିବୁଲୁଛୁ । ତୁମ ପକ୍ଷରେ ଏଇଟା ଭଲ । ତୁମେ ଠିକ୍‍ ବାଟ ବାଛି ନେଇଛ । ତାହାହିଁ ହେଉଛି ଏକମାତ୍ର ପନ୍ଥା । ପୃଥିବୀଯାକ ବୁଲି ନାନା କଥା ଦେଖିବ । ଦେଖି ଦେଖି ସନ୍ତୋଷ ଆସିଗଲେ ଶୋଇପଡ଼ିବ; ପ୍ରାଣ ଚାଲିଯିବ ।

 

‘ତାହା ହିଁ ଏକମାତ୍ର ପନ୍ଥା’ ବାକ୍ୟଟି ମୁଁ ବିଦ୍ରୂପ କରି କହିଥିଲି ବୋଲି ଜାଣିପାରି ସେ କହିଲା, ‘‘ଜୀବନ କଣ? ତୁମର ସାଙ୍ଗସାଥୀ କିଏ ? ସେ ବିଷୟରେ ଚିନ୍ତା କରି ଲାଭ କଅଣ ଅଛି-? ତୁମେ ହିଁ ନିଜେ ହେଉଛ ଜୀବନ । ସାଙ୍ଗସାଥୀ ଚିରଦିନ ଅଛନ୍ତି ଓ ଥିବେ । ତୁମେ ନ ଥିଲେ ବି ସେମାନେ ରହିଥିବେ; ନିଶ୍ଚିନ୍ତରେ ରହିଥିବେ । ତୁମେ କଅଣ ମନେ କରୁଛ ଯେ ଅନ୍ୟ କେହି ତୁମର ସାହାଯ୍ୟ ଦରକାର କରେ ? ତୁମେ ରୋଟି ନୁହଁ ଯେ ସେ ତୁମକୁ କେହି ତୁମକୁ ଚାହାନ୍ତି ନାହିଁ ? ତୁମେ କହୁଛ, ଶିଖ, ଅନ୍ୟକୁ ଶିକ୍ଷା ଦିଅ । ଆଚ୍ଛା, ଲୋକଙ୍କୁ କିପରି ସୁଖୀ କରିହେବେ, ସେ କଥା ତୁମେ ଶିଖି ପାରିବ ? ନା, ତୁମେ ତା ପାରିବ ନାହିଁ । ଅନ୍ୟକୁ ଶିକ୍ଷା ଦେବାକୁ ଚେଷ୍ଟା କରିବା ପୂର୍ବରୁ ତୁମେ ବୁଢ଼ା ହେବାଯାଏ ଅପେକ୍ଷା କର । ତୁମେ ଲୋକଙ୍କୁ କଅଣ ଶିକ୍ଷାଦେବ ? କାହାର କଅଣ ଆବଶ୍ୟକ, ସେ ତା ଜାଣେ । ବୁଦ୍ଧିମାନ୍‌ଲୋକେ ଜୀବନରୁ ଯାହା କିଛି ମିଳେ ତାହା ଗ୍ରହଣ କରିନିଅନ୍ତି; ମୂର୍ଖ ଲୋକେ ଜୀବନରୁ କିଛି ପାଇପାରନ୍ତି ନାହିଁ; କିନ୍ତୁ ପ୍ରତ୍ୟେକ ଲୋକ ନିଜେ ଶିଖେ-

 

‘‘ଅଦ୍ଭୁତ ଏ ମନୁଷ୍ୟଜାତି ! ସେମାନେ ଦଳ ବାନ୍ଧି ରହନ୍ତି । ଏତେ ଜାଗା ପଡ଼ି ଥାଉଁ ଥାଉଁ ଆପଣା ଭିତରେ ଦଳାଦଳି ଚକଟା–ଚକଟି ହୁଅନ୍ତି । (ପ୍ରାନ୍ତର ଆଡ଼କୁ ହାତ ଦେଖାଇ) ଆଉ ସମସ୍ତେ ପରିଶ୍ରମ କରନ୍ତି । କାହିଁକି କରନ୍ତି, କେହି ଜାଣନ୍ତି ନାହିଁ । କେହି ଜମି ଚାଷ କରୁଥିବାର ଦେଖିଲେ ମୁଁ ଭାବେ, ହେଇଟି, ସେ ଲୋକଟା ତା’ର ସମସ୍ତ ଶକ୍ତି ଢାଳିଦେଉଛି, ଟୋପା ଟୋପା କରି ଦେହର ଝାଳ ଜମିରେ ଦେଉଛି; କିନ୍ତୁ ଶେଷରେ ସେହି ମାଟିରେ ସେ ପୋତାହେବ, ତା’ ଦେହ ସଢ଼ି ମିଳେଇଯିବ । ସେ ଜନ୍ମ ହେଲାବେଳେ ଯେପରି କେହି ଜାଣି ନ ଥିଲେ, ସେ ମଲାବେଳେ ବି କେହି ଜାଣିବେ ନାହିଁ । ସେ ପୃଥିବୀରେ କିଛି ରଖିଦେଇ ଯିବ ନାହିଁ । ତା’ର ଜମି ଛଡ଼ା ସେ ଆଉ କିଛି ଦେଖି ନ ଥିବ ।

 

‘‘ଜମି ଖୋଳି ଖୋଳି ସେ ଦିନ କଟେଇବ; ଏପରି କି ନିଜ ପାଇଁ ଗୋଟାଏ କବରଗାତ ଖୋଳିବାକୁ ତାକୁ ସମୟ ମିଳିବ ନାହିଁ । ଏଇଥିପାଇଁ କଅଣ ମନୁଷ୍ୟର ଜନ୍ମ ? ସେ କି କେବେ ସ୍ୱାଧୀନତା’ର ସ୍ୱାଦ ପାଇଛ ? ଏ ପ୍ରାନ୍ତର କେତେ ଦୂର ବିସ୍ତୃତ, କେଡ଼େ ବିଶାଳ, ତା ସେ ଜାଣିଛି କି-? ସମୁଦ୍ରର ଗମ୍ଭୀର ଗର୍ଜନ ଶୁଣି ତା ଅନ୍ତର କେବେ ପୁଲକିତ ହୋଇଉଠିଛି କି ? ସେ ଗୋଟାଏ ଦାସ–ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ଦାସ ମାତ୍ର । ଏହାର ସେ କି ପ୍ରତିକାର କରିପାରେ-?

 

‘‘ମୋତେ ଅଠାବନ ବର୍ଷ ହେଲା । ଏଥିଭିତରେ ମୁଁ ଏତେ କଥା ଦେଖିଲିଣି ଯେ ସବୁ କାଗଜ–କଲମରେ ଲେଖାହେଲେ ହଜାର ହଜାର ପୃଷ୍ଠା ହେବ । ଏପରି କୌଣସି ଦେଶ ନାହିଁ, ଯାହା କି ମୁଁ ଦେଖିନି । ମୁଁ ଏପରି କେତେ ସ୍ଥାନ ଦେଖିଛି, ଯାହାର ନାମ ତୁମ; ଶୁଣି ନ ଥିବ । ଏଇ ହେଉଛି ମୋର ଜୀବନର ଏକମାତ୍ର ପନ୍ଥା । ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଉଥାଏଁ; କୌଣସି ଗୋଟିଏ ସ୍ଥାନରେ ବେଶି ଦିନ ରହେ ନାହିଁ । ରହିବାର ଦରକାର ବା କଅଣ ? ଦେଖ, ଦିନରାତି କିପରି ଚାଲିଛନ୍ତି; ପୃଥିବୀ ଚାରିପାଖେ ଗୋଟାକ ପଛରେ ଗୋଟାଏ ଧାଇଁଛନ୍ତି । ସେଇପରି ତୁମେ ତୁମର ଚିନ୍ତାକୁ ଗୋଟାକ ପଛରେ ଗୋଟାଏ ଦଉଡ଼ାଇଦେବା ଉଚିତ । ତାହା ନ କଲେ ଜୀବନରେ ସ୍ୱାଦ ପାଇବ ନାହିଁ । ଜୀବନ ବିଷୟରେ ବେଶି ଚିନ୍ତା କଲେ ଜୀବନର ସ୍ୱାଦୁ ହରାଇବାକୁ ହେବ । ଥରେ ମୁଁ ମଧ୍ୟ ସେଇଆ କରିଥିଲି, ସାଙ୍ଗ !

 

‘‘ସେତେବେଳେ ମୁଁ ଗାଲିସିଆ ଜେଲରେ ଥିଲି । ଜେଲଖାନାର ଦୁଃଖକଷ୍ଟ ଭିତରେ ମୁଁ ଭାବିଲି, ମୁଁ କାହିଁକି ଜନ୍ମ ହେଇଥିଲି । ଜେଲଖାନାର କଷ୍ଟ କମ୍‍ ନୁହେଁ । ଝରକାବାଟେ ଖୋଲା ପଡ଼ିଆକୁ ଚାହିଁ ମୁଁ ମନେ କରୁଥିଲି–ସତେ ଅବା କିଏ ମୋର ହୃଦୟକୁ ଚିମୁଟାରେ ଚିପିଧରିଛି । କାହିଁକି କିଏ ଜନ୍ମ ହେଲା, ଏ ପ୍ରଶ୍ନର ଉତ୍ତର କେହି ଦେଇପାରିବେ ନାହିଁ । କେହି ନିଜକୁ ଏଭଳି ପ୍ରଶ୍ନ ପଚାରିବା ଉଚିତ ନୁହେ । ବଞ୍ଚି ରହ ଓ ବଞ୍ଚିରହିଛି ବୋଲି ଭାଗ୍ୟବାନ୍ ମନେକର । ପୃଥିବୀଯାକ ବୁଲ; ଯାହା ଦେଖିବାର ଅଛି, ଦେଖ । ତାହହେଲେ ତୁମେ କେବେହେଲେ ଦୁଃଖ ଅନୁଭବ କରିବ ନାହିଁ; କିନ୍ତୁ ସେତେବେଳେ ମୁଁ ନିଜର କମରପଟିରେ ଫାଶି ଦେବାକୁ ବିଚାର କରିଥିଲି ।

 

‘‘ଥରେ ମୋର ଜଣକ ସହିତ କଥାବାର୍ତ୍ତା ହୋଇଥିଲା । ସେ ଲୋକଟି ବଡ଼ ରୁକ୍ଷ । ତୁମରି ଭଳି ସେ ଜଣେ ରୁଷୀୟ ଥିଲା । ସେ କହିଲା, ‘ମନୁଷ୍ୟ ନିଜର ଇଚ୍ଛା ଅନୁସାରେ ଜୀବନ କଟାଇବା ଉଚିତ ନୁହେଁ; ଈଶ୍ୱରଙ୍କ ବାଣୀରେ ଯେପରି ନିର୍ଦ୍ଦେଶ ଅଛି; ସେହିପରି ଜୀବନ ଯାପନ କରିବା ଉଚିତ । ଯିଏ ଈଶ୍ୱରଙ୍କ ଆଦେଶ ମାନି ଜୀବନ ଅତିବାହିତ କରେ ତା’ର ସମସ୍ତ ଅଭିଳାଷ ଈଶ୍ୱର ପୂରଣ କରନ୍ତି ।’ ସେ ଲୋକଟି ନିଜେ ଛିଣ୍ଡା କନ୍ଥା ପିନ୍ଧିଥିଲା । ମୁଁ ତାକୁ କହିଲି, ‘ତୁମେ ଆଗ ସାରେ ନୂଆ ପୋଷାକ ଈଶ୍ୱରଙ୍କୁ ମାଗ ।’ ମୋ କଥା ଶୁଣି ସେ ରାଗିଗଲା; ମୋତେ ଗାଳିଦେଇ ତଡ଼ିଦେଲା । ଅଥଚ ଏହାର ଠିକ୍‍ ମିନିଟକ ପୂର୍ବରୁ ସେ ମୋତେ କହୁଥିଲା ଯେ ମନୁଷ୍ୟମାତ୍ରେ ତା’ର ପ୍ରତି ବେଶୀକୁ ଭଲ ପାଇବା ଉଚିତ, କ୍ଷମା ଦେବା ଉଚିତ । ମୁଁ ଯଦି ତା ମନରେ କଷ୍ଟ ଦେଇଥିଲି, ତେବେ ସେ ମୋତେ କ୍ଷମା ନ ଦେଲା କାହିଁକି ? ଇଏ ହେଉଛନ୍ତି ତୁମର ଉପଦେଷ୍ଟା । ସେମାନେ ଲୋକଙ୍କୁ କହୁଥିବେ, ‘ଖୁବ୍‍ କମ୍‍ ଖାଅ’; କିନ୍ତୁ ନିଜେ ଦିନକୁ ଦଶଥର ଗିଳୁଥିବେ ।’’

 

ନିଆଁ ଉପରକୁ ଛେପ ପକାଇ ସେ ଚୁପ୍‍ କରି ବସି ତା ଚିଲମରେ ଧୂଆଁପତ୍ର ଭର୍ତ୍ତିକଲା । ପବନ ଧୀର ଶବ୍ଦ କରି ବହୁଥାଏ । ତା’ର ଘୋଡ଼ାଗୁଡ଼ାକ ଦୂରରୁ ଅନ୍ଧାରରେ ବୋବାଉଥାନ୍ତି । ତେଣେ ଯାଯାବରମାନଙ୍କ ତମ୍ବୁରୁ ଗୋଟାଏ ଗୀତର ସ୍ୱରଲହରୀ ଭାସିଆସୁଥାଏ । ଗୀତଟି ଗାଉଥିଲା, ମକରର ସୁନ୍ଦରୀ କନ୍ୟା ନୋନ୍‌କା । ମୁଁ ସ୍ୱରରୁ ବାରିପାରିଲି ଯେ ଏହା ନୋନ୍‌କାର ଗୀତ । ଗୀତ ଗାଇଲାବଳେ ହେଉ ବା ଅଭିବାଦନ ଜଣାଇଲା ବେଳେ ହେଉ, ତା ସ୍ୱରରେ ସବୁବେଳେ ଗୋଟାଏ ଅସନ୍ତୋଷ, ଗୋଟାଏ ଆଦେଶ ଦେବାର ଭଙ୍ଗୀ ଲକ୍ଷ୍ୟ କରିହୁଏ । ତା’ର କୃଷ୍ଣବର୍ଣ୍ଣ ମୁଖମଣ୍ଡଳରେ ଜଣେ ରାଣୀର ଗର୍ବ ପ୍ରକାଶ ପାଉଥିଲା । ତା’ର କୃଷ୍ଣବର୍ଣ୍ଣ ଆଖି ଯୋଡ଼ିକ ଦେଖିଲେ ଜଣାପଡ଼ୁଥିଲା, ସେ ନିଜର ଅଦମ୍ୟ ସୌନ୍ଦର୍ଯ୍ୟ ବିଷୟରେ ସମ୍ପୂର୍ଣ୍ଣ ସଚେତନ ଥିଲା ଓ ନିଜ ଛଡ଼ା ଅନ୍ୟ ସମସ୍ତଙ୍କୁ ଘୃଣାର ପାତ୍ର ବୋଲି ବିଚାରୁଥିଲା ।

 

ମକର ମୋ ହାତକୁ ତା’ର ଚିଲମଟି ବଢ଼ାଇ ଦେଇ କହିଲା, ‘‘କଳେ ଧୂଆଁ ଖାଇଦିଅ । ସେ ଭଲ ଗୀତ ଗାଉଛି; ନୁହେଁ ? ତା’ ଭଳି ଝିଅଟିର ପ୍ରେମ ପାଇବାକୁ ତୁମର ଇଚ୍ଛା ହେଉଛି ? ନାହିଁ । ତା ତୁମ ପକ୍ଷରେ ଭଲ । ସ୍ତ୍ରୀଜାତିଙ୍କି ବିଶ୍ୱାସ କରିବ ନାହିଁ; ତାଙ୍କଠାରୁ ଦୂରରେ ରହିବ । ଏ ଚିଲମରୁ ଧୂଆଁ ଖାଇବାରେ ଯେତିକି ଆନନ୍ଦ, ଝିଅମାନେ ପୁରୁଷକୁ ଚୁମ୍ବନ ଦେଇ ସେଥିରୁ ବେଶି ଆନନ୍ଦ ପାଆନ୍ତି; କିନ୍ତୁ ତୁମେ ଯେବେ ତାକୁ ଥରେ ଚୁମ୍ବନ ଦେଲ, ତେବେ ତୁମର ସ୍ୱାଧୀନତା ଗଲା-। ସେ ତୁମକୁ ଏପରି ଗୋଟିଏ ଅଦୃଶ୍ୟ ବନ୍ଧନରେ ପକାଇଦେବ ଯେ ସେ ବନ୍ଧନ ଆଉ ଛିଣ୍ଡିପାରିବ ନାହିଁ; ତୁମେ ତୁମର ମନପ୍ରାଣ ସବୁ ତା ପାଖେ ଅର୍ପଣ କରିଦେବ । ଏହା ଅତି ସତ କଥା-। ଝିଅମାନଙ୍କୁ ସାବଧାନ ରହିଥିବ । ସେମାନେ ସବୁବେଳେ ମିଥ୍ୟା କହନ୍ତି । ସେମାନେ ଶପଥ କରି ତୁମକୁ ଭଲପାଆନ୍ତି ବୋଲି କହୁଥିବେ; କିନ୍ତୁ ତୁମେ ସେମାନଙ୍କ ମନରେ ଟିକିଏ କଷ୍ଟ ଦେଲାମାତ୍ରେ ସେମାନେ ତୁମର ଅନ୍ତରକୁ ବିଦାରି ପକାଇବେ । ମୁଁ ଯାହା କହିଛି, ତାହା ଜାଣେ । ମୁଁ ଅନେକ କଥା ଜାଣେ । ତୁମେ ଶୁଣିବ ତ ଗୋଟିଏ ସତ୍ୟ ଘଟନା କହିବି । ଏ ଘଟନାଟି ଭଲ କରି ମନେ ରଖିଥିବ । ତାହାହେଲେ ତୁମେ ଜୀବନଯାକ ସ୍ୱାଧୀନଭାବରେ କଟାଇପାରିବ ।

 

‘‘ଜବାର ବୋଲି ଗୋଟିଏ ଯାଯାବର ଯୁବକ ଥିଲା । ତା’ର ପୂରା ନାମ ହେଉଛି ଲାଇକୋ ଜବାର । ସେ ଜଣେ ନିର୍ଭୀକ ଯୁବକ ବୋଲି ହଙ୍ଗେରି, ବୋହେମିଆ ପ୍ରଭୃତି ରାଜ୍ୟରେ ତା’ର ଖ୍ୟାତି ଥିଲା । ପ୍ରତି ଗାଆଁରେ ଅନ୍ତତଃ ଚାରିପାଞ୍ଚଜଣ ଯୁବକ ଥିଲେ, ଯେଉଁମାନେ କି ଜବାରର ପ୍ରାଣ ନେବା ପାଇଁ ପ୍ରତିଜ୍ଞା କରିଥିଲେ । ତଥାପି ସେ ବଞ୍ଚିରହିଥିଲା । ତା’ର ଗୋଟିଏ ଘୋଡ଼ା ଥିଲା । ତାହାକୁ ସେ ଅତ୍ୟନ୍ତ ଆଦର କରୁଥିଲା । ସେହି ଘୋଡ଼ା ଉପରେ ବସିଥିଲେ ତାକୁ ପ୍ରକାଣ୍ଡ ସୈନ୍ୟଦଳ ମଧ୍ୟ ଅଟକାଇ ପାରୁ ନ ଥିଲେ । ଦୁନିଆରେ ସେ କାହାକୁ ମାନୁ ନ ଥଲା । ସ୍ୱୟଂ ସଇତାନ ତା ଦଳବଳ ନେଇ ଆସିଲେ ସୁଦ୍ଧା ସେ ଏକା ସେ ସମସ୍ତଙ୍କୁ ମାରିଦେବାକୁ ସାହସ କରୁଥିଲା । ଅନ୍ତତଃ ସେମାନଙ୍କୁ ସେ ଗାଳିମାଡ଼ ଦେଇ ବିଦାୟ କରିଦିଅନ୍ତା, ଏଥିରେ ସନ୍ଦେହ ନାହିଁ-

 

‘‘ସବୁ ଯାଯାବର ତମ୍ବୁର ଲୋକେ ଜବାରକୁ ଚିହ୍ନିଥିଲେ; କେହି ଅବା ତା’ର ନାମ ଶୁଣିଥିଲେ । ଜଗତରେ ତା’ର ଏକମାତ୍ର ପ୍ରିୟ ଜିନିଷ ଥିଲା ଘୋଡ଼ା; କିନ୍ତୁ ଗୋଟିଏ ଘୋଡ଼ାକୁ ସେ ବେଶି ଦିନ ରଖୁ ନ ଥିଲା । କିଛି ଦିନ ବ୍ୟବହାର କଲାପରେ ସେ ଘୋଡ଼ାଟିକୁ ବିକିଦେଉଥିଲା । ଯାହା ଟଙ୍କା ପାଉଥିଲା, ତାହା ଯିଏ ମାଗେ ତାକୁ ଦେଇପକାଏ । କୌଣସି ଜିନିଷ ପ୍ରତି ତା’ର ବିଶେଷ ମମତା ନ ଥିଲା । ଯଦି ତା’ର ହୃତ୍‌ପିଣ୍ଡଟା କାହାରି ଦରକାର ହୁଅନ୍ତା, ସେ ଛାତି ଚିରି ଦେଇପକାଇବାକୁ କୁଣ୍ଠିତ ହୁଅନ୍ତା ନାହିଁ । ସେ ଥିଲା ଏଇଭଳି ଏକ ଯୁବକ ।

 

‘‘ମୁଁ ଯେଉଁ ସମୟର କଥା କହୁଛି, ସେ ପ୍ରାୟ ଦଶବର୍ଷ ତଳର ହେବ । ଆମ ଦଳର ଲୋକେ ବୁକୋଭିନା ଅଞ୍ଚଳରେ ଭ୍ରମଣ କରୁଥିଲେ ।

 

‘‘ଦିନେ ବସନ୍ତ ଋତୁର ଗୋଟିଏ ରାତିରେ ଆମେମାନେ ଏକାଠି ବସିଥିଲୁ । ଆମ ଭିତରେ ଥିଲେ ଦିନିଲୋ ବୋଲି ଜଣେ ସୈନିକ, ବୃଦ୍ଧ ନୂର୍, ଦେନିଲୋଙ୍କ ଝିଅ ରଦ୍ଦା ଓ ଆଉ କେତେ ଜଣ ।

 

‘‘ତୁମ ମୋ ଝିଅ ନୋନ୍‌କାକୁ ଦେଖିଛ ? ସୁନ୍ଦରୀମାନଙ୍କ ଭତରେ ସେ ଗୋଟିଏ ରାଣୀ; କିନ୍ତୁ ରଦ୍ଦା ସଙ୍ଗେ ତା’ର ତୁଳନା କରାଯାଇ ନ ପାରେ । ରଦ୍ଦାର ସୌନ୍ଦର୍ଯ୍ୟ ପ୍ରକାଶ କରିବା ପାଇଁ ଭାଷାର ଅଭାବ ।

 

‘‘ରଦ୍ଦାର ପ୍ରେମ ପାଇବା ଲାଗି ଅନେକ ଲୋକ ଝୁରିହେଉଥିଲେ । ଥରେ ମରେଭିଆର ଜଣେ ଧନୀ ବୃଦ୍ଧ ବ୍ୟକ୍ତି ତାକୁ ଦେଖି ସ୍ତବ୍‌ଧ ହୋଇଗଲେ । ସେ ଆପଣା ଘୋଡ଼ା ଉପରେ ବସି ତାକୁ ଚାହିଁରହିଲେ । ତାଙ୍କ ଆଖିରେ ପଲକ ପଡ଼ିଲା ନାହିଁ । ଦେହଟା ଥରିଗଲା । ସେ ଦିନ ସେ ଭଲ ପୋଷାକ ପିନ୍ଧି ବାହାରିଥିଲେ । ତାଙ୍କ କୋଟ୍‌ରେ ସୁନାର ଜରି ଥିଲା; ଅଣ୍ଟାରୁ ଖଣ୍ଡାଟି ଝୁଲୁଥିଲା । ସେଥିରେ ମଣିମାଣିକ୍ୟ ଖଚିତ ହୋଇଥିବାରୁ ଝୁଲିଲାବେଳେ ବିଜୁଳି ପରି ଚକ୍‌ଚକ୍ କରୁଥିଲା । ତାଙ୍କ ମୁଣ୍ଡରେ ଥିଲା ଭେଲଭେଟର ସୁନ୍ଦର ଟୋପି । ବୃଦ୍ଧ ଲୋକଟି ଖୁବ୍‍ ପ୍ରତିପତ୍ତିଶାଳୀ । ଅନେକ ବେଳଯାଏ ସେ ରଦ୍ଦା ଆଡ଼କୁ ଚାହିଁ ରହି କହିଲେ, ‘ଗୋଟିଏ ଚୁମ୍ବନ ପାଇଁ ଥଳିଏ ମୋହର ଦେବି ।’ ରଦ୍ଦା ମୁହଁ ବୁଲାଇଦେଲା । ତହୁଁ ବୃଦ୍ଧ ସ୍ୱର ବଦଳାଇ କହିଲେ, ‘ମୁଁ ତୁମର ଅପମାନ କରିଥିଲେ ମୋତେ କ୍ଷମା ଦିଅ; କିନ୍ତୁ ଥରେ ମାତ୍ର ଟିକିଏ ହସିଦିଅ ।’ ଏହା କହି ସେ ଥଳିଟି ତା’ର ପାଦପାଖକୁ ପକାଇଦେଲେ; କିନ୍ତୁ ରଦ୍ଦା କିଛି ନ ଜାଣିଲା ପରି ଥଳିଟିକୁ ପାଦରେ ଦଳିଦେଲା ।

 

‘‘ସେ ଘୋଡ଼ା ପିଠିର ଚାବୁକ ମାରି କେବଳ ଏତିକି କହିଲେ, ‘ଓଃ, ଝିଅଟାର କି ତେଜ-!’ ଘୋଡ଼ା ଦୌଡ଼ିଲା; ତା ପଛେ ପଛେ ରାସ୍ତାର ଧୂଳି ଉଡ଼ିଲା ।

 

‘‘ସେ ପୁଣି ତାହା ପରଦିନ ତମ୍ବକୁ ଆସି ପଚାରିଲେ, ‘ଏ ଝିଅର ପିତା କିଏ ?’ ତାଙ୍କ ସ୍ୱରରେ ତମ୍ବୁ ପ୍ରତିଧ୍ୱନିତ ହୋଇଉଠିଲା । ଦେନିଲୋ ବାହାରି ଆସିବାରୁ ବୃଦ୍ଧ କହିଲେ, ‘ତୁମର ଝିଅଟିକୁ ମୋତେ ବିକିଦିଅ । ତୁମେ ଯେତେ ଟଙ୍କା କହିବ, ସେତେ ଦେବା ପାଇଁ ମୁଁ ପ୍ରସ୍ତୁତ ଅଛି ।’’ ଦେନିଲୋ ଉତ୍ତର କଲା, ‘ଯେଉଁମାନେ ଭଦ୍ରଲୋକ ବୋଲାନ୍ତି, କେବଳ ସେଇମାନେ ଘୁଷୁରିଠାରୁ ଆରମ୍ଭ କରି ନିଜର ବିବେକ ପର୍ଯ୍ୟନ୍ତ ଯେ କୌଣସି ଜିନିଷ ବିକ୍ରି କରିପାରନ୍ତି । ମୁଁ ସେଭଳି ଭଦ୍ରଲୋକ ନୁହେଁ । ମୁଁ ଜଣେ ସୈନିକ, କୋସୁଥଙ୍କ ଅଧୀନରେ ଯୁଦ୍ଧ କରିଛି । ମୁଁ କୌଣସି ଜିନିଷ ବିକ୍ରି କରେ ନାହିଁ ।’ ଧନୀ ବୃଦ୍ଧବ୍ୟକ୍ତି ଗୋଟାଏ ଗର୍ଜନ କରି ଖଣ୍ଡାଉପରେ ହାତ ପକାଇବାକୁ ଯାଉଥିଲେ; କିନ୍ତୁ କିଏ ଜଣେ ଖଣ୍ଡେ ନିଆଁ ନେଇ ତାଙ୍କ ଘୋଡ଼ା କାନରେ ପୂରାଇଦେଲା । ଘୋଡ଼ାଟା ବୃଦ୍ଧଙ୍କୁ ଘେନି ବିଜୁଳି ପରି ପଳାଇଲା । ଆମେ ସେଠାରୁ ତମ୍ବୁ ଉଠାଇ ଚାଲିଲୁ । ଦୁଇ ଦିନ ଯିବା ପରେ ହଠାତ୍‍ ଦେଖିଲୁ, ବୃଦ୍ଧ ଆମ ପଛେ ପଛେ ଆସୁଛନ୍ତି । ସେ ଚିତ୍କାର କରି କହିଲେ, ‘ମୁଁ ତୁମ ରାଣ ପକାଉଛି, ଈଶ୍ୱରଙ୍କ ରାଣ ପକାଉଛି, ମୋର ଉଦ୍ଦେଶ୍ୟ ଭଲ । ସେ ଝିଅଟିକୁ ଦିଅ; ମୁଁ ତାକୁ ବିବାହ କରିବି । ମୁଁ ଖୁବ୍‍ ଧନୀ । ମୋର ଯେଉଁ ସମ୍ପତ୍ତି ଅଛି, ସେଥିରେ ତୁମେ ଅଂଶୀଦାର ହେବ ।’ ସେ ପ୍ରେମରେ ପାଗଳ ହୋଇଯାଇଥିଲେ । ଘୋଡ଼ା ଉପରେ ସେ ଏପାଖରୁ ସେପାଖ, ସେପାଖରୁ ଏପାଖ ଦୋହଲୁଥିଲେ । ସେ ଯାହା କହିଲେ, ତାହା ଆମେମାନେ ଚିନ୍ତା କଲୁ ।

 

‘‘ଦେନିଲୋ ଦାଢ଼ି ହଲେଇ ପଚାରିଲେ, ‘ଝିଅ, ତୁ କଅଣ କହୁଛୁ କହ ?’

 

‘‘ରଦ୍ଦା ଉତ୍ତର କଲା, ‘ବାପା ! ମାଈ ସିଂହ ଯେବେ ତା’ ସାଥୀକୁ ଛାଡ଼ି ବଳେ ବଳେ କୁକୁର ପାଖକୁ ଯାଏ, ତୁମେ ତାକୁ କଅଣ କହିବ ?’’

 

‘‘ଦେନିଲୋ ବଡ଼ ପାଟି କରି ହସିଉଠିଲା । ତା ସାଥିରେ ଆମେ ମଧ୍ୟ ହସିଉଠିଲୁ ।

 

‘‘ସେ କହିଲା, ‘ଝିଅ ଠିକ୍ କହିଛି । ମହାଶୟ, ଆପଣ ତା କଥା ଶୁଣିଲେ ତ ? ଆପଣଙ୍କ ଅନୁରୋଧ ରହିଲା ନାହିଁ । ଅନ୍ୟତ୍ର ଚେଷ୍ଟା କରନ୍ତୁ ।’ ଆମେ ନିଜ ବାଟରେ ଚାଲିଲୁ ।

 

‘‘ଏ କଥା ଶୁଣି ସେହି ଧନୀ ଭଦ୍ରବ୍ୟକ୍ତି ମୁଣ୍ଡରୁ ଟୋପିଟା କାଢ଼ି ଦୂରକୁ ଫିଙ୍ଗିଦେଲେ । ତାହାପରେ ଘୋଡ଼ାକୁ ଏତେ ବେଗରେ ଚଳାଇଲେ ଯେ ଭୂମି କମ୍ପି ଉଠିଲା । ସାଙ୍ଗ, ଏଇଥିରୁ ବୁଝୁଥିବ ରଦ୍ଦା କିପରି ଝିଅ ।

 

‘‘ଆଉ ଦିନେ ରାତିରେ ଆମେ ତମ୍ବୁରେ ବସିଥିଲୁ । ଏଇ ସମୟରେ ହଠାତ୍‍ ଦୂର ପ୍ରାନ୍ତରରୁ ସଙ୍ଗୀତର ମଧୁର ସ୍ୱର ଶୁଣାଗଲା । ବିଚିତ୍ର ସେ ସଙ୍ଗୀତ । ସେ ସ୍ୱର ଶୁଣିଲେ ତୁମ ଶିରା–ପ୍ରଶିରାର ରକ୍ତରେ ସ୍ପନ୍ଦନ ଆସିବ, କେଉଁ ଅଜଣା ରାଇଜକୁ ଚାଲିଗଲା ପରି ମନେ ହେବ । ସେ ସ୍ୱରର ଗୋଟାଏ କି ଅପୂର୍ବ ଶକ୍ତି ଥିଲା କେଜାଣି, ତାକୁ ଥରେ ଅନୁଭବ କଲେ ଆଉ ବଞ୍ଚିରହିବାର କାମନା ରହିବ ନାହିଁ; ଯଦି ବଞ୍ଚିରହିବାକୁ ହୁଏ, ତେବେ ସମଗ୍ର ପୃଥିବୀର ପ୍ରଭୁରୂପେ ରହିବାକୁ ହେବ ।

 

ଅନ୍ଧକାର ଭିତରୁ ଗୋଟିଏ ଘୋଡ଼ା ବାହାରିଆସିଲା । ତା’ଉପରେ ବସିଥିଲା ଜଣେ ଯୁବକ ହାତରେ ତା’ର ଗୋଟିଏ ବୀଣା । ସେ ଆମ ତମ୍ବୁର ନିଆଁ ପାଖକୁ ଆସି ତା’ର ବୀଣା ବାଦନ ବନ୍ଦ କରିଦେଲା । ସେ ଟିକିଏ ହସିଦେଇ ଆମ ଆଡ଼କୁ ଚାହିଁଲା ।

 

‘‘ଦେନିଲୋ ଉଠି କହିଲା, ‘କିଏ, ଜବାର । ତୁମେ ବୀଣା ବଜାଉଥିଲ ?’

 

‘‘ଲାଇକୋ ଜବାରର ଦାଢ଼ି ବେକ ପର୍ଯ୍ୟନ୍ତ ଓହଳି ଆସି ମୁଣ୍ଡର ବାଳ ସହିତ ମିଶିଯାଇଥିଲା । ତା’ର ଆଖିଯୋଡ଼ିକ ତାରା ପରି ଉଜ୍ଜ୍ୱଳ; ମୁହଁର ହସଟି ସକାଳର ସୂର୍ଯ୍ୟ ପରି । ସେ ଓ ତା’ର ଘୋଡ଼ା ଗୋଟିଏ ପଥରରେ ଖୋଲା ମୂର୍ତ୍ତି ଭଳି ବୋଧ ହେଉଥିଲେ । ନିଆଁର ଆଲୋକରେ ତା’ର ଦେହ ରକ୍ତାଭ ଦିଶୁଥିଲା । ହସିଲାବେଳେ ତା’ର ଦାନ୍ତରୁ ଗୋଟାଏ ତେଜ ବାହାରୁଥିଲା । ତାକୁ ଦେଖିଲାମାତ୍ରେ ମୋର ତା’ପ୍ରତି ସ୍ନେହ ଜନ୍ମିଲା; କିନ୍ତୁ ସେ ମୋତେ ଚାହିଁ ନ ଥିଲା କି ମୋ ସାଙ୍ଗେ ପଦେ ହେଲେ କଥାବାର୍ତ୍ତା କରି ନ ଥିଲା ।

 

‘‘ବୁଝିଲ ସାଙ୍ଗ, ଏଭଳି ଜଣେ ଜଣେ ଲୋକ ଅଛନ୍ତି, ଯେ ତାଙ୍କୁ ଦେଖିଲା କ୍ଷଣି ତୁମେ ତାଙ୍କ ପାଖରେ ନିଜକୁ ବିକିଦେବ । ଏଥିରେ ପୁଣି ତୁମେ ଲଜ୍ଜା ଅନୁଭବ ନ କରି ଗର୍ବ ଅନୁଭବ କରିବ । ଏଭଳି ଲୋକ ଖୁବ୍‍ କମ୍‍ ଦେଖାଯାନ୍ତି । ବେଶି ନ ଥିବା ଭଲ । ଭଲ ଜିନିଷ ବହୁ ପରିମାଣରେ ଥିଲେ, ତାକୁ ଭଲ ବୋଲି କେହି କହିବେ ନାହିଁ । ସେ କଥା ଥାଉ, ଏବେ ତା’ପରେ କଅଣ ହେଲା, ଶୁଣ ।

 

‘ରଦ୍ଦା ତାକୁ କହିଲା, ‘ଜବାର, ତୁମେ ଅତି ସୁନ୍ଦର ବୀଣା ବଜାଉଛ । ଏହାକୁ କିଏ ତିଆରି କରିଛି ?’ ଜବାର ହସି ହସି କହିଲା, ‘‘ମୁଁ ନିଜେ ତିଆରି କରିଛି । ଏହି ବୀଣା କାଠରେ ତିଆରି ନୁହେଁ; ମୋର ଜଣେ ପ୍ରେମିକାର ବକ୍ଷରେ ତିଆରି । ଏହାର ତା’ର ତିଆରି ହୋଇଛି ତାରି ହୃଦୟରେ ତନ୍ତ୍ରୀରେ । ବେଳେ ବେଳେ ମୋର ଏ ବୀଣାର ସ୍ୱର ଠିକ୍‍ ରହେନି । କିନ୍ତୁ ମୁଁ ବୀଣାର ଦଣ୍ଡକୁ ଚଳାଇ ଜାଣେ; ତେଣୁ ଠିକ୍‍ ସ୍ୱର ବାହାରେ ।

 

‘‘ଝିଅମାନଙ୍କ ଆଖିର ଶରରେ ଯୁବକର ବକ୍ଷ ବିଦ୍ଧ ହୋଇଯାଏ । ସେହି ଶରରୁ ବକ୍ଷ ରକ୍ଷା କରିବାପାଇଁ ଯୁବକମାନେ ନିଜ ପ୍ରତି ଝିଅଠାରେ ପ୍ରବଳ ଲାଳସା ଜନ୍ମାଇ ତା’ର ଆଖିକୁ ଅନ୍ଧୀଭୂତ କରିପକାନ୍ତି । ଜବାର ଏ ଦିଗରେ ଅନ୍ୟ ଯୁବକଙ୍କ ଠାରୁ ଭିନ୍ନ ନ ଥିଲା । କିନ୍ତୁ ଏଥର ସେ ଯେଉଁ ରଦ୍ଦା ସଙ୍ଗେ କଥାବାର୍ତ୍ତା ହେଉଥିଲା, ତା’ର ଭିତର ଚିହ୍ନି ନ ଥିଲା । ରଦ୍ଦା ହାଇ ମାରି, ମୁହଁ ବୁଲାଇନେଇ କହିଲା, ‘ମୁଁ ଶୁଣିଥିଲି ଯେ ଜବାର ଖୁବ୍ ବୁଦ୍ଧିଆ, ଖୁବ୍ ଚାଲାଖ୍‌ । ଦେଖୁଛି, ସବୁ ମିଛ-।’ ଏତିକି କହି ସେ ଚାଲିଗଲା ।

 

‘‘ଆଉ ଥରେ ଜବାର ଆସି ଆମ ତମ୍ବୁ ଆଗରେ ଘୋଡ଼ାରୁ ଓହ୍ଲାଇ ପଡ଼ିଲା । ତା’ ଆଖରୁ ନିଆଁପରି ତେଜ ବାହାରୁଥାଏ । ସେ ଆମମାନଙ୍କୁ ଅଭିବାଦନ ଜଣାଇ କହିଲା, ‘ମୁଁ ତୁମମାନଙ୍କୁ ଦେଖିବି ବୋଲି ଆସିଗଲି ।’

 

‘‘ଦେନିଲୋ ଉତ୍ତର କଲା, ‘ତୁମେ ଏଠାକୁ ଆସିଥିବାରୁ ଆମେମାନେ ବିଶେଷ ଆନନ୍ଦିତ-।’

 

‘‘ଆମେମାନେ ପରସ୍ପରକୁ ଆଲିଙ୍ଗନ କଲୁ; କିଛି ସମୟ ଯାଏ କଥାବାର୍ତ୍ତା ଚାଲିଲା । ତାହାପରେ ଆମେ ଶୋଇବାକୁ ଗଲୁ । ସକାଳକୁ ଦେଖିଲୁ, ଜବାରର ମୁଣ୍ଡରେ ପଟି ବନ୍ଧା ହୋଇଛି-। କଅଣ ହେଲା ? ବୋଧହୁଏ ରାତିରେ ଘୋଡ଼ାର ନାତ ବାଜିଥିବ ।

‘‘ହଁ, ଏ ଘୋଡ଼ାଟି କିଏ, ଆମେ ଜାଣିପାରିଲୁ । ଆମ ଭିତରେ ହସ ହସ ଲାଗିଲା । ଦେନିଲୋ ମଧ୍ୟ ହସିଲା । ତେବେ କଅଣ ଜବାର ମଧ୍ୟ ରଦ୍ଦାର ସମକକ୍ଷ ନୁହେଁ; ନା ମୋଟେ ନୁହେଁ-। ରଦ୍ଦା ଏତେ ସୁନ୍ଦରୀ ସିନା, କିନ୍ତୁ ତା’ର ଆତ୍ମା ସଙ୍କୁଚିତ, କ୍ଷୁଦ୍ର ।

‘‘ଆମେ କିଛିଦିନ ଯାଏ ସେଇଠାରେ ତମ୍ବୁ ପକାଇ ରହିଲୁ । ଆମର ଦିନ ସୁଖରେ କଟୁଥାଏ । ଜବାର ମଧ୍ୟ ଆମ ସଙ୍ଗରେ ଥାଏ । ସେ ଜଣେ ଭଲ ସଙ୍ଗୀ । ବୁଦ୍ଧିରେ ବୁଢ଼ାମାନେ ତା’ପାଖରେ ପାରିବେ ନାହିଁ । ଅନେକ କଥା ସେ ଜାଣେ; ପୁଣି ସେ ରୁଷୀୟ ଭାଷା ପଢ଼ିପାରେ ଲେଖିପାରେ । ତା’ର କଥା ଶୁଣିବାକୁ ଏତେ ଭଲଲାଗେ ଯେ ରାତିସାରା ତା’ ପାଖେ ରହି ଶୁଣିବାକୁ ମନହୁଏ । ଆଉ ତା’ର ବୀଣା ବଜାଇବା କଥା କ’ଣ କହିବି ? ତା’ଭଳି ବୀଣା ବଜାଇଲାବାଲା ମୋ ଜୀବନରେ କେଉଁଠି ଦେଖିନାହିଁ । ସେ ଥରେ ବୀଣାର ତା’ର ଉପରେ ବୀଣାଦଣ୍ଡଟି ଚଳାଇନେଲେ ତୁମର ଛାତି ଭିତର ନାଚିଉଠିବ । ସେ ହସି ହସି ବୀଣା ବଜାଉଥାଏ, ସେ ସ୍ୱର ଶୁଣିଲେ ଏକାବେଳକେ ହସିବାକୁ ମନହେବ, କାନ୍ଦିବାକୁ ମନହେବ । ଏଇ ମୁହୂର୍ତ୍ତରେ କେହି କରୁଣଭାବରେ ସାହାଯ୍ୟ ମାଗିଲା ପରି ସ୍ୱର; ଶୁଣିଲାକ୍ଷଣି ବିଷାଦରେ ହୃଦୟ କରତି ହୋଇଯିବ । ଟିକିଏ ପରେ ସେ ସ୍ୱରରୁ ଜଣାପଡ଼ିବ ସତେ ଯେପରି କି ପ୍ରାନ୍ତର ଆକାଶକୁ ତା’ର ମର୍ମକଥା କହୁଛି, ଗୋଟାଏ ବିଷାଦମୟ କାହାଣୀ । କେତେବେଳେ କେଉଁ ପ୍ରେମିକାର ପ୍ରେମିକଠାରୁ ବିଦାୟକାଳୀନ କରୁଣ କ୍ରନ୍ଦନ; ପରମୁହୂର୍ତ୍ତରେ ପ୍ରେମିକର ପ୍ରେମିକା ପ୍ରତି ଅନ୍ତରର ଆବେଦନ । ପୁଣି କେତେବେଳେ ଅବା ଅକାଳ ବଜ୍ର ପରି ବୀରରସପୂର୍ଣ୍ଣ ସ୍ୱର ଉଛୁଳିଉଠେ; ସେ ସ୍ୱରରେ ଆକାଶରେ ସୂର୍ଯ୍ୟ ମଧ୍ୟ ନାଚିଉଠନ୍ତି । ଏଇଭଳି ଥିଲା ଜବାରର ବୀଣାର ସ୍ୱର ।

‘‘ସେ ସ୍ୱର ଆମର ଶରୀରର ପ୍ରତ୍ୟେକ ତନ୍ତ୍ରୀକୁ ସ୍ପର୍ଶ କରୁଥିଲା; ସେ ସ୍ୱର ପାଖରେ ଆମେ ନିଜକୁ ହଜାଇ ଦେଉଥିଲୁ । ସେତେବେଳେ ଯେବେ ସେ ଆମକୁ କହିଥାନ୍ତା, ‘ଖଣ୍ଡା ଧରି ସାଥୀମାନେ ଚାଲ’ ତେବେ ଆମେମାନେ ସମସ୍ତେ ତା’ ସାଥିରେ ଯାଇଥାନ୍ତୁ; ସେ ଯାହାକୁ କହନ୍ତା ତାକୁ ଏକ ସମୟରେ ଆଘାତ କରିଥାନ୍ତୁ । ଆମେ ସମସ୍ତେ ତାକୁ ଅନ୍ତରର ସହିତ ଭଲ ପାଉଥିଲୁ, କିନ୍ତୁ ରଦ୍ଦାର ତାହା ସଙ୍ଗେ କିଛି ସମ୍ବନ୍ଧ ନ ଥିଲା । ତା’ର ଏପରି କରିବା ଅନ୍ୟାୟ; ଖାଲି ସେତିକି ନୁହେଁ, ରଦ୍ଦା ତାକୁ ବ୍ୟଙ୍ଗ ବିଦ୍ରୂପ କରିବାକୁ ଛାଡ଼ୁ ନ ଥିଲା । ସେ ଜବାରର ହୃଦୟରେ କଠୋର ଆଘାତ ହେଉଥିଲା । ଜବାର ଦାନ୍ତ ଚିପି ନିଶ ମୋଡ଼ୁଥିଲା । ତା’ର ଗହୀରିଆ ଆଖିରୁ ନିଆଁ ବାହାରିପଡ଼ୁ ଥିଲା । ସେ ଆଖିକୁ ଚାହିଁଲେ ନିଶ୍ଚୟ ଭୟ ଲାଗିବ । ରାତିରେ ଜବାର ପ୍ରାନ୍ତରକୁ ଚାଲିଯାଇ ସକାଳ ପର୍ଯ୍ୟନ୍ତ ବିଷାଦର ରାଗିଣୀରେ ବୀଣା ବଜାଉଥିବ । ସେ ଯେଉଁ ସ୍ୱାଧୀନତା ହରାଇଥିଲା । ତାରି ପାଇଁ ଏ ଦୁଃଖର ଗୀତି । ଏଣେ ଆମେମାନେ ତମ୍ବୁ ପାଖରେ ଶୋଇରହି ସେ ସ୍ୱରକୁ ଶୁଣି ଭାବୁଁ ‘ଏହା ପରେ କଅଣ ହେବ ?’ ଦୁଇଖଣ୍ଡ ପ୍ରକାଣ୍ଡ ପଥର ବିପରୀତ ଦିଗରୁ ପରସ୍ପର ଆଡ଼କୁ ଧାବିତ ହେଲେ ବାଟର ପ୍ରତିବନ୍ଧକ ଦଳି ହୋଇଯାଏ । ଜବାର ଓ ରଦ୍ଦାଙ୍କର ଅବସ୍ଥା ସେହି ପଥର ପରି ।

‘‘ଦିନେ ରାତିର ଆମେମାନେ ନିଆଁ ଚାରିପାଖେ ଅନେକ ବେଳ ପର୍ଯ୍ୟନ୍ତ ବସି ନାନା ବିଷୟ ଆଲୋଚନା କଲୁ । କ୍ଳାନ୍ତି ଆସିଲା ପରେ ଦେନିଲୋ ଜବାବକୁ କହିଲେ, ଆମ ମନଖୁସି ପାଇଁ ଗୋଟାଏ ଗୀତ ବୋଲ ଜବାର ! ସେତେବେଳକୁ ରଦ୍ଦା ଅଳ୍ପ ଦୂରରେ ଭୂଇଁ ଉପରେ ଶୋଇରହି ଆକାଶକୁ ଚାହିଁଥିଲା । ଜବାର ତା’ଆଡ଼କୁ ଚାହିଁ ବୀଣାର ଦଣ୍ଡଟି ଧରି ଧୀରେ ବୀଣାର ତା’ର ଉପରେ ଚଳାଇଲା । ବୀଣାର ସ୍ୱରରୁ ଜଣାଗଲା, ସତେ ଅବା କୌଣସି ଯୁବତୀର ହୃଦୟତନ୍ତ୍ରୀରେ ତା’ରଗୁଡ଼ିକ ଗଠିତ । ବୀଣାର ସ୍ୱର ସଙ୍ଗେ ସଙ୍ଗେ ସେ ଗାଇଲା–

 

ପ୍ରଣୟରେ ମୋର ଜଳୁଛି ଅନ୍ତର

ପ୍ରାନ୍ତର ସାଗର ସରି,

ପବନ ସମାନ ଧାଏଁ ଅଶ୍ୱ ମୋର

ବେନିଙ୍କୁ ପୃଷ୍ଠରେ ଧରି । ଗୋ ମିତ !

ତୁ ତ ବସିଛୁ ମୋହ ସହିତ । ଗୋ ମିତ !

ତହୁଁ ହେଲା ମୋ ମନ ମୋହିତ ।

 

‘‘ରଦ୍ଦା କହୁଣି ଉପରେ ଭରା ଦେଇ ମୁଣ୍ଡକୁ ଟିକିଏ ଟେକିଲା । ସେ ଜବାରର ମୁହଁକୁ ଚାହିଁ ହସିଦେଲା । ଜବାରର ମୁହଁ ରଙ୍ଗା ପଡ଼ିଗଲା । ସେ ପୁଣି ଗାଇଲା–

 

ପୂରୁବ ଆକାଶେ ଦେଖ ଶୁକ୍ର ତାରା

ଦିଗଙ୍ଗନା ମଥାମଣି,

ସଖାଗଣ ମୋର ସଙ୍ଗେ ଥାଇ ମୋତେ

ପ୍ରାଣ ସମ ଥାନ୍ତି ମଣି । ଗୋ ସହି !

ଦୂର ପ୍ରାନ୍ତରକୁ ଦେଖ ଚାହିଁ ।

କଳା ଶାଢ଼ି କି ପିନ୍ଧିଅଛଇ । ଗୋ ସହି !

ଆମେ ଉଠିବୁ ଆକାଶେ ଯାଇ ।

 

‘‘କେଡ଼େ ଚମତ୍କାର ଗୀତ ! କି ମଧୁର ସ୍ୱର । ଆଜିକାଲି କେହି ସେପରି ଗୀତ ଗାଇବାର ଶୁଣାଯାଏ ନାହିଁ । କିନ୍ତୁ ରଦ୍ଦା ଏ ଗୀତର ପ୍ରଶଂସା ନ କରି କହିଲା, ‘ମୁଁ ହୋଇଥିଲେ ଘୋଡ଼ାରେ ବସି ଆକାଶକୁ ଯାଆନ୍ତି ନାହିଁ ରେ ଜବାର ! ସେତେ ଉଚ୍ଚରୁ କେଉଁଠି କାଦୁଅରେ ପଡ଼ିଗଲେ ତୋର ଏଡ଼େ ସୁନ୍ଦର ନିଶ ଯୋଡ଼ାକ ଖରାପ ହୋଇଯିବ ।’

 

‘‘ଜବାର ତା ଆଡ଼କୁ ରାଗରେ ଚାହିଁଲା; କିନ୍ତୁ କିଛି କହିଲା ନାହିଁ । ସେ ନିଜକୁ ସଂଯତ କରି ନେଇ ପୁଣି ଗାଇବାକୁ ଲାଗିଲା–

 

ଆମେ ରହିଥିବୁ ନିଦ୍ରାଦେବୀ କୋଳେ

ଆସିବ ପ୍ରଭାତ ଯେତେ,

ଲଜ୍ଜାରେ ଅରୁଣ ହେବ ଓଷ୍ଠାଧର

ଉଠିବୁ ଶୟନୁ ତେବେ । ହେ ସହି !

ଏଥୁଁ ବଳି ସୁଖ ଅଛି କାହିଁ । ଗୋ ସହି !

ଉଷା ଆଗମନ ଥିବି ଚାହିଁ ।

 

‘‘ଦେନିଲୋ କହିଉଠିଲା–‘ବାଃ ! ଏଭଳି ଚମତ୍କାର ଗୀତ ମୁଁ କେବେ ଶୁଣି ନ ଥିଲି ।’

 

‘‘ବୃଦ୍ଧ ନୂର ନିଶକୁ ହାତରେ ଆଉଁସିଲା । ଜବାରର ଗୀତ ଶୁଣି ଆମେ ସମସ୍ତେ ଖୁସି । କେବଳ ରଦ୍ଦାକୁ ଗୀତଟା ଭଲ ଲାଗିଲା ନାହିଁ ।

 

‘‘ସେ ଥଟ୍ଟା କରି କହିଲା, ‘ଥରେ ମୁଁ ଶୁଣିଥିଲି ଯେ କୋଇଲିର ଗୀତ ଗାଇବା ଦେଖି ଗୋଟାଏ ମଶା ତାରି ଭଳି ଗାଇବାକୁ ଚେଷ୍ଟା କରୁଥିଲା ।’ ଏ କଥାଟା ଆମକୁ ଭାରି ଖରାପ ଲାଗିଲା ।

 

‘‘ଦେନିଲୋ ବିରକ୍ତ ହୋଇ କହିଲା, ‘କଅଣ ରଦ୍ଦା, ଚାବୁକର ପାହାର ଖାଇବାକୁ ମନ କରିଛୁ ନା କଅଣ ?’ କିନ୍ତୁ ଜବାର ମୁଣ୍ଡର ଟୋପିଟା ତଳକୁ ଫିଙ୍ଗିଦେଇ କହିଲା, ‘ଟିକିଏ ଅପେକ୍ଷା କର ଦେନିଲୋ ! ଯେଉଁ ଘୋଡ଼ାର ତେଜ ବେଶି, ତାଠାରେ ଲୁହାର ଲଗାମ ଲଗାଇବା ଦରକାର । ତୁମର ଏ ଝିଅଟିକୁ ଦିଅ; ମୁଁ ତାକୁ ବିଭା ହେବି ।’

 

‘‘ଦେନିଲୋ ଉତ୍ତର କଲା, ‘ଠିକ୍‍ କଥା କହିଲ । ମୁଁ ଦେବି କଅଣ ? ପାରିଲେ ତୁମେ ତାକୁ ନେଇଯାଅ ।’

 

‘‘ଜବାର ରଦ୍ଦା ଆଡ଼କୁ ଅନାଇ କହିଲା, ‘ତୋର ସେ ଉଚ୍ଚ ଘୋଡ଼ା ପିଠିରୁ ତଳକୁ ଓହ୍ଲାଇ ଆ । ମୁଁ ଯାହା କହୁଛି, ଶୁଣ । ମୁଁ ଅନେକ ଝିଅ ଦେଖିଆସିଛି । ମାତ୍ର ଅନ୍ୟ କେହି ତୋଭଳି ମୋ ହୃଦୟକୁ ବନ୍ଦୀ କରିପାରି ନ ଥିଲା । ରଦ୍ଦା, ସତରେ ତୁ ମୋର ଆତ୍ମାକୁ ବାନ୍ଧିରଖିଛୁ । ସେଥିକି ପ୍ରତିକାର ନାହିଁ । ଯାହା ହେବାକୁ ଥିବ, ହେବ । ଜଗତରେ ଏପରି ଘୋଡ଼ା ନାହିଁ ଯିଏ କି ମନୁଷ୍ୟକୁ ତା ନିଜଠାରୁ ଦୂରକୁ ନେଇପାରିବ । ଆଜି ଈଶ୍ୱରଙ୍କୁ ସାକ୍ଷୀ ରଖି, ମୋର ବିବେକକୁ ସାକ୍ଷୀ ରଖି ତୋର ବାପା ଓ ଏ ସମସ୍ତଙ୍କ ଆଗରେ ମୁଁ ତୋତେ ପତ୍ନୀରୂପରେ ଗ୍ରହଣ କଲି । କିନ୍ତୁ ମୁଁ ତୋତେ ଗୋଟିଏ ବିଷୟରେ ସାବଧାନ କରିଦେଉଛି–ତୁ ମୋର ସ୍ୱାଧୀନତା ଉପରେ ହସ୍ତକ୍ଷେପ କରିବାକୁ ଯିବୁନାହିଁ । ସ୍ୱାଧୀନତାକୁ ଭଲ ପାଇବା ମୋର ପ୍ରକୃତି; ମୋର ଯେପରି ଇଚ୍ଛା ହେବ, ମୁଁ ସେପରି ଚଳିବି ।’ ଜବାର ରଦ୍ଦା ଆଡ଼କୁ ଆଗେଇ ଗଲା । ତା’ ଆଖିରୁ ନିଆଁ ବାହାରିଲା ପରି ହେଉଥାଏ; ଓଠକୁ ଦାନ୍ତରେ ଚିପି ରଖିଥାଏ । ସେ ରଦ୍ଦାକୁ ଆଲିଙ୍ଗନ କରିବାକୁ ହାତ ବଢ଼ାଇଲା । ଆମେମାନେ ଭାବିଲୁ, ‘ଯାହା ହେଉ, ଏତେଦିନେ ରଦ୍ଦା ପ୍ରାନ୍ତରର ଏ ଅମଣିଆ ଘୋଡ଼ା ମୁହଁରେ ଲଗାମ ଦେଲା-।’ କିନ୍ତୁ ହଠାତ୍‍ ଜବାର ପଛ ଆଡ଼କୁ ଲେଉଟି ପଡ଼ିଲା । ତା’ ମୁଣ୍ଡ ଭୂଇଁରେ ପିଟିହୋଇଗଲା-

 

‘‘ହଠାତ୍‍ ଏ କଅଣ ହେଲା ? ଆମେ ଆଶ୍ଚର୍ଯ୍ୟ ହୋଇଗଲୁ । କିନ୍ତୁ ପ୍ରକୃତ କଥା ହେଉଛି, ରଦ୍ଦା ତାରି ଘୋଡ଼ାଛାଟଟାକୁ ଜବାରର ଗୋଡ଼ରେ ଛନ୍ଦି ଦେଇଥିବାରୁ ସେ ତଳେ ପଡ଼ିଯାଉଥିଲା ।

 

‘‘ରଦ୍ଦା ପୁଣି ଯାଇ ପୂର୍ବପରି ଶୋଇରହିଲା । ତା’ର ମୁହଁରେ ସେହିପରି ଘୃଣାସୂଚକ ହସ । ଏହା ପରେ କଅଣ ଘଟିବ ବୋଲି ଆମେ ଚାହିଁ ରହିଲୁ । ଜବାର ଉଠି ମୁଣ୍ଡକୁ ଚିପିଧରି ବସିଲା । କିଛି ସମୟ ପରେ କାହାରି ଆଡ଼କୁ ନ ଚାହିଁ ଧୀରେ ଧୀରେ ପ୍ରାନ୍ତର ଆଡ଼କୁ ଚାଲିଗଲା । ନୂର ମୋ କାନ ପାଖରେ କହିଲା, ‘ତୁମେ ଯାଇ ଜବାର ଉପରେ ଟିକିଏ ଦୃଷ୍ଟି ରଖିଥାଅ ।’ ମୁଁ ଲୁଚିରହି ତା’ ପଛେ ପଛେ ପ୍ରାନ୍ତରକୁ ଗଲି । ରାତି ଅନ୍ଧାର ମାଡ଼ିଆସୁଥାଏ ।

 

ମକର ତା’ ଚିଲମରୁ ପାଉଁଶ ଫିଙ୍ଗି ଦେଇ ସେଥିରେ ପୁଣି କିଛି ଧୂଆଁପତ୍ର ଭର୍ତ୍ତିକଲା । ମୁଁ ଟାଣକରି ମୋ କୁରୁତା’ର ବୋତାମ ଲଗାଇ ତଳେ ଗଡ଼ିଗଲି । ମୁଁ ମକରର ହାଡ଼ୁଆ ମୁହଁକୁ ଚାହିଁଥାଏ । ସେ ମନକୁ ମନ କଅଣ କହୁଥାଏ; ମଝିରେ ମଝିରେ ଗମ୍ଭୀରଭାବରେ ମୁଣ୍ଡକୁ ହଲାଉଥାଏ । ତା’ର ନିଶ ଦୁଇଟା ହଲିଯାଉଥାଏ, ପବନରେ ମୁଣ୍ଡର ବାଳ ଉଡ଼ୁଥାଏ । ତାକୁ ଦେଖି ମୁଁ ମନେ କଲି–ସତେ ଅବା ଗୋଟାଏ ପ୍ରକାଣ୍ଡ ବରଗଛ ଉପରେ ବଜ୍ର ପଡ଼ିବାରୁ ତା’ର ଡାଳପତ୍ର ପୋଡ଼ିଯାଇଛି; ତଥାପି ଗଣ୍ଡିଟା ଦୃଢ଼ ହୋଇ ରହିଛି । ସମୁଦ୍ରର ଲହରୀମାଳା ସିକତା କାନରେ ତା’ର ସଙ୍ଗୀତ ଶୁଣାଉଥାଏ; ପବନ ସେ ସଙ୍ଗୀତକୁ ପୁଣି ପ୍ରାନ୍ତରକୁ ବହି ଆଣୁଥାଏ । ନୋନକାର ଗୀତ ବନ୍ଦ ହୋଇଯାଇଥିଲା । ଆକାଶରେ ଗୁଡ଼ାଏ ମେଘ ଏକାଠି ଜମି ରାତିର ଅନ୍ଧକାରକୁ ଭୟଙ୍କର କରିପକାଇଥିଲେ ।

 

‘‘ଜବାର ଗୋଟିକ ପରେ ଗୋଟିଏ ପାଦ ପକାଇ କଷ୍ଟରେ ଚାଲୁଥାଏ । ତା’ର ମୁଣ୍ଡ ତଳକୁ ନଇଁ ପଡ଼ିଥାଏ; ହାତ ଦୁଇଟା ଦୁଇପାଖେ ଓହଳିଥାଏ । ଏହିପରି ଯାଇ ଯାଇ ସେ ଗୋଟାଏ ନଈକୂଳେ ପହଞ୍ଚିଲା । ସେଠାରେ ସେ ଗୋଟାଏ ପଥର ଉପରେ ବସିପଡ଼ିଲା । ତା ମୁହଁରୁ ଗୋଟାଏ ଆର୍ତ୍ତନାଦ ବାହାରିଲା । ସେ ଶବ୍ଦ ଶୁଣି ଦୁଃଖରେ ମୋର ହୃଦୟ ବିଦାରି ହୋଇଗଲା; କିନ୍ତୁ ମୁଁ ତା ପାଖକୁ ଗଲିନାହିଁ । ଯାଇଥିଲେ ଦୁଇପଦ ସାନ୍ତ୍ୱନା ବାଣୀ ଶୁଣାଇଥାନ୍ତି ମାତ୍ର; ହେଲେ କଥାରେ କେବେ ମଣିଷର ଅନ୍ତରର ଦୁଃଖ ଦୂର ହୋଇପାରେ କି ? ସେ ସେହିପରି ପଥର ଉପରେ ବସିଥାଏ । ଘଣ୍ଟାଏ ଗଲା, ଦୁଇ ଘଣ୍ଟା ବି ଗଲା; ତଥାପି ସେ ବସିରହିଥାଏ ।

 

‘‘ଅଳ୍ପ ଦୂରରେ ମୁଁ ଶୋଇ ରହି ଚାହିଁଥାଏ । ଆକାଶ ନିର୍ମଳ ହୋଇଯାଇଥାଏ । ଚନ୍ଦ୍ରକିରଣ ପ୍ରାନ୍ତର ଉପରେ ଗୋଟାଏ ରୂପେଲି ଶାଢ଼ି ଢାଙ୍କି ଦେଇଥାଏ । ମୁଁ ପ୍ରାନ୍ତରର ବହୁଦୂର ପର୍ଯ୍ୟନ୍ତ ଦେଖିପାରୁଥାଏଁ ।

 

‘‘ହଠାତ୍‍ ମୁଁ ଦେଖିପାରିଲି, ରଦ୍ଦା ତମ୍ୱୁଆଡ଼ୁ ଆମ ପାଖକୁ ଆସୁଛି । ମୋ ମନରେ ବିଶେଷ ଆନନ୍ଦ ହେଲା । ମୁଁ ଭାବିଲି, ରଦ୍ଦାର ସାହସ ଅଛି; ସେ ଏଠାକୁ ଆସିବାଦ୍ୱାରା ଭଲ ହେଲା-। ସେ ଧୀରେ ଧୀରେ ଜବାରର ପାଖକୁ ଲାଗିଆସିଲା । ସେତେବେଳଯାଏ ଜବାର ତାକୁ ଦେଖିପାରି ନ ଥିଲା । ସେ ଆସି ଜବାରର କାନ୍ଧ ଉପରେ ହାତ ପକାଇଲା । ଜବାର ଚମକି ପଡ଼ି ମୁଣ୍ଡ ଟେକି ଚାହିଁଲା । ମୁହୂର୍ତ୍ତକ ଭିତରେ ସେ ଠିଆହୋଇପଡ଼ି ଛୁରା ବାହାର କଲା । ମୁଁ ହତବୁଦ୍ଧି ହୋଇଗଲି । ଏ କଅଣ ? ଜବାର ରଦ୍ଦାକୁ ମାରିଦେବ ପରା ? ମୁଁ ଉଠିପଡ଼ି ପାଟି କରିବାକୁ ଯାଉଥିଲି; କିନ୍ତୁ ଏହି ସମୟରେ ରଦ୍ଦା କହିଲା, ‘ଜବାର, ଛୁରାଟା ତଳେ ଫିଙ୍ଗିଦେ । ନ ହେଲେ ଦେଖ୍‌, ଏଇଥିରେ ତୋ ମୁଣ୍ଡଟା ଉଡ଼ାଇଦେବି ।’ ମୁଁ ଦେଖେଁ ତ, ରଦ୍ଦା ହାତରେ ଗୋଟାଏ ପିସ୍ତଲ ଧରି ଜବାରର ମୁଣ୍ଡ ଆଡ଼କୁ ଲକ୍ଷ୍ୟ କରିଛି । ମୁଁ ଭାବିଲି–ଏ ରଦ୍ଦା ମଣିଷ ପିଲା ନୁହେଁ ଯେ ଗୋଟାଏ ରାକ୍ଷସ ପିଲା । ଯାହା ହେଉ ବଳରେ ଦୁହିଁକି ଦୁହେଁ ସମାନ । ଦେଖାଯାଉ କଅଣ ହେଉଛି ।

 

‘‘ରଦ୍ଦା ପିସ୍ତଲଟାକୁ ଅଣ୍ଟାରେ ‌ଖୋସିଦେଇ କହିଲା, ‘ଜବାର, ମୁଁ ତୋତେ ମାରିବାକୁ ଆସିନାହିଁ । ଛୁରାଟା ରଖିଦେ ।’ ଜବାର ଛୁରାଟା ରଖିଦେଇ ତା ଆଡ଼କୁ ଚାହିଁଲା । ଦୁହିଙ୍କ ଆଖିରୁ ନିଆଁ ଛୁଟୁଥାଏ । ସତେ ଅବା ଦୁଇଟା ହିଂସ୍ରଜନ୍ତୁ ପରସ୍ପରକୁ ଆକ୍ରମଣ କରିବାକୁ ଉଦ୍ୟତ । ପୁଣି ଦୁହେଁଯାକ କେଡ଼େ ସୁନ୍ଦର, କେଡ଼େ ସାହସୀ । ଏ ଦୁହିଁଙ୍କୁ ଦେଖିବା ପାଇଁ ସେଠାରେ ଆଉ କେହି ନ ଥିଲେ; କେବଳ ତଳେ ମୁଁ, ଆଉ ଉପରେ ଆକାଶରେ ଚନ୍ଦ୍ର ।

 

‘‘ରଦ୍ଦା କହିଲା, ‘ଜବାର ! ମୋ କଥା ଶୁଣ୍‌ । ମୁଁ ତୋତେ ଭଲପାଏଁ ।’ ଜବାର କିଛି ଉତ୍ତର ଦେଲା ନାହିଁ । କେବଳ ତା’ର କାନ୍ଧଟା ହଲିଗଲା । ସତେ ଯେପରି କି ତା’ର ହାତଗୋଡ଼ ବନ୍ଧା ହୋଇଛି ।

 

‘‘ରଦ୍ଦା କହିବାକୁ ଲାଗିଲା, ‘ମୁଁ କେତେ ପୁରୁଷଙ୍କୁ ଦେଖିଛି; କିନ୍ତୁ ତୋ ଭଳି ସୁନ୍ଦର ଓ ସାହସୀ ପୁରୁଷ ଦେଖିନାହିଁ । ଅନ୍ୟ ଯେ କୌଣସି ଲୋକ ମୋତେ ପାଇବା ପାଇଁ ମୋ କଥାରେ ତା’ର ନିଶ କାଟିଦିଅନ୍ତା, ମୋ କଥାରେ ମୋ ପାଦତଳେ ମୁଣ୍ଡିଆ ମାରନ୍ତା; କିନ୍ତୁ ସେମାନଙ୍କଠାରେ ମୋର କି କାମ ? ସେମାନଙ୍କର ଆଦୌ ସାହସ ନାହିଁ, ମୋ ସାଥିରେ ସେମାନେ ମାଇଚିଆ ହୋଇଯାଇଥାନ୍ତେ । ଜବାର, ଆମ ଯାଯାବର ଜାତିରେ ସାହସୀ ଲୋକ ପ୍ରାୟ ନାହାନ୍ତି । ଜବାର, ମୁଁ ଏଥିପୂର୍ବରୁ କାହାରିକୁ ଭଲପାଇ ନ ଥିଲି । କିନ୍ତୁ ମୁଁ ତୋତେ ଭଲ ପାଇଛି । ତା’ସଙ୍ଗେ ମୁଁ ସ୍ୱାଧୀନତାକୁ ମଧ୍ୟ ଭଲ ପାଏଁ । ମୁଁ ତୋତେ ଛାଡ଼ି ବଞ୍ଚିପାରିବି ନାହିଁ କି ତୁ ମୋତେ ଛାଡ଼ି ରହିପାରିବୁ ନାହିଁ । ମୁଁ ଚାହେଁ, ତୁ ମୋର ହୋଇ ରହିବୁ; ତୋର ଦେହ, ମନ, ପ୍ରାଣ ସବୁ ମୋର ହେବ । ଶୁଣୁଛୁ ?’

 

‘‘ଜବାର ଟିକିଏ ହସିଦେଇ କହିଲା, ‘ହଁ, ଶୁଣୁଛି । ତୋ କଥା ଶୁଣିଲେ ମୋର ମନରେ ଆନନ୍ଦ ଆସୁଛି । କହିଯାଆ ।’

 

‘‘ଜବାର, ତୋତେ ଆଉ ଗୋଟିଏ କଥା କହିବାକୁ ଅଛି । ତୁ ଯାହା ଇଚ୍ଛା ତାହା କର; କିନ୍ତୁ ତୁ ହେବୁ ମୋର । ତୋତେ ମୋର ନ କରି ଛାଡ଼ିବି ନାହିଁ । ଆଉ ସମୟ ନଷ୍ଟ କରନା । ତୋତେ ଚୁମ୍ୱନ ଦେଇ ଆଲିଙ୍ଗନ କରିବାକୁ ମୁଁ ଚାହିଁରହିଛି । ପ୍ରେମର ଚୁମ୍ୱନରେ ତୋତେ ଆଚ୍ଛନ୍ନ କରିଦେବି । ମୋ ଚୁମ୍ୱନର ଯାଦୁକରୀ ପ୍ରଭାବରେ ତୋର ଅତୀତର ସାହସିକ ଜୀବନ ତୁ ଭୁଲିଯିବୁ-। ତୋର ଯେଉଁ ମଧୁର ଗୀତ ଶୁଣି ଯାଯାବର ଜାତିର ଲୋକେ ମୁଗ୍‌ଧ ହୋଇଯାଆନ୍ତି ସେ ଗୀତ ଆଉ ତୋ କଣ୍ଠରୁ ବାହାରିବ ନାହିଁ । ଏଣିକି ତୁ ମୋ ପାଇଁ, ଏଇ ରଦ୍ଦା ପାଇଁ କେବଳ ପ୍ରେମସଙ୍ଗୀତ ଗାଇବୁ । ଆଉ ସମୟ ନଷ୍ଟ କରନା । ଏଇ କଥା କହିବାକୁ ମୁଁ ତୋ ପାଖକୁ ଆସିଛି-। ମୋ କହିବାର ଉଦ୍ଦେଶ୍ୟ ହେଉଛି, କାଲିଠାରୁ ଛୋଟମାନେ ବଡ଼ମାନଙ୍କର ସେବା କଲାପରି ତୁ ମୋତେ ମନପ୍ରାଣ ଦେଇ ସେବା କରିବୁ । ତମ୍ୱୁର ସମସ୍ତଙ୍କ ଆଗରେ ତୁ ମୋ ପାଦତଳେ ମୁଣ୍ଡିଆ ମାରି ମୋ ଡାହାଣ ହାତକୁ ଚୁମ୍ୱନ କରିବୁ । ତେଣିକି ମୁଁ ହେବି ତୋର ସ୍ତ୍ରୀ ।’

 

‘‘ତେବେ ଏ ଦୁଷ୍ଟ ଝିଅ ଏଇଆ ଚାହିଁଥିଲା ! ଏଭଳି କଥା କେଉଁଠି ଶୁଣା ନ ଥିଲା । ବୁଢ଼ାମାନଙ୍କଠାରୁ ଶୁଣିଥିଲୁ ଯେ ପୂର୍ବକାଳରେ ମଣ୍ଟେଗ୍ରିନ୍‌ଜାତିର ଲୋକଙ୍କ ଭିତରେ ଏପରି ଗୋଟାଏ ପ୍ରଥା ଥିଲା; କିନ୍ତୁ ଆମ ଯାଯାବର ଜାତିର ଏହା ଦେଖା ନ ଥିଲା । ଏହାଠାରୁ ବଳି ଅଦ୍ଭୁତ କଥା କେବେ ଶୁଣିଛ ?

 

‘‘ଜବାର ଚମକିପଡ଼ି ପଛେଇଗଲା; କିଏ ତାକୁ ସାଙ୍ଘାତିକ ଭାବରେ ଆଘାତ କଲାପରି ଚିତ୍କାର କଲା । ତା’ର ସେହି ଚିତ୍କାରରେ ପ୍ରାନ୍ତର ପ୍ରଦେଶ ପ୍ରତିଧ୍ୱନିତ ହୋଇଉଠିଲା । ରଦ୍ଦା କମ୍ପି ଉଠିଲା; କିନ୍ତୁ ସେ ତା ମନର ଭାବ ବାହାରକୁ ପ୍ରକାଶ କଲା ନାହିଁ । ସେ କହିଲା, ‘କାଲିଯାଏ ବିଦାୟ ନେଉଛି, ଜବାର ! ମନେ ରଖିଥା; ମୁଁ ଯାହା କହିଲି କାଲି ତୋତେ ସେଇଆ କରିବାକୁ ହେବ । ଶୁଣିଲୁ ?’

 

‘‘ହଁ, ଶୁଣିଲି । କାଲି ମୁଁ ତୋ କଥା କରିବି ।’ ସେ ରଦ୍ଦାକୁ ଆଲିଙ୍ଗନ କରିବାକୁ ହାତ ବଢ଼ାଇଲା; କିନ୍ତୁ ରଦ୍ଦା ତା ଆଡ଼କୁ ଟିକିଏ ସୁଦ୍ଧା ନ ଚାହିଁ ଚାଲିଗଲା । ପବନରେ କଦଳୀଗଛ ଦୋହଲି ଦୋହଲି ତଳେ ପଡ଼ିଗଲା ପରି ଜବାର କମ୍ପି କମ୍ପି ତଳେ ପଡ଼ିଗଲା । ସେ କାନ୍ଦୁଥାଏ, ପୁଣି ହସୁଥାଏ ।

 

‘‘ସେ ପାପିଷ୍ଠା ଜବାରକୁ ଏଇଆ କଲା ? ମୁଁ ଜବାରକୁ ପ୍ରକୃତିସ୍ଥ କରିପାରିଲି ନାହିଁ ।

 

‘‘ଲୋକେ ଏପରି କଷ୍ଟ ଭୋଗନ୍ତି କାହିଁକି ? ଅନ୍ୟ ଲୋକର ହୃଦୟରେ ଆଘାତ ଦେଇ ତା’ର ବିକଳ କ୍ରନ୍ଦନ ଶୁଣିବାରେ କଅଣ ଆନନ୍ଦ ପାଆନ୍ତି ? ହାୟ ! ଏ ହେଉଛି ଜୀବନର ଏକ ରହସ୍ୟ ।

 

‘‘ମୁଁ ତମ୍ୱୁକୁ ଫେରିଆସି ଯାହା ଯାହା ଘଟିଥିଲା, ସବୁ ନୂର୍‌ ଆଗେ କହିଲି । ଆମେ ସବୁକଥା ବିଚାର କରି ସ୍ଥିର କଲୁ ଯେ କଅଣ ହେଉଛି ଦେଖାଯାଉ । ସନ୍ଧ୍ୟାବେଳକୁ ଅନ୍ୟାନ୍ୟ ଦିନ ପରି ଆମ୍ଭେମାନେ ନିଆଁ ଜାଳି ଚାରିପାଖେ ବସିଲୁ । ଜବାର ଆମ ସାଥିରେ ଥାଏ । ତା ମୁହଁଟା ଶୁଖିଯାଇଥାଏ । ଆଖି ଦୁଇଟା ଭିତରକୁ ପଶିଯାଇଥାଏ । ସେ ତଳକୁ ଚାହିଁ କହିଲା:

 

‘ସାଥୀମାନେ, ଗଲା ରାତିଯାକ ମୁଁ ମନ ଭିତରେ ଖୋଜି ଦେଖିଛି । ମୁଁ ଯେଉଁ ସ୍ୱାଧୀନ ଜୀବନ ଯାପନ କରିଆସୁଥିଲି, ସେଥିପାଇଁ ଆଉ ମୋ ହୃଦୟରେ ସ୍ଥାନ ନାହିଁ । ରଦ୍ଦା ମୋର ହୃଦୟର ପ୍ରତ୍ୟେକ ଅଂଶ ଅଧିକାର କରିବସିଛି । ଏଇ ଦେଖ, ସୁନ୍ଦରୀ ରଦ୍ଦା; ତା’ର ହସ ଗୋଟାଏ ରାଣୀର ହସ ପରି । ସେ ମୋତେ ଭଲପାଏ ସତ; କିନ୍ତୁ ଆଉ ଗୋଟାଏ ଜିନିଷକୁ ସେ ମୋଠାରୁ ଅଧିକ ଭଲପାଏ । ସେ ହେଉଛି ତା’ର ସ୍ୱାଧୀନତା; କିନ୍ତୁ ମୁଁ ମୋର ସ୍ୱାଧୀନତାଠାରୁ ରଦ୍ଦାକୁ ଅଧିକ ଭଲପାଏଁ । ତେଣୁ ମୁଁ ସ୍ଥିର କରିଛି ଯେ ରଦ୍ଦା ଯାହା ଚାହେଁ ମୁଁ ତାହା କରିବି । ତା’ର ପାଦତଳେ ପଡ଼ିବି । ତୁମେମାନେ ସମସ୍ତେ ଦେଖିବ, ରଦ୍ଦାର ସୁନ୍ଦରପଣ କିପରି ଜବାରକୁ ବନ୍ଦୀ କରି ରଖିଛି । ଆଜିଯାଏ ଜବାର ସ୍ତ୍ରୀଲୋକଙ୍କ ସହିତ ଖେଳିଆସିଥିଲା, ବିରାଡ଼ି ମୂଷା ସାଥିରେ ଖେଳିଲା ପରି । କିନ୍ତୁ ରଦ୍ଦାକୁ ଦେଖିଲା ପରେ ଏବେ ସେ ତା’ ପାଖରେ ବିକିହୋଇଯାଇଛି । ଏହା ବଦଳରେ ସେ ମୋର ସ୍ତ୍ରୀ ହୋଇ ରହିବ, ମୋତେ ଚୁମ୍ୱନ ଦେବ, ଆଲିଙ୍ଗନ କରିବ । ମୁଁ ଆଉ ତୁମ ପାଇଁ ଗୀତ ଗାଇବାକୁ ମନ କରିବି ନାହିଁ; ମୋର ସ୍ୱାଧୀନତା ହରାଇଛି ବୋଲି ଦୁଃଖ କରିବି ନାହିଁ । ଏଇଆ ନା ରଦ୍ଦା ? ଜବାର ମୁହଁ ଟେକି ରଦ୍ଦା ଆଡ଼କୁ ଗମ୍ଭୀର ଭାବରେ ଚାହିଁଲା । ରଦ୍ଦା ମୁଣ୍ଡ ହଲାଇ ସ୍ୱୀକୃତି ଜଣାଇଲା, ତା’ର ପାଦତଳକୁ ହାତ ବଢ଼ାଇ ଦେଖାଇଦେଲା । କିପରି ଯେ ଏଡ଼େ ପରିବର୍ତ୍ତନ ହେଲା, ଆମେ ବୁଝି ପାରିଲୁ ନାହିଁ । ରଦ୍ଦା ଯେଡ଼େ ସୁନ୍ଦରୀ ହେଉ ପଛକେ ଜବାର ଯାଇ ଗୋଟାଏ ଝିଅର ପାଦତଳେ ମୁଣ୍ଡିଆ ମାରିବ ଏଭଳି ଦୃଶ୍ୟ ଦେଖିବାକୁ ଆମର ମନ ହେଉ ନ ଥିଲା । ଆମେ ସେଠାରୁ ଉଠି ଚାଲିବାକୁ ମନକଲୁ । ଜବାର ପକ୍ଷରେ ଏହା ବଡ଼ ଲଜ୍ଜାର କଥା, ଅପମାନର କଥା ।

 

‘‘ରଦ୍ଦା ଜବାରକୁ କହିଲା, ‘ହଉ, ଆଉ ଡେରି କାହିଁକି ?’

 

‘‘–ତୁ ଏତେ ଚଞ୍ଚଳ ହେଉଛୁ କାହିଁକି ? ଯଥେଷ୍ଟ ସମୟ ଅଛି; ଏତେ ସମୟ ଅଛି ଯେ ତୁ ମୋ ଘେନି କ୍ଳାନ୍ତ ହୋଇପଡ଼ିବୁ ।’

 

‘‘ଜବାର ମୁହଁରେ କଠୋର ହସ ହସି କହିଲା, ‘ସାଥୀମାନେ, ଘଟନା ତ ଏଇଆ । ମୁଁ ଆଉ କଅଣ କରିବି ? ମୁଁ କେବଳ ପରୀକ୍ଷା କରି ଦେଖିବି–ରଦ୍ଦାର ହୃଦୟ ଯେଡ଼େ ଟାଣ ବୋଲି ଦେଖାଇ ହେଉଛି, ପ୍ରକୃତରେ ସେଡ଼ିକି ଟାଣ କି ନା ? ମୋତେ ଏଥିପାଇଁ ତୁମେମାନେ କ୍ଷମା କରିବ ।’

 

‘‘ଜବାର କଅଣ କରିବ ବୋଲି ବିଚାରିଛି ଆମେ ଅନୁମାନ କରିବାକୁ ବେଳ ମିଳିଲା ନାହିଁ । ଜବାରର ଛୁରା ରଦ୍ଦାର ଛାତିରେ ବେଣ୍ଟ ପର୍ଯ୍ୟନ୍ତ ଗଳିଯାଇଥିଲା । ରଦ୍ଦା ତଳେ ପଡ଼ିଥିଲା । ଆମେ ବିସ୍ମୟରେ କାଠ ହୋଇଗଲୁ ।

 

‘‘କିନ୍ତୁ ରଦ୍ଦା ଛୁରାଟାକୁ ଛାତିରୁ ଟାଣି ବାହାର କରି ଫିଙ୍ଗିଦେଲା । ନିଜ ମୁଣ୍ଡରେ ପୁଳାଏ ବାଳ ଭିଡ଼ିଆଣି କ୍ଷତ ଉପରେ ଚାପିଧରିଲା । ହସି ହସି ସେ ଉଚ୍ଚ ସ୍ୱରରେ ସ୍ପଷ୍ଟଭାଷାରେ କହିଲା, ‘ଜବାର, ବିଦାୟ ଦେଉଛି । ତୁ ଯେ ଏହା କରିବୁ ମୁଁ ଜାଣିଥିଲି ।’ କିଛି ସମୟ ପରେ ତା’ର ପ୍ରାଣବାୟୁ ଉଡ଼ିଗଲା ।

 

‘‘ସାଙ୍ଗ, ଏବେ ବୁଝୁଥିବ, ଝିଅଟା କିପରି ଥିଲା । ଗୋଟାଏ ପିଶାଚୀ ।

 

‘‘ଏହା ପରେ ଜବାର ଖୁବ୍‍ ଉଚ୍ଚ ସ୍ୱରରେ କହିଲା, ‘ମୋ ହୃଦୟର ରାଣୀ ରଦ୍ଦାର ପାଦତଳେ ମୁଁ ଏବେ ମୁଣ୍ଡ ଲଗାଇ ପ୍ରଣାମ କରିବି ।’ ତା’ର ସ୍ୱରରେ ସମଗ୍ର ପ୍ରାନ୍ତର ପ୍ରତିଧ୍ୱନିତ ହୋଇଉଠିଲା । ଜବାର ଭୂମିତଳେ ପଡ଼ିଯାଇ ମୃତ ରଦ୍ଦାର ପାଦରେ ନିଜା ଓଷ୍ଠକୁ ଲଗାଇ ଚୁମ୍ୱନ କଲା । ତା’ର ଦେହ ହଲ୍‌ଚଲ୍‌ହେଉ ନ ଥାଏ । ଆମେମାନେ ମୁଣ୍ଡରୁ ଟୋପି କାଢ଼ିଦେଇ ନୀରବରେ ଠିଆହୋଇ ରହିଲୁ ।

 

‘‘ଏପରି ପରିସ୍ଥିତିରେ ଆମେ କଅଣ ଅବା କରନ୍ତୁ ? ନୂର୍‌ କହିଲା, ‘ଏଇଟାକୁ ବାନ୍ଧିପକାଅ ।’ କିନ୍ତୁ ଜବାରକୁ ବାନ୍ଧବିକୁ କେହି ସାହସ କରି ପାରିଲେ ନାହିଁ । ନୁର୍‌ ସେଠାକୁ ଚାଲିଗଲା । ରଦ୍ଦା ଯେଉଁ ଛୁରାଟା ଫିଙ୍ଗି ଦେଇଥିଲା, ଦେନିଲୋ ତାକୁ ଉଠାଇ ଆଣିଲା । ସେତେବେଳକୁ ସେଥିରେ ରଦ୍ଦାର ଛାତିର ରକ୍ତ ଲାଗିଥାଏ । କିଛି ସମୟ ଯାଏ ଛୁରାକୁ ଚାହିଁ ଦେନିଲୋ ଜବାର ପାଖକୁ ଚାଲିଗଲା ଓ ତା’ର ପିଠିପଟୁ ଛୁରାଟିକୁ ଭୁଷିଦେଲା । ଯେତେ ହେଲେ ଦେନିଲୋ ଥିଲା ଜଣେ ସୈନିକ; ପୁଣି ସେ ରଦ୍ଦାର ବାପ । ଏଥିରେ ଆଶ୍ଚର୍ଯ୍ୟର କଥା କିଛି ନାହିଁ ।

 

‘‘ଜବାର ବୁଲିପଡ଼ି ଦେନିଲୋକୁ ସ୍ପଷ୍ଟଭାବରେ କହିଲା, ‘ତୁମେ ଠିକ୍‍ କରିଛ ।’ ଜବାରର ପ୍ରାଣ ଛାଡ଼ିଗଲା । ଆରପୁରରେ ରଦ୍ଦା ସହିତ ତା’ର ମିଳନ ହୋଇଥିବ ।

 

‘‘ଆମେ ଦୁହିଁଙ୍କର ଶବକୁ ଚାହିଁ ରହିଲୁ । ରଦ୍ଦାର ଆଖି ଦିଓଟି ମେଲା ହୋଇ ଆକାଶକୁ ଚାହିଁଛି । ହାତରେ ଧରିଥିବା କେଶଗୁଚ୍ଛଟି ଛାତି ଉପରେ ପଡ଼ିଛି; ରକ୍ତର ଧାର ବହିଯାଉଛି । ତା’ର ପାଦ ପାଖରେ ଜବାର ପଡ଼ିଛି ।

 

‘‘କେତେବେଳଯାଏ ଆମେ ଚାହିଁରହି ଅନେକ ଚିନ୍ତା କଲୁ । ବୃଦ୍ଧ ଦେନିଲୋର ମୁଛ ଥରିଉଠୁଥାଏ । ସେ ଆକାଶକୁ ଚାହିଁରହିଥାଏ । ତା’ର ତୁଣ୍ଡରୁ କଥା ବାହାରୁ ନ ଥାଏ । ନୁର୍‌ ତଳେ ପଡ଼ିଯାଇ କାନ୍ଦୁଥାଏ ।

 

‘‘ମୋ କହିବାର ଉଦ୍ଦେଶ୍ୟ ହେଉଛି, ଯିଏ ଯେଉଁ ବାଟ ଧରିଛି, ସେଇ ବାଟେ ଚାଲିବା ଉଚିତ୍‍ । କାହାରି ଦ୍ୱାରା ପ୍ରଲୁବ୍‌ଧ ହୋଇ ସେ ବାଟ ଛାଡ଼ିବା ଅନୁଚିତ । ସିଧା ନିଜ ବାଟରେ ଚାଲୁଥାଅ । ତାହାହେଲେ ପରିଣାମ କଦାପି ଖରାପ ହେବ ନାହିଁ ।

 

‘‘ମୋ କଥାଟି ଏତିକିରେ ସରିଲା ।’’

 

ମକରର ଗଳ୍ପ ଶେଷ ହେଲା । ସେ ଚିଲମଟିକୁ ତା’ର ଥଳିରେ ରଖି କୋଟ୍‌ର ବୋତାମ ଲଗାଇଲା । ସେତେବଳକୁ ବର୍ଷା ଆରମ୍ଭ ହୋଇଆସିଥିଲା; ପବନ ଜୋରରେ ବହୁଥିଲା । ଦୂରରୁ ସମୁଦ୍ରଲହରୀର ଗମ୍ଭୀର ଗର୍ଜନ ଶୁଣାଯାଉଥିଲା । ଆମର ନିଆଁ ଲିଭିଆସୁଥିଲା । ଘୋଡ଼ାଗୁଡ଼ାକ ନିଆଁପାଖକୁ ଆସି ବଡ଼ ବଡ଼ ଆଖିରେ ଆମ ଆଡ଼କୁ ଚାହିଁ ଜାରିପାଖେ ବେଢ଼ି ରହିଲେ ।

 

ମକର ଆଦରରେ ସେମାନଙ୍କୁ ପାଖକୁ ଡାକିଲା । ତା’ର ପ୍ରିୟ କଳା ଘୋଡ଼ାଟିକୁ ଆଉଁଷି ଦେଇ ସେ ମୋତେ କହିଲା, ‘‘ଚାଲ,ବେଳ ହୋଇଗଲାଣି । ଶୋଇବାକୁ ଯିବା ।’’ ସେ ତା’ର ଲମ୍ୱ କକେସୀୟ କୋଟ୍‌ରେ ଗୋଡ଼ଠାରୁ ମୁଣ୍ଡଯାଏ ଆବୃତ କରି ସେହିଠାରେ ଶୋଇପଡ଼ିଲା ।

 

ମୋର ଶୋଇବାକୁ ଇଚ୍ଛା ନ ଥିଲା । ମୁଁ ପ୍ରାନ୍ତରର ଅନ୍ଧକାରକୁ ଚାହିଁରହିଲି ।

 

ମୁଁ କଳ୍ପନାଚକ୍ଷୁରେ ରଦ୍ଦାକୁ ଦେଖିପାରିଲି । ଯେପରି ତା’ର ସୌନ୍ଦର୍ଯ୍ୟ, ସେହିପରି ତା’ର ଗର୍ବ, ସେହିପରି ତା’ର ସାହସ । ତା’ର ହାତରେ ନିଜର କେଶଗୁଚ୍ଛକୁ ସେ ଛାତି ଉପରେ ଚାପିଧରିଛି । ସୁନ୍ଦର ଅଙ୍ଗୁଳିଗୁଡ଼ିକ ମଧ୍ୟରୁ ବାହାରି ଆସୁଛି ତା’ର ବକ୍ଷର ରକ୍ତ । ସେ ରକ୍ତ ବିନ୍ଦୁ ବିନ୍ଦୁ ହୋଇ ପୃଥିବୀରେ ପଡ଼ି ଗୋଟିଏ ଗୋଟିଏ ତାରାରେ ପରିଣତ ହୋଇଯାଉଛନ୍ତି ।

 

ତା’ର ପାଦଦେଶରେ ଦେଖିଲି, ଜବାର ଶୋଇପଡ଼ିଛି ।

 

ତା’ର କୃଷ୍ଣବର୍ଣ୍ଣର କେଶ ତା ମୁଖକୁ ଆବୃତ କରିପକାଇଛି । ସେ କେଶ ମଧ୍ୟରୁ ବହିଆସୁଛି ଲୋତକର ଧାର ।

 

ବର୍ଷାର ବେଗ ବୃଦ୍ଧି ପାଇବାକୁ ଲାଗିଲା । ଏହି ଦୁଇ ଯାଯାବରଙ୍କ ଉଦ୍ଦେଶ୍ୟରେ ସମୁଦ୍ର ଶୋକଗୀତି ଗାଉଥିଲା ।

 

ରାତ୍ରିର ଗଭୀର ଅନ୍ଧକାର ମଧ୍ୟରେ ଏହି ଦୁଇଟି ପ୍ରାଣୀ–ରଦ୍ଦା ଓ ଜବାର–ଧୀରେ ଧୀରେ ନୀରବରେ ଉପରକୁ ଉପରକୁ ଉଠୁଥିଲେ; ବୀର ଜବାର ଯେତେ ଚେଷ୍ଟା କଲେ ମଧ୍ୟ ଅଭିମାନିନୀ ରଦ୍ଦାକୁ ବଳିଯାଇପାରୁ ନ ଥିଲା ।

Image

 

Unknown

ଗଣ୍ଡଗୋଳକାରୀ ଶ୍ରମିକ

 

ସ୍ଥାନୀୟ ସମ୍ୱାଦପତ୍ରର ବାହାର ଅଫିସ ଘରେ ସମ୍ପାଦକ ପାବଲୋଭିଚ୍‌ ରାଗରେ ଅଥୟ ହୋଇ ଏପାଖ ସେପାଖ ଯିବାଆସିବା କରୁଥିଲେ । ହାତରେ ପତ୍ରିକାର ଶେଷ ସଂସ୍କରଣିକୁ ଭାଙ୍ଗି ଧରିଥାନ୍ତି । ତାଙ୍କ ତୁଣ୍ଡରୁ କର୍ମଚାରୀମାନଙ୍କ ପ୍ରତି ଗାଳି ବାହାରୁଥାଏ । ଲୋକଟି ଗେଡ଼ା; ମୁହଁଟି ପତଳା; ସେଥିରେ ଛୋଟ ଦାଢ଼ିଟିଏ । ଆଖିରେ ସୁନା ଫ୍ରେମ୍‌ର ଚଷମା । ଘର ମଝିରେ ଗୋଟିଏ ଲମ୍ୱା ଟେବୁଲ ପଡ଼ିଥାଏ । ତା ଉପରେ ଗୁଡ଼ାଏ ଖବର କାଗଜ, କେତେ ହାତଲେଖା ସମ୍ୱାଦ ଓ କେତେକ ପ୍ରୁଫ୍‌ । ସମ୍ପାଦକ ସେହି ଟେବୁଲ ଚାରିପାଖେ ରାଗରେ ବୁଲୁଥାନ୍ତି । ତାଙ୍କ ଜୋତା’ର ମଚ୍‌ ମଚ୍‌ ଶବ୍ଦ ଶୁଣାଯାଉଥାଏ ।

 

ପ୍ରକାଶକ ଦେଖିବାକୁ ଡେଙ୍ଗା, ଦେହଟି ମୋଟା । ବୟସ ଚାଳିଶ ପାଖାପାଖି । ସେ ଟେବୁଲ ଉପରେ ଗୋଟାଏ ହାତ ରଖି ନଇଁପଡ଼ିଥାନ୍ତି; ଆର ହାତରେ କପାଳକୁ ବାରମ୍ବାର ପୋଛୁଥାନ୍ତି । ସେ ସମ୍ପାଦକଙ୍କ ଆଡ଼କୁ ଚାହିଁରହି ଟିକିଏ ଟିକିଏ ହସୁଥାନ୍ତି । ଯେଉଁ ଲୋକଟି ଖଞ୍ଜାଟାଇପକୁ ନେଇ ପୃଷ୍ଠା ଆକାରରେ ସଜାଏ, ସେ କାକୁସ୍ଥ ହୋଇ କାନ୍ଥ ପାଖରେ ଛିଡ଼ାହୋଇଥାଏ । ତା’ର ଦେହରେ ଗୋଟାଏ ଧୂସର ରଙ୍ଗର ମଇଳା କୁରୁତା । ସେଇଟା ତା’ର ଆଣ୍ଠୁଯାଏ ଲମ୍ୱିଥାଏ । ସେ ଭୟରେ କେବଳ ଘରର ଛାତ ଆଡ଼କୁ ଚାହୁଁଥାଏ; ସତେ ଯେପରି କି କିଛି ଗୋଟାଏ ମନେ ପକାଇବ ବୋଲି ଚେଷ୍ଟା କରୁଛି । ପୁଣି କିଛି ସମୟ ପରେ ତଳକୁ ଚାହୁଁଥାଏ-। ଦ୍ୱାରମୁହଁ ପାଖରେ ପିଅନ ଛିଡ଼ାହୋଇଥାଏ । କେତେକ କର୍ମଚାରୀ ଚିନ୍ତାପୂର୍ଣ୍ଣ ବିଷଣ୍ଣ ମୁହଁରେ ଭିତରକୁ ଆସୁଥାନ୍ତି, ଯାଉଥାନ୍ତି ।

 

ମଝିରେ ମଝିରେ ସମ୍ପାଦକଙ୍କର କ୍ରୁଦ୍ଧ ସ୍ୱର ସପ୍ତମକୁ ଉଠୁଥିଲା । ସେତେବେଳେ ପ୍ରକାଶଙ୍କର ମୁହଁ କିଞ୍ଚିତ ହୋଇଯାଉଥିଲା ଓ ସଜେଇବାବାଲା ଚମକି ପଡ଼ୁଥିଲା ।

 

‘‘ମୁଁ ସେ ସଇତାନ ନାଁରେ ମକଦ୍ଦମା କରି ବନ୍ଧେଇନେବି । କାହିଁ, ସେ ପ୍ରୁଫ୍‌-ରିଡ଼ର ଆସିଲାଣି ? ମୁଁ ପଚାରୁଛି–ସେ ଆସିଲାଣି ? କମ୍ପୋଜିଟ ରମାନଙ୍କୁ ବି ଡାକିଆଣ । ସେମାନଙ୍କୁ ଆସିବାକୁ କହିଛ ? ହା ଭଗବାନ ! କଅଣ ଯେ ହେବ ଟିକିଏ ଭାବିଛ ? ସବୁ ଖବରକାଗଜ ଏତକ ଉଦ୍ଧାର କରିବେ । ଘୋର ଲଜ୍ଜାର କଥା ନେଇ ଦେଶଯାକ ପାଟିତୁଣ୍ଡ ହେବ । ସେ ସଇତାନକୁ ଏଥିପାଇଁ ଦଣ୍ଡ ଭୋଗିବାକୁ ପଡ଼ିବ ।’’

 

ସମ୍ପାଦକ ଏହିପରି କହୁ କହୁ ଖବରକାଗଜ ସହିତ ହାତ ଦୁଇଟା ଟେକିଦେଲେ; କିନ୍ତୁ ହଠାତ୍‍ ପୁଣି ତଳକୁ ପକାଇଦେଲେ ।

 

ପ୍ରକାଶକ ଟିକିଏ ହସିଦେଇ କହିଲେ, ‘‘ଆଗ ଲୋକଟାକୁ ବାହାର କର ।’’

 

‘‘ଆପଣ ଚିନ୍ତା କରନ୍ତୁ ନାହିଁ । ମୁଁ ନିଶ୍ଚୟ ଲୋକଟାକୁ ବାହାର କରିବି ।’’ ସମ୍ପାଦକ ଏତିକି କହି ପୁଣି ଚାଲିବାରେ ଲାଗିଲେ । ଖବରକାଗଜଖଣ୍ଡକ ଛାତି ପାଖରେ ଧରି ସେ ପୁଣି କହିଲେ, ‘‘ମୁଁ ନିଶ୍ଚୟ ତାକୁ ବାହାର କରିବି, କରିବି । ଓଃ, ସେ ପ୍ରୁଫ୍‌ରିଡ଼ର କୁଆଡ଼େ ଗଲା ? ହାଁ, ତୁମେମାନେ ସବୁ ଆସ, ଭିତରକୁ ଆସ ।’’

 

କମ୍ପୋଜିଟରମାନେ ଧାଡ଼ି ହୋଇ ଘରଭିତରକୁ ଆସିଲେ । ଘଟନାଟା ସେମାନେ ଜାଣିସାରିଥିଲେ । ପ୍ରତ୍ୟେକ ଆଶଙ୍କା କରୁଥିଲା ଯେ ଦୋଷଟା ତାରି ଉପରେ ପଡ଼ିବ । ଟାଇପ ଖଞ୍ଜି ଖଞ୍ଜି ସେମାନଙ୍କ ହାତ ଓ ମୁହଁରେ ସୀମାଗୁଣ୍ଡର ଗୋଟାଏ ବୋଳ ପଡ଼ିଯାଇଥିଲା । ତେଣୁ ସେମାନଙ୍କର ଚେହେରା ଅଦ୍ଭୁତ ଦିଶୁଥିଲା । ସମ୍ପାଦକ ପଛପଟେ ହାତ ଦୁଇଟା ଛନ୍ଦି ସେମାନଙ୍କ ଆଗରେ ଛିଡ଼ାହୋଇଗଲେ । ଉଚ୍ଚତାରେ ସେମାନଙ୍କଠାରୁ କମ୍‍ ହୋଇଥିବାରୁ ସେ ମୁଣ୍ଡ ଟେକି ସେମାନଙ୍କ ମୁହଁକୁ ଚାହିଁଗଲେ । ସେ ହଠାତ୍‍ ମୁଣ୍ଡ ଟେକି ଉପରକୁ ଚାହିଁ ଦେବାରୁ ତାଙ୍କ ଚଷମାଟା ନାକ ଉପରୁ ଟେକିହୋଇ କପାଳରେ ବାଜିଗଲା । କାଳେ ପଡ଼ିଯିବ ବୋଲି ସେ ଧରିପକାଇବା ପାଇଁ ହାତ ଉଠାଉଥିଲେ; କିନ୍ତୁ ଦୈବଯୋଗେ ଚଷମା ପୁଣି ଆସି ନାକ ଉପରେ ରହିଗଲା ।

 

ସେ ଦାନ୍ତ ରଗଡ଼ି କହିଲେ, ‘‘ସବୁ ସଇତାନ୍‌ !’’

 

କମ୍ପୋଜିଟରମାନଙ୍କ ବିବର୍ଣ୍ଣ ମୁହଁରେ ସାମାନ୍ୟ ହସି ଦେଖାଦେଲା । କେହି ଜଣେ ବଡ଼ପାଟିରେ ହସିପକାଇଲା । ରାଗରେ ସମ୍ପାଦକଙ୍କ ମୁହଁ ଲାଲ ପଡ଼ିଗଲା । ସେ ଗର୍ଜନ କଲା ପରି କହିଲେ, ‘‘ମୁଁ ତୁମକୁ ଦାନ୍ତ ଦେଖାଇବା ପାଇଁ ଏଠାକୁ ଡାକି ନାହିଁ । ତୁମେମାନେ ଆମ କାଗଜର ଖୁବ୍‍ ବଦ୍‌ନାମ କରିସାରିଛ । ତମ ଭିତରେ ଯଦି କେହି ସାଧୁ ଲୋକ ଥାଏ, ଯଦି କେହି ସମ୍ୱାଦପତ୍ରର ଗୁରୁତ୍ୱ ଜାଣେ, ଛାପାଖାନା କଣ ଜାଣେ, ସେ କହୁ–ଏହା କିଏ କରିଛି, ହେଇଟି, ସମ୍ପାଦକୀୟ ଆଲୋଚନାରେ......’’

 

ଜଣେ କେହି କୌତୂହଳ ପ୍ରକାଶ କଲାଭଳି ଢଙ୍ଗରେ କହିଲା, ‘‘କଅଣ ହେଲା ?’’

 

‘‘ଓହୋ ! ତାହାହେଲେ କଅଣ ହୋଇଛି ତୁମେ ଜାଣ ନାହିଁ ? ଆଚ୍ଛା, ଦେଖ, ଏଠି କଅଣ ଛାପା ହୋଇଛି ? ‘ସମ୍ୱାଦପତ୍ରମାନଙ୍କରେ ଆମର ଶିଳ୍ପବିଷୟକ ଆଇନର ଯଥେଷ୍ଟ ବାଦାନୁବାଦ ହୋଇଯାଇଛି ।

 

‘‘ଅର୍ଥାତ୍‌ ଏ ବିଷୟରେ ଏତେ ନିରର୍ଥକ ବାଜେ କଥା ନିର୍ବୋଧଭାବରେ ଗାରିଆ ହେଲାଣି ଯେ ସେଥିରେ ଅନେକ ରିମ୍‌ କାଗଜର ଅପବ୍ୟୟ ହୋଇଥିବ ।’ ଏବେ ଜାଣିଲ, କଅଣ ହୋଇଛି । ଏଇ ବାକ୍ୟଟି କିଏ ଯୋଗ କରିଛି ? ଅନୁଗ୍ରହ କରି ବାହାରି ଆସିଲ । କେଡ଼େ ଚାଲାଖ-! କିଏ ଏହି ଲେଖାପାଇଁ ଦାୟୀ ?’’

 

ପୂର୍ବରୁ ଯିଏ ପଚାରିଥିଲା ସେହି ଲୋକଟି ପୁଣି କହିଲା, ‘‘ଏ କାହାର ପ୍ରବନ୍ଧ ? ତୁମରି ନା ? ତାହାହେଲେ ସେଥିରେ ଯାହା ଲେଖାହୋଇଛି, ସେଥିପାଇଁ ତୁମେ ହିଁ ଦାୟୀ ।’’ ବକ୍ତାର ସ୍ୱର ଧୀର, ଶାନ୍ତ ।

 

ଏପରି କହିବା ଔଦ୍ଧତ୍ୟର ପରିଚାୟକ । ସମସ୍ତେ ମନେକଲେ ଯେ ଏଥର ଦୋଷୀ ଚିହ୍ନା ପଡ଼ିଗଲା । ଘରର ଲୋକମାନଙ୍କ ଭିତରେ ଚାଞ୍ଚଲ୍ୟ ଦେଖାଗଲା । ପ୍ରକାଶକ କମ୍ପୋଜିଟରମାନଙ୍କ ଆଡ଼କୁ ପାଖେଇ ଆସିଲେ । ଯେଉଁ ଲୋକ ଏହା କହିଲା, ତା’ର ମୁହଁକୁ ଦେଖିବା ପାଇଁ ସମ୍ପାଦକ ପାଦଅଙ୍ଗୁଳିରେ ଭରାଦେଇ ଉପରକୁ ଚାହିଁଲେ । କମ୍ପୋଜିଟରମାନେ ଘୁଞ୍ଚିଗଲେ । କେବଳ ଜଣେ ସୁସ୍ଥ ସବଳ ଲୋକ ସମ୍ପାଦକଙ୍କ ଆଗରେ ଠିଆହୋଇ ରହିଲା । ତା’ର ଦେହରେ ଗୋଟିଏ ନେଳିଆ କରୁତା । ତା’ର ମୁହଁଯାକ ବସନ୍ତଦାଗ । ମୁଣ୍ଡର କେରାଏ ବାଳ ବାଁ ଆଖିପତା ପର୍ଯ୍ୟନ୍ତ ଓହଳିପଡ଼ିଛି । ସେ ହାତ ଦୁଇଟାକୁ ପାଇଜାମାର ଦୁଇପାଖ ପକେଟରେ ପୂରାଇଥିଲା । ତା’ର ଆଖି ଦୁଇଟା ଉଦ୍ଧତଭାବରେ ସମ୍ପାଦକଙ୍କ ମୁହଁ ଉପରେ ଥିଲା । କସରା ନିଶତଳୁ ଟିକିଏ ହସ ଦେଖାଯାଉଥିଲା । ଏବେ ସମସ୍ତଙ୍କ ଆଖି ଏଇ ଲୋକଟା ଉପରେ । ବିରକ୍ତିରେ ପ୍ରକାଶକଙ୍କ ଭ୍ରୂ କୁଞ୍ଚିତ ହୋଇଯାଇଥାଏ । ସମ୍ପାଦକଙ୍କ ମୁହଁରେ ରାଗ ଓ ବିସ୍ମୟର ଚିହ୍ନ । ପୃଷ୍ଠା ସଜାଇବାବାଲା ମୁହଁର ହସକୁ ଚାପିରଖିଲା ପରି ଜଣାପଡ଼ୁଥାଏ । କମ୍ପୋଜିଟରମାନଙ୍କ ମୁହଁରୁ ଭୟ ଓ ଆଶଙ୍କା ସଙ୍ଗେ ଗୋଟାଏ ଲୁକ୍‌କାୟିତ ଆନନ୍ଦର ଆଭାସ ମିଳୁଥାଏ ।

ସମ୍ପାଦକ ରାଗରେ ଓଠକୁ ଚିପି, ସେହି ବସନ୍ତଦାଗ ଥିବା କମ୍ପୋଜିଟର ଆଡ଼କୁ ଆଙ୍ଗୁଠି ଦେ‌ଖାଇ କହିଲେ, ‘‘ତେବେ, ତୁମେ ଏଇୟା କରିଛ ?’’

ଲୋକଟା ଦାନ୍ତ ଦେଖାଇ କହିଲା, ‘‘ମୁଁ କରିଛି ?’’

‘‘ଓହୋ, ଏବେ କହ ଦେଖି, ତୁମେ କାହିଁକି ଏ କାମ କଲ ?’’

କମ୍ପୋଜିଟର ତା’ର ସାଥୀମାନଙ୍କ ଉପରେ ଥରେ ଆଖି ବୁଲେଇ ନେଇ କହିଲା, ‘‘ମୁଁ ଏହା କହିଛି ବୋଲି ତ କହି ନାହିଁ ।’’

ପୃଷ୍ଠା–ସଜେଇଲାବାଲା କହିଉଠିଲା, ‘‘ସମ୍ପାଦକ ପାବ୍‌ଲୋଭିଚ୍‌ ମହାଶୟ, ଏଇ ନିଶ୍ଚେ ସେ କାମ କରିଛି ।’’

କମ୍ପୋଜିଟର ଜଣକ କଥାଟାକୁ ଉଡ଼େଇଦେଲା ପରି ହାତ ହଲେଇ କହିଲା, ‘‘ହଉ, ଯେବେ ସେ କରିଥିବ ତ କରିଥିବ ।’’

ସମସ୍ତେ ଚୁପ୍‍ ରହିଗଲେ । କେହି ଆଶା କରି ନ ଥିଲେ ଯେ ଦୋଷୀ ଏତେ ସହଜରେ ନିଜର ଦୋଷ ସ୍ୱୀକାର କରିଯିବ । ଏବେ ସମ୍ପାଦକଙ୍କର କ୍ରୋଧ ଚାଲିଗଲା; ମାତ୍ର ବିସ୍ମୟ ବୃଦ୍ଧି ପାଇଲା । କମ୍ପୋଜିଟରମାନେ ତା’ ଠାରୁ ଆହୁରି ଦୂରକୁ ଘୁଞ୍ଚିଗଲେ । ପୃଷ୍ଠା–ସଜାଇଲାବାଲା ଟେବୁଲ ପାଖକୁ ଚାଲିଗଲା ।

ପ୍ରକାଶକ ଅପରାଧୀକୁ ଚାହିଁ ପଚାରିଲେ, ‘‘ତୁମେ କଣ ପୂର୍ବରୁ ଭାବିଚିନ୍ତି, ଜାଣିଶୁଣି ଏତକ ଯୋଗ କରିଥିଲ ?’’

ସେ କିଛି ଉତ୍ତର ନ ଦେଉଣୁ ସମ୍ପାଦକ ମୋଡ଼ା ଖବରକାଗଜଖଣ୍ଡକ ହଲେଇ ଚିତ୍କାର କଲେ, ‘‘ଦୟା କରି ଉତ୍ତର ଦେବାହୁଅନ୍ତୁ ।’’

କମ୍ପୋଜିଟରର ଆଖିରୁ ନିଆଁ ବାହାରିଲା ପରି ମନେ ହେଲା । ତା’ ମୁହଁରେ ଔଦ୍ଧତ୍ୟ ଓ ବେଖାତିର ଭାବ । ସେ ବଡ଼ପାଟି କରି କହିଲା, ‘‘ସେମିତି ଚିତ୍କାର କର ନା । ମୁଁ ସହଜେ ଡରିଯିବା ଲୋକ ନୁହେଁ । ମୋ ସାଥିରେ ପାଟିକଲେ କିଛି ଲାଭ ନାହିଁ । ମୁଁ କହି ରଖଛି ପ୍ରକାଶକ ମହାଶୟ, ଆପଣଙ୍କ ଅନୁମାନ ଠିକ୍‍ । କମ୍ପୋଜ କଲାବେଳେ ମୁଁ ଜାଣିଶୁଣି ସେ ବାକ୍ୟଟି ଭର୍ତ୍ତି କରିଦେଇଛି-।’’

ସମ୍ପାଦକ ସମସ୍ତଙ୍କ ଆଡ଼କୁ ଅନାଇ କହିଲେ, ‘‘ଏବେ ଶୁଣିଲ, ସେ କଅଣ କହୁଛି ।’’

ପ୍ରକାଶକ ହଠାତ୍‍ ରାଗିଉଠି ପଚାରିଲେ, ‘‘ତୁମେ ଏଡ଼େ ବୋକା ! କାହିଁକି ଏପରି କଲ-? ଏହାଦ୍ୱାରା ତୁମେ ମୋର ଯେ କି କ୍ଷତି କରିଛ, ବୁଝିପାରୁଛ ?’’

‘‘ଆଦୌ କ୍ଷତି କରିନାହିଁ; ବରଂ ଖବରକାଗଜ ରେଜା ବିକ୍ରିସଂଖ୍ୟା ବଢ଼ିବ । କେବଳ ଗୋଟାଏ କଥା–ମୁଁ ଭାବୁଛି, ଲେଖାଟା ସମ୍ପାଦକଙ୍କୁ ଠିକ୍‍ ଭଲ ଲାଗୁ ନ ଥିବ ।’’

କ୍ରୋଧରେ ସମ୍ପାଦକଙ୍କ ତୁଣ୍ଡକୁ କଥା ବାହାରିଲା ନାହିଁ; ଆଖି ଦୁଇଟା ଜଳିଲା ପରି ଦିଶୁଥାଏ । ଏଣେ କମ୍ପୋଜିଟର ଧୀରସ୍ଥିର ଭାବରେ ଛିଡ଼ା ହୋଇଥାଏ । ନିଜର କ୍ରୋଧ ଓ ଘୃଣା ପ୍ରକାଶ କରିବାକୁ ସେ କୌଣସି ଭାଷା ଖୋଜି ପାଉ ନ ଥିଲେ ।

 

ପ୍ରକାଶକ ଭୟ ଦେଖାଇ କହିଲେ, ‘‘ଏହା ଫଳରେ ତୁମର ବହୁତ କ୍ଷତି ହେବ ।’’ ଏହା କହିଲା ବେଳକୁ ତାଙ୍କର ସ୍ୱର ନରମ ହୋଇଆସିଥାଏ ।

 

ପ୍ରକୃତପକ୍ଷରେ ପ୍ରକାଶକ ଏହି ଘଟଣାରେ ବିଶେଷତଃ କମ୍ପୋଜିଟରର ଔଦ୍ଧତ୍ୟପୂର୍ଣ୍ଣ କଥାରେ ବରଂ ଆନନ୍ଦିତ ହୋଇଥିଲେ । ଏଥିର ଗୋଟାଏ କାରଣ ଥିଲା । ସମ୍ପାଦକ ସବୁବେଳେ ତାଙ୍କ ପାଖେ ଉଦ୍ଧତ ବ୍ୟବହାର ଦେଖାଉଥିଲା । ପ୍ରକାଶକଙ୍କଠାରୁ ତା’ର ବୁଦ୍ଧି ବେଶି ବୋଲି ପ୍ରକାଶ କରୁଥିଲା । ଏବେ ତା’ର ଗର୍ବ ଭାଙ୍ଗିଯାଇଛି, ତା’ର ଅଭିମାନ ଭୂଇଁରେ ଲୋଟି ପଡ଼ିଛି । ପୁଣି କାହାଦ୍ୱାରା ? ଗୋଟାଏ ସାମାନ୍ୟ କମ୍ପୋଜିଟରଦ୍ୱାରା ।

 

ସେ ଆହୁରି କହିଲେ–‘‘ତୁମକୁ ଏଇ ଔଦ୍ଧତ୍ୟର ଫଳ ଭୋଗିବାକୁ ହେବ ।’’

 

କମ୍ପୋଜିଟର ଉତ୍ତର ଦେଲା–‘‘ମୁଁ ଆଶା କରି ନ ଥିଲି ଯେ ଆପଣ ମୋତେ ଏତେ ସହଜରେ ଛାଡ଼ିଦେବେ ।’’

 

ଲୋକଟାର ଭାଷା ଓ କହିବା ଭଙ୍ଗୀରେ ଅନ୍ର ଗୋଟିଏ ଚାଞ୍ଚଲ୍ୟ ପ୍ରକାଶ ପାଇଲା । ଅନ୍ୟ କମ୍ପୋଜିଟରମାନେ ପରସ୍ପର ମୁହଁକୁ ଚାହିଁଲେ । ପୃଷ୍ଠା–ସଜେଇଲାବାଲା ଉପରକୁ ଚାହିଁରହିଲା । ସମ୍ପାଦକ ଟେବୁଲ ପାଖକୁ ଫେରିଆସି ତା’ ଉପରକୁ ନଇଁପଡ଼ିଲେ ।

 

ବର୍ତ୍ତମାନ ସମ୍ପାଦକ ରାଗ ଅପେକ୍ଷା ଅପମାନଟାକୁ ବେଶି ଅନୁଭବ କଲେ । ସେ କମ୍ପୋଜିଟର ଉପରେ ଦୃଷ୍ଟି ପକାଇ ରହିଲେ ।

 

ପ୍ରକାଶକ ପକେଟରୁ ଖଣ୍ଡେ ନୋଟ ବହି ବାହାର କରି ପଚାରିଲେ–‘‘ତୁମର ନାମ କଅଣ ?’’

 

ସଙ୍ଗେ ସଙ୍ଗେ ପୃଷ୍ଠା–ସଜେଇଲାବାଲା କହିଲା–‘‘ତା’ର ନାଁ ନିକୋଲକା ଜୋଜଦେବ ।’’

 

କମ୍ପୋଜିଟର ତା’ ଆଡ଼କୁ ଗୋଟାଏ ତୀକ୍ଷ୍‌ଣ ଦୃଷ୍ଟି ପକାଇ କହିଲା, ‘‘ତୁ ଚୁପ୍‍ କର, ଜୁଡ଼ାସ ! ତୋତେ କେହି ପଚାରୁ ନାହିଁ । ମୋର କହିବାକୁ ଜିଭ ଅଛି । ମୋର ଯାହା କହିବାର କଥା ମୁଁ ନିଜେ କହିବି । ମୋର ନାଁ ହେଉଛି, ନିକୋଲାଇ ସେମିନୋଭିଚ ଜୋଜଦେବ । ମୋର ଠିକଣା ହେଉଛି..... ।’’

 

ପ୍ରକାଶକ ତାକୁ ଆଉ କିଛି କହିବାର ସୁଯୋଗ ନ ଦେଇ କହିଲେ–‘‘ଆମେ ଯେପରି ହେଉ, ତୁମକୁ ବାହାର କରିବୁ । ଏବେ ତୁମେମାନେ ସମସ୍ତେ ଚାଲିଯାଅ । ଯାଅ ସମସ୍ତେ ।’’

 

କମ୍ପୋଜିଟରମାନେ ମଚ୍‌ମଚ୍‌ ଶବ୍ଦ କରି ଚାଲିଗଲେ । ଜୋଜଦେବ ମଧ୍ୟ ସମସ୍ତଙ୍କ ପଛରେ ଚାଲିଯାଉଥିଲା । ଏ ସମୟରେ ସମ୍ପାଦକ ଧୀର ଗମ୍ଭୀର ସ୍ୱରରେ କହିଲେ,–‘‘ଜୋଜଦେବ, ତୁମେ ମିନିଟିଏ ରହିଥାଅ ।’’

 

ଜୋଜଦେବ ପଛକୁ ଫେରିପଡ଼ି ନିଶରେ ଥରେ ଦୁଇଥର ହାତ ବୁଲେଇ ଆଣିଲା । ତାପରେ ବେଖାତିର ଭାବରେ ସମ୍ପାଦକଙ୍କ ଆଡ଼କୁ ଚାହିଁଲା ।

 

‘‘ମୁଁ ତୁମକୁ ଗୋଟାଏ କଥା ପଚାରିବାକୁ ଚାହେଁ । ଏବେ ତୁମେ ସ୍ୱୀକାର କଲ ଯେ ଏହି କୁତ୍ସାଜନକ ଲେଖା ପ୍ରଚାର କରାଇବାଦ୍ୱାରା ତୁମେ ମୋର ଅନିଷ୍ଟ କରିବାକୁ ଚାହିଁଛ । ନୁହେଁ କି ? କିନ୍ତୁ କାହିଁକି ? କଅଣ ମୋ ଉପରେ ପ୍ରତିଶୋଧ ନେବାପାଇଁ ? ତୁମର ଉଦ୍ଦେଶ୍ୟଟା ଜାଣିବାକୁ ମୁଁ ଚାହେଁ । ତୁମେ ମୋ କଥା ବୁଝିପାରୁଛ ତ ? କହିଲ କାହିଁକି ?’’

 

ପ୍ରଥମେ ପ୍ରଥମେ ସମ୍ପାଦକଙ୍କର ସ୍ୱର ନରମ ଥିଲା । ସେ ରାଗକୁ ସମ୍ଭାଳି ନେବାକୁ ଚେଷ୍ଟା କରୁଥିଲେ; କିନ୍ତୁ ଶେଷ ଆଡ଼କୁ ସେ ଉତ୍ତେଜିତ ହୋଇଉଠିଥିଲେ ।

 

ଜୋଜଦେବ ଆଖି ତଳକୁ କରିଦେଲା । ପ୍ରକାଶକ ଅଧୀର ଭାବରେ ମେଜିଆ ଉପରେ ପଦାଘାତ କରୁଥାନ୍ତି; ପୃଷ୍ଠା–ସଜେଇଲାବାଲା ବେକ ଲମ୍ୱାଇ ଚାହୁଁଥାଏ । ସମ୍ପାଦକ ରାଗରେ ଜିଭ କାମୁଡ଼ି ହେଉଥାନ୍ତି । ସମସ୍ତେ ଚାହିଁ ରହିଥାନ୍ତି, ଜୋଜଦେବ କଅଣ ଉତ୍ତର ଦେବ ।

 

ମିନିଟିଏ ପର୍ଯ୍ୟନ୍ତ ନୀରବ ରହି ଜୋଜଦେବ କହିଲା–‘‘ମୁଁ ଭାବୁଛି, କାରଣଟା କହିବା ମୋ ପକ୍ଷରେ ଉଚିତ ହେବ । ମୁଁ ସେପରି ଶିକ୍ଷିତ ଲୋକ ନୁହେଁ । ହୁଏତ ମୁଁ ସ୍ପଷ୍ଟ କରି ବୁଝାଇ କହିପାରିବି ନାହିଁ । ସେଥିପାଇଁ ମୋତେ କ୍ଷମା ଦେବ । ସବୁ କଥା କହୁଛି, ଶୁଣ । ତୁମେ ଏତେ ପ୍ରବନ୍ଧ ଲେଖ, ସମସ୍ତଙ୍କୁ ଉପଦେଶ ଦେଇଥାଅ–ସାଙ୍ଗସାଥୀମାନଙ୍କୁ ଭଲପାଅ । ଏଇପରି କେତେ ଉପଦେଶ ଦିଅ । ମୁଁ ସେ ସବୁ ଗୋଟି ଗୋଟି କରି କହିପାରିବି ନାହିଁ । ମୋର ସେଭଳି ଜ୍ଞାନ ନାହିଁ-। ତୁମେ ପ୍ରତିଦିନ ଯାହା ପ୍ରଚାର କର, ତାହା ଭଲରୂପେ ଜାଣ । ମୁଁ ତୁମର ସେଇ ଲେଖା ସବୁ ପଢ଼େଁ । ତୁମେ ଆମ ଶ୍ରମିକମାନଙ୍କ ବିଷୟରେ ବି ଅନେକ ପ୍ରବନ୍ଧ ଲେଖ; ତାକୁ ମଧ୍ୟ ମୁଁ ପଢ଼ିଛି । କିନ୍ତୁ ସେ ସବୁ ପଢ଼ିଲେ ମୋର ଘୃଣା ହୁଏ; ସବୁ ନିହାତି ବାଜେ ଲେଖା; ଖତଗଦାକୁ ଫିଙ୍ଗିବାର ଯୋଗ୍ୟ । ଖାଲି ଗୁଡ଼ାଏ ନିର୍ଲଜ୍ଜ କଥା । ପାବ୍ଳୋଭିଚ୍‌, ତୁମେ ଲେଖିଥାଅ–ଚୋରି କର ନାହିଁ; କିନ୍ତୁ ତୁମର ଏଇ ଛାପାଖାନାରେ କଅଣ ହେଉଛି? ଗଲା ହପ୍ତାରେ କିରିଆକୋଭ ତିନିଦିନ ଓଳିଏ କାମ କରିଥିଲା । ତେଣୁ ତା’ର ମଜୁରି ହେଲା ସାଢ଼େତିନି ରୁବେଲ । ତା’ପରେ ସେ ବେମାର ପଡ଼ିଲା-। ତା’ର ଭାରିଜା ଅଫିସକୁ ଆସି ଟଙ୍କା ମାଗିଲା । ମେନେଜର କଅଣ କହିଲେ ନା ତାକୁ ଟଙ୍କା ମିଳିବ ନାହିଁ; ଓଲଟି ତାକୁ ଦେଢ଼ ରୁବେଲ ଜରିମାନା ଦେବାକୁ ହେବ । ଏଇଆକୁ ତୁମେ କହିବ–ଚୋରି କର ନାହିଁ । କାହିଁ, ଏ କଥା ତ ତୁମେ ଖବରକାଗଜରେ ଲେଖିଲ ନାହିଁ । ମେନେଜର ଆମମାନଙ୍କ ଉପରେ ଗରଗର ହେଉଥିବେ; ପିଅନମାନଙ୍କୁ ସାମାନ୍ୟ କଥାରେ ମାଡ଼ ଦେଉଥିବେ । କାହିଁ, ସେ କଥା ତ ତୁମେ ଲେଖନାହିଁ ! ତୁମେ ଏସବୁ ଲେଖନାହିଁ; କାରଣ ତୁମେ ନିଜର ସ୍ୱରୂପ ଦେଖାଇବାକୁ ଚାହଁ ନାହିଁ । ତୁମେ ଲେଖ—ଆଜିକାଲି ଲୋକେ ବଡ଼ କଷ୍ଟରେ ଚଳୁଛନ୍ତି । ତୁମକୁ ଆଉ କିଛି ଆସେନି ବୋଲି ଏଭଳି ବାଜେ କଥାଗୁଡ଼ାଏ ଲେଖ । ଅସଲ କଥା ହେଉଛି ଏଇଆ । ସେଇଥିପାଇଁ ତୁମେ ତୁର୍କମାନଙ୍କ ଅତ୍ୟାଚାର ବିଷୟରେ ଲମ୍ୱା ବକ୍ତୃତା ଦିଅ; କିନ୍ତୁ ଏଣେ ତୁମ ଆଖିଆଗରେ ଯେତେ ଅତ୍ୟାଚାର ଚାଲିଛି, ସେ ସବୁ ଦେଖିପାରୁନାହିଁ । ତୁମର ଏସବୁ ପ୍ରବନ୍ଧ ମଇଳାଗଦା ନୁହେଁ ତ ଆଉ କଅଣ ? ଅନେକ ଦିନ ହେଲା ମୁଁ ଚାହିଁଥିଲି, କିପରି ତୁମ ପ୍ରବନ୍ଧ ଭିତରେ ଧାଡ଼ିଏ ଦୁଇଧାଡ଼ି ସତ କଥା ପୂରାଇ ଦେଇ ତୁମକୁ ଲଜ୍ଜା ଦେବି । କିନ୍ତୁ ଏ ଥରକରେ ଯାହା କରିଛି, ସେତିକି ଯଥେଷ୍ଟ ହୋଇଗଲା ବୋଲି ମନେ କର ନାହିଁ ।’’

 

ଜୋଜଦେବ ଛାତି ଫୁଲାଇ, ମୁହଁ ଟେକି ସମ୍ପାଦକଙ୍କ ଆଡ଼କୁ ସିଧା ଚାହିଁରହିଲା । ସମ୍ପାଦକ ଟେବୁଲଟାକୁ ଟାଣ କରି ଧରିପକାଇଲେ । ତାଙ୍କୁ ମୁହଁ ରକ୍ତବର୍ଣ୍ଣ ହୋଇଯାଉଥାଏ, ପୁଣି ପର ମୁହୂର୍ତ୍ତରେ ଧଳା ପଡ଼ିଯାଉଥାଏ । ଜଣାପଡ଼ୁଥାଏ–ତାଙ୍କ ମନରେ ଘୃଣା, ଦୁଃଖ ଓ ଚଞ୍ଚଳତା ।

 

ପ୍ରକାଶକ ଚୁପ୍‍ କରି ସମ୍ପାଦକଙ୍କୁ ପଚାରିଲେ, ‘‘ଲୋକଟା କଅଣ ସମାଜବାଦୀ ?’’ ସମ୍ପାଦକ ମୁଣ୍ଡ ଟୁଙ୍ଗାରି ଟିକିଏ ହସିଦେଲେ ।

 

ପୃଷ୍ଠା–ସଜେଇଲାବାଲା ଝରକା ପାଖକୁ ଚାଲିଗଲା । ସେଠାରେ ଗୋଟାଏ କୁଣ୍ଡରେ ଗୋଲାପଗଛ ଥିଲା । ତା’ର ଛାଇ ଆସି ଘରର ମେଜିଆ ଉପରେ ପଡ଼ୁଥିଲା । ସେ କୁଣ୍ଡ ପଛପଟେ ଛିଡ଼ା ହୋଇ ଝରକା ଆରପାଖେ ଯାଉଥିବା ଲୋକଙ୍କୁ ଆଖିରେ ଠାରୁଥିଲା । ସମସ୍ତେ ଗୋଟାଏ କିଛି ଅଜଣା ଆଶଙ୍କାରେ ଅଧୀର; କିନ୍ତୁ ସମସ୍ତଙ୍କ ମନରେ ଆନନ୍ଦ ମଧ୍ୟ ।

 

ପ୍ରକାଶକ ଏକଦୃଷ୍ଟିରେ ସମ୍ପାଦକଙ୍କ ଆଡ଼କୁ ଚାହିଁଲେ । ସମ୍ପାଦକ ସେହି ଦୃଷ୍ଟିର ଅର୍ଥ ବୁଝିପାରି ମୁଣ୍ଡ ଟେକିଲେ । ଜୋଜଦେବ ଚାଲିଯାଇ ଦ୍ୱାରପାଖରେ ହୋଇଥିଲା । ସମ୍ପାଦକ ତାକୁ ଡାକି କହିଲେ–‘‘ଜୋଜଦେବ, ଟିକିଏ ଅପେକ୍ଷା କର । ତୁମେ ମୋତେ ଅପମାନ ଦେଇଛ; କିନ୍ତୁ ତୁମର ଏପରି କରିବା ଠିକ୍‍ ହୋଇନି । ମୋର ବିଶ୍ୱାସ, ତୁମେ ଏ କଥା ଜାଣ । ତୁମେ ଯେ ସ୍ପଷ୍ଟଭାବରେ, କିଛି ନ ଲୁଚାଇ ତୁମ ମନର କଥା ପ୍ରକାଶ କଲ, ସେଥିପାଇଁ ଧନ୍ୟବାଦ; କିନ୍ତୁ ମୁଁ ପୁଣି କହୁଛି....’’

 

ସେ ବ୍ୟଙ୍ଗ-ବିଦ୍ରୂପ କରି କିଛି କହିବାକୁ ମନ କରିଥିଲେ; କିନ୍ତୁ ସେ କିଛି କହିପାରିଲେ ନାହିଁ । ତାଙ୍କ ଉପରେ ଯିଏ ଅଭିଯୋଗ ଆଣିଛି ତାକୁ ଉତ୍ତର ଦେବା ପାଇଁ ତାଙ୍କୁ ଉପଯୁକ୍ତ ଭାଷା ମିଳିଲା ନାହିଁ । ସେ ସ୍ୱପ୍ନରେ ସୁଦ୍ଧା ଭାବିପାରି ନ ଥିଲେ ଯେ ଜୋଜଦେବ ଭଳି ଜଣେ ଲୋକ ତାଙ୍କ କାର୍ଯ୍ୟର ନ୍ୟାୟ ଅନ୍ୟାୟ ବିଚାର କରିବାକୁ ଯିବ ।

 

ଜୋଜଦେବ ମୁଣ୍ଡ ହଲାଇ ପୁଣି କହିଲା, ‘‘ଯେଉଁମାନେ ବହୁତଗୁଡ଼ାଏ କହନ୍ତି, ସେମାନେ ନିଜକୁ ଠିକ୍‍ ବୋଲି ମନେ କରିବା ସ୍ୱାଭାବିକ ।’’ ଏତିକି କହି ଥରେ ଚାରିଆଡ଼କୁ ଚାହିଁଦେଇ ସେ ପୁଣି ଯିବାକୁ ବାହାରିଲା ।

 

ସମ୍ପାଦକ ବଡ଼ପାଟିରେ କହିଲେ, ‘‘ଆଉ ଟିକିଏ ରହ ଜୋଜଦେବ ! ତୁମେ ମୋ ବିରୁଦ୍ଧରେ ଗୋଟାଏ ଅଭିଯୋଗ ଆଣିଛ; କିନ୍ତୁ ଅଭିଯୋଗର ସତ୍ୟାସତ୍ୟ ଜଣାଯିବା ପୂର୍ବରୁ ତୁମେ ମୋତେ ନିର୍ବିଚାରରେ ଦଣ୍ଡ ଦେଇପକାଇଲ । ଆତ୍ମସମର୍ଥନ କରିବାର ଅଧିକାର ମୋର ରହିଛି । ତେଣୁ ମୋ କଥା ଜାଣିବାକୁ ହେବ ।’’

 

‘‘ମୋ କଥା ଚିନ୍ତା କରନ୍ତୁ ନାହିଁ । ଆତ୍ମସମର୍ଥନ କରିବାର ଦରାକର ଥିଲେ ତୁମେ ପ୍ରକାଶଙ୍କ ଆଗରେ ତାହା କରିପାର । ମୋ ସଙ୍ଗରେ ତୁମର କଥାବାର୍ତ୍ତା କରିବାର ଦରକାର ନାହିଁ । ମୁଁ ତୁମର ଅନିଷ୍ଟ କରିଛି । ବେଶ୍‍, ତୁମେ ମୋତେ ପୋଲିସଦ୍ୱାରା କଚେରିକୁ ଟାଣିନେଇପାର; କିନ୍ତୁ ତୁମ ପକ୍ଷରେ ଆତ୍ମସମର୍ଥନ ପାଇଁ ଚେଷ୍ଟା କରିବାର ଦରକାର କଅଣ ?’’

 

ଏତିକି କହି ହାତଯୋଡ଼ାକ ପଛପଟେ ଛନ୍ଦି ସେ ଚାଲିଗଲା । ଗଲାବେଳକୁ ତା’ର ମୋଟା ଜୋତା’ର ମଚ୍‌ମଚ୍‌ ଶବ୍ଦ ଶୁଣାଯାଉଥାଏ; ଅଫିସଘରେ ତା’ର ପ୍ରତିଧ୍ୱନି ହେଉଥାଏ ।

 

ଜୋଜଦେବ ଚାଲିଯିବା ପରେ ଦ୍ୱାରଟା ବନ୍ଦ ହୋଇଗଲା । ପ୍ରକାଶକ କହିଉଠିଲେ, ‘‘ତୁମ୍ଭେମାନେ ବହୁତ କୌଶଳ ଜାଣ ।’’

 

ପୃଷ୍ଠା–ସଜେଇଲାବାଲା ପ୍ରକାଶକଙ୍କ ପାଖକୁ ଚାଲିଯାଇ ଦୁଇହାତ ଯୋଡ଼ି ଅତି ବିନୟରେ କହିଲା, ‘‘ଆଜ୍ଞା, ମୁଁ ଏ ଘଟନା କିଛି ହେଲେ ଜାଣି ନ ଥିଲି । କମ୍ପୋଜିଟରମାନେ ଅକ୍ଷର ଯୋଡ଼ିସାରି ମୋତେ ଯାହା ଦିଅନ୍ତି, ତାକୁ ନେଇ ମୁଁ ପୃଷ୍ଠା ଆକାରରେ ସଜେଇ ଛାଡ଼ିବାକୁ ଫର୍ମା ତିଆରି କରିଦିଏ । ଟାଇପ ଭିତରେ କଅଣ ଅଛି, ମୁଁ ଜାଣିବି କିପରି ? ଆଜ୍ଞା, ମୁଁ ରାତିଯାକ ଏଠି କାମ କରେ । ଘରେ ଭାରିଯାଟା ରୋଗରେ ପଡ଼ିଛି । ତିନିଟା ପିଲା । ସେମାନଙ୍କ କଥା ବୁଝିବାପାଇଁ ମୋର କେହି ନାହିଁ । ମାସକୁ ତିରିଶ ରୁବେଲ ଦରମା । ସେଇଥିପାଇଁ ମୁଁ ଦିହର ରକ୍ତ ନିଗାଡ଼ି ଦେଉଛି କହିଲେ ଚଳେ । ଜୋଜଦେବକୁ ଚାକିରିରେ ରଖିଲାବେଳେ ମୁଁ ପାବ୍ଳୋଭିଚ୍‌ଙ୍କୁ କହିଥିଲି–‘ନିକୋଲକାକୁ ମୁଁ ପିଲାଦିନୁ ଜାଣେ; ମୁଁ ଆପଣଙ୍କୁ କହିଦେଉଛି, ଲୋକଟା ଗଣ୍ଡଗୋଳ କରିପାରେ । ସେ ଗୋଟାଏ ଚୋର; ତାକୁ ବିଶ୍ୱାସ ନାହିଁ । ସେ କେତେଥର କଚେରିକୁ ଟଣାହୋଇଛି; ଥରେ ଜେଲ ଯାଇଥିଲା ।’’

 

ପ୍ରକାଶକ ମୁହଁ ନ ଟେକି ପଚାରିଲେ, ‘‘ଜେଲ ଯାଇଥିଲା କାହିଁକି ?’’

 

‘‘ଆଜ୍ଞା, ପାରା ପାଇଁ–ପାରାଭାଡ଼ିର ତାଲା ଭାଙ୍ଗି ଜେଲ ଯାଇଥିଲା । ଏକାରାତିକ ଭିତରେ ସେ ସାତଟା ପାରାଭାଡ଼ିର ତାଲା ଭାଙ୍ଗି ସବୁ ପାରା ଉଡ଼େଇ ଦେଇଥିଲା । ସେଥିରେ ମୋର ବି ଦୁଇଟା ଭଲ ପାରା ଥିଲେ । ଖୁବ୍‍ ଦାମିକା ପାରା ।’’

 

ପ୍ରକାଶକ କୌତୂହଳୀ ହୋଇ ପଚାରିଲେ, ‘‘ସେ କଅଣ ପାରା ଚୋରି କରି ନେଇଥିଲା-?’’

 

‘‘ନା, ନା, ସେ ଚୋରି କରି ନେଇଯାଏ ନାହିଁ; ଖାଲି ଉଡ଼ାଇଦିଏ । ଥରେ ଚୋରି କରିଥିଲା ବୋଲି କଚେରିକୁ ଯାଇଥିଲା; କିନ୍ତୁ ହାକିମ ତାକୁ ଖଲାସ କରିଦେଲେ । ଖାଲି ଦୁଷ୍ଟାମି କରିବା ତା’ର କାମ । ଚଢ଼େଇଗୁଡ଼ାଙ୍କୁ ପାରାଭାଡ଼ିରୁ ଉଡ଼ାଇ ଦେଇ ମଜା ଦେଖେ । ଏଥିପାଇଁ ସେ କେତେ ଥର ମାଡ଼ ଖାଇଛି । ଥରେ ଏତେ ମାଡ଼ ଖାଇଥିଲା ଯେ କେତେ ଦିନଯାକେ ଡାକ୍ତରଖାନାରେ ପଡ଼ିରହିଲା । କିନ୍ତୁ ଦୁଷ୍ଟ ବୁଦ୍ଧି ଛାଡ଼ିବ କାହୁଁ ? ଡାକ୍ତରଖାନାରୁ ଭଲ ହୋଇଆସିଲା ପରେ ମୋ ପୁଅର ଆଈମା’ଙ୍କ ଘରେ ଚୁଲି ଭିତରେ ଭୂତ ପୂରେଇଦେଲା ।’’

 

ପ୍ରକାଶକ ଏଥିରେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ପଚାରିଲେ, ‘‘ଭୂତ ପୂରେଇଲା !’’

 

ସମ୍ପାଦକ ଭ୍ରୂଲତାକୁ କୁଞ୍ଚିତ କରି, ଓଠ କାମୁଡ଼ି କହିଉଠିଲେ, ‘‘କି ବାଜେ କଥା କହୁଛ-?’’

 

ପୃଷ୍ଠା–ସଜେଇଲାବାଲା କହିଲା, ‘‘ନାଇଁ ଆଚ୍ଛା, ମୁଁ ଯାହା କହିଲି ଏକବାରେ ସତ । ଖାଲି ଠିକ୍‍ କରି କହିଆସୁନାହିଁ । ଏ ନିକୋଲକା ସବୁ ବିଦ୍ୟା ଜାଣେ । ତାକୁ ଚୁଲି ତିଆରି କରିଆସେ । ସେ କେତେ ବ୍ୟବସାୟରେ ହାତ ଦେଇଛି । ଛାପିବା ପାଇଁ ଦିନାକେତେ ପଥର ଉପରେ ଅକ୍ଷର ଖୋଳୁଥିଲା । ଦିନାକେତେ କାଠ ‌ଖୋଜି ଛବି ତିଆରି କରୁଥିଲା । ହଁ, ମୁଁ ସେ ଆଈମା’ କଥା କହୁଥିଲି । ବୁଢ଼ୀ ଲୋକ; ନିଜର ଖଣ୍ଡିଏ ଘର ଅଛି । ପୁରୋହିତମାନଙ୍କୁ ସେ ଭଲକରି ଜାଣନ୍ତି । ଥରେ ତାଙ୍କର ଚୁଲିଟା ମରାମତି କରିବାକୁ ପଡ଼ିଲା । ସେ ଏଇ ନିକୋଲକାକୁ କାମରେ ଲଗାଇଲେ । ସେ କଅଣ କଲା ନା, ଚୁଲିପାଖକୁ ଲଗାଇ କାନ୍ଥ ଭିତରେ ଗୋଟିଏ ବୋତଲ ପାରା ରଖିଦେଲା । ବୋତଲ ଭିତରେ କେତୋଟି ଲୁହାକଣ୍ଟା ପୂରାଇଥିଲା । ବୋତଲ କାନ୍ଥ ଭିତରେ ଥାଏ, ବାହାରକୁ କିଛି ଦିଶୁ ନ ଥାଏ; କିଏ କାହିଁକି ଜାଣିବ ? କିନ୍ତୁ ଚୁଲି ଜଳିବା ପରେ ଗୋଟାଏ ବିଚିତ୍ର ଶବ୍ଦ ଶୁଣାଗଲା–ଦାନ୍ତ କଡ଼ମଡ଼ କଲେ ଯେପରି ଶୁଣାଯାଏ, ଠିକ୍‍ ସେଇପରି । ଲୋକେ କହିଲେ, ସେ ଘରେ ଭୂତ ଅଛି । ଭୂତ ଛଡ଼ାଇବା ପାଇଁ ବୁଢ଼ୀ ପୁରୋହିତଙ୍କୁ ଡକାଇ ତିନିଥର ଘରେ ପ୍ରାର୍ଥନା କରାଇଲା । କିଛି ଫଳ ହେଲା ନାହିଁ । ବୁଢ଼ୀ କିଛି ଉପାୟ ନ ପାଇ ଘରଟିକୁ ବିକିବାକୁ ବସିଲା; କିନ୍ତୁ ଘରେ ଭୂତ ଅଛି ବୋଲି କେହି କିଣିବାକୁ ବାହାରିଲେ ନାହିଁ । ବୁଢ଼ୀ କରେ କଅଣ ? ଘରେ ବିବାହ ଯୋଗ୍ୟା ଝିଅଟିଏ; ଯୋଡ଼ାଏ ଗାଈ, ଶହେ ଯାଏ କୁକୁଡ଼ା । ବୁଢ଼ୀ ଚିନ୍ତାରେ ବିଛଣା ଧରିଲା । ଶେଷରେ ସେହି ନିକୋଲ୍‌କା ଆସି କହିଲା, ‘ପଚାଶ ରୁବେଲ ଦେଲେ ମୁଁ ସେ ଘରୁ ଭୂତ ବାହାର କରିଦେବି ।’ ବୁଢ଼ୀ ପଚିଶ ରୁବେଲ ଆଗତୁରା ଦେଲା । ଭୂତ ବାହାରିଗଲା ପରେ ବାକୀ ପଚିଶ ରୁବେଲ ଦେବ ବୋଲି କଥା ହେଲା । ନିକୋଲକା କାନ୍ଥ ଖୋଳି ବୋତଲଟା ନେଇଯିବାରୁ ଆଉ ଶବ୍ଦ ହେଲା ନାହିଁ । ଏବେ ତା କୌଶଳ ଜଣାପଡ଼ିଗଲା । ଚୁଲି ଜଳିଲେ ତା’ର ତାତିରେ ଶିଶିର ପାରା ଗରମ ହେଉଥିଲା । ତା ଭିତରର ଲୁହାକଣ୍ଟା ଉପରକୁ ତଳକୁ ହେବାରୁ କାଚରେ ଘଷିହୋଇ କଡ଼ କଡ଼ ଶବ୍ଦ କରୁଥିଲା । ବୁଢ଼ୀ ବାକୀ ଟଙ୍କା ଦେବାକୁ ମନାକଲା; ଠକେଇ ପାଇଁ ତା ନାଁରେ ମକଦ୍ଦମା କରିବାକୁ ବାହାରିଥିଲା । ଲୋକେ ତାକୁ ବନ୍ଦ କରାଇଦେଲେ । ତାକୁ ନାନାଦି କୌଶଳ ଜଣା ।’’

 

ସମ୍ପାଦକ କହିଉଠିଲେ, ‘‘ତାହାହେଲେ କାଲି ସେ ମୋତେ ଗୋଟାଏ କିଛି ହଇରାଣରେ ପକାଇପାରେ । ଭଗବାନ୍‌ ! କେଡ଼େ ଛୋଟଲୋକଟାଏ ।’’ ସେ ବ୍ୟସ୍ତଭାବରେ ଘରଯାକ ବୁଲିବାକୁ ଲାଗିଲେ ।

 

ପ୍ରକାଶକ ସାନ୍ତ୍ୱନା ଦେଲା ଭଳି ସମ୍ପାଦକଙ୍କୁ କହିଲେ, ‘‘ବ୍ୟସ୍ତ ହେଲେ କଅଣ ହେବ ? ଗୋଟାଏ କାମ କର । ସମସ୍ତ ଘଟନା ବର୍ଣ୍ଣନା କରି ଆଜି ଗୋଟାଏ ‘ଭ୍ରମ ସଂଶୋଧନ’ ବାହାର କରିଦିଅ । ଅଦ୍ଭୁତ ଲୋକ ତ ! ଚୁଲି ଭିତରେ ଭୂତ ପୂରେଇଥିଲା ? ତାକୁ ଶିକ୍ଷା ଦେବାକୁ ହେବ । କିନ୍ତୁ ଲୋକଟା ବଦ୍‌ମାସ ହେଲେ ବି ଭାରି ଚାଲାଖ । ତା ପାଇଁ ମନରେ ଗୋଟାଏ ଏଁ–ଏଁ ଭାବ ଆସୁଛି ।’’ ପ୍ରକାଶକ ଏହା କହି ହାତଆଙ୍ଗୁଠି ଫୁଟାଉ ଫୁଟାଉ ଛାତ ଆଡ଼କୁ ଚାହିଁଲେ ।

 

ସମ୍ପାଦକ କହିଲେ, ‘‘ତେବେ ଆପଣ ମନେ କରୁଛନ୍ତି ଯେ ଲୋକଟା ଆମୋଦପ୍ରିୟ ?’’

 

ପ୍ରକାଶକ ଉତ୍ତର କଲେ, ‘‘ଆଚ୍ଛା, ଖାଲି ଏତିକି କଅଣ, ଏସବୁ ଘଟନାରେ କୌତୁକ ପୂରିରହିନାହିଁ ? ତା’ ବିରୁଦ୍ଧରେ କି ଅଭିଯୋଗ ଅଣାଯାଇ ପାରିବ ବୋଲି ଭାବୁଛ ?’’

 

‘‘କିଛି ଅଭିଯୋଗ ଦେଖିପାରୁନାହିଁ । ସେ ଭୂତ ସୃଷ୍ଟି କରିଥିଲେ ହେଁ ଏ ଘଟନାରେ ତା କଥା ଠିକ୍‍ । ଆପଣଙ୍କ ଛାପାଖାନାରେ ଯେ କଅଣ ଚାଲିଛି, ତା ଭଗବାନଙ୍କୁ ଗୋଚର । ମୁଁ ଯେ ଏଥିରେ ବୋକା ବନିଯାଉଛି, ସେଇଟା ଆପଣଙ୍କ ପାଇଁ । ସେ ଠିକ୍‍ , ହଜାରବାର ଠିକ୍‍ ।’’

 

ପ୍ରକାଶକ ଓଠ ଚିପି ବ୍ୟଙ୍ଗ କରି କହିଲେ, ‘‘ଆଉ, ସେ ଯେଉଁ ବାକ୍ୟଟି ପୂରାଇଥିଲା, ସେଇଟା ବି କଅଣ ଠିକ୍‍ ?’’

 

ସମ୍ପାଦକ–‘‘ହଁ, ତା ମଧ୍ୟ ଠିକ୍‍ । ଆମ ଖବରକାଗଜ ହେଉଛି ଉଦାରପନ୍ଥୀ ।’’

 

ପ୍ରକାଶକ–‘‘ଆଉ ଆମ ଖବରକାଗଜର ମୋଟ ପ୍ରଚାରସଂଖ୍ୟା ହେଉଛି ଦୁଇ ହଜାର । ତା’ରି ଭିତରେ ପୁଣି କେତେ ଉପହାର ସୂତ୍ରରେ ଯାଏ, ଆଉ କେତେ ଅନ୍ୟ ପତ୍ରପତ୍ରିକା ସହ ଆଦାନପ୍ରଦାନ ସୂତ୍ରରେ ଯାଏ । ଅଥଚ ଆମ ପ୍ରତିଦ୍ୱନ୍ଦ୍ୱୀ ସମ୍ୱାଦପତ୍ରର କେବଳ ବିକ୍ରିସଂଖ୍ୟା ହେଉଛି ନଅ ହଜାର ।’’

 

ସମ୍ପାଦକ–‘‘ତେବେ ଆଉ...... ।’’

 

ପ୍ରକାଶକ–‘‘ନା, ଏଇଆ କହିଲି । ଆଉ କିଛି ନାହିଁ ।’’

 

ସମ୍ପାଦକ ହତାଶ ଭାବରେ ଘରଯାକ ବୁଲିଲେ । ସେ ମନକୁ ମନ କହିଲେ, ‘‘ଭାରି ଅଡ଼ୁଆରେ ମଣିଷ ପଡ଼ିଲା । ଯାହା କିଛି ଘଟୁଛି, ସେଥିରେ ମୋର ଦୋଷ ହେଉଛି । କୁକୁର ଚାରିପାଖେ ବେଢ଼ିଛନ୍ତି; କିନ୍ତୁ ମଣିଷ ତ କୁକୁରକୁ କାମୁଡ଼ି ପାରିବ ନାହିଁ । ଏବେ ଏ ଲୋକଟାର କଥା ସୀମା ବଳିଗଲା । ହାୟ ଭଗବାନ୍‌ !’’

 

ଆଇଭାନୋଭିଚ୍‌ କହିବାର ଢଙ୍ଗ ବଦଳାଇ ଦେଇ ନରମ ସ୍ୱରରେ ସମ୍ପାଦକଙ୍କୁ କହିଲେ, ‘‘ସାଙ୍ଗ, ଏମିତି ବ୍ୟସ୍ତ ହେଲେ ଲାଭ ନାହିଁ । ବେଳେ ବେଳେ ଏଭଳି ଘଟନା ଘଟିଥାଏ; କିନ୍ତୁ ସେ ବେଶି ଦିନ ରହେ ନାହିଁ । କେଇଟା ଦିନ ଭିତରେ ପୁଣି ତୁମର ଖ୍ୟାତି ଫରିଆସିବ । ଆଜିର ଏ ଘଟନା ଗୋଟାଏ ତାମସା ବୋଲି ମନେହେବ ।’’

 

କରମର୍ଦ୍ଦନ କରିବାକୁ ସେ ସମ୍ପାଦକଙ୍କ ଆଡ଼କୁ ହାତଟା ବଢ଼ାଇଦେଇ ଭିତର ଅଫିସଘରକୁ ଯିବାକୁ ବସିଥିଲେ; ଏହି ସମୟରେ ହଠାତ୍‍ ଜୋଜଦେବ କବାଟ ଫିଟାଇ ଭିତରକୁ ପଶିଆସିଲା । ହସି ହସି ସେ କହିଲା, ‘‘ସମ୍ପାଦକ ମହାଶୟ, ମୁଁ ଆପଣଙ୍କୁ ଗୋଟାଏ କଥା ପଚାରିବାକୁ ଆସିଲି । ମୋତେ ଯେବେ କଚେରିକୁ ଟାଣିବା ପାଇଁ ଆପଣଙ୍କର ଅଭିପ୍ରାୟ ଥାଏ, ତେବେ ଏତିକିବେଳୁ କହିଥାଆନ୍ତୁ । ମୋର କହିବାର ଉଦ୍ଦେଶ୍ୟ, ମୁଁ ଆଉ ଏଠାରେ ରହିବାକୁ ଚାହେଁ ନାହିଁ । ମୁଁ ଦୂରକୁ ଚାଲିଯିବି । ସେଠୁ ଟଣାହୋଇ ଆସିବା ମୋର ଇଚ୍ଛା ନୁହେଁ ।’’

 

ସମ୍ପାଦକ ରାଗରେ କାନ୍ଦିଆସୁଥିଲେ । ସେ କହିଲେ, ‘‘ଯା, ବାହାର ।’’

 

ଜୋଜଦେବ ମୁଣ୍ଡ ଉପରେ ଟୋପିଟା ଠିକ୍‍ କରି ରଖି ଘରୁ ବାହାରିଗଲା । ଗଲାବେଳେ ଏତିକି କହିଲା, ‘‘ବେଶ୍‍, ଆମର ସମ୍ୱନ୍ଧ ତୁଟିଗଲା ।’’

 

ପ୍ରକାଶକ ମନେ ମନେ ଲୋକଟାର ପ୍ରଶଂସା କରି କହିଲେ, ‘‘ଗୋଟାଏ ଅସଲ ସଇତାନ ।’’

 

ଦୁଇ ତିନିଦିନ ପରେ ନଦୀକୂଳକୁ ଯିବାର ଗଡ଼ାଣିଆ ବାଟରେ ଜୋଜଦେବ ଯାଉଥିଲା-। ତା’ର ଦେହରେ ଗୋଟିଏ ନେଳିଆ କୁରୁତା ମୁଣ୍ଡରେ ଟୋପିଟା କଣେଇ କରି ପିନ୍ଧିଥାଏ-। ଅଣ୍ଟାରେ ଏକ କମରବନ୍ଧ । ଢିଲା ପାଇଜାମା; ତ ସାଥୀକି ପାଦରେ ଚକଚକିଆ ଜୋତା । ହାତରେ ସେ ଗୋଟାଏ ଗଣ୍ଠିଆ ବାଡ଼ି ଧରିଥାଏ ।

 

ସେ ଯେଉଁ ବାଟରେ ଯାଉଥିଲା, ଆଗେ ସେଠାରେ ଗୋଟାଏ ବଡ଼ ତୋଟା ଥିଲା । ଏବେ ଗଛସବୁ ଗଲାଣି; କେବଳ ଗୋଟାଏ ବଡ଼ ଗଛ ରହିଛି । ସେମାନଙ୍କ ଉପରେ କେତେ ଝଡ଼ବତାସ ବୋହିଗଲାଣି । ଡାଳଗୁଡ଼ାକ ଉପରକୁ ଉଠିଯାଇଛି । ମୂଳରେ କେତେ ଚେର । ସେମାନଙ୍କୁ ଆଶ୍ରା କରି କେତେ ଲତା ମାଡ଼ିଛି । କେତେ ଲୋକଙ୍କର ପାଦ ପଡ଼ି ପଡ଼ି ନଈ ପାଖକୁ ଏ ରାସ୍ତାଟି ତିଆରି ହୋଇଛି । ଏଇ ରାସ୍ତାକୁ ସିଧାଭାବରେ ଆଉ ଗୋଟିଏ ରାସ୍ତା । ଏଇଟି ଟିକିଏ ବେଶ୍‍ ଚଉଡ଼ା ରାସ୍ତା । ଏହାରି ଉପରେ ଏକସମୟରେ ଦୁଇଧାଡ଼ି ଲୋକ ଯିବାଆସିବା କରିପାରିବେ ।

 

ଏଇ ରାସ୍ତାରେ ଯିବାଆସିବା କରୁଥିବା ଲୋକଙ୍କ ସାଥିରେ ମିଳାମିଶା କରିବାକୁ ଜୋଜଦେବକୁ ଭଲଲାଗେ । ସେ ଅନ୍ୟମାନଙ୍କ ପରି ଜଣେ, ଅନ୍ୟମାନଙ୍କ ପରି ସେ ମଧ୍ୟ ଏଠାର ବାୟୁସେବନ କରିପାରେ, ଅନ୍ୟମାନଙ୍କ ପରି ସେ ମଧ୍ୟ ଏ ରାସ୍ତା ଉପରେ ଟହଲିପାରେ; ସେ ମଧ୍ୟ ଜଣେ ମଣିଷ ଭଳି ମଣିଷ ଓ ଅନ୍ୟମାନଙ୍କ ସଙ୍ଗେ ସମାନ–ଏହା ଅନୁଭବ କରିବାକୁ ତାକୁ ଭଲଲାଗେ ।

 

ସେଦିନ ଜୋଜଦେବ ଟିକିଏ ବେଶି ମଦ ପିଇଦେଇଥିଲା । ସାମାନ୍ୟ ନିଶା ଲାଗିଥାଏ-। ତା’ର ମିଞ୍ଜସଟା ଭଲ ଥାଏ । ତା’ର ବସନ୍ତଦାଗବିଶିଷ୍ଟ ମୁହଁକୁ ଦେଖିଲେ ଜଣାଯାଉଥାଏ ଯେ ଉତ୍ତମ ମେଳାପୀ ଲୋକ । ବାଁପାଖ କପାଳ ଉପରେ କେରାଏ ବାଳ ଓହଳି ପଡ଼ିଥାଏ । ତା’ର ମନରେ ବଡ଼ ଖୁସି । ଗୀତ ଗାଇବାକୁ, ନାଚିବାକୁ, ଲଢ଼େଇ କରିବାକୁ ତା’ର ମନ ହେଉଥାଏ-। ଗିଲାସେ ଦୁଇ ଗିଲାସେ ମଦ ପିଇବାରେ ମଧ୍ୟ ତା’ର ଆପତ୍ତି ନ ଥାନ୍ତା । ନିକୋଲାଇ ଜୋଜଦେବର ଗୋଟାଏ ବିଶେଷତ୍ୱ ଥିଲା । ତା’ର ସବୁବେଳେ ସ୍ଫୁର୍ତ୍ତି, ଗୋଟାଏ ବେପରାୟଭାବ । ସେ ନିଜର ମୂଲ୍ୟ ଜାଣିଥିଲା ।

 

ମନର ଆନନ୍ଦରେ ସେ ନିଜକୁ ଚାହୁଁଥିଲା ଓ ଚାଲୁଥିବା ଲୋକଙ୍କ ଦେହରେ ଘଷି ହୋଇଯାଇଥିଲା; କେହି ତାକୁ ଠେଲି ଚାଲିଗଲେ ସେ ଦୁଃଖ କରୁନଥିଲା । କୌଣସି ସ୍ତ୍ରୀଲୋକ ଦେହରେ ଘଷି ହୋଇଗଲେ ଭଦ୍ରଭାବରେ କ୍ଷମାପ୍ରାର୍ଥନା କରୁଥିଲା । ମୋଟ ଉପରେ ସେ ନିଜକୁ ଖୁବ୍‍ ବଡ଼ ମନେକରୁଥିଲା ।

 

ନଈ ଆରପାଖରେ ଗଛପତ୍ର ଆଢ଼ୁଆଳରେ ସୁର୍ଯ୍ୟ ଅସ୍ତ ହୋଇଯାଉଥିଲେ । ଆକାଶ ରକ୍ତବର୍ଣ୍ଣ ଧରିଆସୁଥିଲା । ଚକ୍ରବାଳରେ ସବୁଜ ବର୍ଣ୍ଣର ତୃଣପ୍ରାନ୍ତର ସହିତ ଆକାଶର ପ୍ରାନ୍ତଭାଗ ମିଶିଯାଇଥିଲା । ଭ୍ରମଣକାରୀମାନଙ୍କ ପାଦଦେଶରେ ସେମାନଙ୍କର ଦୀର୍ଘ ଛାୟା ପଡ଼ୁଥିଲା; କିନ୍ତୁ ସେମାନେ ତା’ର ସୌନ୍ଦର୍ଯ୍ୟକୁ ଲକ୍ଷ୍ୟ ନ କରି ତାକୁ ପାଦରେ ଦଳିଦେଇ ଚାଲୁଥିଲେ ।

 

ଜୋଜଦେବ ଦୁଇ ଓଠ ମଝିରେ ବାଁପାଖକୁ ଖଣ୍ଡେ ସିଗାରେଟ୍‌ ଧରିଥାଏ; ଡାହାଣ ପାଖ କଣବାଟେ ପୁଳାଏ ଲେଖାଏଁ ଧୂଆଁ ଛାଡ଼ୁଥାଏ । ରାସ୍ତାମୁଣ୍ଡରେ ଗୋଟାଏ ଛୋଟ ହୋଟେଲ । ଜୋଜଦେବର ମନ ହେଉଥାଏ, ଗିଲାସେ ମଦ ଧରି ସେ ସେଇ ହୋଟେଲରେ କାହା ସାଥିରେ ଗଳ୍ପ କରନ୍ତା କି ? କୌଣସି ପରିଚିତ ଲୋକ ଦେଖାଯାଉ ନ ଥିଲେ; କାହାରି ସଙ୍ଗେ ନୂଆ ହୋଇ ପରିଚିତ ହେବାର ସୁଯୋଗ ମଧ୍ୟ ନ ଥିଲା । ସେଦିନ କଅଣ ଗୋଟାଏ ପର୍ବ ହୋଇଥାଏ । ପାଗ ମଧ୍ୟ ବଡ଼ ଭଲ ଥାଏ; କିନ୍ତୁ ଲୋକସାଧାରଣଙ୍କ ମନରେ ହର୍ଷ ଥିଲା ପରି ଲାଗୁନଥିଲା । ସେ ମଧୁର ହସ ହସି ଅନେକ ଲୋକଙ୍କ ମୁହଁକୁ ଚାହିଲା; ତା’ର ଉଦ୍ଦେଶ୍ୟ ଥାଏ ସେମାନଙ୍କ ସଙ୍ଗେ କଥାବାର୍ତ୍ତା ହେବା । କିନ୍ତୁ କେହି ଜଣେ ହେଲେ ତା ସଙ୍ଗେ କଥାବାର୍ତ୍ତା କରିବାକୁ ଆଗେଇ ଆସିଲେ ନାହିଁ । ଏତେ ଲୋକଙ୍କ ଭିତରେ ସେ ତା’ର ଅତି ପରିଚିତ ସମ୍ପାଦକ ପାବ୍ଳୋଭିଚ୍‌ଙ୍କ ମୁଣ୍ଡଟା ଦେ‌ଖିପାରିଲା-। ତାଙ୍କ ମୁଣ୍ଡଟି ଚେପ୍‌ଟା ଓ ଏଡ଼େ ମସୃଣ ଯେ ମନେ ହେବ, କିଏ ଚାଞ୍ଛିଦେଇଛି । ସେଦିନ ଏହି ସମ୍ପାଦକ କିପରି ତାକୁ ‘ବାହାର’ ବୋଲି କହିଥିଲେ, ସେ କଥା ମନେପକାଇ ସେ ଟିକିଏ ହସିଦେଲା । ବେଳେ ବେଳେ ତାଙ୍କ ମୁଣ୍ଡଟା ଅନ୍ୟମାନଙ୍କ ମୁଣ୍ଡ ଭିତରେ ଲୁଚିଯାଉଥାଏ । କିନ୍ତୁ ଜୋଜଦେବ ପାଦଅଙ୍ଗୁଳି ଉପରେ ଠିଆହୋଇ ପୁଣି ତାଙ୍କୁ ଦେଖୁଥାଏ । ସମ୍ପାଦକଙ୍କ ଉପରେ ନଜର ରଖି ଯାଉ ଯାଉ ସେ ପିଲାଦିନ କଥା ମନେପକାଇଲା । ସେତେବେଳେ ସେ ନିଜେ ଥିଲା ଜଣେ କାରିଗରର ପୁଅ; ଆଉ ଆଜିର ଏ ସମ୍ପାଦକ ଥିଲେ ଜଣେ ପାଦ୍ରୀଙ୍କର ପୁଅ । ଏ ଦୁହିଁଙ୍କର ଅନେକ ଖେଳସାଥୀ ଥିଲେ । ମିଖା, ତାକୁ ଆମେ ଗୋଟାଏ ଡାକ–ନାଁ ଦେଇଥିଲୁ । ଆଉ ଜଣେ ସରକାରୀ କର୍ମଚାରୀଙ୍କ ପୁଅ ଥିଲା । ତା ନାଁ ଭାସ୍କା ଜୁନୋଭ । ତାଙ୍କ ଘରଟା ଥିଲା ସାହିମୁଣ୍ଡରେ । ଘରଟି ଖୁବ୍‍ ବଡ଼; କିନ୍ତୁ ପୁରୁଣା । ଗୁଡ଼ାଏ ବାହାର ଘର । ଭାସ୍କାର ବାପା ଗୁଡ଼ାଏ ପାରା ରଖିଥିଲେ-। ଭାସ୍କାର ବାପା ବଡ଼ କଞ୍ଜୁସ; କିଛି ଫିଙ୍ଗିଦିଏ ନାହିଁ । ଅଗଣାରେ ଭଙ୍ଗା ଗାଡ଼ି, ପୁରୁଣା ଡ୍ରମ୍‌, ପୁରୁଣା କାଠବାକ୍‌ସ ସବୁ ଜମା ହୋଇଥାଏ । ତା ଭିତରେ ଲୁଚୁକାଳି ଖେଳିବାକୁ ଭାରି ସୁବିଧା-। ଏବେ ଭାସ୍କା ହେଉଛି ଜିଲା ସ୍ୱାସ୍ଥ୍ୟ ବିଭାଗର ଅଫିସର । ଯେଉଁଠି ସେ ପୁରୁଣା ଘର ଥିଲା, ଏବେ ସେଠାରେ ରେଳବାଇ ଗୋଦାମଘର ହୋଇଛି । ସେ ଘରଟା ଥିଲା ମକ୍ରୀ ସାହିରେ । ସେ ସାହିଟା ସହରଠାରୁ ବାହାରେ । ସେ ସାହିର ପିଲାମାନେ ଆପଣା ଭିତରେ ଶାନ୍ତିରେ ଚଳୁଥିଲେ; କିନ୍ତୁ ଅନ୍ୟ ସାହିର ପିଲାମାନଙ୍କ ସଙ୍ଗରେ ସେମାନଙ୍କର ସବୁବେଳେ କଳିକଜିଆ ଲାଗିଥାଏ-। ସେମାନେ କାହାରି ତୋଟାରେ ଗୋଟାଏ ହେଲେ ଫଳ ରଖିଦେଉ ନ ଥିଲେ କି କାହା ବାଡ଼ିରେ ଶାଗପତ୍ର ରଖିଦେଉ ନ ଥିଲେ । ଡୁଡ଼ୁ, ବୋହୂଚୋରି, ଫୁଟବଲ ଆଦି ଖେଳୁଥିଲେ । ପ୍ରାଇମେରୀ ସ୍କୁଲରେ ପାଠ ପଢ଼ୁଥିଲେ । ଏ ହେଉଛି କୋଡ଼ିଏ ବର୍ଷ ତଳର କଥା ।

 

ଏବେ ସବୁ ବଦଳିଗଲାଣି । ନିକୋଲ୍‌କାର୍‌ ସାଙ୍ଗସାଥୀମାନେ ତାରି ଭଳି ଦୁଷ୍ଟ ଥିଲେ, ମଇଳା ଥିଲେ; କିନ୍ତୁ ଏବେ ସେମାନେ ବଡ଼ଲୋକ ହୋଇଗଲାଣି । କିନ୍ତୁ କାରିଗରପୁଅ ନିକୋଲକା ସେଇ ମକ୍ରୀସାହି ଛାଡ଼ି ଅନ୍ୟ କୁଆଡ଼େ ଯାଇନାହିଁ । ସେମାନେ ସବୁ ପ୍ରାଇମେରୀ ସ୍କୁଲପଢ଼ା ଶେଷ କରି ହାଇସ୍କୁଲକୁ ଗଲେ । ନିକୋଲକା ହାଇସ୍କୁଲ ଛୁଇଁନାହିଁ; ତଥାପି ସେ ଏବେ ସମ୍ପାଦକଙ୍କ ପାଖକୁ ଯାଇ କଥାବାର୍ତ୍ତା କଲେ କ୍ଷତି କଅଣ ? ସେ ଯାଇ ଡାକିବ; ଆଉ କଥାବାର୍ତ୍ତା ଆରମ୍ଭ କରିଦେବ । ପ୍ରଥମେ ସେ ଯାଇ ତା’ର ପୂର୍ବ ବ୍ୟବହାର ପାଇଁ କ୍ଷମା ମାଗିନେବ; ତାପରେ ଗପ ଚାଲିବ । ଯେ କୌଣସି ବିଷୟରେ, ହୁଏତ ସାଧାରଣ ଜୀବନଯାତ୍ରା ବିଷୟରେ ଗପ ହେବ ।

 

ସମ୍ପାଦକଙ୍କ ଟୋପିଟା କେତେବେଳେ ଲୁଚିଯାଉଥାଏ, କେତେବେଳେ ଦେଖାଯାଉଥାଏ-। ସେ ଏକୁଟିଆ ହୋଇ ରାସ୍ତାର ଗୋଟାଏ ପାଖରେ ଚାଲୁଥିଲେ; ବେଳେବେଳେ ଏପାଖକୁ ସେପାଖକୁ ଚାହୁଁଥିଲେ । ଦୃଷ୍ଟିଶକ୍ତି କ୍ଷୀଣ ହୋଇଥିବାରୁ ସେ ଟେରେଇ ଟେରେଇ ଚାହିଁବାକୁ ବାଧ୍ୟ ହେଉଥିଲେ । ଜୋଜଦେବ ତାଙ୍କ ସଙ୍ଗେ କଥାବାର୍ତ୍ତା ହେବ ବୋଲି ସ୍ଥିର କରିନେଲା-। କେବଳ ଅପେକ୍ଷା ଥାଏ, କେତେବେଳେ ପାଖକୁ ଯାଇ ତାଙ୍କୁ ଅଭିବାଦନ ଜଣାଇବାର ସୁଯୋଗ ମିଳିବ-। ତା’ର ମନରେ ଗୋଟାଏ ଆଶଙ୍କା ମଧ୍ୟ ଥାଏ । ତା’ର ଅଭିବାଦନକୁ ସେ କିପରି ଭାବରେ ଗ୍ରହଣ କରିବେ ?

 

‘‘ପାବ୍ଳୋଭିଚ୍‌, ନମସ୍କାର ।’’

 

ସମ୍ପାଦକ ଗୋଟାଏ ହାତରେ ମୁଣ୍ଡରୁ ଟୋପିଟା ଟେକି ଧରି, ଆର ହାତରେ ଚଷମାକୁ ଠିକ୍‍ କରି ଲଗାଇଲେ । ଜୋଜଦେବକୁ ଚିହ୍ନିପାରି ତାଙ୍କର ଭ୍ରୂଲତା କୁଞ୍ଚିତ ହୋଇଗଲା । ମାତ୍ର ଏଥିରେ ଜୋଜଦେବ ନିରାଶ ହେଲା ନାହିଁ । ସେ ଫେରି ନ ଯାଇ ହସି ହସି ସମ୍ପାଦକଙ୍କ ଆଡ଼କୁ ନଇଁପଡ଼ି କହିଲା,–‘‘କଅଣ ବୁଲିଆସିଛନ୍ତି ?’’ ତା’ର ମୁହଁରୁ ମଦର ଗନ୍ଧ ବାହାରୁଥାଏ ।

 

ସମ୍ପାଦକ ମୁହୂର୍ତ୍ତେ ଛିଡ଼ାହୋଇଗଲା । କ୍ରୋଧରେ ତାଙ୍କର ଓଠ ଥରିଯାଉଥାଏ । ସେ ନ ଚିହ୍ନିଲା ପରି ପଚାରିଲେ, ‘‘ତୁମେ କଣ ଚାହଁ ?’’

 

‘‘କିଛି ଚାହେଁ ନାହିଁ । ଆଜି କେଡ଼େ ସୁନ୍ଦର ପାଗ ହୋଇଛି । ହଁ, ସେଦିନର ଘଟନା ବିଷୟରେ ତୁମ ସଙ୍ଗରେ କଥାବାର୍ତ୍ତା ହେବାକୁ ଭାବିଥିଲି ।’’

 

‘‘ମୁଁ ତୁମ ସାଥିରେ କଥାବାର୍ତ୍ତା ହେବାକୁ ଚାହେଁ ନାହିଁ ।’’ ଏତିକି କହି ସମ୍ପାଦକ ଆଗେଇ ଚାଲିଲେ ।

 

ଜୋଜଦେବ ତାଙ୍କ ପଛେ ପଛେ ଯାଉ ଯାଉ କହିଲା, ‘‘ମୋ ସାଥିରେ କଥା କହିବାକୁ ଚାହଁନାହିଁ ? ହଁ, ମୁଁ ସେ କଥା ବୁଝିପାରୁଛି । ତୁମକୁ ମୁଁ ହଇରାଣ କରିଥିଲି, ସେଥିପାଇଁ ତୁମେ ମୋ ଉପରେ ଦାଉ ସାଧିବାକୁ ଚାହଁ ।’’

 

‘‘ତୁମେ ମଦ ପିଇ ମାତାଲ ହୋଇଛ; ତୁମେ ମୋ ପାଖରୁ ଚାଲି ନ ଗଲେ ମୁଁ ପୋଲିସକୁ ଡାକିବାକୁ ବାଧ୍ୟ ହେବି ।’’ ଜୋଜଦେବ ହସିଦେଇ ଧୀର ଭାବରେ ପଚାରିଲା, ‘‘ମୋର ଅପରାଧଟା କଅଣ ?’’

 

ସମ୍ପାଦକ କିଛି ଉତ୍ତର ଦେଇ ନ ପାରି କେବଳ ତା’ଆଡ଼କୁ କଟମଟ କରି ଚାହିଁଲେ । ତାଙ୍କୁ ପରିସ୍ଥିତିଟା ବଡ଼ ବଡ଼ୁଆ ଲାଗୁଥିଲା; ମାତ୍ର ସେଥିରୁ ମୁକୁଳିବାର ବାଟ ସେ ପାଇପାରୁ ନ ଥିଲେ । ତାଙ୍କ ମୁହଁରେ ନୈରାଶ୍ୟର ଭାବ ପ୍ରକାଶ ପାଉଥିଲା । ଲୋକେ ଏ ଦୁହଁଙ୍କୁ କୋତୂହଳପୂର୍ଣ୍ଣ ଦୃଷ୍ଟିରେ ଚାହିଁରହିଥିଲେ । ଜୋଜଦେବ ଏ ସବୁ ଲକ୍ଷ୍ୟ କରି କହିଲା, ‘‘ଆସ, ଆମେ ବାଟ ଭାଙ୍ଗିଯିବା ।’’ କୌଣସି ଉତ୍ତର ପାଇଁ ଅପେକ୍ଷା ନ କରି ଜୋଜଦେବ ସମ୍ପାଦକଙ୍କ ହାତ ଧରି ସରୁ ବାଟକୁ ବୁଲିଗଲା ।

 

ସମ୍ପାଦକ କୌଣସି ପ୍ରତିରୋଧ ନ କରି ତାହା ସଙ୍ଗେ ଚାଲିଲେ । ହୁଏତ ତାଙ୍କୁ ଚିନ୍ତା କରିବାକୁ ସମୟ ମିଳି ନ ଥିଲା; କିମ୍ୱା ତା କଥା ଅନୁସାରେ ସେବାଟେ ଗଲେ ସେ ସହଜରେ ତା’ଠାରୁ ମୁକ୍ତ ପାଇପାରିବେ ବୋଲି ଭାବିଥିଲେ । ସେ ବାଡ଼ି ଉପରେ ଭରାଦେଇ ଖୁବ୍‍ ସାବଧାନରେ ଚାଲୁଥାନ୍ତି । ଜୋଜଦେବର ନିଃଶ୍ୱାସ ତାଙ୍କ ଦେହରେ ବାଜୁଥାଏ; ମଦର ଗନ୍ଧ ମଧ୍ୟ ଜଣାପଡ଼ୁଥାଏ ।

 

ଜୋଜଦେବ କହିଲା, ‘‘ଏଇଠି ଗୋଟାଏ ବଡ଼ ଗଛର ଗଣ୍ଡି ପଡ଼ିଛି । ଚାଲ, ତା ଉପରେ ବସିବା । ତୁମେ ମୋ ଉପରେ ରାଗ କରନା । ପାବ୍ଳୋଭିଚ୍‌, ମୁଁ ଯାହା କହିଦେଇଥିଲି, ସବୁ ଭୁଲିଯାଅ । ମୁଁ ତୁମ ପାଖରେ କ୍ଷମା ମାଗୁଛି । ମୁଁ ସେତେବେଳେ ରାଗିଯାଇ ସେପରି କହିଦେଲି ସିନା । ବେଳେ ବେଳେ ରାଗଟା ମୁଣ୍ଡକୁ ଏପରି ଚଢ଼ିଯାଏ ଯେ ଯେତେ ମଦ ପିଇଲେ ବି ଖସେ ନାହିଁ । ସେହିପରି ସମୟରେ ମଣିଷ ଖରାପ କାମ କରିପକାଏ । ସେତେବେଳେ ନିରୀହ ବାଟୋଇକୁ ସେ ଖେଞ୍ଚି ଦେଇପାରେ । ମୋର ଦୁଃଖ ନାହିଁ । ଯାହା ହେବାର ଥିଲା, ହୋଇଯାଇଛି । ତେବେ ମୁଁ ଟିକିଏ ସୀମା ଲଙ୍ଘି ଯାଇଥିଲି । ସେତେ ଦୂର ଯିବା ମୋର ଠିକ୍‍ ହୋଇନାହିଁ ।

 

ବୋଧହୁଏ, ଜୋଜଦେବର ଏହି ସ୍ପଷ୍ଟ ଦୋଷ–ସ୍ୱୀକାରଦ୍ୱାରା ସମ୍ପାଦକଙ୍କ ମନ ତରଳିଗଲା; ହୁଏତ ଜୋଜଦେବର ଚେହେରା ଦେଖି ତାଙ୍କ ମନରେ କୌତୂହଳ ଜନ୍ମିଥିଲା; କିମ୍ୱା ସେ ବୁଝିପାରିଥିଲେ ଯେ ଏ ଲୋକଟା ତାଙ୍କୁ ଛାଡ଼ିବ ନାହିଁ । ଯେ କୌଣସି କାରଣରୁ ହେଉ ସେ ପଚାରିଲେ, ‘‘କେଉଁ ବିଷୟରେ ତୁମେ ମୋ ସଙ୍ଗେ କଥାବାର୍ତ୍ତା ହେବାକୁ ଚାହୁଁଥିଲ ?’’

 

‘‘ଓଃ, ମୋର ବହୁତ ବିଷୟରେ କହିବାକୁ ଅଛି । ମୋ ମନରେ ଗଭୀର ଦୁଃଖ ରହିଛି । ଆସ ବସିବା ।’’

 

‘‘ମୋର ଏତେ ସମୟ ନାହିଁ ।’’

 

‘‘ମୁଁ ଜାଣେ, ସେ ଖବରକାଗଜ ଯୋଗେ ତୁମକୁ ବେଳ ମିଳୁ ନଥିବ । ସେଇ କାଗଜ ତୁମର ଜୀବନରୁ ଅଧେ ନେଇଯିବ; ତୁମର ସ୍ୱାସ୍ଥ୍ୟ ନଷ୍ଟ କରିଦେବ । ମୁଁ ଯେ ଏକଥା ବୁଝିପାରୁନାହିଁ; ସେପରି ଭାବିବ ନାହିଁ । ଆଉ ପ୍ରକାଶକ ? ତାଙ୍କର କଅଣ ଚିନ୍ତା ଅଛି ? ସେ ଖବରକାଗଜ ପାଇଁ ଟଙ୍କା ଦେଇଛନ୍ତି ସିନା, ତୁମେ ଦେହର ରକ୍ତ ଢାଳିଛ । ଏଇଥିରେ ତୁମର ଆଖି ଦୁଇଟା ଏକବାରେ ଖରାପ ହୋଇଗଲାଣି । ଆସ, ଏଇଠି ବସିଯିବା ।’’

 

ବାଟପାଖରେ ଗୋଟାଏ ପ୍ରକାଣ୍ଡ ଗଛର ଗଣ୍ଡିଟା ପଡ଼ିଥିଲା । ତା’ ଉପରକୁ କେତେଗୁଡ଼ାଏ ଗଛର ଡାଳ ନଇଁପଡ଼ିଥିଲା; ତେଣୁ ସ୍ଥାନଟି ବଡ଼ ସୁନ୍ଦର ହୋଇଥିଲା । ଡାଳଗୁଡ଼ିକ ଗୋଟିଏ ଶାଗୁଆ ଚାନ୍ଦୁଆପରି ରହିଥିଲା; ପତ୍ର ଆଢ଼ୁଆଳରୁ ସନ୍ଧ୍ୟା ଆକାଶର ଖଣ୍ଡେ ଖଣ୍ଡେ ଦେଖାଯାଉଥିଲା । ନୂଆ ପତ୍ରର ଗୋଟାଏ ସୁଗନ୍ଧ ପବନରେ ଭାସିଆସୁଥିଲା ।

 

ଜୋଜଦେବ ସେଇ ଗଣ୍ଡିଉପରେ ବସିପଡ଼ିଲା; ସମ୍ପାଦକ କଅଣ କରିବେ ବୋଲି ସ୍ଥିର କରି ନ ପାରି ପାଖରେ ଛିଡ଼ାହୋଇ ରହିଲେ । ତହୁଁ ଜୋଜଦେବ କହିଲା, ‘‘ପାବ୍ଳୋଭିଚ୍‌, ଆଜି ଟିକିଏ ମଦ ପିଇଦେଇଛି । ମୋର ଜୀବନଟା ବଡ଼ ନୀରସ । ସେଥିରେ ପୁଣି ମୋର ସାଥୀ–ଶ୍ରମିକମାନଙ୍କ ସହିତ ମୋର ଜୀବନଟା ବଡ଼ ନୀରସ । ସେଥିରେ ପୁଣି ମୋର ସାଥୀ–ଶ୍ରମିକମାନଙ୍କ ସହିତ ମୋର ସମ୍ୱନ୍ଧ ତୁଟିଯାଇଛି । କାହିଁକି କେଜାଣି, ସେମାନଙ୍କ ସଙ୍ଗେ ମୋର ମତ ମିଳେନାହିଁ । ଆଜି ତୁମକୁ ଦେଖିଲାକ୍ଷଣି ହଠାତ୍‍ ମୋର ଆଗ କଥା ମନେପଡ଼ିଗଲା । ଆମେ ଦୁହେଁ ଖୁବ୍‍ ସାଙ୍ଗ ଥିଲେ ।’’

 

ହଠାତ୍‍ ସମ୍ପାଦକଙ୍କ ଚେହେରା ବଦଳିଗଲା । ଜୋଜଦେବ ଏହି ପରିବର୍ତ୍ତନ ଲକ୍ଷ୍ୟ କରି ନ ହସି ରହିପାରିଲା ନାହିଁ ।

 

‘‘ଖୁବ୍‍ ସାଙ୍ଗ ? କେବେ ?’’

 

‘‘ଓଃ, ବହୁତ ଦିନ ତଳେ, ପାବ୍ଳୋଭିଚ୍‌ ! ମନେଅଛି; ସେତେବେଳେ ଆମେ ମକ୍ରୀ ସାହିରେ ରହୁଥିଲେ । ଆମ ଦୁହିଁଙ୍କ ଘର ମଝିରେ ଆଉ ଜଣକର ଘର ଥିଲା । ମିଖା, ଏବେ ତା’ର ନାଁ ମିଖେଇଲ ଖ୍ରୁଲେଭ–କୋର୍ଟ ଇନ୍‌ସପେକ୍ଟର । ତା’ ଘର ଥିଲା ସାହିର ଆର ଧାଡ଼ିରେ । ତା କଥା ତୁମର ମନେପଡ଼ୁନାହିଁ ? ସେ ଅନେକ ଥର ଆମ ମୁଣ୍ଡବାଳ ଧରି ଟାଣୁଥିଲା । ହଉ, ଆଗ ବସିଯାଅ ।’’

 

ସମ୍ପାଦକ ପାବ୍ଳୋଭିଚ୍‌ ଯାଇ କାଠଗଣ୍ଡି ଉପରେ ଜୋଜଦେବ ପାଖରେ ବସିଗଲେ । ସେ ମୁଣ୍ଡ ଉପରେ ହାତ ଘଷି ଘଷି ବହୁଦିନ ତଳର କଥା ମନେ ପକାଇବାକୁ ଚେଷ୍ଟା କରୁଥିଲେ:

 

ଜୋଜଦେବ ପୁରୁଣା କଥା ସବୁ କହିବାରେ ଲାଗିଲା ।

 

‘‘ସେ ଯେ ଥିଲା ପ୍ରକୃତ ଜୀବନ । ମନୁଷ୍ୟ ଚିରକାଳ ପିଲା ହୋଇ ରହିପାରୁଥାନ୍ତା କି ? ବଡ଼ ହୋଇ ହୋଇ ଦିନେ ମରିଯାଏ, କବରରେ ପୋତାହୁଏ । ଜୀବନକାଳ ଭିତରେ ତାକୁ କେବେ ଦୁଃଖକଷ୍ଟ ଭୋଗିବାକୁ ପଡ଼େ; ପଶୁପରି କଷ୍ଟଭୋଗ । ମଣିଷ ବଞ୍ଚିରହିଥାଏ–ଶେଷରେ ତା’ର କିଛି ମାତ୍ର ରହେ ନାହିଁ । କିନ୍ତୁ ପିଲାଦିନେ ଆମର ଏଭଳି ଦୁଃଖର ଚିନ୍ତା ନଥିଲା । ସେତେବେଳେ ଆମେ ଚିନ୍ତାଶୂନ୍ୟ ହୋଇ ଆକାଶୀର ପକ୍ଷୀ ପରି ଉଡ଼ି ବୁଲୁଥିଲୁ । ଆମେ ଅନ୍ୟ ଲୋକର ଗଛରୁ ଫଳ ଖାଇବା ପାଇଁ କେତେ ବାଡ଼ ଡେଇଁଯାଉଥିଲୁ । ତମର ଗୋଟାଏ ଘଟନା ମନେଅଛି ? ଥରେ ଆମେ ପତ୍ରୋଭନାର ବଗିଚାରୁ ଫଳ ଚୋରି କରୁଥିଲେ । ମୁଁ ତୁମ ନାକ ଉପରକୁ ଗୋଟାଏ କାକୁଡ଼ି ଫିଙ୍ଗିଦେଲି । ତୁମେ ପାଟି କରି କାନ୍ଦିଉଠିଲ । ମୁଁ ଭୟରେ ପଳେଇଗଲି । ତୁମେ ଘରୁ ମାଆଙ୍କୁ ଆଣି ମୋ ବାପଙ୍କ ଆଗରେ କହିଲ । ବାପା ମୋତେ ପିଟି ପିଟି ମୋ ପିଠିରୁ ଚମ ଉତାରି ଦେଲେ । ଆଉ ସେ ମିଖା–ଏକେବାରେ ମିଖେଇଲ ଖ୍ରୁଲେଭ.... ।’’

 

ସମ୍ପାଦକଙ୍କର ଇଚ୍ଛା ନ ଥିଲେ ବି ସେ ହସିଉଠିଲେ । ଆପଣାର ଗାମ୍ଭୀର୍ଯ୍ୟ ରକ୍ଷା କରିବାକୁ ସେ ବହୁତ ଚେଷ୍ଟା କରୁଥିଲେ ସତ; ମାତ୍ର ପିଲାଦିନର ମଧୁର ସ୍ମୃତିର ଏପରି ଗୋଟାଏ ଶକ୍ତି ଅଛି ଯେ ଗାମ୍ଭୀର୍ଯ୍ୟ ରଖି ହୁଏନି । ଆଉ ଗୋଟିଏ କଥା–ବର୍ତ୍ତମାନ ଜୋଜଦେବ ଯାହା କହୁଥିଲା ଓ ଯେପରି କହୁଥିଲା, ସେଥିରେ ଆତ୍ମସମ୍ମାନ ଉପରେ ବାଧା ପଡ଼ିବା ଭଳି କିଛି ନ ଥିଲା-। ଚାରିପାଖରେ ପରିବେଶ ମଧ୍ୟ ବେଶ୍‍ ସୁଖକର ଥିଲା । ଚଲାବାଟ ଉପରେ କେତେଜଣଙ୍କର ପାଦର ଖସ୍‌ଖସ୍‌ ଶବ୍ଦ ଶୁଣାଯାଉଥିଲା । ଧୀର କଥାବାର୍ତ୍ତା ବା ହସର ଶବ୍ଦ ଆସି ସେମାନଙ୍କ କାନରେ ପଡ଼ୁଥିଲା । ଧୀର ପବନ ବହୁଥିଲା । ପତ୍ରର କରୁଣ ମର୍ମର ଧ୍ୱନି ଭିତରେ ଏସବୁ ଶବ୍ଦ କୁଆଡ଼େ ହଜିଯାଉଥିଲା । ବେଳେ ବେଳେ ପତ୍ରର ମର୍ମର ଧ୍ୱନି ବନ୍ଦ ହୋଇଯାଉଥିଲା-। ସେତେବେଳେ ସବୁ ନୀରବ, ନିସ୍ତବଧ୍‌-। ସତେ ଅବା ସମସ୍ତ ପ୍ରକୃତି ମନଦେଇ ଜୋଜଦେବର ବାଲ୍ୟ–ସ୍ମୃତି ଶୁଣୁଥିଲେ !

 

‘‘କଲୋକଲସେଭର ଝଅ ଭର୍କା କଥା ମନେ ପଡ଼ୁଛି ? ସେ ଶାପୋସ୍ନିକଭ୍‌କୁ ବିଭା ହୋଇଛି । ଓଃ, ଏମିତି ଝିଅ ! ତା ପାଖକୁ ଯିବାପାଇଁ ମୋର ଏବେ ଭୟ ହୁଏ । ସେତେବେଳେ ସେ ରୋଗିଣା ଛୋଟ ପିଲାଟିଏ ଥିଲା । ମନେ ଥିବ, ଥରେ ସେ କୁଆଡ଼େ ହଜିଗଲା । ଆମ ସାହିର ପିଲାମାନେ ବୁଲି ପଡ଼ିଆ ଧାନକ୍ଷେତ ନଈକୂଳ ସବୁଆଡ଼ ଖୋଜିଲୁ । ଗୋଟାଏ ଖୁବ୍‍ ଧୂମ୍‌ଧାମ୍‌ ଲାଗିଲା । ଶେଷରେ ତାକୁ ପାଇଲୁ ମିଲିଟାରୀ କ୍ୟାମ୍ପରୁ । ତାକୁ ଘରକୁ ଆଣି ଆସିଲୁ । ତା ବାପା ଆମକୁ ମିଠେଇ ଖଇବାକୁ ଦେଲେ । ଭର୍କା ତା ମଆକୁ କହିଲା–ସେଠା ଅଫିସରଙ୍କ ସ୍ତ୍ରୀ ଭାରି ଭଲ ମଣିଷ । ମୋତେ କେତେ ଆଦର କଲେ; ମୋତେ ଝିଅ କରି ରଖିବେ ବୋଲି କହିଲେ-। ହୁଁ, ସେ ଗୋଟିଏ ଭାରି ଭଲ ଝିଅ ଥିଲା ।’’

 

ନଈଆଡ଼ୁ ଗୋଟାଏ କରୁଣ ଧ୍ୱନି ଆସୁଥିଲା । ନଈ ମଝିରେ ଗୋଟାଏ ଜାହାଜ ପାଣିକୁ ଦୁଇଭାଗ କରି ଯାଉଥିଲା । ଆକାଶରେ ଗୋଲାପୀ ଆଭା ଉକୁଟି ଆସୁଥିଲା । ସନ୍ଧ୍ୟାର ଗୋଧୂଳି ମଧ୍ୟରେ ଜୋଜଦେବ ଓ ପାବ୍ଳୋଭିଚ୍‌ । ଧୀରେ ଅନ୍ଧାର ମାଡ଼ିଆସିଲା; ଚତୁର୍ଦ୍ଦିଗ ନିସ୍ତବ୍ଧ ହୋଇଆସିଲା । ଏହା ସଙ୍ଗେ ଜୋଜଦେବର ସ୍ୱର ମଧ୍ୟ ନରମ ହୋଇଗଲା । ସେ କହିଚାଲିଥାଏ; ପାବ୍ଳୋଭିଚ ଶୁଣୁଥାଆନ୍ତି; କଥାରେ ବାଧା ଦେଇପାରୁ ନ ଥାନ୍ତି । ତାଙ୍କ ମନରେ ପିଲାଦିନର କେତେ ଛବି ନାଚିଉଠୁଥାଏ ।

 

‘‘ପ୍ରକୃତ କଥା ହେଉଛି, ତୁମେ ଆଉ ମୁଁ ଦୁହେଁ ଏକା ବସାର ଦୁଇଟି ଡିମ୍ୱ ଭଳି । ଛୁଆ ହେଲେ, ବଢ଼ିଲେ । ଦେହରେ ପର ଲାଗିଲା । ଡେଣାରେ ବଳ ଆସିବାରୁ ଉଡ଼ିଗଲେ । ତୁମେ ଗଲ ଗୋଟାଏ ଆଡ଼େ, ମୁଁ ଗଲି ଅନ୍ୟ ଆଡ଼େ । ଏବେ ମୋର ପିଲାଦିନର ଖେଳସାଥୀମାନେ ମୋଠାରୁ ଏକବାରେ ଭିନେ, ଏହା ଭାବିଲେ ମନରେ ବଡ଼ ଦୁଃଖ ହୁଏ । ଆମେ ଏପରି ଭିନେ କାହିଁକି ହେଲୁ-? ଏହାର ଏକମାତ୍ର କାରଣ ହେଉଛି, ମୁଁ ବେଶି ପଢ଼ିପାରିଲି ନାହିଁ । ଖାଲି ପାଠ ପଢ଼ିଲେ କଣ ମଣିଷ ହୁଅନ୍ତି ? ଲୋକେ କହନ୍ତି–ମନୁଷ୍ୟର ଆତ୍ମା ସବୁଠାରୁ ଉଚ୍ଚରେ; ଯେଉଁ ଲୋକ ଅନ୍ୟମାନଙ୍କ ଅନ୍ତରରେ ସ୍ଥାନ ପାଇଥାଏ, ସେ ହେଉଛି ପ୍ରକୃତ ମନୁଷ୍ୟ । ତୁମେ ହେଉଛ ମୋର ଜଣେ ସାଙ୍ଗସାଥୀ । କିନ୍ତୁ ତୁମର ମୋ ସଙ୍ଗେ ସମ୍ୱନ୍ଧ କଅଣ ? କିଛି ମାତ୍ର ସମ୍ୱନ୍ଧ ନାହିଁ । ଏ କଥା ସତ ନୁହେଁ ?’’

 

ପାବ୍ଳୋଭିଚ୍‌ ମନେ ମନେ ନିଜ କଥା ଭାବୁଥିଲେ । ଜୋଜଦେବର କଥାରେ ତାଙ୍କର ମନ ନ ଥିଲା । ତା’ର ଶେଷ କଥାଟି ଶୁଣି ସେ ହଠାତ୍‍ କହିପକାଇଲେ, ‘‘ହଁ, ଖୁବ୍‍ ସତ ।’’

 

ଜୋଜଦେବ ହସିଉଠିଲା । ପାବ୍ଳୋଭିଚ୍‌ ନିଜର ଭୁଲ ବୁଝିପାରି କହିଲେ, ‘‘କ୍ଷମା କରିବ; ତୁମେ କଅଣ ସତ ବୋଲି ପଚାରୁଥିଲେ ?’’

 

‘‘ମୁଁ ପଚାରୁଥିଲି–ମୁଁ ତୁମର କେହି ନୁହେଁ; ଏହା କଣ ସତ ? ତୁମ ପକ୍ଷରେ ମୁଁ ଥିଲେ ଯାହା, ନ ଥିଲେ ତାହା । ମୋର ହୃଦୟରେ କଅଣ ହେଉଛି, ସେଥିପ୍ରତି ତୁମର ଲବମାତ୍ର ଚିନ୍ତା ନାହିଁ । ସଂସାରରେ ମୁଁ ଏକୁଟିଆ ରହିଛି । ଯେଉଁମାନେ ମୋତେ ଜାଣନ୍ତି, ସେମାନେ ମୋ ଘେନି ପ୍ରାଣାନ୍ତକ କଷ୍ଟ ପାଉଛନ୍ତି । ମୋର ଗୋଟାଏ ଖରାପ ପ୍ରକୃତି ଅଛି । ନାନାପ୍ରକାରେ ଲୋକଙ୍କୁ ହଇରାଣ କରି ତାମସା ଦେଖେ । ତଥାପି ମୋର ହୃଦୟ ଅଛି, ମୋର ବୁଦ୍ଧି ଅଛି । ମୋର ଏ ଅବସ୍ଥାକୁ ମୁଁ ଘୃଣା କରେ । ମୁଁ ତୁମଠାରୁ କିପରି ଛୋଟ ? ଖାଲି ମୋର ବ୍ୟବସାୟଟା ଛୋଟ ସିନା-।’’

 

ସମ୍ପାଦକ କହିଲେ, ‘‘ହଁ, ବାସ୍ତବରେ ଏ ପ୍ରଭେଦଟା ଦୁଃଖଜନକ । କିନ୍ତୁ ଅବସ୍ଥାଟାକୁ ଅନ୍ୟ ଏକ ଦୃଷ୍ଟିକୋଣରୁ ଦେଖିବାକୁ ହେବ–’’

 

‘‘ପାବ୍ଳୋଭିଚ୍‌, ଦୃଷ୍ଟିକୋଣ ଗୋଟାଏ କଣ ? ମନୁଷ୍ୟ ପରସ୍ପରକୁ କୌଣସି ଦୃଷ୍ଟିକୋଣରୁ ବିଚାର କରିବା ଉଚିତ ନୁହେଁ; ହୃଦୟ ସହିତ ବିଚାରିବାକୁ ହେବ । ଦୃଷ୍ଟିକୋଣ ଗୋଟାଏ କଅଣ ? ଜୀବନକ୍ଷେତ୍ରରେ ଅବିଚାରର କଥା ମୁଁ କହୁଛି । ଯେ କୌଣସି ଦୃଷ୍ଟିକୋଣରୁ ହେଉ ନା କାହିଁକି, ମୋତେ ସମାଜରୁ ପ୍ରତ୍ୟାଖ୍ୟାନ କରିବା ଉଚିତ ବୋଲି ତୁମେ ମନେ କରୁଛ କି-? କିନ୍ତୁ ଜୀବନ ମୋତେ ପ୍ରତ୍ୟାଖ୍ୟାନ କରିଛି । ଜୀବନରେ ମୋର ଟିକିଏ ହେଲେ ସ୍ଥାନ ନାହିଁ-। କାହିଁକି ? କାରଣ ମୁଁ ଅଶିକ୍ଷିତ । କିନ୍ତୁ ଯେବେ ତୁମେ ଶିକ୍ଷିତ ଲୋକେ ବିଭିନ୍ନ ଦୃଷ୍ଟିକୋଣରୁ ଦେଖୁ ନ ଥାନ୍ତ, ତେବେ ତୁମେ ମୋ କଥା ଭାବୁଥାଆନ୍ତ, ମୋତେ ତୁମ ସ୍ତରକୁ ଉଠାଇବା ପାଇଁ ଚେଷ୍ଟା କରୁଥାନ୍ତ; ମୋତେ ଅଜ୍ଞାନ–ଅନ୍ଧକାରରେ ସଢ଼ିବାକୁ ଦେଇ ନ ଥାନ୍ତ । ହୁଏତ, କୌଣସି ଦୃଷ୍ଟିକୋଣରୁ ଏହା ଠିକ୍‍ ହୋଇ ନ ପାରେ ।’’ ଜୋଜଦେବ ବିଜୟ–ଦର୍ପରେ ପାବ୍ଳୋଭିଚଙ୍କୁ ଅନାଇଲା । ତାକୁ ଖୁବ୍‍ ଭଲ ଲାଗୁଥିଲା । ଏତେ ବର୍ଷ ଧରି କଠିନ ପରିଶ୍ରମ, ଅବ୍ୟବସ୍ଥିତ ଜୀବନ ଭିତରେ ସେ ଯେଉଁ ଜୀବନଦର୍ଶନର ପରିଚୟ ପାଇଥିଲା, ତାହା ଗାଇଯାଉଥିଲା । ଜୋଜଦେବର ଆକ୍ରମଣରେ ସମ୍ପାଦକଙ୍କର ବୁଦ୍ଧି ହଜିଯାଉଥିଲା । ଜୋଜଦେବ କି ଧରଣର ଲୋକ ଓ ତାକୁ କିପରି ଉତ୍ତର ଦେବାକୁ ହେବ ସେ ଠିକ୍‍ କରିପାରିଲେ ନାହିଁ । ଜୋଜଦେବ ନିଜ କଥାରେ ସନ୍ତୁଷ୍ଟ ହୋଇ କହିଚାଲିଲା–

 

‘‘ତୁମେ ଖୁବ୍‍ ବୁଦ୍ଧିମାନ୍‌ । ତୁମେ ମୋ ପ୍ରଶ୍ନର ହଜାର ଉତ୍ତର ଦେଇପାରିବ । କିନ୍ତୁ ମୁଁ କହୁଛି, ମୋତେ ତୁମ ସ୍ତରକୁ ଉଠାଇବା ତୁମର କର୍ତ୍ତବ୍ୟ । ତୁମେ ପଚାରିପାର, କାହିଁକି ? କାରଣ, ଆମେ ଦୁହେଁ, ଏକା ସାହିରେ ଜନ୍ମ, ଏକାଠି ବଢ଼ିଥିଲେ । ଆମେ ଥିଲେ ଏକ ଶ୍ରେଣୀର । ତୁମେ ବଡ଼ଲୋକ ପରିବାରରେ ଜନ୍ମ ହୋଇ ନ ଥିଲ କି ହାକିମ ଘରେ ଜନ୍ମ ହୋଇ ନଥିଲ । ଯେଉଁମାନେ ସମ୍ଭ୍ରାନ୍ତ ପରିବାରରେ ଜନ୍ମ, ସେମାନେ ଆମକୁ ଦେଖିଲେ କହନ୍ତି ଦୂର୍‌ହ, ନରକକୁ ଯା । ଆମେ ନରକକୁ ଯାଉଛୁ । ସେମାନେ ଆମକୁ ଏପରି କହିବାର ଏକମାତ୍ର କାରଣ ହେଲା, ସେମାନଙ୍କ ଜନ୍ମ ସମ୍ଭ୍ରାନ୍ତକୁଳରେ । ତୁମେ ଆମରି ଶ୍ରେଣୀରେ ଥିଲ; ହାଇସ୍କୁଲରେ କିଛି ପାଠ ପଢ଼ି ତୁମେ ଏବେ ସମ୍ଭ୍ରାନ୍ତ ହେବାକୁ ଯାଉଛ । କିନ୍ତୁ ଯେତେ ହେଲେ ଆମେ ଦୁହେଁ ଏକା ସ୍ତରର । ତମ ଉପରେ ମୋର ଦାବୀ ଅଛି । ଜୀବନରେ ମୋର ସ୍ଥାନ କେଉଁଠି, ମୋତେ ଦେଖାଇଦିଅ । ଖର୍ଲେଭ ଯେପରି ସହରରେ ବଢ଼ିଛି, ମୁଁ ମଧ୍ୟ ସେହିପରି ସହରରେ ବଢ଼ିଛି; ତୁମେ ବି ଜଣେ ଧର୍ମଯାଜକର ପୁଅ ।’’

 

ପାବ୍ଳୋଭିଚ କହିଲେ, ‘‘ଟିକିଏ ରହ ଜୋଜଦେବ, ତୁମର ଯେ ଦାବୀ ଅଛି ମୁଁ ତା ଅସ୍ୱୀକାର କରୁନାହିଁ......’’

 

ଜୋଜଦେବର ମତକୁ ସେ ସ୍ୱୀକାର କରୁଛନ୍ତି କି ଅସ୍ୱୀକାର କରୁଛନ୍ତି, ସେଥିପ୍ରତି ତା’ର ଚିନ୍ତା ନ ଥିଲା । ସେ ଚାହିଁଥିଲା, ତା’ର ମନର ଭାବ କହିଯିବ । ଯାହା ଆଜିଯାଏ ତା ମନକୁ ଅସ୍ଥିର କରିଆସିଥିଲା, ସେସବୁ ସେ ଏଇ ମୁହୂର୍ତ୍ତରେ କହିବାକୁ ଚାହେଁ । ସେ କହିବାକୁ ଲାଗିଲା–

 

‘‘ନା, ନା, ତୁମେ ଅପେକ୍ଷା କର; ମୋ କଥା ଶୁଣ । ତୁମେ କଅଣ ଭାବୁଛ, ଯେଉଁ ଖେଳସାଥୀଙ୍କ ନାକରେ ମୁଁ ବିଧା ବସାଉଥିଲି, ଆଜି ସେଇମାନଙ୍କ ପାଇଁ କାମ କରିବା ମୋ ପକ୍ଷରେ ସହଜ ହେବ ? ଗଲାବର୍ଷ କୋର୍ଟ ଇନସ୍ପେକ୍‌ଟର ଖ୍ରୁଲେଭଙ୍କ ଘରେ ଗାଧୁଆ ଘରଟା ଠିକ୍‍ କରିଦେଲି । ସେଥିପାଇଁ ସେ ମୋତେ ଯେଉଁ ଅଧ ରୁବେଲ ଦେଲେ ଡାକୁ ଗ୍ରହଣ କରିବା ମୋ ପକ୍ଷରେ କଅଣ ସହଜ ହେଇଥିବ ? ସେ ମୋରି ଭଳି ଗରିବ ଘରେ ଜନ୍ମ ହୋଇଥିଲା । ଆମେ ତାକୁ ମିଖା ବୋଲି ଡାକୁଥିଲୁ । ପିଲାଦିନେ ତା’ର ଦାନ୍ତଗୁଡ଼ାକ ଯେମିତି ମଇଳା ଥିଲା, ଏବେ ମଧ୍ୟ ସେମିତି ମଇଳା ।’’

 

ସମ୍ପାଦକ ଚିନ୍ତିତଭାବରେ ତାକୁ କଣେଇ କଣେଇ ଚାହୁଁଥାନ୍ତି ଏବଂ ତାକୁ କଅଣ କହିବେ ବୋଲି ମନେ ମନେ ଚିନ୍ତା କରୁଥାନ୍ତି । ତାଙ୍କର ଇଚ୍ଛା, ଯାହା କହିବେ, ତାହା ସତ୍ୟ, ପେଟଭିତରର କଥା ହେବା ଉଚିତ । କିନ୍ତୁ ସେପରି କିଛି ତାଙ୍କ ମୁଣ୍ଡକୁ ଆସୁ ନ ଥିଲା । ଅନେକ ଦିନ ହେଲା ନାନା ସମସ୍ୟା ବିଷୟରେ ଆଦର୍ଶମୂଳକ ବିସ୍ତୃତ ଆଲୋଚନା କରି କରି ସମ୍ପାଦକ ବିରକ୍ତ ହୋଇଯାଇଥିଲେ । ଆଜି ତାଙ୍କର ବିଶ୍ରାମ ଦରକାର । ସେଥିପାଇଁ ସେ ଜାଣିଶୁଣି ଚିହ୍ନା ଲୋକଙ୍କ ପାଖକୁ ଯାଉ ନ ଥିଲେ । କିନ୍ତୁ ଏ ଗୋଟାଏ ଲୋକ ଆସି ତାଙ୍କ ଆଗରେ ବକ୍ତୃତା ଝାଡ଼ୁଛି-। ଅବଶ୍ୟ ତା କଥାରେ କିଛି ସତ ଅଛି । ଲୋକେ ଯାହା କହନ୍ତି, ପ୍ରତ୍ୟେକ କଥାରେ କିଛି ସତ ରହିବା ସ୍ୱାଭାବିକ । ଏ ଲୋକଟାର ବକ୍ତୃତା ଟିକିଏ ଅଦ୍ଭୁତ, କୌଣସି ଖବରକାଗଜରେ ଅଣରାଜନୈତିକ ଆଲୋଚନାରେ ପ୍ରକାଶ କରିବାର ଯୋଗ୍ୟ....

 

ସମ୍ପାଦକ କହିବାକୁ ଆରମ୍ଭ କଲେ, ‘‘ଜୋଜଦେବ, ତୁମେ ଜାଣିପାରୁଥିବ, ଯାହା ସବୁ ତୁମେ କହିଲ, ସେଥିରେ କିଛି ନୂଆ ନାହିଁ । ମନୁଷ୍ୟ ସମାଜରେ ଅନ୍ୟାୟ ବିଷୟରେ ବହୁକାଳ ହେଲା ଆଲୋଚନା ଚାଲିଆସିଛି । କିନ୍ତୁ ତୁମ ଭଳି ଜଣେ ଲୋକଠାରୁ ସେଇ ଆଲୋଚନା ଶୁଣିଲେ ନୂଆ ଲାଗୁଛି । ତୁମେ ଯେପରି ତୁମର ମନୋଭାବ ପ୍ରକାଶ କରୁଛ, ସେଥିରେ ଟିକିଏ ଦୋଷ ରହୁଛି, ତୁମର ବିଚାରଧାରା କେବଳ ଗୋଟିଏ ଦିଗରୁ ହେଉଛି । କିନ୍ତୁ.... ।’’

 

ଜୋଜଦେବ ମୁଖ ବିକୃତ କରି କହିଲା, ‘‘ତୁମେ ତ ପୁଣି ସେଇ ଦୃଷ୍ଟିକୋଣ କଥା କହିବ-। ତୁମେମାନେ ହେଲ ଭଦ୍ରଲୋକ । ଭଗବାନ୍‌ ତୁମ ମୁଣ୍ଡରେ ବୁଦ୍ଧି ଦେଇଛନ୍ତି; କିନ୍ତୁ ହୃଦୟ ଦେଇନାହାନ୍ତି । ମୋ ହୃଦୟ ଉପରେ ଯେଉଁ ବୋଝ ଚାପିହୋଇ ରହିଛି, ତାକୁ ଉଠାଇ ନେବାର କୌଣସି ଉପାୟ କୁହ ଭଲା !’’

 

ସେ ମୁହଁ ତଳକୁ କରି ଉତ୍ତର ଆଶାରେ ଅପେକ୍ଷା କଲା ।

 

ସମ୍ପାଦକ ତା ଆଡ଼କୁ ଅନାଇ ମୁଖ ବିକୃତ କଲେ । ସେ ସେଠାରୁ ଚାଲିଯିବାକୁ ଅସ୍ଥିର ହେଉଥାନ୍ତି । ଜୋଜଦେବକୁ ନିଶା ଧରିଥିବାର ଜଣାପଡ଼ିଯାଉଥିଲା । ସମ୍ପାଦକ ତା’ର ମୁହଁର ବସନ୍ତ ଦାଗ, ତା’ର ନିଖୁରା ବାଳ, ତା ମୁଣ୍ଡର ଧଳା ଟୋପି–ଏ ସବୁକୁ ଚାହିଁ ଚାହିଁ ଭାବିଲେ, ‘‘ଲୋକଟା ଖୁବ୍‍ ବଳିଷ୍ଠ; ଶ୍ରମିକ ସମାଜର ଜଣେ ପ୍ରତିନିଧି ସ୍ଥାନୀୟ ଲୋକ ହେବାର ଯୋଗ୍ୟ; ଯଦି..... ।’’

 

‘‘କିଛି କହୁନାହାନ୍ତି ଯେ ।’’

 

ମୁଁ ତୁମକୁ କଅଣ କହିବି ? ପ୍ରକୃତରେ କହିବାକୁ ଗଲେ ତୁମେ ଯେ କଅଣ ଚାହୁଁଛ, ମୁଁ ଠିକ୍‍ କରି ବୁଝିପାରୁ ନାହିଁ ।’’

 

ଜୋଜଦେବ ହସି ହସି କହିଲା, ‘‘ସେଇ କଥା ମୁଁ କହୁଛି । ତୁମର ମୋତେ କହିବାପାଇଁ କିଛି ନାହିଁ ।’’

 

ସମ୍ପାଦକ ଭାବିଲେ, କଥାବାର୍ତ୍ତା ଏତିକିରେ ସରିଗଲା । ସେ ଟିକିଏ ଆଶ୍ୱସ୍ତ ହେଲେ ଯେ ଜୋଜଦେବ ଆଉ ତାଙ୍କୁ ବ୍ୟତିବ୍ୟସ୍ତ କରିବ ନାହିଁ । ହଠାତ୍‍ ତାଙ୍କ ମନରେ ଗୋଟାଏ ଭୀଷଣ ଚିନ୍ତା ପ୍ରବେଶ କଲା–ଲୋକଟା ଯେପରି ରାଗିଛି; ଯଦି ସେ ମୋତେ ମାଡ଼ ଦିଏ.....

 

ସେ ଦିନ ସମ୍ୱାଦପତ୍ରର ଅଫିସ ଘରେ ଜୋଜଦେବର ଯେଉଁ ଭୀଷଣ ଚେହେରା, ସେ କଥା ତାଙ୍କ ମନେ ପଡ଼ିଗଲା । ସେ ତା ଆଡ଼କୁ କଣେଇ ଚାହିଁଲେ ।

 

ଅନ୍ଧାର ହୋଇଯାଇଥିଲା । ଚାରିଆଡ଼େ ନିସ୍ତବଧ୍‌, କେବଳ ବେଳେ ବେଳେ ନଈଆଡ଼ୁ ଗୋଟାଏ ଗୀତର ଲହରୀ ଭାସିଆସି ନିସ୍ତବ୍ଧତା ଭଙ୍ଗ କରୁଥିଲା । ଝିଲ୍ଲୀର ଝିଁ ଝିଁ ସ୍ୱର ବାୟୁମଣ୍ଡଳରେ ଖେଳୁଥିଲା । ଗଛପତ୍ର ଅନ୍ତରାଳରେ ଆକାଶର କେତେଟା ତାରା ମିଟିମିଟି କରି ଚାହୁଁଥିଲେ । କେତେବେଳେ କେତେବେଳେ ମୁଣ୍ଡ ଉପରର ଡାଳ ପବନରେ ହଲି ପତ୍ର ମଧ୍ୟରେ ମର୍ମର ଶବ୍ଦ ସୃଷ୍ଟି କରୁଥିଲା ।

 

ସମ୍ପାଦକ ସାବଧାନରେ କହିଲେ, ‘‘ଥଣ୍ଡା ପଡ଼ିଆସିଲାଣି ।’’

 

ଜୋଜଦେବ ଚମକି ପଡ଼ି ସମ୍ପାଦକଙ୍କ ଆଡ଼କୁ ଚାହିଁ ପଚାରିଲା, ‘‘କଅଣ କହୁଥିଲ ?’’

 

‘‘ମୁଁ କହୁଥିଲି ଯେ ଥଣ୍ଡା ପଡ଼ିଲାଣି; ଥଣ୍ଡାରେ ବାହାରେ ରହିଲେ ଦେହ ଖରାପ ହେବ-।’’

 

‘‘ଓଃ !’’

 

ନଈଆଡ଼ୁ ଜଣେ କିଏ ଚିତ୍କାର କଲା, ‘‘ହେ, ହେ, ଡଙ୍ଗା ଉପରେ କିଏ ରେ ?’’

 

‘‘ମୁଁ ଦେଖୁଛି, ଚାଲିଯିବାକୁ ହେବ । ଥାଅ, ବିଦାୟ ।’’

 

‘‘ଆସ, ଗିଲାସେ ଲେଖାଏଁ ମଦ ପିଇବା । ମୋ ସଙ୍ଗେ ତୁମେ ଗିଲାସେ ପିଇଲେ ମୁଁ ନିଜକୁ ଗୌରବାନ୍ୱିତ ମନେ କରିବି ।’’

 

‘‘ମୁଁ ତୁମ ସହିତ ଯୋଗ ଦେଇ ନ ପାରି ଦୁଃଖିତ । କିନ୍ତୁ ଦେଖ, ବହୁତ ବେଳ ହୋଇଗଲାଣି । ମୋତେ ଶୀଘ୍ର ଯିବାକୁ ହେବ ।’’

 

ଜୋଜଦେବ ଉଠିପଡ଼ି ବିଷଣ୍ଣ ଭାବରେ ସମ୍ପାଦକଙ୍କ ଆଡ଼କୁ ଚାହିଁଲା । ସମ୍ପାଦକ ମଧ୍ୟ ଠିଆହୋଇ କରମର୍ଦ୍ଦନ କରିବାକୁ ହାତ ବଢ଼ାଇଦେଲେ ।

 

ଜୋଜଦେବ ମୁଣ୍ଡର ଟୋପିଟାକୁ ଠିକ୍‍ କରିନେଇ କହିଲା, ‘‘ତାହା ହେଲେ ତୁମେ ମୋ ସାଥିରେ ମଦ ପିଇବାକୁ ଇଚ୍ଛା କହୁନାହିଁ ? ଓଃ, ଯେଉଁ ବଡ଼ଲୋକ ! ଯାଃ, ଯାଃ ! ଏମିତି କେତେ ବଡ଼ଲୋକ ଦେଖିଛି; ରୁବେଲକୁ ଏମିତି ପଣେ ଭଦ୍ରଲୋକ ମିଳିବେ । ଯାଃ, ଯାଃ । ହଉ, ମୁଁ ଯାଉଛି, ଏକୁଟିଆ ପିଇବି ।’’

 

ସମ୍ପାଦକ ବୁଲିପଡ଼ି ଚଲାରାସ୍ତାକୁ ଆସିଲେ । ଜୋଜଦେବ ଲମ୍ୱ ପାହୁଣ୍ଡ ପକାଇ ଅନ୍ୟ ବାଟରେ ଚାଲିଲା ।

 

ନଈଆଡ଼ୁ ଶୁଣାଯାଉଥିଲା, ‘‘ହେ, ହେ, ଡଙ୍ଗା ଉପରେ କିଏ ଅଛି ? ହେ, ହେ, ଡଙ୍ଗାଏ ଏ କୂଳକୁ ଆଣ ।’’

 

ନଈପାଖ ଗଛ ଭିତରୁ କ୍ଷୀଣ ପ୍ରତିଧ୍ୱନି ଶୁଣାଗଲା–

 

‘‘ଆ....ଆ....ଣ ।’’

Image

 

ଭାଙ୍କା ମାଜିନ୍‌

 

ଭାଙ୍କା ମାଜିନ୍‌ର ମୁଣ୍ଡଟା ଲମ୍ୱା, ଦୁଇପାଖ ଚେପ୍‌ଟା । କାନଯୋଡ଼ାକ ବଡ଼ ବଡ଼, ଉପର ଅଂଶଟା ଓହଳିପଡ଼ିଥାଏ । ମୁହଁ ସବୁବେଳେ ବିଷଣ୍ଣ । ରଙ୍ଗ ପାଣ୍ଡୁର । ଓଠ ଗୋଜିଆ । ହାଡ଼ୁଆ ଗାଲ ଉପରେ ନାଲିରଙ୍ଗର ଦାଢ଼ି ବଢ଼ିଥାଏ । ଆଖିଯୋଡ଼ାକ ଜ୍ୟୋତିହୀନ; ଦୁଇଟା ଗାତ ଭିତରୁ ବାହାରିଥିଲା ପରି ବୋଧହୁଏ । ନାକଟା ଲମ୍ୱ; ତଳ ଓଠ ଝୁଲିପଡ଼ିଥାଏ । ପାଟି ସବୁବେଳେ ଅଧା ମେଲା । ଗଳାର ଶିରାଗୁଡ଼ାକ ଛନ୍ଦି ହୋଇ ଚମତଳୁ ବାହାରକୁ ଜଣାପଡ଼େ । କାନ୍ଧ ଓହଳିଲା ପରି । ଛାତି ଗହୀରିଆ ପେଟ ଛୋଟ ହାଣ୍ଡିଟିଏ ଭଳି; ବାଁ ହାତଟା ଡାହାଣ ହାତଠାରୁ ଯେ ଛୋଟ, ତାହା ସ୍ପଷ୍ଟ ବାରିହୋଇଯାଏ । ଗୋଡ଼ ଦୁଇଟି ଗୋଟିଏ ଗୋଟିଏ ଅର୍ଦ୍ଧବୃତ୍ତ ପରି; ଚାଳିଲା ବେଳକୁ ଦୁଇ ଗୋଡ଼ ମିଶି ଗୋଟିଏ ପୂରା ବୃତ୍ତ ସୃଷ୍ଟି କରନ୍ତି । ତା’ର ମୁଣ୍ଡ ଉପରେ ଥିବା ମଇଳା ଟୋପିର ଅଗ୍ରଭାଗଟି ଭାଙ୍ଗିପଡ଼ିଥାଏ; ମଧ୍ୟଭାଗରେ ଗୋଟିଏ ବଡ଼ କଳା ଦାଗ । ଟୋପିଟି ମୁଣ୍ଡର ଆକାର ତୁଳନାରେ ବଡ଼ ହୋଇଥିବାରୁ ତା’ର ଆଗ ପାଖଟା ଆଖି ପାଖକୁ ଖସିପଡ଼ୁଥାଏ । ବାଳଗୁଡ଼ାକ ମଇଳା ଲାଗି ଲାଗି ଜଟ ବାନ୍ଧିଯାଇଥାଏ । ଦେହର କୁରୁତା ଉପରେ ଅସଂଖ୍ୟ ତାଳି । ସରୁ ସରୁ ଗୋଡ଼କୁ ଚାହିଁ ପାଇଜାମା ଅତି ବଡ଼ । ଏଇ ହେଲା ଭାଙ୍କା ମାଜିନ୍‌ର ଗୋଟିଏ ଛବି । ବ୍ୟାଟକା ଗ୍ରାମର ଏହି ବଢ଼େଇଟିକୁ ବିଧାତାପୁରୁଷ ଗଢ଼ିଲାବେଳେ ସତେ ଅବା ବିକୃତ ରୂପର ଗୋଟିଏ ଆଦର୍ଶ ତିଆରି କରିଥିଲେ; କିମ୍ୱା ଅନ୍ୟମାନଙ୍କୁ ଆମୋଦ ଦେବାପାଇଁ ତାକୁ ସୃଷ୍ଟି କରିଥିଲେ ।

 

ଯାହା ହେଉ, ଅନ୍ୟମାନଙ୍କୁ ଆମୋଦ ଦେବା ଉଦ୍ଦେଶ୍ୟଟି ଯେ ତାହାଦ୍ୱାରା ପୂରାମାତ୍ରାରେ ସାଧିତ ହେଉଥିଲା, ଏଥିରେ ଆଦୌ ସନ୍ଦେହ ନାହିଁ । ତା’ର ସଙ୍ଗୀ କାରିଗରମାନେ ତାକୁ ଦେଖିଲାମାତ୍ରେ ଆନନ୍ଦରେ କହିଉଠୁଥିଲେ–ଏଇ, ଅସୁର–ଗାଡ଼ି ଆସୁଛି ।

 

ଅସୁରଗାଡ଼ି କିପରି, ମୁଁ କେବେ ଦେଖିନାହିଁ; କିନ୍ତୁ ମାଜିନ୍‌କୁ ଦେଖିଛି । ତାକୁ ଦେଖିଲେ ମୋର ମନେହୁଏ ଯେ ତା ଦେହରେ ଆଦୌ କୋମଳ ଅସ୍ଥି ନାହିଁ; ସେହି ହେତୁରୁ ତା’ର ଚାଲି ଅଦ୍ଭୁତ । ପାଦ ପକାଇବା ପୂର୍ବରୁ ସେ ଗୋଡ଼ଟାକୁ ଆଗ କେତେବେଳଯାଏ ଏପାଖ ସେପାଖ ହଲାଉଥିଲା; ମନେହେବ, ପାଦ ପକାଇବ ବୋଲି ସମାନ ଜାଗା ଖୋଜୁଛି । ଏଣେ ହାତ ଦୁଇଟା ଦୁଇପାଖେ ବଙ୍କେଇ ହୋଇ ଓହଳିଥାଏ । ଗଣ୍ଡିଟା ମଧ୍ୟ ଅଣ୍ଟାପାଖରୁ ଆଗକୁ ବଙ୍କେଇ ହୋଇଥାଏ-। ଟୋପିଟା ଆଖି ଉପରୁ ଉଠିଯାଉଥାଏ, ପୁଣି ପଡ଼ିଯାଉଥାଏ । ତା’ର ଚାଲି ସାଥିରେ ଟୋପି ତାଳଦେଲା ପରି ମନେ ହେଉଥାଏ । ନାକପୁଡ଼ା ଦୁଇଟା କିଛି ଶୁଙ୍ଘିବା ପରି ଉଠୁଥାଏ, ପଡ଼ୁଥାଏ-। ହତିଆର ବାକ୍‌ସଟା ତା ପିଠିରେ ପଡ଼ିଥାଏ ଓ ତା’ର ଫିତା କାନ୍ଧ ଉପରୁ କାଖ ତଳବାଟେ ଆସି ବାକ୍‌ସ ସହିତ ଲାଗିଥାଏ । ଏସବୁ ସତ୍ତ୍ୱେ ତା’ର ଆଖିଯୋଡ଼ିକ ଦୂରର କୌଣସି ପଦାର୍ଥକୁ ଏକଲୟରେ ଚାହିଁଥାଏ; ତା’ର ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ସହିତ ଆଖିଯୋଡ଼ାକର କିଛି ସମ୍ୱନ୍ଧ ଥିଲା ପରି ମନେହେବ ନାହିଁ ।

 

ସବୁବେଳେ ଗୁଣୁ ଗୁଣୁ ହୋଇ ଗୀତ ଗାଇବା ତା’ର ପ୍ରକୃତି । ସେ ଗୀତର କୌଣସି ଶବ୍ଦ ବାରି ହୁଏନି । ତା’ର ମୂଳ ନ ଥାଏ କି ଶେଷ ନ ଥାଏ ।

 

ତାକୁ ଅନେକେ ଡାକୁଥିଲେ ‘ଅପ୍ରସ୍ତୁତ’; ଆଉ କେତେକେ ଡାକୁଥିଲେ ‘ମଶା’ । ଅନ୍ୟମାନଙ୍କର ଯାହା ମନକୁ ଯେପରି ଆସୁଥିଲା ସେପରି ଡାକୁଥିଲେ । ତାକୁ ଯେଉଁ ନାଁରେ ଡାକନ୍ତୁ ନା କାହିଁକି, ସେଇଟି ତା’ର ଉପଯୁକ୍ତ ବୋଲି ବୋଧ ହେଉଥିଲା । ଏପରି ନାଁରେ ଡାକିଲେ ସେ ଆଦୌ ଅପମାନ ବୋଧ କରୁ ନ ଥିଲା । ଯେକୌଣସି ନାଁରେ ଡାକିଲାମାନେ ତା’ଠାରୁ ଉତ୍ତର ମିଳୁଥିଲା, ‘‘ମୋତେ କାହିଁକି ଡାକୁଥିଲେ ?’’ ସ୍ୱରଟା ଗଣଗଣିଆ ।

 

କାଗଜପତ୍ର ଅନୁସାରେ ତା’ର ବୟସ ୪୭ ବର୍ଷ; କିନ୍ତୁ ତା’ର ବୟସ ପ୍ରତି କେହି ସମ୍ମାନ ଦେଉ ନ ଥିଲେ । ଏପରି କି ଛୋଟ ପିଲାମାନେ ତାକୁ ଡାକୁଥିଲେ, ‘ହେ ଭାଙ୍କା !’ ତା’ର ସଂଜ୍ଞାଟା କେହି ଉଚ୍ଚାରଣ କରିବାର ପ୍ରାୟ ଶୁଣାଯାଉ ନ ଥିଲା । ସେଥିପାଇଁ ତା’ର ଆଦୌ ଦୁଃଖ ନ ଥିଲା । ତା’ର ସଙ୍ଗୀମାନେ ତାକୁ କି ଦୃଷ୍ଟିରେ ଦେଖୁଥିଲେ ବା ତା’ ବିଷୟରେ କଅଣ କହୁଥିଲେ, ସେ କଥା ସେ ମୋଟେ ଭାବୁ ନ ଥିଲା । ନିର୍ଜନ ଜୀବନ ତା’ର ପ୍ରିୟ ଥିଲା; ଏପରି କି ଲୋକଗହଳି ଭିତରେ ସେ ନିଜକୁ ଅଲଗା ରଖିପାରୁଥିଲା । ରବିବାର ଓ ଅନ୍ୟ ଛୁଟିଦିନମାନଙ୍କରେ ତା ସାଥୀମାନେ ହୋଟେଲକୁ ଯାଉଥିଲେ । ଭାଙ୍କାକୁ ଡାକିଲେ, ସେ ସେମାନଙ୍କ ସଙ୍ଗେ ଯାଉଥିଲା ସତ; କିନ୍ତୁ ହୋଟେଲରେ ସେ ଉଦାସୀନ ଭାବରେ ମୁହଁ ଶୁଖାଇ ବସି ଚାହା ଖାଉଥିଲା କିମ୍ୱା ମଦ ପିଉଥିଲା । ତଥାପି ସେ ଏକ ଅସାମାଜିକ ପ୍ରାଣୀ ବୋଲି କହିଲେ ଠିକ୍‍ ହେବ ନାହିଁ ।

 

କୌଣସି କଠିନ ସମସ୍ୟା ବିଷୟରେ ସେ ଚିନ୍ତା କରୁଥିଲା ପରି ତା’ର ଆଚରଣରୁ ମନେହୁଏ କିମ୍ୱା ତା’ର ମସ୍ତିଷ୍କବିକୃତି ଥିଲା ବୋଲି କୁହାଯାଇପାରେ । ସେ ଯେଉଁ କାରିଗର ଦଳରେ କାମ କରୁଥିଲା, ତା’ର ସରଦାର ଥିଲା ଗ୍ରାଣ୍ଡଦା ଅସିପ୍‌ । ଭାଙ୍କା ଯେଉଁ ଦିନ ପ୍ରଥମେ ଆସି ଦଳରେ ମିଶିଲା, ସେ ତା’ର ଚାହିଁବା ଢଙ୍ଗ ଦେଖି ଅସିପ୍‌ କହିଥିଲା, ‘‘ଏ ଯେଉଁ ଲୋକଟା ବ୍ୟାଟକାରୁ ଆସିଛି; ତା’ର ଆଖି ଅଦ୍ଭୁତ । ସେ କାନ୍ଥ ଆରପାଖ ଜିନିଷ ମଧ୍ୟ ଦେଖିପାରୁଥିବ । ଲୋକଟାଠାରେ କିଛି ଦୋଷ ଅଛି । ତା ଆଖିରେ ଆଦୌ ତେଜ ନାହିଁ । ହୁଏତ ସେ ଜୀବନକୁ ପିତା ମନେ କରିଛି କିମ୍ୱା କୌଣସି ପାପକାର୍ଯ୍ୟ ପାଇଁ ତା’ର ବିବେକ ତାକୁ ଦଂଶନ କରୁଛି; ଅର୍ଥାତ୍‌ ତବିବେକ ଦୋଷଯୁକ୍ତ, କଳଙ୍କିତ । ବିବେକ ଦୋଷଦୁଷ୍ଟ ହେଲେ ଆଖି ଏହିପରି ନିଷ୍ପ୍ରଭ ହୋଇଯାଏ; କଳୁଷିତ ଆତ୍ମା ଆଖିରେ ପ୍ରତିଫଳିତ ହୁଏ । ଯାହାର ଆଖି ସବୁବେଳେ ବୁଲୁଥାଏ, ସେ ମଧ୍ୟ ଖରାପ ଲୋକ । ତା’ର ଆଖିର ଅସ୍ଥିରତାରୁ ବୁଝିବାକୁ ହେବ ଯେ ତା’ର ଆତ୍ମା ଅସ୍ଥିର; ତା’ର ମନରେ କିମ୍ୱା ବିବେକରେ ନିଶ୍ଚୟ କିଛି ଦୋଷ ଅଛି । ଯାହାର ମନ ପବିତ୍ର, ସାଦାସିଧା, କୁଟିଳ ନୁହେଁ, ସେ ସବୁ ନିଜିଷକୁ ସିଧା ଆଖିରେ ଚାହିଁବ; ତା ଆଖିରେ ତେଜ ଥିବ । ମୁଁ କହୁଛି, ଏ ବ୍ୟାଟକାର ଲୋକଟା ଉପରେ ଭଲ କରି ନିଜର ରଖିଥିବ । ଆମେ ତାକୁ ଭଲକରି ଚିହ୍ନି ନ ଥାଏଁ-।’’

 

କାରିଗର ଦଳର ସମସ୍ତେ ଭାଙ୍କା ଉପରେ ନଜର ରଖି ଚଳିଲେ । ପ୍ରଥମେ ସେମାନେ ଦେଖିଲେ ଯେ ଭାଙ୍କା ଭଲ କାମ କରିପାରୁନାହିଁ । ସେ ଯେ କାମ ଜାଣି ନ ଥିଲା, ତା ନୁହେଁ; ପ୍ରକୃତ କଥା ହେଲା, ବାରିଶି, ନିହଣ, କରତ ପ୍ରଭୃତି ହତିଆର ତା’ର ବିକଅତ ହାତକୁ ମାନି କାମ କରୁ ନ ଥିଲେ । ବେଳେ ବେଳେ ଭାଙ୍କା କାମ କରୁ କରୁ ହଠାତ୍‍ କାମ ବନ୍ଦ କରିଦେଇ ଚୁପ୍‍ କରି ହତିଆରକୁ ଚାହିଁ ରହୁଥିଲା । ସେତେବେଳେ ଯେ ସେ କ’ଣ ଗୋଟାଏ ଅନ୍ୟ ବିଷୟ ଚିନ୍ତା କରୁଥିଲା, ଏଥିରେ ସନ୍ଦେହ ନାହିଁ । ସେତେବେଳେ ଦଳର ସରଦାର ଡାକୁଥିଲା ‘‘ହେ ହେ, ଶୋଇପଡ଼ିଲୁ କି ?’’

 

ମାଜିନ୍‌ କିଛି ମାତ୍ର ଉତ୍ତର ନ ଦେଇ ପୁଣି କାମରେ ଲାଗିଯାଉଥିଲା ।

 

ଅନ୍ୟମାନେ ହସି ହସି ତାକୁ ଥଟତଟା କରୁଥିଲେ, ‘‘ସେ ଚଞ୍ଚଳ କାମ କରିବା ଲୋକ ନୁହେଁ ।’’

 

ଭାଙ୍କା ତା’ର ସାଥୀମାନଙ୍କ ଆଡ଼କୁ ଚାହିଁ ଗମ୍ଭୀରଭାବରେ ଉତ୍ତର ଦେଉଥିଲା, ‘‘ଚଞ୍ଚଳ ହେବାର ଦରକାର କ’ଣ ?’’ ସେମାନେ ତାକୁ ଯେତେ ପରିହାସ କରନ୍ତୁ; ଯେତେ ବ୍ୟଙ୍ଗ–ବିଦ୍ରୂପ କରନ୍ତୁ, ସେଥିପ୍ରତି ସେ ଅନାସକ୍ତ ରହୁଥିଲା ।

 

ଏହି କାରିଗର ଦଳରେ ଯେତ ଥିଲେ ସମସ୍ତେ ନିଜନିନଭଗରଡ଼ର ଲୋକ; କେବଳ ଭାଙ୍କା ଥିଲା ବ୍ୟାଟକାର । ତାକୁ କେହି ଭଲ ପାଉ ନଥିଲେ । ସେ ଥିଲା ବୋକା, ଅଳସୁଆ; କାହାରି ସାଙ୍ଗରେ ମିଶୁ ନ ଥିଲା । ସେମାନେ ତାକୁ ଥଟ୍ଟା କରୁଥିଲେ ସତ; କିନ୍ତୁ ଅତିମାତ୍ରାରେ ତାକୁ ବିରକ୍ତ କରିବାକୁ ସାହସ କରୁ ନ ଥିଲେ । ତା’ର ବଙ୍କା ବଙ୍କା ହାତଗୋଡ଼ରେ ଯଥେଷ୍ଟ ବଳ ଅଛି ବୋଲି ସେମାନେ ଜାଣିପାରିଥିଲେ । ସେମାନେ କେଉଁ ଘଟନାରେ ତା’ର ବଳର ପରିଚୟ ପାଇଥିଲେ ତାହା କୁହାଯାଉଅଛି ।

 

ଦିନେ ଛଅଜଣ ଶ୍ରମିକ ଗୋଟିଏ ଖୁବ୍‍ ବଡ଼ କଡ଼ିକାଠ ଟେକି ନେଉଥିଲେ । ମାଜିନ୍‌କଡ଼ିର ଗୋଟାଏ ମୁଣ୍ଡ ଧରିଥିଲା ।

 

ଆଗରେ ଥିବା ଲୋକମାନେ ପାଟିକଲେ, ‘‘ହେ, ହେ, ସମସ୍ତଙ୍କ ସାଥିରେ ପାଦ ମିଳାଇ ଚାଲ୍‌ ।’’ କିନ୍ତୁ ମାଜିନ୍‌ର ବଙ୍କା ଗୋଡ଼ ଦୁଇଟା ତାକୁ ଅନ୍ୟମାନଙ୍କ ସଙ୍ଗେ ପାଦ ମିଳାଇ ଚାଲ୍‌ ।’’ କିନ୍ତୁ ମାଜିନ୍‌ର ବଙ୍କା ଗୋଡ଼ ଦୁଇଟା ତାକୁ ଅନ୍ୟମାନଙ୍କ ସଙ୍ଗେ ପାଦ ମିଳାଇ ଚାଲିବାକୁ ଦେଲା ନାହିଁ; ଫଳରେ କଡ଼ିଟା ଦୁମ୍‌କରି ତଳେ ପଡ଼ିଗଲା ।

 

‘‘ବେ ବଦ୍‌ମାସ ! ସମସ୍ତଙ୍କ ସାଥିରେ ଚାଲ ।’’

 

ମାଜିନ ସଁ–ସଁ ହୋଇ ଅନ୍ୟମାନଙ୍କ ସଙ୍ଗେ ପାଦ ମିଳାଇ ଚାଲିବାକୁ ଚେଷ୍ଟା କଲା; ମାତ୍ର ପାରିଲା ନାହିଁ । ପୁଣି କଡ଼ିଟା ପଡ଼ିଗଲା ।

 

ଦଳ ଭିତରେ ଯାକବ ଲାପ୍‌ଟେଭ ବୋଲି ଜଣେ ଖୁବ୍‍ ବଳୁଆ ଲୋକ ଥିଲା । ‘‘ଆବେ ତୁ କଅଣ ମଣିଷ ନା ଗଧ ?’’ ସେ ଏହା କହି ମାଜିନ୍‌ର ପିଠିରେ ପାହାରେ ଦେଲା । ମାଜନ୍‌ ଥରେ ଗଁ–ଗଁ ହେଲା; କିନ୍ତୁ ପଦେ ହେଲେ କିଛି ନ କହି ପୁଣି ଚାଲିଲା । କଡ଼ିଟା ଠିକ୍‍ ଜାଗାରେ ରଖାଯିବା ପରେ ମାଜିନ୍‌ ଫେରିଆସି ଯାକବ୍‌ ଆଗରେ ଛିଡ଼ା ହୋଇ ନରମ ଗଳାରେ ପଚାରିଲା, ‘‘ଯାକବ, ମୋତେ ମାରିଲୁ କାହିଁକି ?’’

 

‘‘ଯାଃ, ଯାଃ, ପାଟି କରନା ।’’

 

‘‘ତୁ କଣ ଆମ ହାକିମ ଯେ ଯାହାକୁ ଇଚ୍ଛା ତାକୁ ମାଡ଼ ଦେବୁ ?’’

 

‘‘କହୁଛି ପରା, ଯା ପଳା । ତୁ ଚୁଚୁନ୍ଦ୍ରାଠାରୁ ହୀନ । ଚୁଚୁନ୍ଦ୍ରାକୁ ମାରିଲେ ହାତ ଗନ୍ଧେଇବା ସାର ହେବ ।’’

 

‘‘କାହିଁକି ?’’

 

ଏହି ସମୟରେ ଜଣେ କିଏ କହିଲା, ‘‘ଆରେ ଯାକବ, ତା ମୁହଁରେ ବିଧାଏ ଦେ ତ ! ସେ ସେଇଆ ଖୋଜୁଛି ।’’ ଯାକବ ଏହି ଲୋକର କଥା ଅନୁସାରେ କାମ କରିବାକୁ ହାତ ଟେକୁଥିଲା; କିନ୍ତୁ ମାଜିନ୍‌ର ଗୋଟିଏ ବିଧାରେ ଯାକବ ତଳେ ଲମ୍ୱ ହୋଇ ପଡ଼ିଗଲା ।

 

ଲୋକେ ସ୍ତମ୍ଭୀଭୂତ ହୋଇଗଲେ । ଏଥିପୂର୍ବରୁ ଯାକବର ବଳ ବିଷୟରେ ସମସ୍ତଙ୍କର ଗୋଟାଏ ଉଚ୍ଚ ଧାରଣା ଥିଲା । ପୁରାଣର ହରକ୍ୟୁଲିଅସ୍‌ ସାଙ୍ଗରେ ସେମାନେ ତାକୁ ତୁଳନା କରୁଥିଲେ । ତେଣୁ ସେ ଏହି ବିକୃତ ମାଜିନ୍‌ ସଙ୍ଗେ ଥରେ ନ ଲଢ଼ି ପରାଜୟ ସ୍ୱୀକାର କରିବାକୁ ପ୍ରସ୍ତୁତ ନ ଥିଲା । ସେ ତଳୁ ଉଠିପଡ଼ି କୁରୁତା ହାତ ଉପରକୁ ଟେକି ଲଢ଼େଇ କରିବାକୁ ବାହାରିପଡ଼ିଲା । ସେ କହିଲା, ‘‘ଆ, ଆ, ତୋ ଛାତିର ଗୋଟା କେତେ ହାଡ଼ ନ ଭାଙ୍ଗି ଛାଡ଼ିବି ନାହିଁ-।’’

 

ମାଜିନ୍‌ ସନ୍ଦିଗ୍‌ଧଭାବରେ କହିଲା, ‘‘ଆଚ୍ଛା.....ହଉ ।’’

 

ସରଦାର ଅସିପ୍‌ ବାହାରିପଡ଼ି ହୁକୁମ ଦେଲା, ‘‘ସମସ୍ତେ ପାଖରୁ ଚାଲିଯାଅ; କେହି ବାଧା ଦିଅ ନାହିଁ । ସେଇ ଦୁହେଁ ଲଢ଼େଇ କରନ୍ତୁ । କିଏ ବଡ଼ ଜଣାପଡ଼ିବ ।’’ ଏ ତ ହେଉଚି ନ୍ୟାଯ୍ୟ କଥା । ବେଶ୍‍, ତୁମେ ଦୁହେଁ ଲଢ଼େଇ କର । କେହି କିଛି ମାରପେଞ୍ଚ କରିବ ନାହିଁ; ନ୍ୟାୟରେ ଲଢ଼େଇ କରିବ । ଈଶ୍ୱର ତୁମମାନଙ୍କର ମଙ୍ଗଳ କରନ୍ତୁ । ଏବେ ଆରମ୍ଭ ହେଉ ।

 

ମାଜିନ୍‌ର ବାଁପାଖ ପିଠିରେ ଗୋଟାଏ ବାଧା ବସିଲାବେଳକୁ ଦେଖାଗଲା ଯାକବ ତଳୁ ଉଠିବାକୁ ଚେଷ୍ଟା କରୁଛି । ତା’ର ଆଖି ରାଗରେ ଲାଲ; କ୍ରୋଧରେ ସେ ମାଜିନ୍‌ ଆଡ଼କୁ ଚାଲିଛି । ମାଜିନ୍‌ ଠିଆହୋଇ ଲମ୍ୱା ନିଃଶ୍ୱାସ ପକାଉଥାଏ ଓ ବିଧା ବାଜିଥିବା ଜାଗାକୁ ବାଁ ହାତରେ ଆଉଁଷୁଥାଏ । ଯାକବ ପାଗଳ ପରି ତା’ ଆଡ଼କୁ ମାଡ଼ିଗଲା । ମାଜିନ୍‌ତା’ର ଲମ୍ୱା ଡାହାଣ ହାତରେ ତା’ ମୁଣ୍ଡକୁ ଏପରି ଏକ ବିଧା ମାରିଲା ଯେ ସେ ତଳେ ପଡ଼ିଗଲା । ଯାକବକୁ ବିଧା ମାରିଲାବେଳେ ଯେ କେହି ମନେ କରିଥାନ୍ତା ଯା ତା ମୁଣ୍ଡରେ ଗୋଟାଏ କଣ୍ଟା ପିଟୁଛି । ଏହିପରି ସାତଥର ହେଲା; ପ୍ରତିଥର ଯାକବ ମାଡ଼ ଖାଇ ତଳେ ପଡ଼ିଯାଉଥାଏ । ଶେଷ ଥରକୁ ସେ ତଳୁ ଉଠି ନ ପାରି ମାଜିନ୍‌କୁ ଗାଳିଦେବାରେ ଲାଗିଲା ।

 

‘‘ସଇତାନ, ତୁ ମୋ ମୁଣ୍ଡକୁ ମାଇଲୁ କାହିଁକି ? ହଇରେ, ପାଳଭୂତ, ମୋ ଦେହରେ ଆଉ କେଉଁଠି ଜାଗା ନ ଥିଲା ? ପାଳଭୂତ ନୋହୁ ତ ଆଉ କଣ ? ମଣିଷ ଭଳି କାହୁଁ ଲଢ଼େଇ କରନ୍ତୁ ।’’

 

ସମସ୍ତେ ମାନିଗଲେ ଯେ ମାଜିନ୍‌ର ବଳ ବେଶି; କିନ୍ତୁ ସେ ଲଢ଼େଇ କରିଜାଣେ ନାହିଁ । ହାରିଯାଇଥିବା ଯାକବକୁ ଅନାଇ ମାଜିନ୍‌ ଗୋଟାଏ ବକ୍ତୃତା ଦେଲା–

 

‘‘ଏବେ ତୁ ବୁଝିପାରିଥିବୁ, ଲଢ଼େଇ କରିବାକୁ ବାହାରିଲେ କେମିତି ହୁଏ । ତୋତେ ଆହୁରି ମାଡ଼ ଦେଇଥାନ୍ତି, ତୋ ଉପରେ ଦୟା କରି ଏତିକିରେ ଛାଡ଼ିଦେଲି । ଭବିଷ୍ୟତରେ ଏତେ ଚଞ୍ଚଳ ଲଢ଼େଇ କରିବାକୁ ବାହାରି ପଡ଼ିବୁ ନାହିଁ । ତୋର ମୁଣ୍ଡରେ ଟିକିଏ ଥଣ୍ଡା ପାଣି ଢାଳିଦେବୁ ଯେ ଠିକ୍‍ ହୋଇଯିବ; ବେଶି ଦରଜ ହେବନି । ଯା ଯା, ମୁଣ୍ଡରେ ପାଣି ଢାଳ ।’’

 

ଏତିକି କହି ମାଜିନ୍‌ଗୁଣୁ–ଗୁଣୁ ହୋଇ ଗୀତ ଗାଇ ଚାଲିଗଲା ।

 

ଏ ଯାହା ଘଟିଗଲା; ସେଥିରେ କାରିଗରମାନେ ବିସ୍ମିତ ହୋଇ କହିଲେ, ‘‘ସତରେ, ମଣିଷ ନୁହେଁ ଯେ ଗୋଟାଏ ଭୂତ ! ଯାକବର ଏଡ଼େ ବଡ଼ ଛାତି, କୁନ୍ଦିଲା ପରି ଦେହ; ତା’ ଆଗରେ ମାଜିନ୍‌ଗୋଟାଏ ବାମନ ଭଳି । ହେଲେ କଅଣ ହେବ, ଯାକବକୁ ହରେଇଦେଲା ।’’

 

ସରଦାର ଅସିପ୍‌ କହିଲା, ‘‘ଦେଖିଲ, ଆଜି ସେ ଭାଙ୍କା ମତେ ଗୋଟାଏ ଭଲ ଶିକ୍ଷା ଦେଲା । ତା’ର ହୃଦୟ ଅଛି; ଭଗବାନ ତାକୁ ଦେହଟାରେ ଊଣା କରିଛନ୍ତି ସିନା, ମନଟାଏ ଦେଇଛନ୍ତି । ସେ ଯାକବକୁ ଯାହା କହିଲା, ଠିକ୍‍ । ଆଗ ହାତ ଉଠେଇ କଳି କରିବାକୁ ଯିବା ଉଚିତ ନୁହେଁ । ଆମେ ସମସ୍ତେ ଈଶ୍ୱରଙ୍କ ସନ୍ତାନ । କିଛି କାରଣ ନ ଥାଇ ଆପଣା ଆପଣା ଭିତରେ ମରାମରି ହେବା କାହିଁକି ? ସେ ଯାହା କରିଛି, ଠିକ୍‍ । ଯାକବକୁ ମାଡ଼ଦେଲା ସତ, କିନ୍ତୁ କହିଲା କଣ ? –ଯା, ମୁଣ୍ଡକୁ ଥଣ୍ଡା ପାଣିରେ ଧୋଇଦେ । ମନ୍ଦ କହିଲା କଅଣ ? ତୁମେ ତାକୁ ସାବଧାନ ଥିବ । ମୋ କଥା ମନେ ରଖିଥିବ । ଏଇଥରକ ଯେ ତା’ଠୁ ଶିଖିଲେ; ତା ନୁହେଁ; ଆହୁରି ଶିଖିବାକୁ ପଡ଼ିପାରେ ।’’

କେତେ ଜଣ କାରିଗର କହିଲେ, ‘‘ଆମେ ତାକୁ ଦଳରୁ ବାହାର କରିଦେବା ।’’

ଅସିପ୍‌ଟିକିଏ ଭାବି କହିଲା, ‘‘ସେ ଆମ ଭଳିଆ ନୁହେଁ ସତ, କିନ୍ତୁ ସେ କାହିଁକି ସେପରି ହୋଇଛି ? ତାକୁ କାମରୁ ବାହାର କରିଦେବା କିପରି ? ଟିକିଏ ଅପେକ୍ଷା କରିବା । ହୁଏତ ସେ ବଦଳିଯିବ, ଆମ ସାଙ୍ଗରେ ମିଳିମିଶି ଚଳିବ ।’’

ଅନ୍ୟମାନେ ଆପତ୍ତି କଲେ, ‘‘ତା ଯୋଗେ ଆମର କିଛି ଲାଭ ନାହିଁ ।’’

ଅସିପ୍‌ପୁଣି କହିଲା, ‘‘ଅବଶ୍ୟ ସେ ଅଳସୁଆ, କାମ କରି ଜାଣେ ନାହିଁ । କିନ୍ତୁ ସେ ତ ଆମରି ଭଳି ଖାଇବ, ପିଇବ; ସରକାରକୁ ଖଜଣା ଦେବ ! ନୁହେଁ କି ? ସେ ବି ଜଣେ ଶ୍ରମିକ; ତାକୁ କାମରୁ ତଡ଼ିଦେବା କିପରି ? ଆମେ ତାକୁ ତଡ଼ିଦେବା, ଅନ୍ୟମାନେ ବି ସେହିପରି ତଡ଼ିଦେବେ; ତେବେ ସେ କିପରି ପଇସା କମେଇ ତା’ ପେଟ ପୋଷିବ ?’’

ଏହାପରେ କାହାରିଠାରୁ କିଛି ଆପତ୍ତି ବାହାରିଲା ନାହିଁ; ମାଜିନ୍‌ କାମରୁ ତଡ଼ା ଖାଇଲା ନାହିଁ । ପ୍ରଥମେ କାରିଗରମାନେ ଆଶା କରିଥିଲେ ଯେ ମାଜିନ୍‌ ତା’ର ଢଙ୍ଗଢ଼ାଙ୍ଗ ବଦଳାଇ ସେମାନଙ୍କ ସଙ୍ଗରେ ନିଜକୁ ମିଶାଇନେବେ; କିନ୍ତୁ ସେ ପ୍ରକାର ପରିବର୍ତ୍ତନର ଲକ୍ଷଣ ଦେଖାଗଲା ନାହିଁ । ତେଣୁ କାରିଗରମାନେ ସେମାନଙ୍କ ଚାଲିଚଳନ ବଦଳାଇ ତା ସଙ୍ଗେ ନିଜକୁ ଖାପ ଖୁଆଇବାକୁ ବାଧ୍ୟ ହେଲେ । ସେମାନଙ୍କର ଧାରଣା ହୋଇଗଲା ଯେ ଲୋକ ହିସାବରେ ସେ ଯେପରି ସମସ୍ତଙ୍କଠାରୁ ଅଧମ, କାରିଗର ହିସାବରେ ମଧ୍ୟ ସେହିପରି ଅଧମ । ତେଣୁ ସେମାନେ ତାକୁ କାମରୁ ବାହାର କରିଦେବା ପ୍ରଶ୍ନ କେବେହେଲେ ନ ଉଠାଇ ମଧ୍ୟ ତାକୁ ଥଟ୍ଟା କରିବାକୁ ଛାଡ଼ୁ ନ ଥିଲେ । ବେଳେ ବେଳେ ଏହି ପରିହାସ ନିତାନ୍ତ ନିର୍ଦ୍ଦୟ ହୋଇପଡ଼ୁଥିଲା । ତା’ର କାମରେ ମଠ ହୁଏ; କିନ୍ତୁ କାମରେ ଟିକିଏ ଖଇଚା ନ ଥାଏ । ଦଳର ଅନ୍ୟ କାରିଗରମାନେ ତା’ର ଏଭଳି କାମରେ କ୍ରମେ ଅଭ୍ୟସ୍ତ ହୋଇଗଲେ । ଏହି କାମ ପାଇଁ ସେ ସପ୍ତାହକୁ ଖାଇବା ଛଡ଼ା ଦୁଇ ରୁବେଲ ପାଉଥିଲା ।

ପ୍ରତି ଦଳରେ ଏହିପରି ଜଣେ ଜଣେ ଗୋଠଖଣ୍ଡିଆ ଥାଆନ୍ତି । ତା’ର ଦୋଷ ଯୋଗେ ଦଳର ଅନ୍ୟମାନଙ୍କ ଗୁଣ ପ୍ରକାଶ ପାଏ; ନ ହେଲେ ସେମାନଙ୍କ ଗୁଣ କେହି ଜାଣିପାରୁ ନ ଥାନ୍ତେ ।

ସ୍ମୁରୋବ ବୋଲି ଜଣେ ଧନୀ ବଣିକର ଗୋଟାଏ ଚାରିମହଲା ଘର ତିଆରି ହେଉଥିଲା-। ଏହି ଦଳର କାରିଗରମାନେ ଉପର ମହଲାକୁ ଚାର ବାନ୍ଧୁଥିଲେ ।

ଖାଇବାବେଳକୁ ସ୍ୱୟଂ କାନ ତରାଟି ଜାଖର ଆଇଭାନୋଭିଚ୍‌ କାମ ତଦାରଖ କରିବାକୁ ଆସି ପହଞ୍ଚିଗଲା । ସେ ବେଶ୍‍ ମୋଟା ଲୋକ; ମୁହଁଟା ଲାଲ । ଲମ୍ୱ ଲାଲ ଦାଢ଼ି । ଆସିଲାମାତ୍ରେ କେତେ ଜଣ ଲୋକ କାମ କରୁଛନ୍ତି ଦେଖିନେଲା । ଭାଙ୍କା ମାଜିନ୍‌ଚାର ଉପରକୁ ଖଣ୍ଡିଏ ପଟା ନେଇ ଉଠୁଥିଲା । କାନତରାଟି ଲକ୍ଷ୍ୟ କଲା ଯେ ସେ ବହୁତ ସମୟ ନେଉଛି ।

ସେ ରାଗିଉଠି କହିଲା–‘‘ଆରେ ହେ, ଶାମୁକା ପରି ଚାଲୁଛୁ କଣ ? ଆବେ ବୋକା, ଗଧ, ଚଞ୍ଚଳ ଚାଲ ।’’

କାରିଗରମାନେ କାନତରାଟିର ରାଗ ଦେଖି ଦୁଇ ଗୁଣ ଫୂର୍ତ୍ତିରେ କାମ କରିବାରେ ଲାଗିଲେ । କିନ୍ତୁ ଏହା ଫଳରେ କାନତରାଟିର କିଛି ପରିବର୍ତ୍ତନ ହେଲା ନାହିଁ । ତା’ର ରାଗି ଗାଳିଦେବାର କିଛି କାରଣ ନଥିଲା । ସେଇଟା ହେଲା ତା’ର ପ୍ରକୃତି । କାରିଗରମାନଙ୍କୁ ଗାଳିଦେବାରେ ତର ଆନନ୍ଦ ।

‘‘ଆରେ ଗଧ, ମୁଁ ପରା କହିଥିଲି ଯେ ଚାର ବାନ୍ଧିବା ପାଇଁ ନୂଆ ପଟା ନେବ ନାଇଁ କି ଆଉ କାଠ ଚିରିବ ନାହିଁ । ପୁରୁଣା ପଟାରେ କାମ କରିଯାଆ ।’’

ଯାକବ ବିନୀତଭାବରେ କହିଲା–‘‘ଆଜ୍ଞା, ପୁରୁଣା ପଟାଗୁଡ଼ାକ ଏକବାରେ ଖରାପ ହୋଇଯାଇଛି ।’’

କାନତରାଟି ଗର୍ଜିଉଠିଲା–‘‘ତୁଟା କଅଣ ଜାଣୁ ? କହିଲା ନା ଖରାପ ହୋଇଗଲାଣି !’’

ଅଧଘଣ୍ଟା ପର୍ଯ୍ୟନ୍ତ ସେ ଏହିପରି କାରିଗରମାନଙ୍କୁ ଗାଳି ଧମକ ଦେବାରେ କଟାଇଲା-। କାରିଗରମାନେ ଖାଇବାକୁ ଚାଲିଯିବାରୁ ସେ ନିଜେ ଧୀରେ ଧୀରେ ଚାର ଉପରକୁ ଚଢ଼ିଲା-

ଏହା ଦେଖି ଅସିପ୍‌ ଚୁପ୍‍ ଚୁପ୍‍ କରି କହିଲା–‘‘ଏଇଟା ଗୋଟାଏ ଢୋଲ, ଭିତରେ କିଛି ନାହିଁ ।’’

ଯାକବ ତା ସଙ୍ଗେ ଯୋଗ ଦେଇ କହିଲା–‘‘ଦେଖୁନ, କେମିତି ଫୁଲିଛି । ଖାଲି ଫମ୍ପା ।’’

ଅନ୍ୟ କାରିଗରମାନେ ମଧ୍ୟ କାନତରାଟି ବିଷୟରେ ନିଜ ନିଜ ମତ ଦେଲେ । ମାଜିନ୍‌ ଧୀରସ୍ଥିର ଭାବରେ ତା’ର ହତିଆର ସଜାଡ଼ିବାରେ ଲାଗିଥାଏ । ସେ କାନତରାଟି ବିଷୟରେ ପଦେହେଲେ କିଛି କହିଲା ନାହିଁ ।

ଅସିପ୍‌ କାରିଗରମାନଙ୍କୁ ଡାକି କହିଲା–‘‘ଆରେ ଆସ । କାହାକୁ ଚାହିଁରହିଛ ? ସେ ତ ଏଇକ୍ଷଣି ଓହ୍ଲାଇ ଆସି ପୁଣି ଆମକୁ ଗାଳିଦେବ । ଚାହିଁଛ କଅଣ ?’’

ସେତେବେଳକୁ କାନତରାଟି ତିନି ମହଲାଯାଏ ଉଠି ପଟାଗୁଡ଼ାକୁ ଗୋଡ଼ରେ ପରୀକ୍ଷା କରି ଦେଖୁଥାଏ । ଠିଆବାଗରେ ଥିବା ସରୁ ପଟାକୁ ହାତରେ ଦେଖୁଥାଏ । ପଟା ଉପରେ ଠିଆହୋଇ ସେ ପାଦରେ ପଟାକୁ ପରୀକ୍ଷା କଲାବେଳେ ତା’ର ଜୋତା’ର ଶବ୍ଦ ଶୁଣାଯାଉଥାଏ । କାରିଗରମାନେ କଣେଇ କଣେଇ ତା ଆଡ଼କୁ ଚାହୁଁଥାନ୍ତି । ତା ପରେ ସେମାନେ ଦଳ ବାନ୍ଧି ଖାଇବାକୁ ଗଲେ ।

ଠିକ୍‍ ଏଇ ସମୟରେ ଗୋଟାଏ କଟ କଟ ଶବ୍ଦ ଶୁଣାଗଲା । ସେଥିରୁ ଜଣାପଡ଼ିଲା ଯେ କେଉଁଠୁ ଗୋଟାଏ କଣ୍ଟା ପଟାରୁ ବାହାରି ଆସୁଛି ଓ ପଟାଟା ଦୁଇଫାଳ ହୋଇ ଫାଟିଯାଉଛି । ଅସିପ୍‌ ବୁଲିପଡ଼ି ଚାରିଆଡ଼କୁ ଚାହିଁଲା । ସେ ହଠାତ୍‍ ଡେଇଁପଡ଼ି ଡାକିଲା–‘‘ସାଥୀମାନେ !’’

 

ଅସିପ୍‌ର ଚିତ୍କାର ସଙ୍ଗେ ପଟା ଫାଟିବାର ଓ ଖଣ୍ଡ ଖଣ୍ଡ ପଟା ତଳକୁ ଖସିପଡ଼ିବାର ଶବ୍ଦ ଶୁଣାଗଲା । ଲୋକମାନେ ଚିତ୍କାର କଲେ–‘‘ଧାଇଁଆସ, ସାହାଯ୍ୟ କର ।’’

 

କାରିଗରମାନେ ଦଉଡ଼ିଲେ । ଭୟରେ ସେମାନଙ୍କର ରକ୍ତ ପାଣି ହୋଇଗଲା । ଚାର ଭାଙ୍ଗିପଡ଼ୁଛି । ସିଧାବାଗରେ ଥିବା ଖଣ୍ଡମାନ କାନ୍ଥ ପାଖରୁ ଛାଡ଼ି ପଡ଼ୁଛନ୍ତି । ବଡ଼ ବଡ଼ ପଟା, ଢିରାକାଠ, ଇଟା ପ୍ରଭୃତି ଖସି ତଳେ ପଡ଼ୁଛି । ଏହା ଫଳରେ ଧୂଳି ଉଡ଼ୁଛି । ଏସବୁ ଗୋଳମାଳ ଭିତରେ କାନତରାଟିଙ୍କ ବିକଳ ଧ୍ୱନି–‘‘ରକ୍ଷା କର; ରକ୍ଷା କର’’ ଶୁଣାଯାଉଛି ।

 

ଚାରର କାଠଯାକ ଖଣ୍ଡ ଖଣ୍ଡ ହୋଇ ତଳେ ପଡ଼ି ଶବ୍ଦ କରୁଥାଏ । କାରିଗରମାନେ ହତବୁଦ୍ଧି ହୋଇ ସେମାନଙ୍କର ଏତେ ଦିନର ପରିଶ୍ରମ ନଷ୍ଟ ହେଉଥିବାର ଦେଖୁଥାନ୍ତି । ଅସିପ୍‌ ସେମାନଙ୍କୁ ଆଗକୁ ଯିବାକୁ ଯେତେ କହିଲେ ସୁଦ୍ଧା ସେମାନେ ନିଜ ସ୍ଥାନରୁ ଆଦୌ ଘୁଞ୍ଚୁ ନ ଥାନ୍ତି । ଅସିପ୍‌ କହିଲା–‘‘ଭାଇମାନେ, ମୁଁ ତୁମକୁ ବାରମ୍ୱାର କହିଥିଲି ଯେ ସେ ପଟାଗୁଡ଼ାକରେ ଭଲକରି କଣ୍ଟା ପିଟିବ । ତୁମେମାନେ ମୋ କଥା ଶୁଣିଲ ନାହିଁ । ଏବେ ତମରି ଯୋଗେ କାନତରାଟି ବାବୁଙ୍କର ଏ ଦୁରବସ୍ଥା । ତାଙ୍କର ଆଉ ଆଶା ନାହିଁ । ଆରେ, ତମେ ସବୁ ସେମିତି ଛିଡ଼ା ହୋଇ କାହାକୁ ଚାହିଁ ରହିଛ ? ଆରେ ବୋକା, ଚାହିଁ ରହିଲେ କଅଣ ଦୁଃଖ ଯିବ ? ଯାହା କରିବାର କରିଯାଅ, ତାଙ୍କୁ ଘେନି ଆସ ।’’

 

ଯାକବ ଧୀରଭାବରେ କହିଲା–‘‘ଏତେ ଗୋଳମାଳ କାହିଁକି ? ଏଥିରେ ଆମର ଦୋଷ କଅଣ ଅଛି ? ସେ ପରା କହିଥିଲେ ଯେ ଆମେ ନୂଆ ପଟା ଛୁଇଁବୁ ନାହିଁ ।’’

 

ଆଉ ଜଣେ କହିଲା–‘‘ଆହୁରି କଣ୍ଟା ମାରିଥିଲେ ମଜବୁତ ହୋଇଥାନ୍ତା । କଣ୍ଟା ତ ନ ଥିଲା । ସେ କଣ୍ଟା ଦେବାକୁ ମନାକଲେ । ଆମେ କରିଥାନ୍ତୁ କଅଣ ?’’

 

ଅନ୍ୟ କେହି ଜଣେ କହିଲା–‘‘କଣ୍ଟା ନ ଥିଲା, ଆମେ ମାରିଲୁ ନାଇଁ । ସେ କଅଣ ଆମର ଦୋଷ ?’’

 

ଅସିପ୍‌ ଅଥୟ ହୋଇ ଏପାଖ ସେପାଖ ଦଉଡ଼ୁଥାଏ; କାରିଗରମାନଙ୍କୁ ଟାଣୁଥାଏ । ସେ କହିଲା–‘‘ଆରେ, ତମର ଦୋଷ ବୋଲି କିଏ କହୁଛି ? ସେଇଥିପାଇଁ କଅଣ ଲୋକଟାଏ ଆମ ଆଗରେ ପଡ଼ି ମରିବ ? ଆମେ ଚାହିଁଥିବା, କିଛି କରିବା ନାଇଁ ?’’

 

ଏଣେ ଚାରର କାଠ ଖଣ୍ଡକ ପରେ ଖଣ୍ଡେ ଖସିପଡ଼ୁଥାଏ । ପଟା ସାଥିରେ ବାଉଁଶ ଇଟା ପ୍ରଭୃତି ପଡ଼ୁଥାଏ । କେତେ ଜାଗାରୁ ପଲସ୍ତରା ଚୂନ ଖସିପଡ଼ିଲା । କେଉଁଠି ଗୋଟାଏ ବାଲ୍‌ଟି ଥିଲା-। ସେଇଟା ତଳେ ପଡ଼ି କିଛି ଦୂର ଗଡ଼ିଗଲା । ତଳୁ ଏତେ ଧୂଳି ଉଠୁଛି ଯେ ଉପର ଅଂଶ ଭଲରୂପେ ଦିଶୁନାହିଁ । ତା ଭିତରେ କାନତରାଟିଙ୍କର କିଛି ମାତ୍ର ଶବ୍ଦ ଶୁଣାଯାଉ ନ ଥାଏ-

 

ଏତେବେଳଯାଏ ମାଜିନ୍‌ ଚୁପ୍‍ କରି ଠିଆହୋଇ ଧୂଳି ଆଡ଼କୁ ଚାହିଁଥିଲା । ‘‘ଆଚ୍ଛା, ମୁଁ ଯାଇ ଦେଖେଁ’’ ଏହା କହି ସେ ଆଗେଇ ଗଲା ।

 

ସମସ୍ତେ ପାଟିକଲେ–‘‘ଆରେ ଯାଆ ନା, ଯାଆ ନା; ମରିଯିବୁ ।’’

 

ଅସିପ୍‌ ‘‘ସେ ଯାହା କରିବାର କରୁ । ତାକୁ ବାଧା ଦିଅନା । ଭାଙ୍କା, ତୁ ଯାଆ ରେ ସାଙ୍ଗ-! ଠାକୁରଙ୍କ ନାଁ ଧରି ଚାଲି ଯା ।’’

 

ଅସିପ୍‌ର ଏ ଉତ୍ସାହ ନ ପାଇଥିଲେ ମଧ୍ୟ ମାଜିନ ଯାଇଥାନ୍ତା । ସେ ଢଳି ଢଳି ବଙ୍କାଗୋଡ଼କୁ ହଲେଇ ହଲେଇ ଚାଲିଲା ।

 

ସେତେବେଳକୁ ଚାରିପାଖେ ଅନେକ ଲୋକ ଜମିଗଲେଣି । ସେମାନଙ୍କ ଭିତରେ କାହୁଁ ଦୁଇ ଜଣ କନଷ୍ଟେବଳ ପଶି କିଛି ସାହାଯ୍ୟ ନ କରୁଥିଲେ ହେଁ ବହୁତ ପାଟିତୁଣ୍ଡ କରୁଥାନ୍ତି । ଧୂଳି ଉଡ଼ିବା କମିଯାଇଥିଲା । ଚାରର କେତେଖଣ୍ଡ ମାତ୍ର ବାଉଁଶ ବା ପଟା ଠିଆ ହୋଇଥିବାର ଦେଖାଗଲା । କେଉଁଠି ପଟା, କେଉଁଠି ଡାଙ୍ଗିଆ, କେଉଁଠି ବା ଖିଲ ବାହାରି ଦିଶୁଥିଲା । ସେଥିଭିତରୁ କେତେକ ସେଇଠି ରହିବେ କି ତଳକୁ ଖସିପଡ଼ିବେ ସ୍ଥିର କରି ନ ପାରି ଦୋହଲୁଥିଲେ-

 

ଗୋଟାଏ ଝରକା ଭିତରୁ ଖଣ୍ଡେ ବଡ଼ପଟା ବାହାରିପଡ଼ି ଖୁବ୍‍ ଜୋରରେ ହଲୁଥିଲା । ସେହି ପଟାର ଶେଷ ଭାଗରେ କାନତରାଟି ପଡ଼ିଥାଏ । ହାତରେ ଗୋଡ଼ରେ ସେ ପଟାକୁ ଜାବୁଡ଼ି ଧରିଥାଏ । ତା’ର ମୁଣ୍ଡ ଓ ପେଟ ପଟା ଦେହରେ ଲାଗିଯାଇଥାଏ । ପଟାର ଆର ମୁଣ୍ଡଟା ଥାଏ ଝରକାର ଚଉକାଠାରେ । ତା ଉପରେ ଏଣୁତେଣୁ ଗୁଡ଼ାଏ କାଠ ଜମିଯାଇଥାଏ । ପଟାଟା ଯେ କୌଣସି ମୁହୂର୍ତ୍ତରେ ଭାଙ୍ଗିଯିବାର ଆଶଙ୍କା ଥାଏ । ତାକୁ ଧରି ପଡ଼ିଥିବାର ବଳ ହଟିଯିବାର ମଧ୍ୟ ସମ୍ଭାବନା ଥାଏ । ଯାହାହେଉ ଲୋକଟା ତିନି ମହଲା ଉପରୁ ଇଟା କାଠ ବାଉଁଶ ଭିତରେ ଖସିବାର ଭୟ ପୂରାମାତ୍ରାରେ ରହିଥାଏ । ବର୍ତ୍ତମାନ ଲୋକଟା ହଲଚଲ ହେଉନାହିଁ କି ତା’ର କିଛି ସ୍ୱର ଶୁଭୁନାହିଁ; ପଟା ସାଥିରେ ମିଶିଗଲା ପରି ପଡ଼ିଛି ।

 

ଏତେବେଳଯାଏ ଲୋକେ ନିସ୍ତବ୍ଧ ହୋଇ ଚାହିଁଥିଲେ । ଭାଙ୍କା ସାହାଯ୍ୟ କରିବାକୁ ଯିବାର ଦେଖି ସେମାନେ ନିଜ ନିଜର ମନ୍ତବ୍ୟ ପ୍ରକାଶ କରିବାକୁ ଲାଗିଲେ । ନାନା ରକମର ଉପଦେଶ ମିଳିଲା–

 

‘‘କେତେଜଣ ତଳେ ଗୋଟାଏ ବଡ଼ କେର୍ପାଲ ଧରନ୍ତୁ । ସେ ତା ଉପରକୁ ଡେଇଁ ପଡ଼ିବ-।’’

 

‘‘ସେ ଅଚେତା ହୋଇପଡ଼ିଥିଲେ ଡେଇଁବ କିପରି ?’’

 

‘‘ଘର ଭିତରବାଟେ ଯାଇ ଝରକାବାଟେ ପଟାକୁ ଟାଣି ନେଇ ଆସିଲେ ହେବ ।’’

 

‘ପୁରୁଣା ପଟା, ଭିଡ଼ିଲା ବେଳକୁ ଭାଙ୍ଗିଯିବ ।’’

 

‘ସେ ପଟା ତଳେ ଗୋଟାଏ ବାଉଁଶ ଢିରା ଲଗାଇ ଦିଅ ।’’

 

‘‘ତିନି ମହଲାକୁ ପଇଲା ଭଳି ଲମ୍ୱା ବାଉଁଶ କାହୁଁ ଆସିବ ?’’

 

‘‘ଦେଖ, ଦେଖ । ମାଜିନ୍‌କୁ ଦେଖ ।’’

 

ମାଜିନ୍‌ ଗୋଟିଏ ଲମ୍ୱ ଦଉଡ଼ି ଧରି ଝରକା ପାଖରେ ଛିଡ଼ା ହୋଇଥିଲା । ତା ଓଠରୁ ଜଣାଯାଉଥିଲା ଯେ ସେ କିଛି କହୁଥିଲା । ଲୋକେ ତାକୁ ଦେଖି ଚୁପ୍‍ ହୋଇ ରହିଗଲେ । ସମସ୍ତଙ୍କ ମନରେ ଉତ୍କଣ୍ଠା–ମାଜିନ୍‌ ଦଉଡ଼ିରେ କଅଣ କରିବ ?

 

ଏହି ସମୟରେ ମାଜିନ୍‌ କାନତରାଟିକୁ ଡାକି କହିଲା, ‘‘ହେ ଆଇଭାନୋଭିଚ୍‌, ମୁଁ ଯାହା କହୁଛି କର । ମୁଁ ଏ ଦଉଡ଼ିରେ ଗୋଟାଏ ଫାଶ କରି ସେ ମୁଣ୍ଡଟା ତମ ପାଖକୁ ଫିଙ୍ଗିଦେଉଛି । ତୁମେ ପେଟ ମୁଣ୍ଡରେ ଫାଶଟାକୁ ଗଳାଇ ବାନ୍ଧିଦିଅ । ଶୁଣିପାରୁଛ ? ଏଇ ଦଉଡ଼ି ଧର ।’’

 

ଦଉଡ଼ିର ଫାଶ ଥିବା ମୁଣ୍ଡଟା ଠିକ୍‍ ଆଇଭାନୋଭିଚ୍‌ ଉପରେ ପଡ଼ିଲା । ସେ ଦଉଡ଼ି ଅଗଟାକୁ ଧିରେ ଧରିଲା । ଫାଶଟାକୁ ପଟା ଅଗରେ ଗଳାଇବାକୁ ସେ ଟିକିଏ ହଲିଲା ମାତ୍ରେ ପଟାଟା ଆହୁରି ଦୋହଲିବାକୁ ଲାଗିଲା; କେଁ କେଁ ଶବ୍ଦ ଶୁଣାଗଲା ।

 

ଅସିପ୍‌ ସାହସ ଦେଇ କହିଲା–‘‘ଭୟ କରନି ଆଇଭାନୋଭିଚ୍‌; ଠାକୁରଙ୍କୁ ଡାକୁଥାଅ । ଭଗବାନ୍‌ ତୁମକୁ ନିଶ୍ଚୟ ରକ୍ଷା କରିବେ । ଅନ୍ୟମାନେ ମଧ୍ୟ ସେହିପରି ଉତ୍ସାହ ଦେଲେ । ବହୁ କଷ୍ଟରେ କାନତରାଟି ଦଉଡ଼ିର ଫାଶଟା ପଟା ଅଗରେ ଲଗାଇଦେଲେ ।

 

ମାଜିନ୍‌ ଡାକିଲା–‘‘ଏବେ ପଟା ଉପରେ ହଲଚଲ ନ ହୋଇ ପଡ଼ିରହ ।’’ ଏତକି କହି ସେ କୁଆଡ଼େ ଚାଲିଗଲା । ମିନିଟିକ ପରେ ଦେଖାଗଲା, ଦଉଡ଼ି ଟାଣିହେଉଛି, ତା ସଙ୍ଗେ ସଙ୍ଗେ ଝୁଲିପଡ଼ିଥିବା ପଟାର ଅଗଟା ଉପରକୁ ଆସ୍ତେ ଆସ୍ତେ ଉଠୁଛି ।

 

ଅସିପ୍‌ ଏବେ ମାଜିନ୍‌ର ଉଦ୍ଦେଶ୍ୟ ବୁଝିପାରି କହିଲା–‘‘ସାବାସ୍‌ ଭାଙ୍କା ! ଆରେ, ତୁମେ ସବୁ ଚାହିଁ ରହିଛ କାହିଁକି ? ଯାଅ, ତାକୁ ସାହାଯ୍ୟ କର । ସାବାସ୍‌ ମାଜିନ୍‌ ! ଯାଅ, ଚଞ୍ଚଳ ଯାଅ ।’’

 

କେତେଜଣ ଲୋକ ଘରଭିତର ବାଟେ ଉପରକୁ ଚାଲିଗଲେ । ଦଉଡ଼ି ଟାଣିବାରୁ ପଟାର ଅଗଟା ଆହୁରି ଉପରକୁ ଉଠିଲା; ଶେଷରେ ଝରକା ଉପରେ ଥିବା ଅଂଶ ତଳକୁ ହୋଇଗଲା । ଆଇଭାନୋଭିଚ ହାତଗୋଡ଼ରେ ପଟାକୁ ଟାଣି କରି ଧରି ପେଟରେ ଭରାଦେଇ ପଡ଼ିଥାଏ ।

 

ମାଜିନ ପୁଣି କହିଲା–‘‘ଏବେ ଆସ୍ତେ ଆସ୍ତେ ପେଟ ଉପରେ ଭରାଦେଇ ଝରକା ପାଖକୁ ଖସିଖସି ଆସ । ଡର ନାଇଁ । ପଟା ମଜବୁତ ଅଛି । ହଁ, ଆସ, ଧୀରେ ଧୀରେ ।’’

 

କାନତରାଟି ଥନ୍ତଲପେଟକୁ ପଟା ଉପରେ ଭରାଦେଇ ଆଙ୍ଗୁଳେ ଆଙ୍ଗୁଳେ ଝରକା ଆଡ଼କୁ ଅଗ୍ରସର ହେଉଥାଏ । ତା’ର ବିପଦ ପୂରା କଟି ନ ଥାଏ । ତଥାପି ତା’ର ଏହି ଚେଷ୍ଟା ଦେଖି ଲୋକମାନେ ହସୁଥିଲେ । ବାସ୍ତବିକ ସେ ଦୃଶ୍ୟଟି ଦେଖିଲେ ଯେ କେହି ନ ହସି ରହିପାରନ୍ତା ନାହିଁ । ତା’ର ଦେହଯାକ ଧୂଳି, ମୁହଁଟା ମେଲା, ଆଖି ଦୁଇଟା ଭୀତିଗ୍ରସ୍ତ; ପେଟ ପଟା ଉପରେ ଚିପି ହୋଇଥିବାରୁ ତା’ର ଉଚ୍ଚତା ଟିକିଏ ଊଣା ଦିଶୁଛି । ପଟାଟି ହାତରେ ଟାଣ କରି ସେ ଗୋଡ଼ ଦୁଇଟି ଟିକିଏ ଟେକିଦେଲାବେଳେ ତା’ର ଆକାର ଗୋଟିଏ ବଡ଼ ହାଣ୍ଡିପରି ହୋଇଯାଉଥିଲା । କିନ୍ତୁ କିଛି ସମୟ ପରେ ସେ କେତେ ଇଞ୍ଚ ଆଗକୁ ଘୁଷୁରିଯାଉଥିଲା ଓ ପେଟଟା ପୁଣି ପଟା ଦେହରେ ଲାଗିଯାଉଥିଲା । ମଝିରେ ମଝିରେ ତା ମୁହଁରୁ ‘‘ଉହୁଁ ଉହୁଁ’’ ବିକଳ ଧ୍ୱନି ବାହାରୁଥିଲା । ତା’ର ଏ ଘୋର ବିପତ୍ତିବେଳେ ଲୋକେ ଯେ ହସୁଥିଲେ, ସେଥିପାଇଁ ସେମାନଙ୍କୁ ଦୋଷ ଦିଆଯାଇ ନ ପାରେ ।

 

ଜଣେ ଶ୍ରମିକ କହିଉଠିଲା–‘‘ଆରେ ହେ, ପଟା ଉପରେ କଣ୍ଟା ଥିଲା । ସେଥିରେ ତା ପେଟ ଫୁଟିଯିବଣି ।’’

 

ଆଉ ଜଣେ କହିଲା–‘‘ଯାହା ହେଉ, ଆଜି ସେ ପେଟ ପୂରାଇ ଖାଇବ । ଯେତେ ମିହନ୍ତ କଲାଣି, ସେଥିରେ ଭୋକ ନ ହୋଇ ଯିବ କୁଆଡ଼େ ?’’

 

ଏହାର ଉତ୍ତରରେ ଯାକବ କହିଲା–‘‘ଆରେ, ତାକୁ କେଉଁ ଦିନ ଭୋକ ନ ଥାଏ କି ? ସେ ତ ପ୍ରତିଦିନ ଆମରି ରକ୍ତମାଂସ ଖାଉଛି ।’’

 

ଏଥିମଧ୍ୟରେ କାନତରାଟି ଝରକା ପାଖରେ ପହଞ୍ଚିଯାଇଥିଲା । କେତେ ଜଣ ଲୋକ ତାକୁ ଧରାଧରି କରି ତଳକୁ ନେଇଗଲେ । ସେତେବେଳେ ତା’ର ପୋଷାକପତ୍ର ଚିରି ଖଣ୍ଡ ଖଣ୍ଡ ହୋଇଯାଇଥାଏ; ଦେହରୁ ଗମ୍‌ଗମ୍‌ ଝାଳ ବୋହୁଥାଏ; ସେଥିରେ ଧୂଳିମାଟି ଲାଗିଥାଏ । ତାକୁ ଠିଆକରାଇ ଦେଲେ; କିନ୍ତୁ ଠିଆ ହେବାକୁ ତା ଦେହରେ ବଳ ନ ଥାଏ । ଶେଷରେ ଗୋଟାଏ ଗାଡ଼ି ଆଣି ତାକୁ ସେଥିରେ ବସାଇ ଘରକୁ ପଠାଇଦେଲେ ।

 

ଆସ୍ତେ ଲୋକଗହଳି ଭାଙ୍ଗିଗଲା । ଲୋକେ ନିଜ ନିଜ ଘରକୁ ଚାଲିଗଲେ । ଅବଶିଷ୍ଟ କେତେଜଣ ମାଜିନ୍‌କୁ ବେଢ଼ିଯାଇ ତାକୁ ପଚାରିଲେ–‘‘ଲୋକଟାକୁ ଉଦ୍ଧାର କରିବା ପାଇଁ ତୋତେ କିପରି ଏଭଳି ଗୋଟାଏ ବୁଦ୍ଧି ଦିଶିଲା ।’’ ମାଜିନ୍‌ ଦଉଡ଼ିଖଣ୍ଡକ ହାତରେ ଧରିଥାଏ । ସେ କହିଲା–‘‘ମୋତେ କାହୁଁ ସେ ବୁଦ୍ଧି ଦିଶିଲା କିପରି କହିବି ? ଅସଲ କଥା ହେଲା, ପଟାଟା ମଜବୁତ ଥିଲା । ମୁଁ ଯାଏଁ, ଖାଇବାବେଳ ଗଡ଼ିଯାଉଛି ।’’

 

‘‘କିନ୍ତୁ ସେଥିରେ ତୁ ନିଜେ ମରିଯିବାର ଭୟ ଥିଲା । ତୁ କାହିଁକି ଏପରି କାମରେ ପଶିଲୁ-?’’

 

‘‘ମୁଁ ତ ଯାହାହେଉ ମରିନାହିଁ । ମୋ ସାଥୀମାନେ କେହି ଦେଖାଯାଉ ନାହାନ୍ତି । ଖାଇବାକୁ ଗଲେଣି ପରା ।’’

 

ଅସିପ୍‌ ଏହି ସମୟରେ ପହଞ୍ଚିଯାଇ କହିଲା, ‘‘ହେଇଟି ତ ଆମ ମାଜିନ୍‌ ! ଆମେ ତୋତେ ଚାରିଆଡ଼େ ଖୋଜୁଛୁ । ତୁ ଆସି ଏଠି । ଆ, ଆ, ଖାଇବୁ, ଏଥର ଭଗବାନ ତୋର ସାହା ଥିଲେ । ଏ ଯାହା ହେଲା, ସେ ଭଗବାନଙ୍କର କାମ । ନ ହେଲେ, ଦେଖିଲୁ ସେ ପଟାଟା କେତେ ଦୁର୍ବଳ । ସେ ମରିବାର ଭଗବାନଙ୍କର ଇଚ୍ଛା ନ ଥିଲା । ସେ ଯେତେ ପାପ କରିଛି, ତା’ର ପ୍ରାୟଶ୍ଚିତ୍ତ ନ କରି ମରନ୍ତା କିପରି ? ଅବଶ୍ୟ ତୁ ଯାହା କରିବାର କରିଛୁ । ପୁଣି ଦଉଡ଼ିଟା ମଧ୍ୟ କମ୍‍ କାମ ଦେଇନି ।’’

 

ମାଜିନ ଅସିପ୍‌ ସାଙ୍ଗରେ ଚାଲିଥାଏ । ଅସିପ୍‌ ଯେ କଅଣ କହୁଛି, ସେଥିପ୍ରତି ତା’ର ମନ ନ ଥାଏ । ସେ ଉଦାସୀନ ଭାବରେ ଚାଲିଥାଏ ।

 

ଅସିପ୍‌ ପଚାରିଲା, ‘‘ମାଜିନ୍‌, ତୋ ଦେହରେ ତ କିଛି ଆଘାତ ହୋଇନି ?’’

 

‘‘ନାଇଁ, ଖାଲି ଗୋଡ଼ରେ ଗୋଟାଏ ଇଟା ବାଜି ଯାଇଛି ।’’

 

‘‘କଅଣ ଦରଜ ହୋଇଛି ?’’

 

‘‘ବେଶି ନୁହେଁ । ସେ ତା ମନକୁ ଭଲ ହୋଇଯିବ ଯେ ।’’

 

‘‘ତା’ଉପରେ ଟିକିଏ ମଦ ଘଷିନେ । ଦରଜ ଖାଇଯିବ ।’’

 

‘‘ମଦ ଘଷିବା ଦରକାର ନାହିଁ । ବରଂ ମଦ ମିଳିଲେ ତାକୁ ପିଇବି ।’’

 

‘‘ଆଚ୍ଛା, ତୋତେ ମଦ ଦିଆଯିବ ।’’

 

କାରିଗରମାନେ ଖାଇସାରି କିଛି କିଛି ମଦ ପିଇଲେ । ଚାର ଭାଙ୍ଗିପଡ଼ିଛି । ଏବେ କଅଣ କରିବାକୁ ହେବ, ସେ ବିଷୟରେ କାନତରାଟିର ଆଦେଶକୁ ଅପେକ୍ଷା କରି ସେମାନେ ବସି ରହିଲେ ।

 

ଯାକବ କହିଲା, ‘‘ଦେଖିବ, ସେ ଏଇକ୍ଷଣି ଆସି ପହଞ୍ଚିଯିବ ।’’

 

ଅନ୍ୟ ଜଣେ ଟୋକା କାରିଗର କହିଲା, ‘‘ହଁ, ସେ ନିଶ୍ଚୟ ଆସିବ । ଆଉ ଆସିଲା କ୍ଷଣି ଆମକୁ ଗାଳିଦେବ, କହିବ–ଆମେ ତାକୁ ମାରିବା ପାଇଁ ଜାଣିଶୁଣି ଚାରଟାକୁ ଖରାପ କରି ବାନ୍ଧିଥିଲୁ ।’’

 

ଅସିପ୍‌ ମୁରବିପଣ ଦେଖାଇ କହିଲା, ‘‘ସେ କାହିଁକି ଗାଳି ନ ଦେବ କହିଲ ? ତା’ର ଗାଳିଦେବା ଠିକ୍‍ ହେବ । ଆମର କଅଣ କିଛି ଦୋଷ ନାହିଁ ? କହ ଦେଖି, ପଟାଗୁଡ଼ାକ ପୁରୁଣା, ଦଦରା ସତ; କିନ୍ତୁ ଆମର କଅଣ ଆଖି ନ ଥିଲା ? ତାକୁ ଦେଇ ଚାର ବାନ୍ଧିଲୁ କାହିଁକି ? ସେଥିରେ ସେ ଗାଳି ନ ଦେବ କାହିଁକି ?’’

 

ସରଦାର୍‌ ସଙ୍ଗରେ ଅନେକ ଯୁକ୍ତିତର୍କ ହେଲା । କିନ୍ତୁ ଶେଷରେ ସମସ୍ତେ ସ୍ୱୀକାର କଲେ ଯେ ପଟାଗୁଡ଼ାକ ଦଦରା, ଠିଆ ବାଉଁଶଗୁଡ଼ାକ ପୁରୁଣା, କଣ୍ଟାର ଯଥେଷ୍ଟ ଅଭାବ–ଏସବୁ ସତ । ତଥାପି ସେମାନଙ୍କର ମଧ୍ୟ ଦୋଷ ଅଛି । ତେଣୁ କାନତରାଟି ଗାଳି ଦେଲେ ଅନ୍ୟାୟ ହେବ ନାହିଁ ।

 

ଯାକବ ଧୌର୍ଯ୍ୟ ଧରି ନପାରି କହିଉଠିଲା, ‘‘ଏସବୁ ବାଜେ କଥା ପଡ଼ିଛି କାହିଁକି ? ତା’ର ଗାଳିଦେବା ଠିକ୍‍ କି ଭୁଲ୍‌, ସେ କଥା ବିଚାରିବାରେ ଲାଭ କଅଣ ? ତୁମେ ତ ଜାଣ, ଠିକ୍‍ ହେଉ ବା ଭୁଲ୍‍ ହେଉ, ସେ ସବୁବେଳେ ସେମିତି ଭୁକୁଥିବ । ସେଇଟା ତା’ର ପ୍ରକୃତି ।’’

 

ଯାକବ ଯାହା କହିଲା, ତାହା ସତ; କିନ୍ତୁ ଉପସ୍ଥିତ ଘଟନାରେ କାରିଗରମାନଙ୍କର କିଛି କହିବାର ନ ଥିଲା ।

 

କିଛି ସମୟରେ ଆଇଭାନୋଭିଚ ପହଁଞ୍ଚିଗଲା । ଏବେ ତା’ର ଚେହେରା ଏକବାରେ ବଦଳିଯାଇଛି । ତା ଦେହଟି ବେଶ୍‍ ସଫାସୁତୁରା । ପୋଷାକ ମଧ୍ୟ ସଫା । ସକାଳବେଳାର ଆଇଭାନୋଭିଚ ଓ ଏ ବେଳାର ଆଇଭାନୋଭିଚ ମଧ୍ୟରେ ଢେର ତଫାତ୍‌ । ସମସ୍ତେ ଭାବିଥିଲେ ଯେ ସେ ଆସିଲାମାତ୍ରେ ସେମାନଙ୍କ ଉପରେ ଗାଳି ବୃଷ୍ଟିହେବ; କିନ୍ତୁ ସେପରି କିଛି ଲକ୍ଷଣ ଦେଖାଗଲା ନାହିଁ । ସେ ପଚାରିଲା, ‘‘ଭାଙ୍କା କାହିଁ ?’’

 

କାରିଗରମାନଙ୍କ ଭିତରେ ତିନିଜଣଙ୍କର ନାମ ଭାଙ୍କା । ବେଞ୍ଚ ଉପରେ ବସିଥିବା ଲୋକଙ୍କ ଭିତରେ ଦୁଇଜଣ ଭାଙ୍କା ଥିଲେ । ସେ ଦୁହେଁ ଉଠିଆସି କାନିତରାଟିଙ୍କ ଆଗରେ ଠିଆହେଲେ ।

 

‘‘ନାଇଁ, ନାଇଁ, ତୁମେ ନୁହଁ । ସେ ଆର ଭାଙ୍କା କାହିଁ ?’’ କାନତରାଟିର ମୁହଁରେ ବିରକ୍ତିର ଚିହ୍ନ ।

 

‘‘ସେ ବ୍ୟଟକାରୁ ଆସିଥିବା ଭାଙ୍କା ? ସେ ତ ଯାଇ ଗୋଟାଏ ଭଙ୍କା ବାକ୍‌ସ ଉପରେ ଶୋଇଛି । ଡାକିଦେଉଛି । ହେ ଭାଙ୍କା, ଉଠ୍‌, ଆବେ ଭାଙ୍କା ! କାନତରାଟି ତୋତେ ଡାକୁଛନ୍ତି । ଚଞ୍ଚଳ ଆ ।’’

 

ମାଜିନ୍‌, ଡାକ ଶୁଣି ଉଠିବସି ହାଇ ମାରିଲା । ଧୀରେ ଉଠି, ବଙ୍କା ଗୋଡ଼କୁ ହଲେଇ ହଲେଇ କାନତରାଟି ଆଗରେ ଠିଆ ହେଲା । କାନତରାଟି ଗୋଟିଏ ଲମ୍ୱା ନିଃଶ୍ୱାସ ପକାଇଲା । ସେଥିରେ ତା’ର ଥନ୍ତଲ ପେଟଟି ହଲିଗଲା ଓ ଗାଲ ଦୁଇଟା ଫୁଲିଗଲା ।

 

ସେ ଧୀର ସ୍ୱରରେ କହିଲେ, ‘‘ଆରେ ମାଜିନ୍‌, ମୁଁ ତୋତେ ଗୋଟିଏ କଥା କହିବି । ସେଇଟା ଅବଶ୍ୟ ତୋରି ଉପକାର ପାଇଁ । ମୁଁ ଦେଖୁଛି ଯେ ଏ ମାଙ୍କଡ଼ଙ୍କ ଭିତରେ ତୁଇ ଏକା କାମିକା ଲୋକ । ତୁ ନ ଥିଲେ ହୁଏତ ଆଜି ମୋର ପ୍ରାଣ ରହି ନ ଥାନ୍ତା । ଏଗୁଡ଼ାକ କଅଣ ମନୁଷ୍ୟ ? ସବୁ ହେଉଛନ୍ତି କାଠ, ପଥର । ମୁଣ୍ଡରେ ଟିକିଏ ହେଲେ କାହାରି ବୁଦ୍ଧି ନାହିଁ, ଖାଲି ଗୋବର । ଯାହାହେଉ, ମୁଁ ତୋ’ଠାରେ ଖୁବ୍‍ ଋଣୀ, ତୁ ମୋ ଜୀବନ ରଖିଛୁ । ସେଥିପାଇଁ ମୋ ଅନ୍ତରର ଧନ୍ୟବାଦ ଦେଉଛି ।’’

 

କାନତରାଟି ସମସ୍ତଙ୍କ ଆଡ଼କୁ ଚାହିଁଗଲା । ସେ ଚାହାଣିରେ କ୍ରୋଧ ଓ ବିରକ୍ତ ପ୍ରକାଶ ପାଉଥିଲା । ସମସ୍ତଙ୍କ ମୁହଁରେ ଉତ୍କଣ୍ଠାର ଭାବ ଲକ୍ଷ୍ୟ କରି ସେ ପୁଣି କହିଲା, ‘‘ତୁମେ ସବୁ ଆଖି ମେଲା କରି ଚାହିଁଛ କାହିଁକି ? ମୁଁ ତମ ମତଲବ ଜାଣେ । ଭାଙ୍କାକୁ ମୁଁ ଯେଉଁ ପୁରସ୍କାର ଦେବି, ତାକୁ ନେଇ ମଦ ପିଇବାକୁ ତୁମର ଇଚ୍ଛା । ମୁଁ କହି ରଖୁଛି, ତା’ପଇସାରେ ଯିଏ ମଦ ପିଇବାକୁ ଯିବ, ତାକୁ ଏକ ରୁବେଲ ଜରିମାନା କରିବି । ଭାଙ୍କା, ଏମାନଙ୍କୁ କିଛି ହେଲେ ଦେବୁନାହିଁ । ଏଗୁଡ଼ାକ ଭାରି ଚାଲାଖ । ଆଜିଯାଏ ତୋତେ ଠକି ଖାଉଛନ୍ତି । ଦେଖିଲେ ତ, ତୁ ସେତେ ସିଆଣା ନୋହୁ; ସେଥିପାଇଁ ତୋତେ ଶୋଷି ଖାଉଛନ୍ତି । ଯାଆ, ଏ ଟଙ୍କା ନେଇ ତୋର ଖଜଣା ଦେବୁ କି ଆଉ ଯାହା ଦରକାର, ଖରଚ କରିବୁ । ମାତ୍ର ଏମାନଙ୍କୁ ଟଙ୍କା ଧୋଇ ପାଣି ସୁଦ୍ଧା ଦେବୁନାହିଁ ।’’

 

ମାଜିନ୍‌ କହିଲା, ‘‘କାହିଁ, କି ଟଙ୍କା ?’’

 

‘‘ଟିକିଏ ରହ, ହେଇଟି ନେ । ତୋତେ ଅଶେଷ ଧନ୍ୟବାଦ !’’ ଏହା କହି କାନତରାଟି ଗୋଟିଏ ତିନି ରୁବେଲର ନୋଟ ବାହାର କରି ମାଜିନର ହାତକୁ ବଢ଼ାଇ ଦେଲା । କାନତରାଟି ଏତେବଡ଼ ଉଦାରତା ଦେଖାଇଛି; ସେଥିପାଇଁ ମାଜିନ୍‌ତାକୁ କେତେ ପ୍ରଶଂସା କରିବ; ଏହି ଆଶାରେ ସେ ମାଜିନ୍‌କୁ ଚାହିଁ ରହିଲା । କିନ୍ତୁ ମାଜିନ ନୋଟ ଖଣ୍ଡିକ ଏକ ଦୃଷ୍ଟିରେ କିଛି ସମୟ ଯାଏ ଚାହିଁ କହିଲା, ‘‘ମୋତେ କଅଣ ଏ ନୋଟ ଖଣ୍ଡି ଦାନ କରୁଛ ?’’

 

‘‘କେଡ଼େ ବୋକାଟାଏ ମ ? ଆଉ କାହାକୁ ଦେଉଛି ? ତୋତେ ଏ ନୋଟ ଖଣ୍ଡି ଦିଆଗଲା ।’’

 

‘‘ହୁଁ; ତା’ର ଅର୍ଥ–ମୁଁ ଘର ଉପରକୁ ଗଲି, ଦଉଡ଼ିରେ ଫାଶ କରି ଫିଙ୍ଗିଲି–ସେଥିପାଇଁ–-।’’

 

କାନତରାଟି ହସି ହସି କହିଲା, ‘‘ହଁ ଠିକ୍‍ ସେଇଥିପାଇଁ । କେଡ଼େ ବୋକା ! ତୋର ବୁଦ୍ଧି ଦେଖିଲେ ହସ ମାଡ଼ୁଛି ।’’

 

‘‘ତାହାହେଲେ ତୁମେ ଭାବୁଛ ଯେ ମୁଁ ଯାହା କରିଥିଲି, ଏଇ ତିନି ରୁବେଲ ପାଇବା ପାଇଁ କରିଥିଲି ?’’

 

ମୁହଁ ତଳକୁ କରି, ନୋଟ ଖଣ୍ଡକୁ ଚାହିଁ ରହି ମାଜିନ୍‌ ଏତକ କହିଲା ।

 

କାନତରାଟି ପେଣ୍ଟ ପକେଟ୍‌ରେ ହାତ ପୁରାଇ ପୁଣି କହିଲା, ‘‘ଓଃ, ତେବେ ତିନି ରୁବେଲ ତୋ କାମକୁ ଚାହିଁ କମ୍‍ ହେଲା ?’’ ମାଜିନ୍‌ କିଛି ନ କହି ଖାଲି ଟିକିଏ କାନତରାଟି ମୁହଁକୁ ଚାହିଁ ନିଃଶ୍ୱାସଟିଏ ପକାଇଲା । ତା’ର ମୁହଁଟା ବିକୃତ ହୋଇଗଲା । କିଛି ସମୟ ପରେ ସେ କହିଲା–

 

‘‘ତୁମେ ଭାବିଛ, ମୁଁ ଯାହା କରିଛି, ସେ ସବୁ ଏଇ ତିନି ରୁବେଲ ପାଇଁ ? ତୁମ ନୋଟ୍‌ ନେଇଯାଅ । ଆଇଭାନୋଭିଚ, ମୁଁ ଦେଖୁଛି, ତୁମଠାରୁ ବୋକା କେହି ନାହିଁ । କମ୍‍ ସାହାସ ନୁହେଁ ତ, ମତେ ତିନି ରୁବେଲ ପୁରସ୍କାର ଦେଉଛ ? ମୁଁ ତୁମର ଜୀବନ ରଖିବାପାଇଁ ଯାଇଥିଲି, ତିନି ରୁବେଲ ପାଇଁ ନୁହେଁ । ତୁମକୁ ରକ୍ଷା କରି ନ ଥିଲେ ତୁମେ ପାପର ପ୍ରାୟଶ୍ଚିତ୍ତ ନ କରି ମରିଥାନ୍ତ । ମଲା ପରେ ନରକକୁ ଯାଇଥାନ୍ତ । ସେଇଥିପାଇଁ ତୁମର ଜୀବନ ରକ୍ଷାକଲି । ଏବେ ତୁମେ ମୋତେ ତିନି ରୁବେଲ ନୋଟ୍‌ ଯାଚୁଛ ? ତୁମର ପୁରସ୍କାର ପାଇଁ ତୁମ ନାକରେ ବିଧାଏ ନ ଦେଲେ ତୁମ ଭାଗ୍ୟ ଭଲ । ଯାଅ, ଏଠୁ ଚାଲିଯାଅ । ତୁମ ମୁହଁ ଚାହିଁବାର ନୁହେଁ ।’’

 

କାରିଗରମାନେ ବିସ୍ମିତ ହୋଇ ମାଜିନର ଏଇ ବକ୍ତୃତା ଶୁଣୁଥାନ୍ତି । ଏପରି ଗୋଟାଏ ଦୁର୍ଘଟନା ଘଟିବ ବୋଲି ସେମାନେ ଆଦୌ ଭାବି ନ ଥିଲେ !

 

‘‘କଅଣ କହିଲୁ ? ତୁ ମୋ ନାକରେ ବିଧା ମାରିବୁ ? ତୋର ପୁଣି ସାହସ ଯେ କହିବୁ–ଚାଲିଯାଅ । ମୁଁ କିଏ ଜାଣୁ ? ସଇତାନ, ହସୁଛୁ କଅଣ ? ମତେ ଚିହ୍ନିନାହୁଁ !’’

 

ମାଜିନ୍‌ ଧମକ ଦେଲା ପରି କହିଲା, ‘‘ଆଇଭାନୋଭିଚ, ମୋ ଆଗରୁ ବାହାରିଯାଆ । ଦେଖ୍‌, ମୋ ସାଥିରେ ଆଉ ଥଟ୍ଟା ଚଳିବ ନାହିଁ । ତୋ ନୋଟ୍‌ ନେଇଯା । ମୋ ମଜୁରି ଦେଇପକା । ମୁଁ ଚାଲିଯିବି ।’’ ଏହା କହି ସେ ନୋଟ୍‌ ଖଣ୍ଡକ ଫିଙ୍ଗିଦେଲା ।

 

ଅସିପ୍‌ ବଡ଼ପାଟିରେ କହିଲା, ‘‘ସାବାସ୍‌, ମାଜିନ୍‌ ।’’

 

କାନତରାଟିର ମୁହଁ ଟିକିଏ ହୋଇଗଲା । ସବୁ କାରିଗର ତା ମୁହଁକୁ ଚାହିଁଥାନ୍ତି; ଜଣେ ହେଲେ ତା ପ୍ରତି ସହାନୁଭୂତି ଦେଖାଉ ନ ଥାଏ । ସେ ଦେଖିଲା ଯେ କାରିଗରମାନେ କେହି ଜଣେହେଲେ ତାକୁ ଭୟ କରୁନାହାନ୍ତି । ବରଂ ତାକୁ ଉପହାସ କରୁଅଛନ୍ତି । ତଥାପି ସେ ସେଠାରୁ ଯାଇପାରୁ ନ ଥିଲା । ତେଣୁ ସେ ସେମାନଙ୍କ ଆଗରେ ଛିଡ଼ାହୋଇ ରହି କହିଲା, ‘‘ବେଶ୍‍, ମୁଁ ଦେଖୁଛି, ତୁମେ ସମସ୍ତେ ଖୁବ୍‍ ଚାଲାଖ । ହୁଁ, ଆଉ କଅଣ କହିବ, କହିଯାଅ ।’’

 

ଆଇଭାନ କହିଲା, ‘‘ମୁଁ କହନ୍ତି ଯେ ମତେ ଆସୁନି । କିନ୍ତୁ ମୋ ମନ ହେଉଛି, ତୋ ନାକ ଉପରେ ଗୋଟାଏ ମୁଥ ଦିଅନ୍ତି । ଯା ଯା, ତୁ ଆମ ଆଗରୁ ଗଲୁ ।’’

 

‘‘ସଇତାନ, ବଦମାସ, ତମର ସବୁ ଏଇ ବିଚାର ? ହୁଁ ! ଆଚ୍ଛା, ମୁଁ ତମକୁ ଦେଖେଇ ଦେବି, ମୁଁ କିଏ ?’’

 

କିନ୍ତୁ କାରିଗରମାନେ ଜାଣିପାରିଥିଲେ । ଯେ ଲୋକଟାର କିଛି ଦେଖେଇବାର କି କରିବାର ଶକ୍ତି ନାହିଁ । ତେଣୁ ଆଇଭାନ ବୁଲିପଡ଼ି ଚାଲିଗଲା ।

 

ଅସିପ୍‌ ପୁଣି କହିଲା, ‘‘ସାବାସ୍‌, ଆଇଭାନ । ତୁ ଠିକ୍‍ କହିଛୁ ।’’ ସେ ପାଟିକରି ମାଜିନ୍‌ର ଚାରିପାଖେ ନାଚି ନାଚି କହିଲା, ‘‘ମାଜିନ୍‌, ସାବାସ୍‌ ମାଜିନ୍‌ ! କେଡ଼େ ସୁନ୍ଦର କଥା କହୁଛି–ତିନି ରୁବେଲର ନୋଟ୍‌ । ଆରେ, ନୋଟ୍‌ କଅଣ ବଡ଼ କଥା । ସେ ଭାବିଥିଲା–ନୋଟ୍‌ଖଣ୍ଡକ ଦେଖି ଆମେ ଭୁଲିଯିବୁ । ସାବାସ୍‌ ଇଭାନ୍‌ ତୁ ଠିକ୍‍ କହିଛୁ ।’’

 

ସବୁ କାରିଗର ଏବେ ବୁଝିଗଲେ ଯେ ଭାଙ୍କା ଯେତେ ଅସୁନ୍ଦର ହେଉ, ଯେତେ ବୋକା ହେଉ, କାନତରାଟିକୁ ଠିକ୍‍ ନିଜ ରୂପ ଦେଖେଇ ଦେଇଛି । ସେମାନେ ମାଜିନ୍‌କୁ ଯେତିକି ଦୁର୍ବୋଧ୍ୟ ମନେକଲେ, ସେତିକି ଭୟ ମଧ୍ୟ କଲେ; କିଏ ଜାଣେ କେତେବେଳେ ସେ ସେମାନଙ୍କୁ ମଧ୍ୟ କଅଣ କହିବ; କିନ୍ତୁ ଏଥିମଧ୍ୟରେ ଭାଙ୍କା ମାଜିନ ତା’ର ପୂର୍ବ ଅବସ୍ଥାକୁ ଫେରିଯାଇଥିଲା । ସେଇ ନିର୍ବେଦ, ଉଦାସୀନ ଭାବ, ସେଇ ନିର୍ବୋଧତା ।

 

କାନତରାଟି ମାଜିନ ଓ ଅସିପ୍‌ ଦୁହିଁଙ୍କୁ କାମରୁ ବାହାର କରିଦେଲେ । ସେଦିନ ସନ୍ଧ୍ୟାବେଳେ ଦୁହେଁଯାକ ବସି ଗୋଟାଏ ହୋଟେଲରେ ଖାଉଥିଲେ । ମାଜିନ୍‌ ପାଟିରେ ଖଣ୍ଡେ ରୁଟି ପୂରାଇ ଚୋବାଉଥିଲା ଓ ଅସିପ୍‌ ଭାଙ୍କାର ସାହସ ବର୍ଣ୍ଣନା କରି ତା’ର ପ୍ରଶଂସା କରୁଥିଲା । ଅସିପ୍‌ କହିଲା–

 

‘‘ସେ ଯେଉଁ ନୋଟ୍‌ ଖଣ୍ଡକ ଯାଚିଲା, ସେ ହେଉଛି, ତୋ ଛାତିରେ ଛୁରା ମାରିବା ଭଳି । ତୁ ଆପଣା ଜୀବନକୁ ମୂର୍ଚ୍ଛି ଦେଇ ଉପରକୁ ଗଲୁ; ତା ଜୀବନ ରଖିଲୁ । କାହିଁକି ? ତା’ଠାରେ ତୋର ଦୟା ହେଲା ବୋଲି ତ ! ଆଉ କାହିଁକି ? ଯେତେହେଲେ ସେ ଆମରି ଭଳି ଗୋଟାଏ ମଣିଷ । ଆମରି ଭଳି ତା’ର ଜୀବନ ଅଛି । ସେଥିପାଇଁ ତୁ ତାକୁ ବଞ୍ଚେଇଲୁ । ଆଉ ସେ ଆସି ତୋତେ ତିନି ରୁବେଲ ଯାଚୁଛି । ୟା ସେ କେମିତି କରିବାକୁ ଗଲା ? ତିନି ରୁବେଲର ମୂଲ୍ୟ କଅଣ ? ତୁ ଯାହା କରିଥିଲୁ, ସେଥିରେ ମନପ୍ରାଣ ଦେଇ କରିଥିଲୁ; କିନ୍ତୁ ତା ଆଖିରେ ତୋ ମନର, ତୋ ପ୍ରାଣର ମୂଲ୍ୟ ହେଉଛି ତିନି ରୁବେଲ ! ଏଇଟା ହେଉଛି ଘୋର ଅପମାନ...... ।’’

 

ମାଜିନ ରୁଟିଖଣ୍ଡକ ଚୋବାଇ ଟିକିଏ ଚାହା ପିଇଲା । ରୁଟି ଖଣ୍ଡକ ଗିଳିସାରିବାପରେ ଧୀରେ ଧୀରେ କହିଲା, ‘‘ଦୁଃଖର କଥା, ମୁଁ ତାକୁ ଶିକ୍ଷାଦେଇ ପାରିଲି ନାହିଁ । ଥରେ ତା ଚୁଟି ଧରି ଟିକିଏ ବୁଲେଇ ଆଣିଥିଲେ ଠିକ୍‍ ହୋଇଥାନ୍ତା; କିନ୍ତୁ ଲୋକଟାକୁ ଦେଖି ମୋର ଦୟା ହେଲା । ଦେଖୁନ, ଲୋକଟା କେଡ଼େ ମୂର୍ଖ, କେଡ଼େ ବୋକା ! ଏଭଳି ଲୋକଠାରୁ କଅଣ ଆଶା କରାଯାଇପାରେ ?’’

 

ମାଜିନ୍‌ କପ୍‌ରୁ ଚାହା ଢାଳି ଢୋକେ ପିଇବାରେ ଲାଗିଲା । ସେ ଛୋଟ ଲୋକଟାର କଥା ଆଉ ମନକୁ ଆଣିଲା ନାହିଁ ।

Image